ନୂଆଦିଲ୍ଲୀ: ରାଜଧନୀ ଦିଲ୍ଲୀରେ ଦିନକୁ ଦିନ ଅପରାଧ ବୃଦ୍ଧି ପାଇବାରେ ଲାଗିଛି। ଦିନ ଦ୍ୱପହରେ ତାହା ପୁଣି ବିଚ୍ ରାସ୍ତାରେ ଅପରାଧୀମାନେ ଗୁଳି ଚଳାଉଛନ୍ତି। ଏପରି କି କୋର୍ଟ ଭିତରେ ମଧ୍ୟ ହତ୍ୟାକାଣ୍ଡ ଘଟୁଛି। ଯାହାକୁ ଦେଖିଲେ କେନ୍ଦ୍ର ଗୃହମନ୍ତ୍ରାଳୟ ଅଧିନରେ ଥିବା ଦିଲ୍ଲୀ ପୋଲିସ ମାନ୍ଦା ହୋଇଯାଇଥିବା ଭଳି ମନେ ହେଉଛି। ରବିବାର ଦିଲ୍ଲୀର ବାୱାନା ଅଞ୍ଚଳରେ ଗ୍ୟାଙ୍ଗ ୱାର୍ ହୋଇଛି। ଏଥିରେ ଜଣେ ୧୯ ବର୍ଷିୟ ଯୁବକଙ୍କ ମୃତ୍ୟୁ ହୋଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।


COMMERCIAL BREAK
SCROLL TO CONTINUE READING

ରବିବାର ରାତିରେ ଦିଲ୍ଲୀ ପୋଲିସ କହିଛି ଯେ, ବାୱାନା ଅଞ୍ଚଳରେ ୬ରୁ ଅଧିକ ରାଉଣ୍ତ ଗୁଳି ଚଳାଯାଇଛି। ଏଥିରେ ଜଣେ ୧୯ ବର୍ଷର ଯୁବକ ଗୁରୁତର ହୋଇଥିଲେ। ହସ୍ପିଟାଲ ନେବା ସମୟରେ ତାଙ୍କର ଦେହାନ୍ତ ହୋଇଛି। ନବୀନ ବାଲି ଗ୍ୟାଙ୍ଗ ସଦସ୍ୟଙ୍କ ସହ ମୃତକଙ୍କ ଲିଙ୍କ ଥିଲା। ପ୍ରାଥମିକ ତଦନ୍ତରେ ଏହା ଏକ ଗ୍ୟାଙ୍ଗ ୱାର ଭଳି ଲାଗୁଛି। ବର୍ତ୍ତମାନ ସୁଦ୍ଧା ଅପରାଧିଙ୍କ ବିଷୟରେ କୌଣସି ସୁରାକ୍ ମିଳିପାରିନାହିଁ।


Also Read: ବର୍ଣ୍ଣ ବୈଷମ୍ୟରୁ ନରସଂହାର! ୧୮ ବର୍ଷିୟର ଆଖିବୁଜା ଗୁଳିମାଡରେ ୧୦ ମୃତ, Livestreaming ହେଉଥିଲା ସମ୍ପୂର୍ଣ୍ଣ ଦୃଶ୍ୟ


ଗତ ସପ୍ତାହରେ ଜାତୀୟ ରାଜଧାନୀର ରାସ୍ତାରେ ଦୁଇଟି ପୃଥକ ଗୁଳିକାଣ୍ଡ ଘଟିଥିଲା। ଏଥିରେ ଜଣେ ଗ୍ୟାଙ୍ଗଷ୍ଟରଙ୍କ ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଥିଲେ। ମେ ସାତ ତାରିଖ ଅପରାହ୍ନ ପ୍ରାୟ ପାଞ୍ଚଟାରେ ଆଉଟର ଦିଲ୍ଲୀର ଖେରା ଭିଲେଜ୍ ଅଞ୍ଚଳରେ ପ୍ରଥମ ଗୁଳିକାଣ୍ଡ ଘଟିଥିଲା। ଏଥିରେ ଗ୍ୟାଙ୍ଗଷ୍ଟର ସୁନିଲ ମାନ ଓରଫ ଗୋଗିର ବାପା ବଳରାମ ପ୍ରକାଶଙ୍କ ଦେହାନ୍ତ ହୋଇଥିଲା। ଏହି ଘଟଣାର ଲାଇଭ୍ ଭିଡିଓ ଭାଇରାଲ ହୋଇଥିଲା।


 



ଖେରା ଭିଲେଜ୍ ଗୁଳିକାଣ୍ଡର ପ୍ରାୟ ତିନି ଘଣ୍ଟା ଭିତରେ ସୁବାଷ ନଗରରେ ଗୁଳି ଫୁଟିଥିଲା। ଅଜୟ ଚୌଧୁରୀ ଓ ଜସା ଚୌଧୁରୀ ନାମକ ଦୁଇ ଭାଇଙ୍କ ଉପରେ ଆତର୍କିତ ଗୁଳିମାଡ କରାଯାଇଥିଲା। ୧୨ରୁ ଊର୍ଦ୍ଧ୍ୱ ଫାଇରିଂ କରାଯାଇଥିବା ସୂଚନା ମିଳିଛି। ତେବେ ଉଭୟ ଭାଇ ଗାଡି ଭିତରେ ଥିବାରୁ ମାତ୍ର କେତୋଟି ଗୁଳି ସେମାନଙ୍କ ଦେହରେ ବାଜିଥିଲା। ଏହି ଘଟଣାର ସମସ୍ତ ଦୃଶ୍ୟ ମଧ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି।


Also Read: ବିଳମ୍ବିତ ରାତିରେ 'କାଉ'କୁ ହାଣି ଦୁର୍ବୃତ୍ତ ଫେରାର


ଦୁଇ ଦିନ ତଳେ (ଶିନବାର ରାତିରେ) ଦକ୍ଷିଣ ଦିଲ୍ଲୀର ପୁଷ୍ପ ବିହାର ଅଞ୍ଚଳରେ ଏକ ଏନକାଉଣ୍ଟର ହୋଇଥିଲା। ଏଥିରେ ଦିଲ୍ଲୀ ପୋଲିସର ଏସଟିଏଫ୍ ସୁନିଲ ରାଜ ନାମକ ଗ୍ୟାଙ୍ଗଷ୍ଚଟକୁ ଗିରଫ କରିବାରେ ସଫଳ ହୋଇଥିଲା। ସୁନିଲ ବିରୋଧରେ ଦୁଇଟି ହତ୍ୟା, ପାଞ୍ଚଟି ହତ୍ୟା ଉଦ୍ୟମ, ଗୋଟିଏ MCOCA ଓ ପୋଲିସ-ବିଚାରପତିଙ୍କୁ ଦୁର୍ବ୍ୟବହାର ମାମଲା ରହିଛି। ଅନ୍ୟପଟେ ଲୋରେନ୍ସ ବିଷ୍ନୋଇ ଓ କାଲା ଜଠେରୀ ଗ୍ୟାଙ୍ଗ ସେମାନଙ୍କ ଏରିୟା ବଢାଇବାକୁ ଯୋଜନା ଚଳାଇଛନ୍ତି। ପଞ୍ଜାବ, ରାଜସ୍ଥାନ, ଦିଲ୍ଲୀ ଓ ଗୁଡଗାଓଁରେ ସେମାନଙ୍କ ଅବୈଧ ମଦ କାରବାର ଚାଲିଛି। ଶନିବାର ଏହି ଦୁଇଟି ଗ୍ୟାଙ୍ଗର ତିନି ଜଣ ସଦସ୍ୟଙ୍କୁ ପୋଲିସ ଗିରଫ କରିଛି।