#PariMurderCase : କାହାକୁ ବଞ୍ଚାଉଛନ୍ତି ଅରୁଣ ବୋଥ୍ରା?
ପରୀ ହତ୍ୟାକାଣ୍ଡର କୌଣସି ପ୍ରତ୍ୟକ୍ଷଦର୍ଶୀ ନାହାନ୍ତି। କେବଳ ସରୋଜ ନିଜେ ଦୋଷ ସ୍ୱୀକାର କରିଥିବା ପୋଲିସ ଦାବି କରିଛି। ଯଦି ସେ କୋର୍ଟରେ ବୟାନ ବଦଳାଏ, ତେବେ କଣ ହେବ?
ନୂଆଦିଲ୍ଲୀ: ନୟାଗଡ ପରୀ ହତ୍ୟା ମାମଲାକୁ ନେଇ ଦିନକୁ ଦିନ ଆସୁଛି ସାମନାକୁ ଆସୁଛି ନୂଆ ନୂଆ ତଥ୍ୟ। ରବିବାର ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସରୋଜ ସେଠୀ ଗିରଫ ହୋଇଛି। ସୋମବାର ତାକୁ ପୋକ୍ସୋ କୋର୍ଟରେ ହାଜର ପରେ ପୋଲିସ ୩ ଦିନିଆ ରିମାଣ୍ଡରେ ନେଇଛି। ସେହିପରି ମଙ୍ଗଳବାର ଏହି ମାମଲାର ତଦନ୍ତ କରୁଥିବା SIT ମୁଖ୍ୟ ଅରୁଣ ବୋଥ୍ରା ଏକ ପ୍ରେସମିଟ କରି ପରୀ ହତ୍ୟାକାଣ୍ଡର ସମ୍ପୂର୍ଣ୍ଣ କାହାଣୀ କହିଛନ୍ତି। ଯାହାକୁ ନେଇ ଏବେ ବିଭିନ୍ନ ମହଲରେ ଅନେକ ପ୍ରଶ୍ନ ଉଠୁଛି।
ପରୀ ହତ୍ୟାକାଣ୍ଡ (Pari Murder Case) କୁ ନେଇ ମଙ୍ଗଳବାର SIT ମୁଖ୍ୟ ଅରୁଣ ବୋଥ୍ରା (Arun Bothra) ଏକ ପ୍ରେସମିଟ କରିଛନ୍ତି। ଆଉ ପରୀକୁ କିଭିଳି ଭାବେ ସରୋଜ ହତ୍ୟା କରି ମୃତଦେହକୁ ଠିକଣାରେ ଲଗାଇଥିଲା ତାହା କହିଛନ୍ତି। ତେବେ ପରୀକୁ ସେ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲା କିନ୍ତୁ ଶେଷରେ ତାର ମନ ପରିବର୍ତ୍ତନ ହୋଇଯାଇଥିବା SIT ମୁଖ୍ୟ କ୍ୟାମେରା ଆଗରେ କହିଛନ୍ତି। ଯୌନ ଲାଳସା ମେଣ୍ଟାଇବା ଉଦ୍ଦେଶ୍ୟରେ କୁନି ପରୀକୁ ହତ୍ୟା କରିଥିବା ଅଭିଯୁକ୍ତ ମାନିଛି ବୋଲି ସେ ଦାବି କରିଛନ୍ତି। ଆଉ ଏହାର ଯଥେଷ୍ଟ ପ୍ରମାଣ ଅଛି ବୋଲି ବି ଅରୁଣ ବୋଥ୍ରା କହିଛନ୍ତି।
ଅସନ୍ତୁଷ୍ଟ ପରୀର ପରିବାର
ସେପଟେ SIT ତଦନ୍ତରେ ସନ୍ତୁଷ୍ଟ ନାହାନ୍ତି ପରୀର ପରିବାର। ସରୋଜ (Saroj Sethi) ଜଣେ ଭଲ ପିଲା, ତାକୁ ଜାଣିଶୁଣି ଫସାଯାଉଥିବା ସେମାନେ କହିଛନ୍ତି। ପରୀକୁ ଦୁଷ୍କର୍ମ ଉଦ୍ଦେଶ୍ୟରେ ନୁହେଁ ବରଂ ଅଙ୍ଗତସ୍କରୀ ପାଇଁ ହତ୍ୟା କରାଯାଇଛି। ଏଥିରେ ଏକାଧିକ ବ୍ୟକ୍ତିଙ୍କ ସମ୍ପୃକ୍ତି ଅଛି, ସରୋଜ କେବଳ ଏହାର ଗୋଟିଏ ମୋହରା। ପୋଲିସ ପ୍ରକୃତ ଅପରାଧିକୁ ବଞ୍ଚାଇବାକୁ ଚେଷ୍ଟା କରୁଛି ବୋଲି ପରୀର ପରିବାର ଅଭିଯୋଗ କରିଛନ୍ତି।
Also Read: ‘ପରୀ’ ହତ୍ୟାକାଣ୍ଡ; ପାଞ୍ଚ ମାସ ପରେ ପ୍ରଥମ ପିଶାଚ ଗିରଫ
ଶିଥୀଳ ତଦନ୍ତ ପ୍ରକ୍ରୀୟା
ପରୀ ମାମଲାରେ ପ୍ରଥମରୁ ପୋଲିସ (Odisha Police) ର ତଦନ୍ତ ପ୍ରକ୍ରୀୟା ଉପରେ ପ୍ରଶ୍ନ ଉଠିଛି। ଜୁଲାଇରେ ମାମଲା ରୁଜୁ ହୋଇଥିବା ବେଳେ ଦୀର୍ଘ ୫ ମାସ ପର୍ଯ୍ୟନ୍ତ ପୋଲିସ ତଦନ୍ତ ଶୀଥିଳ ଥିଲା। ପରୀର ପରିବାର ଲୋକ ଏହି ମାମଲାରେ ମନ୍ତ୍ରୀ ଅରୁଣ ସାହୁ (Arun Sahu) ଏବଂ ବାବୁଲି ନାୟକ ନାମକ ବ୍ୟକ୍ତିର ସମ୍ପୃକ୍ତି ନେଇ ବି ଅନେକ ଥର ଅଭିଯୋଗ ଆଣିଛନ୍ତି। କିନ୍ତୁ ପୋଲିସ ତାହାକୁ ଗୁରୁତ୍ୱ ଦେଇ ନଥିଲା। ଶେଷରେ ପରୀର ବାପା-ମାଆ ବିଧାନସଭା (Odisha Assembly) ଆଗରେ ଆତ୍ମଦାହ କରିବାକୁ ଉଦ୍ୟମ କରିଥିଲେ। ପରେ ସରକାର ତଦନ୍ତ ପାଇଁ ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ SIT ଟିମ ଗଠନ କରିଥିଲେ।
ସନ୍ଦେହରେ ବୋଥ୍ରାଙ୍କ ତଦନ୍ତ
ଅରୁଣ ବୋଥ୍ରାଙ୍କ ତଦନ୍ତକୁ ବି ନେଇ ଅନେକ ବାର ବିବାଦ ସୃଷ୍ଟି ହୋଇଛି। ପ୍ରଥମେ ତ ତାଙ୍କର ଅଧିକାର ନ ଥିବା ବେଳେ ତଦନ୍ତ କରିବା କେତେ ଯୁକ୍ତିଯୁକ୍ତ ବୋଲି ପ୍ରଶ୍ନ ଉଠିଥିଲା। ଏବେ ଗିରଫ ହୋଇଥିବା ସରୋଜ ସେଠୀ ମଧ୍ୟ ତାଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଥିଲେ। ପରୀର ହତ୍ୟାକାଣ୍ଡର ଦୋଷ ମୁଣ୍ଡାଇଲେ ୫ ଲକ୍ଷ ଟଙ୍କା ଦିଆଯିବ ବୋଲି ଅରୁଣ ବୋଥ୍ରା କହିଥିବା ସେ ଅଭିଯୋଗ କରିଥିଲେ।
Also Read: ତଦନ୍ତରେ ଅସନ୍ତୋଷ, ସରୋଜ କେବଳ ମୋହରା: ପରୀର ମା'
ପ୍ରକୃତ ଦୋଷୀ କିଏ?
ପରୀର ପରିବାରର ବୟାନ ପରେ ପ୍ରକୃତ ଦୋଷୀ କିଏ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି। ପୋଲିସ ତଦନ୍ତ ନାଁରେ ତାମସା କରୁଥିବା ପରୀର ମାଆ କହିଛନ୍ତି। ବର୍ତ୍ତମାନ ସୁଦ୍ଧା ପରୀ ହତ୍ୟାକାଣ୍ଡର କୌଣସି ପ୍ରତ୍ୟକ୍ଷଦର୍ଶୀ ନାହାନ୍ତି। ଏଭଳି ପରିସ୍ଥିତିରେ ସରୋଜକୁ ବେଲ ମିଳିବାର ସମ୍ଭାବନା ଅଧିକ। ସେପଟେ ପରୀର ହତ୍ୟାକାଣ୍ଡରେ ସରୋଜର ସମ୍ପୃକ୍ତି ନେଇ ସମସ୍ତ ପ୍ରମାଣ ଥିବା ଅରୁଣ ବୋଥ୍ରା ଦୃଢତାର ସହ କହିଛନ୍ତି।