ଆବିଷ୍କାରକ ଅରୁଣ!
SIT ମୁଖ୍ୟ ଅରୁଣ ବୋଥ୍ରା ଯେଉଁ ଭଳି ଭାବରେ ଗୋଟିଏ ପରେ ଗୋଟିଏ ପ୍ରମାଣ ଖୋଜି ବାହାର କରୁଛନ୍ତି, ତାହା ଲୋକଙ୍କ ସନ୍ଦେହକୁ ଆହୁରି ଦୃଢିଭୁତ କରୁଛି।
ନୂଆଦିଲ୍ଲୀ: ପରୀ ହତ୍ୟାକାଣ୍ଡ ମାମଲା ଏବେ ରାଜ୍ୟରୁ ବାହାରି ଜାତୀୟସ୍ତରରେ ଚର୍ଚ୍ଚାର ବିଷୟ ପାଲଟିଲାଣି। ପରୀର ହତ୍ୟା ରହସ୍ୟ ଠାରୁ ଏହାର ତଦନ୍ତ ପ୍ରକ୍ରିୟା ଅଧିକ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଦିନକୁ ଦିନ ହତ୍ୟାକାଣ୍ଡର ଗୁମର ଖୋଲିବା ସହ ବିବାଦ ମଧ୍ୟ ବଢିବାରେ ଲାଗୁଛି। ପରୀ ହତ୍ୟାକାଣ୍ଡର ତଦନ୍ତ କରୁଥିବା SIT ମୁଖ୍ୟ ଅରୁଣ ବୋଥ୍ରା ଯେଉଁ ଭଳି ଭାବରେ ଗୋଟିଏ ପରେ ଗୋଟିଏ ପ୍ରମାଣ ଖୋଜି ବାହାର କରୁଛନ୍ତି, ତାହା ଲୋକଙ୍କ ସନ୍ଦେହକୁ ଆହୁରି ଦୃଢିଭୁତ କରୁଛି।
ଯଦି ଆମକୁ ଅରୁଣ ବୋଥ୍ରା (Arun Bothra) ଙ୍କ ତଦନ୍ତର ଯାଦୁଗରୀ ଦେଖିବାର ଅଛି ତେବେ, ୫ ମାସ ଫ୍ଲାସବ୍ୟାକକୁ ଯିବାକୁ ପଡିବ। ଆଉ ସେଥିପାଇଁ ପରୀକୁ ପୁଣି ଥରେ ମାରିବାକୁ ପଡିବ। ଚଳିତବର୍ଷ ଜୁଲାଇ ୧୪ ତାରିଖରେ ପରୀ ଖେଳୁଥିବା ବେଳେ ନିଜ ନୟାଗଡର ଯଦୁପୁର ଗାଁରୁ ନିଖୋଜ ହୋଇଥିଲା। ବହୁତ ଖୋଜାଖୋଜି କରି ବାପା ମାଁ ନୟାଗଡ ସଦର ଥାନାରେ ନିଖୋଜ ରିପୋର୍ଟ ଲେଖାଇଥିଲେ।
ପୋଲିସ ତଦନ୍ତ ଚାଲିଥିବା ବେଳେ ଜୁଲାଇ ୨୩ ତାରିଖରେ ଘରଠାରୁ ପ୍ରାୟ ୧୦୦ ମିଟର ଦୂରରେ ଏକ ଅଖା ଭିତରେ ଏକ ଗଳିତ ମୃତଦେହ ଠାବ କରାଯାଇଥିଲା। ତେବେ ସେଥିରେ ସମୂର୍ଣ୍ଣ ଶରୀର ନୁହେଁ ଗୋଟିଏ ଖପୁରୀ ଆଉ ମାତ୍ର କିଛି ଖଣ୍ଡ ମାଂସ ବିହୀନ ହାଡ ଥିଲା। ଯାହାକୁ ଶେଷରେ ପରୀର ମୃତଦେହ ବୋଲି କୁହାଗାଲା। ଏହାର କିଛି ଦିନ ପରେ ଏକ ଅଜଣା ନମ୍ବରରୁ ପରୀ ବଞ୍ଚିଥିବା ଦାବି କରାଗଲା। କିନ୍ତୁ ଏହାକୁ ଫେକ୍ କଲ ବୋଲି ନୟାଗଡ ପୋଲିସ କହିଲା।
ଝିଅକୁ ଅଙ୍ଗତସ୍କରୀ ପାଇଁ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ ଆଣିଲେ। କିନ୍ତୁ ନୟାଗଡ ପୋଲିସ ଏହାକୁ ଅପହରଣ ଓ ହତ୍ୟା ମାମଲା ବୋଲି କହିଲା। କିନ୍ତୁ ଦୀର୍ଘ ୫ ମାସ ତଦନ୍ତ ବାହାନାରେ ପୋଲିସ ପରୀର ବାପା-ମାଆଙ୍କୁ ବୁଲାଇଲା କିନ୍ତୁ କୌଣସି ଅଭିଯୋଗକୁ ଚିହ୍ନଟ କରିପାରିଲା ନାହିଁ। ପରେ ପୋଲିସର ତଦନ୍ତ ପ୍ରକ୍ରିୟାରେ ଅତିଷ୍ଟ ହୋଇ ବିଧାନସଭା ଆଗରେ ପରୀର ମାଆ-ବାପା ଆତ୍ମଦାହ କରିବାକୁ ଉଦ୍ୟମ କରିଥିଲେ। ଏହାରି ପରେ ପରୀ ହତ୍ୟା ମାମଲାରେ ଏକ ଟ୍ୱିଷ୍ଟ ଆସିଥିଲା।
SIT ଗଠନ
ନଭେମ୍ବର ୨୪ ତାରିଖ ଦିନ ପରୀର ବାପା-ମାଆ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ବିରୋଧି ଓ ଗଣମାଧ୍ୟ ଚାପରେ ଘଟଣାର ୪ ଦିନ ଭିତରେ ସରକାର ORCTC, MD ଅରୁଣ ବୋଥ୍ରାଙ୍କ ଅଧ୍ୟକ୍ଷତାରେ ଏକ SIT ଟିମ୍ ଗଠନ କଲେ। ହାଇକୋର୍ଟକୁ ଏହାର ତାଲିକା ହାଇକୋର୍ଟକୁ ପଠାଇଲେ। କିନ୍ତୁ କୋର୍ଟଙ୍କ ଅନୁମତି ଆସିବା ପୂର୍ବରୁ SITର ତଦନ୍ତ ଆରମ୍ଭ ହୋଇଗଲା।
ପରୀ ସହ ଦୁଷ୍କର୍ମ ଥିଓରୀ
ତଦନ୍ତ ଆରମ୍ଭ ହେବାର କିଛି ଦିନ ମଧ୍ୟରେ SIT ମୁଖ୍ୟ ଅରୁଣ ବୋଥ୍ରା ପରୀ ହତ୍ୟାକାଣ୍ଡର କଡ଼ି ବାହାର କରିବା ପାଇଁ ୨ ସପ୍ତାହ ସମୟ ମାଗିଥିଲେ। ଆଉ ଠିକ ୨ ସପ୍ତାହ ପୁରିଲା ବେଳେକୁ ଡିସେମ୍ବର ୧୬ରେ ହାଇକୋର୍ଟରେ ଏକ ବନ୍ଦ ଲଫାଫାରେ ତଦନ୍ତର ଷ୍ଟାଟସ ରିପୋର୍ଟ ଦାଖଲ କରିଥିଲେ। ଯାହା ପରବର୍ତ୍ତୀ ସମୟରେ ଲିକ୍ ହୋଇଥିଲା। ଯେଉଁଠି ପରୀ ସହ ଦୁଷ୍କର୍ମ ହୋଇଥିବା ଦର୍ଶାଯାଇଥିଲା। ପରୀର ଫ୍ରକରେ ସିମେନ ଦାଗ ମିଳିଥିବାରୁ ଏଥିରେ ସେହି ଯଦୁପୁର ଗ୍ରାମର ଜଣେ ଯୁବକଙ୍କ ହାତ ଥିବା କୁହାଯାଇଥିଲା। କିନ୍ତୁ ଯବକର ନାଁ ପ୍ରଘଟ କରାଗଲା ନାହିଁ।
ସରୋଜ ସେଠୀ ଗିରଫ
ଡିସେମ୍ବର ୧୯ରେ କ୍ରାଇମବ୍ରାଞ୍ଚ ସରୋଜ ସେଠୀ ଏବଂ ତାର ମାଆ ଓ ଭଉଣୀଙ୍କୁ ଉଠାଇ ଆଣି ଜେରା କରିଥିଲା। ଏହାର ଦିନକ ଭିତରେ ସରୋଜକୁ ଗିରଫ କରାଗଲା। ପ୍ରଥମେ ତାକୁ ନାବାଳକୁ ବୋଲି SIT କହୁଥିଲା କିନ୍ତୁ ପରବର୍ତ୍ତୀ ସମୟରେ ସେ ସାବାଳକ ବୋଲି ପ୍ରମାଣିତ ହେଲା। ଡିସେମ୍ବର ୨୦ IPCର 376-A/376-AB/364/302/201 ଓ POCSO ଆକ୍ଟରେ ସରୋଜ ସେଠୀ ଗିରଫ କରାଯାଇଥିଲା।।
ଜେଲ୍ ଗଲା ସରୋଜ
ଗିରଫ ପରେ ସରୋଜକୁ ଡାକ୍ତରୀ ମାଇନା କରାଗଲା ପରେ ତାକୁ ଡିସେମ୍ବର ୨୧ରେ ନୟାଗଡ ଜେଲ ପଠାଇ ଦିଆଗଲା। କ୍ରାଇମବ୍ରାଞ୍ଜ ୪ ଦିନ ରିମାଣ୍ଡ ପାଇଁ ଆବେଦନ କରିଥିବା ବେଳେ ୩ ଦିନ ଅନୁମତି ମିଳିଲା। ଆଉ ଡିସେମ୍ବର ୨୨ରୁ ରିମାଣ୍ଡରେ ନେଇ ଜେରା କରିଥିଲା। ଯେଉଁଠାରୁ ଅତି ଚାଞ୍ଚଲ୍ୟକର ଘଟଣାମାନ ଘଟୁଛି।
ଅରୁଣ ବୋଥ୍ରାଙ୍କ ପ୍ରେସମିଟ
ରିମାଣ୍ଡରେ ନେବା ଦିନ ସନ୍ଧ୍ୟାରେ SIT ମୁଖ୍ୟ ଅରୁଣ ବୋଥ୍ରା ଏକ ପ୍ରେସମିଟ କରିଥିଲେ। ଯେଉଁଥିରେ ସେ ପରୀକୁ କିଭଳି ସରୋଜ ଦୁଷ୍କର୍ମ ଉଦ୍ଦେଶ୍ୟରେ ନେଇ ହତ୍ୟା କରିଥିଲା ତାର ସମସ୍ତ କାହାଣୀ କହିଥିଲେ। ଅରୁଣଙ୍କ କଥାକୁ ପରୀର ପରିବାର ଗ୍ରହଣ କରି ନଥିବା ବେଳେ ସେ ଅସଲି ଅଭିଯୁକ୍ତଙ୍କୁ ବଞ୍ଚାଉଥିବା ଅଭିଯୋଗ କରିଥିଲେ।
ପୋଖରୀରୁ ଲେଗିନ୍ସ ଉଦ୍ଧାର
ବୋଥ୍ରାଙ୍କ ପ୍ରେସମିଟ ପୂର୍ବରୁ ହିଁ ପରୀର ଗାଁ ଯଦୁପୁରର ପୋଖରୀରେ ODRAF ଓ ଅଗ୍ନିଶମ ଯବାନମାନେ ଖୋଜାଖୋଜି କରୁଥିଲେ। ପ୍ରାୟ ୧୬ ଘଣ୍ଟାର ଛାନଭିନ ପରେ ସେଠାରୁ ଏକ ଲେଗିନ୍ସ ମିଳିଛି। ଯାହାର କୌଣସି ସୂଚନା SIT ଦେଇନାହିଁ। କିନ୍ତୁ ଟେଷ୍ଟି ପାଇଁ ଲ୍ୟାବକୁ ପଠାଯାଇଥିବା କହିଛି। SITର କହିବା ଅନୁସାରେ ପରୀର ଲେଗିନ୍ସକୁ ଏକ ପଲିଥିନରେ ବାନ୍ଧି ସରୋଜ ପଖୋରୀରେ ଫିଙ୍ଗିଥିବା ସ୍ୱୀକାର କରିଥିଲା।
ରକ୍ତଭିଜା ଗାମୁଛା ଜବତ
ତେବେ ପରୀର କଥିତ ଲେଗିନ୍ସ ଜବତର ଦିନକ ପରେ SIT ଅଭିଯୁକ୍ତ ସରୋଜ ଘରୁ ଏକ ରକ୍ତଭିଜା ଗାମୁଛା ଜବତ କରିଛି। ପରୀକୁ ତଣ୍ଟିଚିପି ହତ୍ୟା କରିବା ବେଳେ ତାର ନାକରୁ ରକ୍ତ ବାହାରିଥିଲା। ଆଉ ସେହି ରକ୍ତକୁ ସରୋଜ ନିଜ ଗାମୁଛାରେ ପୋଛି ଥିଲା। ସେପଟେ ଡିସେମ୍ବର ୨୩ ତାରିଖରେ ବି ଗାଁ ପଖୋରୀରେ ତନାଘନା ଚାଲିଥିଲା। କିନ୍ତୁ ସେଥିରୁ ଅନ୍ୟ କୌଣସି ପ୍ରମାଣ ମିଳିଲା ନାହିଁ।
ଏତେ ସବୁ ବିଷୟ ଗତ ୫ ମାସ ହେଲା ହୋଇନଥିଲା। କିନ୍ତୁ ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ତଦନ୍ତ ହେବା ପରଠାରୁ ଗୋଟିଏ ପରେ ଗୋଟିଏ ପ୍ରମାଣ ମିଳିବାରେ ଲାଗିଛି। ଯାହାକୁ ନେଇ ବିଭିନ୍ନ ମହଲରେ ନାନା ପ୍ରଶ୍ନ ଉଠୁଛି। ଅରୁଣ ବୋଥ୍ରା ଯେଉଁଭଳି ଅନୁମାନ କରୁଛନ୍ତି ତାହା ସତରେ ସେମିତି ହେଉଛି ନା ସେଭଳି କହାଯାଉଛି ବୋଲି ମଧ୍ୟ ସାଧାରଣରେ ଟୁପୁରୁ ଟାପୁରୁ ହେଉଛି।
କିଛି ସାଧାରଣ ପ୍ରଶ୍ନ
୫ ମାସ କାଳ (Pari Murder Case) ମାମଲାର ତଦନ୍ତ କରୁଥିବା ନୟାଗଡ (Nayagarh) ପୋଲିସ ପରୀକୁ ଫ୍ରକରେ ସିମେନ ଦାଗ ଥିବା କିଭଳି ଜାଣି ପାରିଲା ନାହିଁ?
ପରୀର ଗଳିତ ମୃତଦେହର ପୋଷ୍ଟମର୍ଟମରେ ଦୁଷ୍କର୍ମ ଜଣାପଡେନାହିଁ ବୋଲି ଡାକ୍ତର କହୁଛନ୍ତି, ତେବେ ଅରୁଣ ବୋଥ୍ରା ଦୁଷ୍କର୍ମ ହୋଇଥିବା ଜାଣିଲେ କେମିତି?
ଯଦୁପୁର ଗାଁରେ କେବଳ ସରୋଜ ସେଠୀ କାହିଁକି ସ୍କାନରକୁ ଆସିଥିଲା?
ବିନା ଟେଷ୍ଟରେ ସରୋଜକୁ ନାବାଳକ ବୋଲି କାହିଁକି କୁହାଯାଉଥିଲା?
ପ୍ରାଥମିକ ତଦନ୍ତ ବେଳେ ପୋଲିସ ସନ୍ଧାନୀ କୁକୁର କେମିତି ସରୋଜ ଘରୁ ରକ୍ତଭିଜା ଗାମୁଛା ପାଇଲା ନାହିଁ?