ଖୋର୍ଦ୍ଧା: ଭାରସାମ୍ୟ ହରାଇ କେନାଲ ମଧ୍ୟରେ ପଶିଗଲା ବସ। ଆଉ ୫୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଅଳ୍ପକେ ବର୍ତ୍ତିଗଲେ। ରବିବାର ସକାଳ ପ୍ରାୟ ୯ଟା ସମୟରେ ବାଙ୍କୀରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ଶ୍ରୀ ଲିଙ୍ଗରାଜ ନାମକ ଏକ ଘରୋଇ ବସ ଦ୍ରୁତଗତି କାରଣରୁ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ କେନାଲ ମଧ୍ୟକୁ ପଶିଯାଇଥିଲା। ଫଳରେ ୨୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଥିବା ବେଳେ, ସେମାନଙ୍କ ମଧ୍ୟରୁ ୩ ଗୁରୁତର ଥିବା ଜଣାଯାଇଛି। 


COMMERCIAL BREAK
SCROLL TO CONTINUE READING

ବାଘମାରୀ-କଂଟିଲୋ ୪୮ ନମ୍ବର ରାଜ୍ୟ ରାଜପଥର ବାଘମାରୀ-ସୀମୋର ରାସ୍ତା କଡ଼ରେ ଥିବା ଏକ କେନାଲ ମଧ୍ୟକୁ ବସ ଭାରସାମ୍ୟ ହରାଇ ପଶିଯାଇଥିଲା। ବସ ଦୁର୍ଘଟଣାର ଖବର ପାଇ ବାଘମାରୀ ପୋଲିସ ଓ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଘଟଣା ସ୍ଥଳରେ ପହଂଚି ସ୍ଥାନୀୟ ଲୋକଙ୍କ ସହାୟତା ଉଦ୍ଧାର କାର୍ଯ୍ୟ କରିଥିଲେ। ୧୦୮ ଆମ୍ବୁଲାନ୍ସ ଦ୍ୱାରା ୨୦ ଆହତଙ୍କୁ ପ୍ରଥମେ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ଏମାନଙ୍କ ମଧ୍ୟରୁ ୧୭ଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଥିବା ବେଳେ, ୩ ଗୁରୁତରଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ଗାଡ଼ିର ଡ଼୍ରାଇଭର ଓ ହେଲପର ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଜଣାଯାଇଛି।


Also Read: ସଙ୍କଟରେ ଓଡ଼ିଶା! ଡେଙ୍ଗୁ ପରେ କୋରୋନା ମାମଲା ବୃଦ୍ଧି, ଖୋର୍ଦ୍ଧା ଓ କୋରାପୁଟ ସ୍ଥିତି ସାଙ୍ଘାତିକ


ବସ ମାଲିକଙ୍କ ବେପାରୁଆ ମନୋଭାବ ଓ ଡ଼୍ରାଇଭରର ଅସାବଧାନତା ଯୋଗୁ ଦୁର୍ଘଟଣା ଘଟିଲା ବୋଲି ଗାଡ଼ି ମଧ୍ୟରେ ଥିବା କେତେକ ଯାତ୍ରୀ କହିଛନ୍ତି। ଅନ୍ୟପଟେ ଦୁର୍ଘଟଣାଗ୍ରସ୍ତ ବସକୁ ବାଘମାରୀ ପୋଲିସ ଜବତ କରିବା ସହ କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଲା, ସେନେଇ ତଦନ୍ତ ଆରମ୍ଭ କରିଛି। ସାମାନ୍ୟ ଆହତ ଓ ଅନ୍ୟ ଯାତ୍ରୀମାନଙ୍କୁ ବିଭିନ୍ନ ଗାଡ଼ିରେ ନିଜ ନିଜର ଗନ୍ତବ୍ୟ ସ୍ଥଳକୁ ପଠାଇ ଦିଆଯାଇଛି। ତେବେ ପ୍ରତ୍ୟେକ ଦିନ ଏହି ରାସ୍ତା ଦେଇ ହଜାର ହଜାର ବସଟ୍ରକ୍ ସମେତ ଦୁଇ ଚକିଆ ଓ ଚାରି ଚକିଆ ଯାନ ଯାତାୟତ କରିଥାଏ। ହେଲେ ରାସ୍ତାର ବିଭିନ୍ନ ସ୍ଥାନରେ ଖାଲ ଓ ରାସ୍ତାର ସଠିକ୍ ବାଲାନ୍ସ ନଥିବା ଯୋଗୁ ପ୍ରତ୍ୟେକ ଦିନ ଛୋଟମୋଟ ଦୁର୍ଘଟଣା ମାନା ଘଟୁଥିବା ନଜିର ରହିଛି। 


ବିଶେଷ କରି ଗାଡ଼ି ଗୁଡ଼ିକ ୫୦ ସ୍ପିଡ଼ରୁ ସାମାନ୍ୟ ଅଧିକ ହେଲେ ଭାରସାମ୍ୟ ହରାଇବାର ଯଥେଷ୍ଟ ସମ୍ଭାବନା ରହୁଛି। ଦୁଇ ଚକିଆ ଠାରୁ ଆରମ୍ଭ କରି ବସ ଓ ହାଇୱା ଟ୍ରକ୍ ପର୍ଯ୍ୟନ୍ତ ସମସ୍ତ ଯାନ ରୋଡ଼ ଟ୍ୟାକ୍ସ ହେଉଥିବା ବେଳେ, ରାସ୍ତାର ଏଭଳି ଅବସ୍ଥାକୁ ନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ସ୍ଥାନୀୟ ଲୋକେ ଦାୟୀ କରିଛନ୍ତି। ଜିଲ୍ଲା ପ୍ରଶାସନ ଓ ବିଭାଗୀୟ କର୍ତୁପକ୍ଷ ତୁରନ୍ତ ରାସ୍ତା ମରାମତି ପ୍ରତି ଦୃଷ୍ଟି ଦେବା ସହ ରାସ୍ତାର ବିଭିନ୍ନ ସ୍ଥାନରେ ସଚେତନତା ବୋର୍ଡ଼ ଓ ୱାଲ କରିବାର ଆବଶ୍ୟକ ରହିଛି। ନଚେତ ଆଗାମୀ ଦିନରେ ଏକ ବଡ଼ଧରଣର ଆନ୍ଦୋଳନକୁ ଏଡ଼ାଇ ଦିଆଯାଇନପାରେ।