ସଙ୍କଟରେ ଓଡ଼ିଶା! ଡେଙ୍ଗୁ ପରେ କୋରୋନା ମାମଲା ବୃଦ୍ଧି, ଖୋର୍ଦ୍ଧା ଓ କୋରାପୁଟ ସ୍ଥିତି ସାଙ୍ଘାତିକ
Advertisement

ସଙ୍କଟରେ ଓଡ଼ିଶା! ଡେଙ୍ଗୁ ପରେ କୋରୋନା ମାମଲା ବୃଦ୍ଧି, ଖୋର୍ଦ୍ଧା ଓ କୋରାପୁଟ ସ୍ଥିତି ସାଙ୍ଘାତିକ

ରାଜ୍ୟରେ ଲଗାତର କୋରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି। ରବିବାର ରାଜ୍ୟର ୧୮ଟି ଜିଲ୍ଲାରୁ ୩୪୬ ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ପୁଣି ସର୍ବାଧିକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ଡିଜାଇନ୍ ଫଟୋ

Coronavirus Update: ରବିବାର ପୁଣି ଥରେ କୋରୋନା ସଂକ୍ରମଣ ବଢ଼ିଛି। ଗତକାଲି ୨୩୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୪୬ ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇ ଥିବା ବେଳେ ମାତ୍ର ୭୧ ଜଣ ଆରୋଗ୍ୟ ହୋଇଛନ୍ତି। ସଂକ୍ରମିତଙ୍କ ମଧ୍ୟରୁ ୨୦୨ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୪୪ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରେ ୪୯ ଜଣ ୧୮ ବର୍ଷରୁ କମ୍ ବୟସର ଥିବା ଜଣାଯାଇଛି। ଅନ୍ୟପଟେ ରାଜ୍ୟରେ ଡେଙ୍ଗୁ ମାମଲା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି।

ରାଜ୍ୟରେ ଲଗାତର କୋରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି। ରବିବାର ରାଜ୍ୟର ୧୮ଟି ଜିଲ୍ଲାରୁ ୩୪୬ ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ପୁଣି ସର୍ବାଧିକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ଅନୁସାରେ  ଗତ ୨୪ ଘଣ୍ଟା ମଧ୍ୟରେ ଖୋର୍ଦ୍ଧାରୁ ୧୮୯, କଟକରୁ ୫୧, ସୁନ୍ଦରଗଡରୁ ୧୩ ଓ ଷ୍ଟେଟପୁଲରୁ ୪୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏପର୍ଯ୍ୟନ୍ତ ରାଜ୍ୟରେ ୧୨, ୯୦,୫୩୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୧୨,୮୦,୦୪୯ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୧୩୧୦ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।

Also Read: ବାସଭବନକୁ ଟମାଟୋ ମାଡ ପରେ ଏକାନ୍ତବାସରେ ଉଚ୍ଚଶିକ୍ଷା ମନ୍ତ୍ରୀ, ଏମିତି କହିଲେ ଅନୁଭବ ମହାନ୍ତି

ରାଜ୍ୟରେ କୋଭିଡ ସ୍ଥିତିକୁ ନେଇ ଶନିବାର ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଥିଲେ, 'ରାଜ୍ୟରେ ୧୦ରୁ ୧୫ ଦିନ ମଧ୍ୟରେ ଅଧିକ ମାତ୍ରାରେ ସଂକ୍ରମଣ ବଢ଼ିପାରେ। ବିଭିନ୍ନ ଜାଗାରେ ରଥଯାତ୍ରା ପାଳନ କରାଯାଇଛି, ଯଦି କୌଣସି କଂଗ୍ରୀଗେଶନ ହୋଇଥିବ ତାହା ୧୦ରୁ ୧୫ ଦିନ ମଧ୍ୟରେ ଜଣାପଡିବ। ହସ୍ପିଟାଲିଟି ବଢିନାହିଁ କି ଫାଟାଲିଟି ମଧ୍ୟ ବଢ଼ିନାହିଁ। ଆମ ରାଜ୍ୟ ଅପେକ୍ଷା ଅନ୍ୟ ରାଜ୍ୟରେ ବେଶୀ ବଢୁଛି। ତେଣୁ ଆମେ ଧର୍ଯ୍ୟହାର ହେବା ନାହିଁ। କୋଭିଡ ପାଇଁ ବିଭାଗ ପକ୍ଷରୁ ସତର୍କତା ଅବଲମ୍ବନ କରାଯାଉଛି ତେଣୁ ଜନସାଧାରଣ ମଧ୍ୟ ସତର୍କତା ଅବଲମ୍ବନ କରନ୍ତୁ।'

'ରାଜ୍ୟରେ ସଂକ୍ରମଣ ସଂଖ୍ୟା ବଢ଼ିବାରେ ଆଉ ଗୋଟିଏ କାରଣ ହେଉଛି ଇଣ୍ଟିଗ୍ରେଟେଡ଼ ସର୍ଭିଲାନ୍ସ ବିଭାଗ ପକ୍ଷରୁ କରାଯାଉଛି ଯେଉଁଥିରେ ହେଲ୍ଥ ୱାର୍କରମାନେ ଘର ଘର ବୁଲି ଲକ୍ଷଣ ଥିବା ବ୍ୟକ୍ତିମାନଙ୍କୁ ଖୋଜିବାହାର କରିବା ସହ ସେମାନଙ୍କ ଟେଷ୍ଟ କରାଉଛନ୍ତି। ଯାହାର ଲକ୍ଷଣ ଦେଖାଦେଉଛି ସେମାନେ ସ୍ୱତପ୍ରବୃତ ଟେଷ୍ଟ କରନ୍ତୁ। ଯେଉଁମାନଙ୍କର ଟିକା ନେବାର ଅଛି ସେମାନେ ଟିକା ନିଅନ୍ତୁ। ଅଯଥା ଗହଳିକୁ ଯାଆନ୍ତୁ ନାହିଁ, ମାସ୍କ ସବୁବେଳେ ବ୍ୟବହାର କରନ୍ତୁ। ମାସ୍କ ବାଧ୍ୟତା ମୂଳକ କିମ୍ବା ଏନ୍ଫୋରସମେଣ୍ଟ ଅଲଗା କଥା କିନ୍ତୁ ଲୋକ ନିଜେ ସଚେତନ ହେବା ଦରକାର ଓ ନିୟମ ପାଳନ କରିବା ଦରକାର' ବୋଲି ସ୍ୱସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।

ଅନ୍ୟପଟେ ରାଜ୍ୟର ୨୦ ଜିଲ୍ଲାକୁ ଡେଙ୍ଗୁ ବ୍ୟାପି ଗଲାଣି। ଉପକୂଳ ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲାକୁ ବାଦ୍ ଦେଲେ ଦକ୍ଷିଣ ଓଡ଼ିଶାର ଏକାଧିକ ଜିଲ୍ଲା ଏବେ ଡେଙ୍ଗୁ କବଳରେ ରହିଛି। ରାଜ୍ୟ ସରକାର ମ୍ୟାଲେରିଆ ନିୟନ୍ତ୍ରଣ ଉପରେ ବିଶେଷ ଗୁରୁତ୍ବ ଦେଉଥିବା ବେଳେ ଡେଙ୍ଗୁ ପାଇଁ ସେଭଳି ପଦକ୍ଷେପ ନିଆଯାଇନାହିଁ। ଡେଙ୍ଗୁ ନିୟନ୍ତ୍ରଣ ପାଇଁ ‌ସ୍ବାସ୍ଥ୍ୟ କେବଳ ଚିଠି ଲେଖି ସଚେତନ କରୁଛି। ଗତମାସ ୨୧ ତାରିଖଠାରୁ ୩ମାସ ଯାଏ ରାଜ୍ୟ ସରକାର ଇଣ୍ଟିଗ୍ରେଟେଡ୍‌ ଡିଜିଜ୍ ସର୍ଭେଲାନ୍‌ସ ଆରମ୍ଭ କରିଛନ୍ତି। ଏଥିରେ ଅନ୍ୟ ରୋଗ ସହ ଡେଙ୍ଗୁର ଚିହ୍ନଟ ଉପରେ ମଧ୍ୟ ଗୁରୁତ୍ବ ଦିଆଯାଇଛି। 

Also Read: ସୋମବାର ମଧ୍ୟାହ୍ନ ସୁଦ୍ଧା ଲଘୁଚାପ, ଆଜି ୮ ଜଲ୍ଲାରକୁ ଅରେଞ୍ଜ ୱାର୍ଣ୍ଣଂ

ରାଜ୍ୟରେ ଡେଙ୍ଗୁର ନମୂନା ପରୀକ୍ଷାକୁ ନେଇ ବର୍ଷ ବର୍ଷ ଧରି ବିବାଦ ଜାରି ରହିଛି। ଯାହାଫଳରେ ଡେଙ୍ଗୁରେ ମୃତ୍ୟୁ ହେଲେ ମଧ୍ୟ ତାହାକୁ ରାଜ୍ୟ ସରକାର ଗ୍ରହଣ କରୁ ନାହାନ୍ତି। ଚଳିତବର୍ଷ ଜୁନ୍ ୨୯ ତାରିଖ ସୁଦ୍ଧା ରାଜ୍ୟରେ ୩୫୫ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ କୋରାପୁଟ ଜିଲ୍ଲାରୁ ସର୍ବାଧିକ ୮୬ ଥିବା ବେଳେ ଖୋର୍ଦ୍ଧାରୁ ୮୨ ଓ ମାଲକାନଗିରିରୁ ୮୧ ଜଣ ଆକ୍ରାନ୍ତ ବାହାରିଛନ୍ତି। ସେହିପରି ରାୟଗଡ଼ାରୁ ୪୭, ପୁରୀରୁ ୨୩, କଟକରୁ ୫ ଓ ଭଦ୍ରକରୁ ୪ ଜଣ ଡେଙ୍ଗୁ ଆକ୍ରାନ୍ତଙ୍କୁ ଚିହ୍ନଟ କରାଗଲାଣି। କେବଳ ୨୦୨୦ ମସିହାକୁ ବାଦ୍ ଦେଲେ ଅନ୍ୟ ବର୍ଷଗୁଡ଼ିକରେ ରାଜ୍ୟରେ ହଜାର ହଜାର ସଂଖ୍ୟାରେ ଡେଙ୍ଗୁ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଉଛି। 

ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଦ୍ରୁତ ସହରୀକରଣ ଡେଙ୍ଗୁ ସଂକ୍ରମଣର ମୁଖ୍ୟ କାରଣ। ସହରରେ ଲୋକମାନଙ୍କ ଯିବାଆସିବା ଲାଗି ରହିଥିବାରୁ ସଂକ୍ରମଣକୁ ସମ୍ପୂର୍ଣ୍ଣ ଶୂନ କରିବା ସମ୍ଭବ ହେଉନାହିଁ। ଚା’କପ୍, ପ୍ଲାଷ୍ଟିକ ଗ୍ଲାସ, ଫୁଲକୁଣ୍ଡ, ଟାୟାର, ପଇଡ଼ ଖୋଳ, ଖାଲଖମାରେ ଏଡିସ ମଶା ବଂଶ ବିସ୍ତାର କରିଥାଏ। ମୌସୁମୀ ବର୍ଷା ଆସିବା ପୂର୍ବରୁ ଏସବୁର ସଫା କରାଯିବା ଜରୁରୀ। ଲୋକମାନେ ମଧ୍ୟ ଅନ୍ୟ ରୋଗ ପାଇଁ ଯେତିକି ସଚେତନ ହେଉଛନ୍ତି, ଡେଙ୍ଗୁ କ୍ଷେତ୍ରରେ ତାହା ଦେଖିବାକୁ ମିଳୁନାହିଁ। ଠିକ୍ ସମୟରେ ପରୀକ୍ଷା ନ କରିବା କାରଣରୁ ଅନେକ କ୍ଷେତ୍ରରେ ସମସ୍ୟା ସୃଷ୍ଟି ହେଉଥିବା ବିଶେଷଜ୍ଞମାନେ ମତ ରଖିଛନ୍ତି।