ଜଳେଶ୍ୱର: ପୂର୍ବ ଭାରତର ପ୍ରସିଦ୍ଧ ଶୈବପୀଠ ବାବା ଚନ୍ଦନେଶ୍ଵର ପୀଠର ବିକାଶ ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଅନୁଦାନ ଦେଇ ଆସୁଥିବା ବେଳେ ନିର୍ମାଣ କାମ ଅତି ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି। ନିର୍ମାଣ ଦାୟିତ୍ଵରେ ଥିବା ଓଡିଶା ରାଜ୍ୟ ପର୍ଯ୍ୟଟନ ନିଗମ ଅଧିକାରୀ ସରକାରଙ୍କ ଅନୁମୋଦିତ ନିର୍ମାଣ ସାମଗ୍ରୀ ବ୍ୟବହାର ନ କରି ନିଜ ଇଚ୍ଛାରେ ବଜାରର ଶସ୍ତା ନିର୍ମାଣ ସାମଗ୍ରୀ ବ୍ୟବହାର କରୁଛନ୍ତି। ଯାହା ସ୍ଥାନୀୟ ସଂସ୍କୃତିପ୍ରେମୀ ଓ ବୁଦ୍ଧିଜୀବୀଙ୍କୁ ଗଭୀର ଆଘାତ ଦେଇଛି। 


COMMERCIAL BREAK
SCROLL TO CONTINUE READING

ନିର୍ମାଣ ସମ୍ପର୍କରେ ନିର୍ମାଣସ୍ଥଳରେ ଫଳକ ନ ଲଗାଇବା ବିଭାଗର କାର୍ଯ୍ୟଦକ୍ଷତା ଓ ସ୍ବଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ପ୍ରାଥମିକ ପର୍ଯ୍ୟାୟରେ ମନ୍ଦିର ପାଇଁ ୩ କୋଟି ୫ ଲକ୍ଷ ଟଙ୍କା ମଞ୍ଜୁର ହୋଇ କାର୍ଯ୍ୟ ଆରମ୍ଭ ହୋଇଛି। ମନ୍ଦିରରେ ପାନୀୟଜଳ, ପାର୍କିଂ, ଆଲୋକ ବ୍ୟବସ୍ଥା, ନୀଳ ପୋଖରୀ, ମୁଣ୍ଡନ ପୋଖରୀ ପାହାଚ ଏବଂ ପାଚେରୀ ନିର୍ମାଣ ତଥା ଶୌଚାଳୟ ପାଇଁ ଉଦ୍ଦିଷ୍ଟ ହୋଇଥିବା ବେଳେ ପାନୀୟଜଳ ବ୍ୟବସ୍ଥା ଏ ପର୍ଯ୍ୟନ୍ତ ହୋଇନାହିଁ। ଏଠାକୁ ଆସୁଥିବା ଭକ୍ତ ପ୍ରବଳ ଗରମରେ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି। ପାର୍କିଂ ବ୍ୟବସ୍ଥା  ସଠିକ ଭାବରେ ହୋଇନି, ଦୂର ଦୂରାନ୍ତରୁ ଆସୁଥିବା ପର୍ଯ୍ୟଟକ ଗାଡ଼ି ପାର୍କିଂ ପାଇଁ ଅସୁବିଧାରେ ପଡୁଛନ୍ତି। 


ମନ୍ଦିରର ଅନ୍ୟତମ ମୁଖ୍ୟ ଆକର୍ଷଣ ନୀଳ ପୋଖରୀ। ଏହାର ପାଚେରୀ ,ସୁରକ୍ଷା କାନ୍ଥ, ପାହାଚ ନିର୍ମାଣ ସହିତ ସୌନ୍ଦର୍ଯ୍ୟ କାରଣରେ ବ୍ୟବହାର ହେଉଥିବା ବାଲି, ଲୁହାଛଡ, ସିମେଣ୍ଟ, ମେଟାଲ, ଚିପ୍ସ ଅତି ନିମ୍ନମାନର। ସ୍ଥାନୀୟ ଲୁଣି ବାଲିରେ ନିର୍ମାଣ କାମ ଚାଲିଥିବା ବେଳେ ବିଭାଗୀୟ ଯନ୍ତ୍ରୀ କାର୍ଯ୍ୟସ୍ଥଳରେ ଉପସ୍ଥିତ ରହୁନଥିବା ଅଭିଯୋଗ ହେଉଛି। ସ୍ଥାନେ ସ୍ଥାନେ କଂକ୍ରିଟ ନିର୍ମାଣ ଧୋଇ ଯିବାରୁ ଏହାର ସ୍ଥାୟିତ୍ବ ଉପରେ ଏବେ ସନ୍ଦେହ ଉପୁଜିଛି। ବିଗତ ୨ ବର୍ଷ ତଳେ ନୀଳ ପୋଖରୀର ପାହାଚ ୩୦ ଲକ୍ଷ ଟଙ୍କାରେ ନିର୍ମାଣ ହୋଇଥିବା ବେଳେ ତାହା ନିମ୍ନମାନର ଥିଲା ବୋଲି ଦୁଇ ବର୍ଷ ଭିତରେ ନଷ୍ଟ ହେଲା। ଏହି ନିର୍ମାଣକୁ ସ୍ଥାନୀୟ ମନ୍ଦିର ମୌରସୀ, ସମାଜସେବୀ, ବୁଦ୍ଧିଜୀବୀ, ବିଜେପି ନେତୃବୃନ୍ଦ ତଥା ଜନସାଧାରଣଙ୍କ କଡ଼ା ବିରୋଧ ସ୍ଵତ୍ତ୍ୱେ ବିଭାଗ ନିର୍ମାଣ ଜାରି ରଖିଛି। ବାଲେଶ୍ଵର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଘଟଣାର ଗୁରୁତ୍ବ ବୁଝି  ନିଜେ କାର୍ଯ୍ୟସ୍ଥଳ ପରିଦର୍ଶନ କରି ନିମ୍ନମାନର ନିର୍ମାଣକୁ ବିରୋଧ କରି ବାଲେଶ୍ଵର ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଜିଲ୍ଲାପାଳଙ୍କ ତାଗିତଦକୁ ବେଖାତିର କରି ନିର୍ମାଣ ଚାଲୁ ରଖିଛନ୍ତି। 


ଏପରିସ୍ଥଳେ କିପରି ଭାବରେ ଉକ୍ତ ଶୈବପୀଠର ବିକାଶ କାର୍ଯ୍ୟହେବ ତାହା ଉପରେ ଉଠିଛି ପ୍ରଶ୍ନ। ତୁରନ୍ତ ବିଭାଗୀୟ ଅଧିକାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟନୁଷ୍ଠାନ ଗ୍ରହଣ ପୂର୍ବକ ନିର୍ମାଣକାରୀ ସଂସ୍ଥାକୁ କଳା ତାଲିକାଭୁକ୍ତ କରିବାକୁ ବିଭିନ୍ନ ମହଲରୁ ଦାବି ହେଉଛି ନ ହେଲେ ନିର୍ମାଣ କାର୍ଯ୍ୟ ବନ୍ଦ କରିବାକୁ ଆନ୍ଦୋଳନ ଜୋରଦାର ହେବ ବୋଲି ଦେବଭୂମି ବିକାଶ ପରିଷଦ ସହିତ ସ୍ଥାନୀୟ ବୁଦ୍ଦିଜୀବୀ ତଥା ସମାଜସେବୀ ଚେତାବନୀ ଦେଇଛନ୍ତି। (Dillip Das)