ବୌଦ୍ଧ: ଗତକାଲି ବିଳମ୍ବିତ ରାତିରୁ ହୋଇଥିବା ଲଘୁଚାପଜନିତ ଲଗାଣ ବର୍ଷାରେ ପ୍ରଭାବିତ ହୋଇଛି ବୌଦ୍ଧ। ବର୍ଷା ଫଳରେ ଜିଲ୍ଲା ପ୍ରବାହିତ ହେଉଥିବା ବିଭିନ୍ନ ନଦୀ ନାଳରେ ଜଳସ୍ତର ବଢିବା ବନ୍ୟପାଣି ରାସ୍ତା ଉପରେ ପ୍ରବାହିତ ହୋଇଛି। ଲଗାଣ ବର୍ଷା ହେବା ଫଳରେ ବୌଦ୍ଧ ସହର ସ୍ଥିତ ଖଦାଳସାହି, ମୁସଲିମପଡ଼ା, ଖାଲିଆବଗିଚା ଅଞ୍ଚଳରେ ଘର ଭିତରକୁ ପଶିଛି ବର୍ଷା ପାଣି। ଦାଣ୍ଡ ଦୁଆରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି। 


COMMERCIAL BREAK
SCROLL TO CONTINUE READING

ଖଦାଳସାହି ରାସ୍ତାରେ ୨-୩ ଫୁଟ ଉଚ୍ଚତାରେ ବର୍ଷା ପାଇଁ ଜମି ରହିଛି। ସହରରେ ରହିଥିବା ଡ୍ରେନ୍ରୁ ସଠିକ ଭାବେ ବର୍ଷାପାଣି ନିଷ୍କାସିତ ହୋଇ ପାରୁନଥିବା କାରଣରୁ ଲୋକଙ୍କ ଘର ଭିତରେ ବର୍ଷାପାଣି ପଶିଯିବାରୁ ବ୍ୟପକ କ୍ଷୟକ୍ଷତି ହୋଇଛି। ଲକ୍ଷାଧିକ ଟଙ୍କାର ଧନସମ୍ପତ୍ତି ଓଦା ହୋଇ ନଷ୍ଟ ହୋଇଯାଇଛି। ଡ୍ରେନେଜ ସମସ୍ୟାର ସମାଧାନ ପାଇଁ ସହରବାସୀ ବାରମ୍ବାର ଜିଲ୍ଲା ପ୍ରଶାସନ ଏବଂ ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧିକାରୀଙ୍କୁ ଅବଗତ କରାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ।


Also Read: Weather Alert: ପ୍ରବଳ ବର୍ଷା ନେଇ Orange-Yellow Warning ଜାରି


ଶୁକ୍ରବାର ଏହାର ପ୍ରତିବାଦରେ ଖଦାଳ ସାହି ଓ ମୁସଲିମପଡ଼ା ବାସିନ୍ଦା ସହରରେ ଅବସ୍ଥିତ ପୁରୁଣାବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଖୋର୍ଦ୍ଧା-ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶହଶହ ସଂଖ୍ୟାରେ ଯାନବାହାନ ଅଟକି ରହିଥିଲା। ଅନ୍ୟପଟେ ଜିଲ୍ଲାର ବୌଦ୍ଧ ବ୍ଲକ ଅନ୍ତର୍ଗତ ମନୁପାଲି ପଞ୍ଚାୟତ କମିରା ଗ୍ରାମ ନିକଟସ୍ଥ ଜାମୁନାଳ ଉପରେ ୪ ଫୁଟ ଉଚ୍ଚତାରେ ବର୍ଷା ପାଣି ପ୍ରବାହିତ ହେଉଥିବାରୁ ପଦ୍ମନପୁରରୁ ମୁଣ୍ଡାପଡାକୁ ଯୋଗାଯୋଗ ବିଛିନ୍ନ ହୋଇଛି। 


ଯାହା ଫଳରେ ଏହି ଦୁଇଟି ପଞ୍ଚାୟତର ପ୍ରାୟ ୧୦ ହଜାର ଲୋକ ଏବେ କୌଣସି ସ୍ଥାନକୁ ଯିବା ଆସିବା କରିବାରେ ନାହିଁନଥିବା ଅସୁବିଧାର ସାମ୍ନା କରୁଛନ୍ତି। ଏହା ସହିତ ଯମଟାଙ୍ଗି ଡିଗି ମୁହାଣ ନାଳ ଉପରେ ୩ ଫୁଟ ଉଚ୍ଚତାରେ ବର୍ଷା ପାଣି ପ୍ରବାହିତ ହେବାରୁ ଏହି ରାସ୍ତା ଉପରେ ନିର୍ଭର କରୁଥିବା ୮ଟି ଗ୍ରାମର ହଜାରହଜାର ଲୋକ ବାହ୍ୟ ଜଗତରୁ ବିଛିନ୍ନ ହୋଇଛନ୍ତି।


ଲଘୁଚାପ ଜନିତ ବର୍ଷା ନେଇ ବୌଦ୍ଧ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରିଥିବାବେଳେ ଆଗକୁ ଆହୁରି ବର୍ଷା ହେବା ହେବା ନେଇ ପୂର୍ବାନୁମାନ କରାଯାଇଛି। ଜିଲ୍ଲାର ବୌଦ୍ଧ ବ୍ଲକରେ ସର୍ବାଧିକ ୧୭୭.୦୦ ମିଲିମିଟର, କଣ୍ଟାମାଳ ବ୍ଲକରେ ୧୫୯.୦୨ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଅନ୍ୟପଟେ ଜିଲ୍ଲାର ହରଭଙ୍ଗା ବ୍ଲକ ଅଞ୍ଚଳରେ ସବୁଠାରୁ କମ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଏଠାରେ ୩୪.୦୦ ମିଲିମିଟର ବର୍ଷା ହୋଇଥିବା ନେଇ ବୌଦ୍ଧ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରୀତିକାନ୍ତି ବଳିଆର ସିଂ କହିଛନ୍ତି। 


Also Read: ମହାରାଷ୍ଟ୍ରରେ ପ୍ରକୃତିର କୋପ; ହସ୍ପିଟାଲ ସହ ଯୋଗାଯୋଗ ବିଚ୍ଛିନ୍ନ ହେବାରୁ ୧୧ ମୃତ


ଜିଲ୍ଲାରେ ଲଘୁଚାପଜନିତ ବର୍ଷା ପ୍ରଭାବରେ ବହୁ ସଂଖ୍ୟାରେ ମାଟିଘର ଭାଙ୍ଗି ଯାଇଥିବା ଜଣାପଡିଛି। ସମଗ୍ର ଜିଲ୍ଲାରେ ଗତକାଲି ଠାରୁ ସ୍ୱାଭାବିକ ବର୍ଷା ଠାରୁ ୩୭୦.୦୨ ମିଲିମିଟର ବର୍ଷା ହୋଇଥିବା ଜଣାପଡିଛି।