ନୀରଜ ଶତପଥୀ,କୋରାପୁଟ: କୋଟିଆ ପ୍ରସଙ୍ଗକୁ ନେଇ ଆନ୍ଧ୍ର ପ୍ରଦେଶ ଏବେ ଚାଲ ଖେଳୁଛି। ହେଲେ ଓଡିଶା ପାଖରେ ମାରିଛି ଫେଲ। କୋଟିଆ ଲୋକଙ୍କୁ ଆପଣେଇବା ପାଇଁ ପଡୋଶୀ ରାଜ୍ୟ ପ୍ରୟାସ ଜାରି ରଖିଛି ସତ ହେଲେ ଏଥର ଏହି ଚାଲ କୋଟିଆ ଭିତରେ ସୀମିତ ନ ରହି ଲୋକ ପ୍ରତିନିଧି ଏବଂ ପ୍ରଶାସନ ନିକଟରେ ନିଜର ଚାଲାଖି ଦେଖାଇବାକୁ ଯାଇ ବିଫଳ ହୋଇଛି। କୋଟିଆ ଅଞ୍ଚଳର ତଳ ଗଞ୍ଚେଇ ପଦର, ଗାଲିଗାଵଦାର, ପନିକି, ଫାଟୁସିନେରୀ ଠାରେ ବିଦ୍ୟୁତ ପ୍ରକଳ୍ପ ସ୍ଥାପନ ନେଇ ଏକ ପ୍ରସ୍ତାବ ଧରି ପଟାଙ୍ଗୀ ବିଧାୟକ ପିତମ ପାଢ଼ୀଙ୍କୁ ପ୍ରଥମେ ସାକ୍ଷାତ କରିଥିଲେ। 


COMMERCIAL BREAK
SCROLL TO CONTINUE READING

କେନ୍ଦ୍ର ସରକାରଙ୍କ କାମ ହୋଇଥିବା କାରଣରୁ ଉଭୟ ରାଜ୍ୟର ସହମତିରେ ଏହି ପ୍ରକଳ୍ପ କରାଯିବ। ଏହି ଅଞ୍ଚଳରେ ସର୍ଭେ କାମ କରିବାକୁ ଅନୁମତି ଲୋଡିଥିଲେ ଆନ୍ଧ୍ର ପ୍ରଦେଶରୁ ଆସିଥିବା ଟିମ। ହେଲେ ପଟାଙ୍ଗୀ ବିଧାୟକ ନିଜ ପକ୍ଷରୁ ଅନୁମତି ଦେବାକୁ ସିଧା ସିଧା ମନା କରିବା ସହିତ କୋଟିଆ ଓଡ଼ିଶାର ଏବଂ ସେଠାରେ ବାହାର ଲୋକଙ୍କୁ ଅନୁମତି ଦିଆ ଯାଇ ପାରିବ ନାହିଁ ବୋଲି କହିଥିଲେ। ଏପରିକି କୌଣସି କାମ ପାଇଁ ଅନୁମତି ଜିଲ୍ଲାପାଳ ଦେଇଥାନ୍ତି। ଏଥିପାଇଁ ଜିଲ୍ଲାପାଳଙ୍କ ପାଖକୁ ଯିବାକୁ କହିଥିଲେ ବିଧାୟକ। 


ପରେ ସେହି ଟିମ କୋରାପୁଟ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ସେମାନଙ୍କ ଆଭିମୁଖ୍ୟ ସମ୍ପର୍କରେ କହିଥିଲେ। ଅନୁମତି ଦେବାକୁ ଜିଲ୍ଲାପାଳ ମଧ୍ୟ ମନା କରିଦେଇଥିବା ବିଧାୟକ କହିଛନ୍ତି। ଆନ୍ଧ୍ର ପ୍ରଦେଶରୁ ଏହି ଦଳରେ ଟାଟା କନସଲଟାନ୍ସି ଇଂଜିନିୟର, ଆନ୍ଧ୍ର ପକ୍ଷରୁ କୋଟିଆ ପ୍ରସଙ୍ଗରେ କେଶ ଲଢୁଥିବା ଆଇନଜୀବୀ, ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ରାଜନ ଦୋରାଙ୍କ ପ୍ରତିନିଧି ସମେତ ଆନ୍ଧ୍ର ଦ୍ୱାରା ନିର୍ବାଚିତ କୋଟିଆ ସରପଞ୍ଚ, ତଳ ଗଞ୍ଜେଇପଦର ଅଞ୍ଚଳର କିଛି ଆନ୍ଧ୍ର ସମର୍ଥକ ଏହି ଦଳରେ ସାମିଲ ଥିବା ଜଣାପଡିଛି।


ଓଡିଶା ପକ୍ଷରୁ ଅନୁମତି ନ ମିଳିବା ସତ୍ତ୍ୱେ ଆନ୍ଧ୍ର ପକ୍ଷରୁ ଜୋର ଜବରଦସ୍ତ ଗାଲିଗାବଦାର ଅଞ୍ଚଳରେ ସର୍ଭେ କାମ କରୁଥିବା ଦେଖି ପଟାଙ୍ଗୀ ଜିଲ୍ଲା ପରିଷଦ ସଭ୍ୟ ଟିକାଇ ଗେମେଲ ଏବଂ ତାଙ୍କ ସହିତ ଥିବା ଏକ ସାହିତ୍ୟିକ ସଙ୍ଗଠନ ନୀଳଚକ୍ରର କର୍ମକର୍ତ୍ତା ଏହାକୁ ବିରୋଧ କରିବାରୁ ଆନ୍ଧ୍ର ପ୍ରଦେଶରୁ ଆସିଥିବା ଏହି ଦଳ ସେଠାରୁ ଚାଲି ଯାଇଥିଲା। ଯେ କୌଣସି ଉପାୟରେ ହେଉ କୋଟିଆ ଅଞ୍ଚଳରେ ଆନ୍ଧ୍ର କିଛି ନା କିଛି କରିବାକୁ ଯେଉଁ ଅପପ୍ରୟାସ କରୁଛି ତାହାକୁ ରୋକିବା ପାଇଁ ଓଡିଶା ପକ୍ଷରୁ ମଧ୍ୟ ଉଚିତ ଜବାବ ଦିଆଯାଉଛି। ବର୍ତ୍ତମାନ ଔଷଧ ବିକଳରେ ତାଟିଆ କାମୁଡିବା ଭଳି ସ୍ଥିତି ଏବେ ପଡୋଶୀ ରାଜ୍ୟର ହୋଇଛି।