କନ୍ଧମାଳ: ଆବାସ ଯୋଜନାରେ ଦୁର୍ନୀତି ଏ ନୂଆ ନୁହଁ। ହେଲେ ଦୁର୍ନୀତିଖୋର ଅଧିକାରୀମାନେ ଏତେ ଦୁର୍ନୀତି କରୁଛନ୍ତି ଯେ, ଶେଷରେ ଦୁର୍ନୀତିର ସବୁ ସୀମା ଲଙ୍ଘିଯାଇଛି। ଆମେ ଏଭଳି କହିବାର କାରଣ ହେଲା ଯେ, କାଠ ମାଟିର ଭଙ୍ଗା ଦଦରା ଘରେ ରହୁଥିବା ପରିବାରକୁ ଆବାସ ଯୋଜନାରେ ସୁଫଳ ମିଳିଛି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଆବାସ ଯୋଜନାର ଏକ ଫଳକ ପ୍ରଦାନ କରାଯାଇଛି। ଯାହା କି ବାସ୍ତବତା ସହ ଖାପ ଖାଉନଥିବା ବେଳେ ଆବାସ ଯୋଜନାର ଦୁର୍ନୀତି କିନ୍ତୁ ବଖାଣୁଛି। ଏହା ସହ ଘଟଣାଟି ଲୋକ ହସାର କାରଣ ମଧ୍ୟ ସାଜିଛି।


COMMERCIAL BREAK
SCROLL TO CONTINUE READING

କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ବାଡ଼ାବାଙ୍ଗା ପଞ୍ଚାୟତ ସିକନବାଡ଼ି ଗ୍ରାମରେ ମିଳିଛି ଆବାସ ଯୋଜନା ଦୁର୍ନୀତିର ପ୍ରମାଣ। ବାଡ଼ାବାଙ୍ଗା ପଞ୍ଚାୟତର ସିକନବାଡ଼ି ଗ୍ରାମରେ ରହୁଥିବା ନରେଶ ପ୍ରଧାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଆବାସ ଯୋଜନାରେ ଗୃହ ଯୋଗାଇ ଦିଆଯାଇଛି ବୋଲି ଏକ ଆବାସ ଯୋଜନାର ଫଳକ ପ୍ରଦାନ କରାଯାଇଛି। ଯେଉଁଥିରେ ଲେଖା ରହିଛି ଯେ, ୨୦୧୪-୧୫ ଆର୍ଥିକ ବର୍ଷରେ ନରେଶଙ୍କୁ ଇନ୍ଦିରା ଆବାସ ଯୋଜନାରେ ସାମିଲ କରାଯାଇ ୭୫ ହଜାର ଟଙ୍କା ଗୃହ ନିର୍ମାଣ ପାଇଁ ଯୋଗାଇ ଦିଆଯାଇସାରିଛି। ହେଲେ ବାସ୍ତବରେ କିନ୍ତୁ ନରେଶ ପ୍ରଧାନଙ୍କୁ କୌଣସି ଗୃହ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇନଥିବା ବେଳେ ସେ ନିଜ ସ୍ତ୍ରୀ ପାର୍ବତୀ ପ୍ରଧାନଙ୍କ ସହ ଏକ କାଠ ମାଟିର ଭଙ୍ଗା ଦଦରା ଆଜବେଷ୍ଟ ଘରେ ହିଁ ଦୀର୍ଘ ବର୍ଷ ହେଲା ରହିଆସୁଛନ୍ତି।


Also Read: ସରିନାହିଁ ଜମି ଅଧିଗ୍ରହଣ; କେବେ କାର୍ଯ୍ୟକାରୀ ହେବ ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପ?


ନରେଶ ପ୍ରଧାନଙ୍କୁ ସରକାରଙ୍କ ପକ୍ଷରୁ କୌଣସି ପ୍ରକାର ସହାୟତା ମିଳିନଥିବା ବେଳେ ଏବେ ଏଭଳି ଫଳକ ପ୍ରଦାନ କରାଯାଇଥିବାରୁ ସେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହା ସହ ସରକାର କିଭଳି ନ ଜାଣିଶୁଣି ତାଙ୍କୁ ଏଭଳି ମିଛ ବୋର୍ଡ ପ୍ରଦାନ କରିଛି ବୋଲି ଉଭୟ ସ୍ୱାମୀ, ସ୍ତ୍ରୀ ପ୍ରଶ୍ନ କରିଛନ୍ତି। ଏହା ସହ ନରେଶ ପ୍ରଧାନ ଏନେଇ ଦାରିଙ୍ଗବାଡି ବ୍ଲକ ଅଧକ୍ଷା ଓ ବିଡ଼ିଓଙ୍କ ନିକଟରେ ଅଭିଯୋଗ ମଧ୍ୟ କରିଛନ୍ତି। ଆଉ ସେପଟେ କାଠ ମାଟିର ଦଦରା ଘରେ ରହୁଥିବା ନରେଶ ମୂଳରୁ ସରକାରଙ୍କ ପକ୍ଷରୁ ଗୃହ ପାଇନଥିବା ବେଳେ ଏଭଳି ଗରିବଙ୍କ ନାଁରେ ଟଙ୍କା ହଡ଼ପ କରିବା ଠିକ ନୁହଁ। ତେଣୁ ଏହାର ତଦନ୍ତ କରାଯାଇ ପଦକ୍ଷେପ ଗ୍ରହଣ କରାଯାଉ ବୋଲି ବାଡ଼ାବାଙ୍ଗା ପଞ୍ଚାୟତର ପୂର୍ବତନ ସରପଞ୍ଚ ତୁମରାଜ ପ୍ରଧାନ ଦାବି କରିଛନ୍ତି।



ନରେଶ ପ୍ରଧାନଙ୍କ ଅଭିଯୋଗ କ୍ରମେ ଦାରିଙ୍ଗବାଡି ବ୍ଲକ ଅଧକ୍ଷା ଓ ବିଡ଼ିଓ  ବ୍ଲକରେ ରହିଥିବା ଫାଇନ ରେକର୍ଡ଼ ଗୁଡ଼ିକର ଖୋଳତାଳ ଆରମ୍ଭ କରିଦେଇଛନ୍ତି। ହେଲେ ନରେଶ ପ୍ରଧାନ ମୂଳରୁ ଘର ପାଇନଥିବା ବେଳେ ପଞ୍ଚାୟତ ସ୍ତରରେ ହିଁ ତାଙ୍କର ଆବାସ ଯୋଜନାର ଗୃହ ଏବଂ ଟଙ୍କାକୁ ହଡ଼ପ କରାଯାଇଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଏନେଇ ବ୍ଲକ ଅଧ୍ୟକ୍ଷା ରୁଦା ମଲିକ ତଦନ୍ତ କରି ପଦକ୍ଷେପ ଗ୍ରହଣ କରିବାକୁ ବିଡ଼ିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ବିଡ଼ିଓ କଳାକୃଷ୍ଣ ପ୍ରଧାନ କିନ୍ତୁ ଘଟଣାକୁ ହାଲକାରେ ନେବା ସହ ଚିରାଚରିତ ଢ଼ଙ୍ଗରେ କ୍ୟାମେରା ଆଗରେ ଏନେଇ କୌଣସି ଉତ୍ତର ରଖିନଥିବା ବେଳେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। 


Also Read: Tata Powerର ଅଣଓଡିଆ ଠିକାଦାର ପ୍ରୀତିକୁ ବିରୋଧ


ତେବେ ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ପ୍ରଶାସକମାନେ କେତେ ଯେ ସଫଳ ହେବେ ତାହା ତ ଆଗାମୀ ଦିନ କହିବ। ହେଲେ ନରେଶ ପ୍ରଧାନଙ୍କୁ ଏବେ କଣ ଯେ ନ୍ୟାୟ ମିଳିବ ତାହା ହିଁ ଦେଖିବା ବାକି ରହିଛି ବୋଲି ଜନସାଧରଣରେ ଆଲୋଚନା।