ସରିନାହିଁ ଜମି ଅଧିଗ୍ରହଣ; କେବେ କାର୍ଯ୍ୟକାରୀ ହେବ ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପ?
Advertisement

ସରିନାହିଁ ଜମି ଅଧିଗ୍ରହଣ; କେବେ କାର୍ଯ୍ୟକାରୀ ହେବ ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପ?

ଜିଲ୍ଲାରେ କେତେକ ସ୍ଥାନରେ ଏହି ରେଳ ପ୍ରକଳ୍ପ କାମ ଆରମ୍ଭ ହୋଇଥିବା ବେଳେ ଏବେ ମଧ୍ୟ ବାକି ରହିଛି ଜମି ଅଧିଗ୍ରହଣ ପକ୍ରିୟା।

ସରିନାହିଁ ଜମି ଅଧିଗ୍ରହଣ; କେବେ କାର୍ଯ୍ୟକାରୀ ହେବ ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପ?

ବୌଦ୍ଧ: ଘୁଞ୍ଚି ଘୁଞ୍ଚି ଯାଉଛି ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପ। ଏହି ପ୍ରକଳ୍ପ ସରିବାକୁ ଲାଗିଯିବ ଆଉ ୪ ବର୍ଷ। କିଛି ସ୍ଥାନରେ କାମ ଆରମ୍ଭ ହୋଇଯାଇଥିବା ବେଳେ ଏବେ ମଧ୍ୟ ବାକି ରହିଛି ଜମି ଅଧିଗ୍ରହଣ। ଜିଲ୍ଲାରେ ସର୍ବାଧିକ ରେଳ ଲାଇନ ଯାଉଥିବାବେଳେ ଏଥିରେ ରହିଛି ୭ କିମି ଟନେଲ। ଦଶନ୍ଧି ଦଶନ୍ଧି ତଳର ଏହି ରେଳ ପ୍ରକଳ୍ପ କେବେ ସରିବ? ଜିଲ୍ଲାରେ କଣ ରହିଛି ଏହାର ସ୍ଥିତି? 

ବହୁଚର୍ଚ୍ଚିତ ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପ ପାଇଁ ବୌଦ୍ଧ ଜିଲ୍ଲାରେ ନିର୍ମିତ ହେବ ପ୍ରାୟ ୧୦୬ କିମି ଲମ୍ବର ରାସ୍ତା। ଯାହା ଅନ୍ୟ ଜିଲ୍ଲା ତୁଳନାରେ ସର୍ବାଧିକ। ଜିଲ୍ଲାରେ କେତେକ ସ୍ଥାନରେ ଏହି ରେଳ ପ୍ରକଳ୍ପ କାମ ଆରମ୍ଭ ହୋଇଥିବା ବେଳେ ଏବେ ମଧ୍ୟ ବାକି ରହିଛି ଜମି ଅଧିଗ୍ରହଣ ପକ୍ରିୟା। ଜିଲ୍ଲାର ଆଡେଣୀଗଡ, ଚାରିଛକ, ପରୁଣାକଟକ, ଚମ୍ପାପୁର, ବୌଦ୍ଧ, ଝାରମୁଣ୍ଡା, ପୁରୁଣାପାଣି ଭଲି ୭ଟି ସ୍ଥାନରେ ଏହି ପ୍ରକଳ୍ପ ପାଇଁ ରେଳ ଷ୍ଟେସନ ନିର୍ମିତ ହେବ। 

ଏହାସହିତ ମନମୁଣ୍ଡା ଦେଉଳି ଠାରୁ ବୌଦ୍ଧ ପର୍ଯ୍ୟନ୍ତ ୪୩ କିମି ରାସ୍ତା ପାଇଁ ୩୧୦ କୋଟି ଟଙ୍କା ଅର୍ଥ ବ୍ୟୟବରାଦ ହୋଇଥିବାବେଳେ ଝାଘାରିଆ ନାମକ ଠିକାସଂସ୍ଥା କାମ ହାତକୁ ନେଇଛି। ଏବେ ମାଟି କାମ ସହିତ ମେହେରୁଣି, ବାଘ, ସାଲୁଙ୍କି ଭଳି ନଦୀନାଳରେ ସେତୁ ନିର୍ମାଣ କାର୍ଯ୍ୟ ଚାଲିଛି। ଅନ୍ୟପଟେ ବୌଦ୍ଧରୁ ପୁରୁଣାକଟକ ପର୍ଯ୍ୟନ୍ତ ୨୨ କିମି ରାସ୍ତା ପାଇଁ ୧୬୦ କୋଟି ଟଙ୍କା ବ୍ୟୟବରାଦ ହୋଇଥିବାବେଳେ ଏଆରଏସଏସ ନାମକ ଠିକାସଂସ୍ଥା କାମ ହାତକୁ ନେଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଆରମ୍ଭ ହୋଇ ପାରିନାହିଁ କାମ। 

Also Read: ଆଗେଇ ପାରୁନାହିଁ ପ୍ରକଳ୍ପ; କେବେ ରେଳପଥ ଯୋଗେ ଯୋଡି ହେବ ଦକ୍ଷିଣ-ପଶ୍ଚିମ ଓଡି଼ଶା?

ଅନ୍ୟପଟେ ପୁରୁଣାକଟକରୁ ବୌଦ୍ଧ ସୀମାନ୍ତ ପର୍ଯ୍ୟନ୍ତ ହାତ ଗଣତି କିଛି ଗ୍ରାମରେ ଜମି ଅଧିଗ୍ରହଣ ସରିଥିବା ବେଳେ ଏବେ ମଧ୍ୟ ଅନେକ ଗାଁରେ ଏହି କାମ ବାକି ରହିଛି। ଘଞ୍ଚ ଜଙ୍ଗଲ କାରଣରୁ ଜମି ଅଧିଗ୍ରହଣ କାର୍ଯ୍ୟ ପ୍ରଭାବିତ ହେଉଥିବା କୁହାଯାଉଛି।

ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପ କାମ ଯେତିକି ବିଳମ୍ବ ହେଉଛି ଏହାକୁ ନେଇ ବିଭିନ୍ନ ଅନେକ ପ୍ରକାର ଚର୍ଚ୍ଚା ହେଉଛିଛି। ପୁରୁଣାକଟକରୁ ବୌଦ୍ଧ ସୀମାନ୍ତ ପର୍ଯ୍ୟନ୍ତ ଘଞ୍ଚ ଜଙ୍ଗଲ ରହିଥିବାରୁ ଜଙ୍ଗଲ ନଷ୍ଟ ନକରାଯାଇ ଟନେଲ ସାହାଯ୍ୟରେ ଅର୍ଥାତ ମାଟିତଳେ ରେଳ ରାସ୍ତା ନିର୍ମାଣ କରାଯିବା ପାଇଁ ପ୍ରସ୍ତୁତି ଚୂଡାନ୍ତ ହୋଇଥିବା ଜଣାପଡିଛି। ନିର୍ମାଣ ହେବାକୁ ଥିବା ୭ କିମି ଟନେଲ ରାଜ୍ୟର ପ୍ରଥମ ହେବା ସହିତ ରେଳ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଖୋର୍ଦ୍ଧା-ବଲାଙ୍ଗିର ଯାତ୍ରା ବେଶ ଆନନ୍ଦଦାୟକ ହୋଇପାରିବ। 

ଏତେ ସ୍ୱପ୍ନକୁ ରାତି ନାହିଁ ଭଳି ଖୋର୍ଦ୍ଧ-ବଲାଙ୍ଗିର ରେଳ ପ୍ରକଳ୍ପ କାର୍ଯ୍ୟକାରିତାକୁ ନେଇ ଆଶା ଆଶଙ୍କରେ ରହିଛନ୍ତି ଜିଲ୍ଲାବାସୀ। ଅନ୍ୟପଟେ ରାଜ୍ୟର ଜଣେ ରାଜ୍ୟସଭା ସାଂସଦ ରେଳମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପରେ ଏହି ରେଳପଥ ପ୍ରକଳ୍ପ କିଭଳି ବର୍ଷେ କିମ୍ବା ୨ ବର୍ଷ ମଧ୍ୟରେ କାର୍ଯ୍ୟକାରୀ ହୋଇପାରିବ ସେ ଦିଗରେ ଦୃଷ୍ଟି ଦେଇ ଓଡିଶାପ୍ରତି ଥିବା ସମ୍ବେଦନଶୀଳତାକୁ ପ୍ରକାଶ କରିବାକୁ କହିଛନ୍ତି ଜିଲ୍ଲାବାସୀ। 

ଅନ୍ୟପଟେ ରାଜନୀତିର ପଶାପାଲିରେ ରହିଥିବା ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପକୁ ନେଇ ବିଭିନ୍ନ ରାଜନୈତିକ ଦଳ ଏହାକୁ ବିଭିନ୍ନ ସମୟରେ ଏକ ପ୍ରସଙ୍ଗ କରୁଥିବାରୁ ଏହାର କାର୍ଯ୍ୟକାରିତା ବିଳମ୍ବିତ ହେଉଥିବା କହିଛନ୍ତି ଜିଲ୍ଲାବାସୀ ଜମିଅଧିଗ୍ରହଣ କାମ ପ୍ରାୟତଃ ସରିଗଲାଣି। କାମ ମଧ୍ୟ ଜୋର ସୋରରେ ଚାଲିଛି। ଆଗାମୀ ୪ ବର୍ଷ ମଧ୍ୟରେ ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପ ସମ୍ପୂର୍ଣ୍ଣ ହେବ ବୋଲି କହିଛନ୍ତି ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର।

Also Read: ‘ଆତ୍ମା’ ପରଖିବ ଟିକେଟ୍

ବର୍ତ୍ତମାନ ଏହି ରେଳ ପ୍ରକଳ୍ପ ଅଧିନରେ ବଲାଙ୍ଗିରରୁ ସୋନପୁରର ବିଛୁପାଲି ଏବଂ ଖୋର୍ଦ୍ଧାରୁ ନୟାଗଡର ମହୀପୁର ପର୍ଯ୍ୟନ୍ତ ଗଡି଼ଛି ରେଳ। କେବେ ସରିବ ଖୋର୍ଦ୍ଧ-ବଲାଙ୍ଗିର ରେଳ ପ୍ରକଳ୍ପ କାମ ନା ରାଜନୀତି କାରଣରୁ ଏହାର କାର୍ଯ୍ୟକାରିତା ବିଳମ୍ବ ତାହା ସମୟ କହିବ।