ପ୍ରେମାନନ୍ଦ ପୂଜାରୀ, ମୋହନା: ସମୟ ଥିଲା ଗାଁରେ କୁଲି ମଜୁରୀ କରିବା ସହ ଦାଦନ ଖଟିବାକୁ ଯାଇ ପରିବାରର ବୋଝ ଉଠାଉଥିଲେ ଘରର ବଡ଼ ପୁଅ। ହେଲେ ବିଧିର ବିଧାନ କେ କରିବ ଆନ ଭଳି ସେହି ରୋଜଗାରିଆ ପୁଅ ଦୀର୍ଘ ୧୨ ବର୍ଷ ହେବ ମାନସିକ ବିକାରଗ୍ରସ୍ତ ହୋଇ ଯାଇଥିବା ବେଳେ ୫ ବର୍ଷ ହେବ ଗୋଡ଼ରେ ପରିବାର ଲୋକେ ଲୁହା ଶିକୁଳି ବାନ୍ଧି ରଖିଛନ୍ତି।


COMMERCIAL BREAK
SCROLL TO CONTINUE READING

ଗଜପତି ଜିଲ୍ଲା ମୋହନା ବ୍ଲକ୍ ଅନ୍ତର୍ଗତ ଶିକୁଳିପଦର ପଞ୍ଚାୟତର କଇଠପଦା ଗ୍ରାମର ପଞ୍ଚୁ ବେହେରା। ସମୟ ଥିଲା ଆର୍ଥିକ ଅଭାବ ଅନଟନରେ ଚଳି ଆସୁଥିବା ପରିବାରର ପ୍ରତିପୋଷଣ ଦାୟିତ୍ୱ ମୁଣ୍ଡେଇ ନିଜେ ବାହାର ରାଜ୍ୟକୁ ଯାଇ କୁଲି ମଜୁରୀ କରି ଦୁଇ ପଇସା ରୋଜଗାର କରିପାରୁଥିଲେ। ଅନେକ ବର୍ଷ ତଳେ ଦାଦନ ଖଟିବା ପାଇଁ ଆନ୍ଧ୍ର ପ୍ରଦେଶ ଯାଇଥିବା ବେଳେ କିଛି ମାସ କାମ କରିବା ପରେ ହଠାତ୍ ତାଙ୍କର ଦେହ ଅସୁସ୍ଥ ହୋଇପଡିଥିଲା। 


ଯାହା ଫଳରେ ସେ କାମ କରିନପାରି ପୁଣି ନିଜ ଗ୍ରାମ କଇଠପଦା ଗ୍ରାମକୁ ଫେରି ଆସିଥିଲେ। ହେଲେ ଦଇବ ଦାଉ ସାଧିବା ଭଳି ଦିନକୁ ଦିନ ଅଧିକ ଜ୍ୱରରେ ଆକ୍ରାନ୍ତ ହେବା ସହ ଧିରେ ଧିରେ ସ୍ମୃତିଶକ୍ତି ହରାଇବାକୁ ଲାଗିଲେ। ଏହା ସହ ଧିରେ ଧିରେ ମାନସିକ ବିକାରଗ୍ରସ୍ତ ହୋଇ ଘରର ଆସବାବପତ୍ର ପୋଡି ଦେବା ସହ ଗାଁ ଲୋକଙ୍କୁ ମାରପିଟ କରି ମନଇଚ୍ଛା କେଉଁ ଆଡେ ଚାଲି ଯାଉଥିଲେ। ପୁଅର ଏଭଳି ଦୁର୍ଦ୍ଦଶା ଦେଖି କିଛି ବର୍ଷ ତଳେ ଆରପାରିକୁ ଚାଲିଯାଇଥିଲେ ବାପା। 


Also Read: ଛାତ୍ରୀ ଚିହ୍ନଟ ହେଲେ କୋରୋନା ସଂକ୍ରମିତ; ସପ୍ତାହେ ପାଇଁ ବନ୍ଦ ହେଲା ପାଠପଢ଼ା


 


ପଞ୍ଚୁଙ୍କ ଗାଁଅତି ଦୁର୍ଗମ ଅଞ୍ଚଳରେ ଅବସ୍ଥିତ ଥିବାବେଳେ ଅର୍ଥ ଅଭାବରୁ ତାଙ୍କର ଉନ୍ନତ ଚିକିତ୍ସା କରି ପାରୁନାହାଁନ୍ତି ପରିବାର ଲୋକେ। ହେଲେ ମା ମନ ବା ବୁଝିବ କେମିତି? ଯେଉଁ ବୟସରେ ପୁଅ ଟିଏ ମାଆର ସେବା ଯତ୍ନ କରିବା କଥା ସେହି ବୟସରେ ପୁଅ ଏବେ ପାଲଟି ଯାଇଛି ପରିବାରର ବୋଝ। ବଡ଼ ଡାକ୍ତରଖାନାରେ ଚିକିତ୍ସା କରାଇ ଭଲ କରାଇବାର ଆଶା ନେଇ ମା ଏବେ ପୁଅର ସେବା ଯତ୍ନ କରି ଛଳଛଳ ଆଖିରେ ଚାହିଁ ବସିଛନ୍ତି ସରକାରୀ ସହାୟତାକୁ। ଯେମିତି ବି ହେଉପଛେ ପୁଅ ଅନ୍ତତଃ ଘରେ ରହୁ ବୋଲି ଦୀର୍ଘ ୫ ବର୍ଷ ହେବ ପଞ୍ଚୁ ଗୋଡ଼ରେ ଶିକୁଳି ବାନ୍ଧି ରଖିବା ପାଇଁ ବାଧ୍ୟ ହୋଇଥିବା ପ୍ରକାଶ କରିଛନ୍ତି ପରିବାର ଲୋକ।


ପଞ୍ଚୁଙ୍କ ନାମରେ କେବଳ ଆଧାର କାର୍ଡ ରହିଛି। ତାଙ୍କର ଏଭଳି ଦୂରାବସ୍ଥା ସମୟରେ ତାଙ୍କ ପାଇଁ ପ୍ରଶାସନ ପକ୍ଷରୁ ଭତ୍ତା କାର୍ଡ ଖଣ୍ଡିଏ ମଧ୍ୟ ଯୋଗାଇ ଦିଆଯାଇନାହିଁ। ଏପଟେ ଆର୍ଥିକ ଅନଟନ ଦେଇ ଗତି କରୁଥିବା ପରିବାର ପୁଅର ଚିକିତ୍ସା କରାଇ ପାରୁନାହାଁନ୍ତି। ଗଣମାଧ୍ୟମ ଜରିଆରେ ସରକାରୀ ସହାୟତାରେ ଚିକିତ୍ସା ଯୋଗାଇ ଦିଆଯାଉ ବୋଲି ପରିବାର ଲୋକଙ୍କ ସହ ଗ୍ରାମବାସୀ ମଧ୍ୟ ସରକାରଙ୍କ ନିକଟରେ ଦାବି କରିଛନ୍ତି। 


Also Read: ୨୦ ଲୋକରେ ଗୋଟିଏ ଟିକା! ପ୍ରତିବାଦରେ ଜାତୀୟ ରାଜପଥ ଅବରୋଧ କଲେ ଉତ୍ୟକ୍ତ ଜନତା


 


ଏ ସମ୍ପର୍କରେ ଆମେ ମୋହନା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସାର୍ଥକ ସୌରଭ ମହାପାତ୍ରଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ କହିଛନ୍ତି ପଞ୍ଚୁଙ୍କ ପରିବାର ସମସ୍ୟା ବାବଦରେ ପୁର୍ବରୁ ଅବଗତ ଅଛନ୍ତି। ମେଡିକାଲ ସାର୍ଟିଫିକେଟ ନଥିବା ଯୋଗୁଁ ଭତ୍ତା ପ୍ରଦାନ କରି ହେଉନାହିଁ। ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ସହ ଆଲୋଚନା କରି ଏନେଇ ପଦକ୍ଷେପ ଗ୍ରହଣ କରାଯିବ। 


ଯଦି କୌଣସି ସହୃୟବାନ ବ୍ୟକ୍ତି ଅଥବା ସଙ୍ଗଠନ ପଞ୍ଚୁଙ୍କୁ ସାହାଯ୍ୟର ହାତ ବଢାଇବାକୁ ଚାହାଁନ୍ତି ତାହେଲେ ତାଙ୍କ ମୋବାଇଲ 9861894857 ନମ୍ବରରେ ଯୋଗାଯୋଗ କରି ତାଙ୍କ ମା ଚଞ୍ଚଳା ବେହେରାଙ୍କ Indian Bank Account no 808316360, IFSC Code no IDIB000C057 ମାଧ୍ୟମରେ ସହାୟତା ପ୍ରଦାନ କରିପାରିବେ।