କଳାହାଣ୍ଡି: ବଣ ପାହାଡ଼ ଘେରା କଳାହାଣ୍ଡି ଜିଲ୍ଲା। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଏହି ଜିଲ୍ଲା ନିଜ ଭିତରେ ଅସରନ୍ତି ସମ୍ପଦ ଭାରି ରଖିଛି। ଏହି ଜିଲ୍ଲାର ଆଦିବାସୀ, ବନବାସୀ ହେଉଛନ୍ତି ଏହାର ପ୍ରକୃତ ପରିଚୟ। ଏମାନଙ୍କର ସୁବିଧା ପାଇଁ ଜିଲ୍ଲା ପ୍ରଶାସନ ବଡ ପଦକ୍ଷପ ନେଇଛି। 


COMMERCIAL BREAK
SCROLL TO CONTINUE READING

ପ୍ରତିବର୍ଷ ମାର୍ଚ୍ଚ ମାସ ଆରମ୍ଭରୁ ବିଭିନ୍ନ ପ୍ରକାର ବନଜାତ ଦ୍ରବ୍ୟର ସମ୍ଭାର ଦେଖାଦିଏ। ଏହି ସମୟରେ କଳାହାଣ୍ଡି ଜିଲ୍ଲାର ବଣ ମୂଳକରେ ବସବାସ କରୁଥିବା ଗରିବ ଆଦିବାସୀ, ବନବାସୀ ବନଜାତ ଦ୍ରବ୍ୟ ସଂଗ୍ରହ କରି ବେଶ ଦୁଇ ପଇସା ରୋଜଗାର କରିଥାନ୍ତି। ପ୍ରତିଦିନ ଭୋର ସକାଳୁ ଉଠି ଜଙ୍ଗଲକୁ ଯାଇ ଅଧିବାସୀମାନେ ଗଛରୁ ତେନ୍ତୁଳି, ମହୁଲ, ଶାଳମଞ୍ଜି ସହ ଟୋଲ ଭଳି ବନଜାତ ଦ୍ରବ୍ୟ ସଂଗ୍ରହ କରିଥାନ୍ତି।  ପରେ ତାକୁ ବଜାରରେ ବିକ୍ରି କରିଥାନ୍ତି। ସେଥିରୁ ଯେଉଁ ଦୁଇ ପାଇସା ରୋଜଗାର ହେଲେ ସେଥିରେ ସେମାନଙ୍କ ତେଲଲୁଣର ସଂସାର ଚଳିଯାଏ। 


Also Read: ପୁଣି ମହାନଦୀ ନେଲା ଦୁଇ ଜୀବନ, ଗାଧୋଇବାକୁ ଆସି ବୁଡିଗଲେ ଯୁକ୍ତ ଦୁଇ ଛାତ୍ର


କଳାହାଣ୍ଡି ଜିଲ୍ଲାରେ ବନଜାତ ଦ୍ରବ୍ୟ ସଂଗ୍ରହ ପାଇଁ ଉପଯୁକ୍ତ ମଣ୍ଡି ବ୍ୟବସ୍ଥା ନ ଥିବା କାରଣରୁ ଦଲାଲ ଏହାର ଭରପୁର ଫାଇଦା ଉଠାଇ ଥାନ୍ତି। ଆଦିବାସୀଙ୍କ ଠାରୁ ଏସବୁ ଦ୍ରବ୍ୟକୁ କମ ଦାମରେ କିଣି ସେମାନେ ବଜାରରେ ଚଢା ଦରରେ ବିକ୍ରି କରିଥାନ୍ତି। ଆଉ ପରୋକ୍ଷରେ ସଂଗ୍ରହକାରୀ ଶୋଷଣର ଶୀକାର ହୋଇଥାନ୍ତି। ଆଉ ଏଥିରୁ ଗରିବା ଆଦିବାସୀଙ୍କୁ ମୁକ୍ତ କରିବା ପାଇଁ କଳାହାଣ୍ଡି ଜିଲ୍ଲା ପ୍ରଶାସନ ସ୍ୱାଗତଯୋଗ୍ୟ ପଦକ୍ଷପ ନେଇଛି। ଯାହାଦ୍ୱାରା ଆଦିବାସୀ ଓ ବନବାସୀମାନେ ସିଧାସଳଖ ଲାଭବାନ ହେବେ। ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ କରି ଦୁଇ ପଇସା ରୋଜଗାର କରୁଥିବା ଆଦିବାସୀ ଓ ବନବାସୀଙ୍କ ପାଇଁ ଜିଲ୍ଲା ପ୍ରଶାସନ ସେମାନଙ୍କ ଗ୍ରାହକ ହେବ। 



ସରକାରଙ୍କ ନିର୍ଦ୍ଧାରିତ ମୂଲ୍ୟରେ ସିଧାସଳଖ ସଂଗ୍ରହକାରୀଙ୍କ ଠାରୁ କଳାହାଣ୍ଡି ଜିଲ୍ଲା ପ୍ରଶାସନ ଲଘୁ ବନଜାତ ଦ୍ରବ୍ୟ କିଣିବ। ତେନ୍ତୁଳି ସଂଗ୍ରହ ପାଇଁ ପ୍ରଶାସନ ମଣ୍ଡି ବ୍ୟବସ୍ଥା ଆରମ୍ଭ କରିଛି। ଜିଲ୍ଲା ଆଦିବାସୀ ଉନ୍ନୟନ ସମବାୟ ନିଗମ ପକ୍ଷରୁ ଜିଲ୍ଲାର ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ବାଲିସରା ଠାରୁ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ତେନ୍ତୁଳି କିଲୋ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ୩୬ ଟଙ୍କା ଧାର୍ଯ୍ୟ କରାଯାଇଛି। ୪ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଏହି ଅଞ୍ଚଳରେ ନିଗମ ଏହି ସଂଗ୍ରହ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବ। 


Also Read: ହସ୍ପିଟାଲରେ ମାଆ-ଛୁଆକୁ ଛାଡି ସ୍ୱାମୀ ଓ ପରିବାର ଫେରାର, କାରଣ ଜାଣିଲେ କହିବେ...


ପ୍ରଥମ ଦିନରେ ବନବାସୀଙ୍କ ଠାରୁ ଜିଲ୍ଲା ଆଦିବାସୀ ଉନ୍ନୟନ ସମବାୟ ନିଗମ ୩୦ କ୍ୱିଣ୍ଟାଲ ତେନ୍ତୁଳି ସଂଗ୍ରହ କରିଛି। ଆଗକୁ ମଧ୍ୟ ଜିଲ୍ଲାର ବିଭିନ୍ନ ସ୍ଥାନରେ ବନବାସୀଙ୍କ ଠାରୁ ସରକାରଙ୍କ ଧାର୍ଯ୍ୟ ମୂଲ୍ୟରେ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ କରାଯିବ। ଯାହାଦ୍ୱାରା ଦଲାଲଙ୍କ ଦ୍ୱାରା ଶିକାର ନ ହୋଇ ଆଦିବାସୀ ଓ ବନବାସୀ ନିଜର ଅଧିକାର ପାଇପାରିବେ ବୋଲି ବିଶ୍ୱାସ କରାଯାଉଛି।