କୋରାପୁଟ: ଜନତା କି ମାଲ, ଦରିଆ ମେ ଡାଲ୍! ଠିକ ଏଭଳି କିଛି ଦୃଶ୍ୟ ଏବେ ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାରେ ଦେଖିବାକୁ ମିଳିଛି। ସରକାର ଓ ପ୍ରଶାସନର ଦୂରଦୃଷ୍ଟି ଅଭାବରୁ ଏବେ ଜନତାଙ୍କ ପକେଟରୁ ଖର୍ଚ୍ଚ ହୋଇଥିବା ୧୨ କୋଟି ଟଙ୍କାର କୋଠା ମାଟିରେ ମିଶିବାକୁ ଯାଉଛି। କେନ୍ଦ୍ର ସରକାରଙ୍କ ଭାରତମାଳା ପରିଯୋଜନାରେ ନିର୍ମାଣ ହେବାକୁ ଥିବା ଏକ୍ସପ୍ରେସ ହାଇୱେ ପାଇଁ ସେମିଳିଗୁଡା ବ୍ଲକ କୁତୁଗାଁ ନିକଟରେ ଉଦ୍ଘାଟନକୁ ଅପେକ୍ଷା କରିଥିବା ମଡେଲ୍ ଡିଗ୍ରୀ କଲେଜ ଭଙ୍ଗାଯିବ ବୋଲି ଜିଲ୍ଲା ପ୍ରଶାସନ ସ୍ପଷ୍ଟ କରିଛି।


COMMERCIAL BREAK
SCROLL TO CONTINUE READING

ଦେଶର ଅନ୍ନୁନତ ଓ ପଛୁଆ ଜିଲ୍ଲା ଭାବେ ଆଦିବାସୀ ଅଧ୍ୟୁଷିତ, ନକ୍ସଲ ପ୍ରଭାବିତ କୋରାପୁଟ ପରିଗଣିତ ହେଉଛି। ଏଠାକାର ଅଧାରୁ ପାଠ ଛାଡିଥିବା ପିଲା, ମହିଳା ଓ ଗରିବ ଛାତ୍ରଛାତ୍ରୀଙ୍କ ଶିକ୍ଷାର ବିକାଶ ନିମନ୍ତେ ସେମିଳିଗୁଡା ବ୍ଲକ କୁତୁଗାଁ ନିକଟରେ ଆଦର୍ଶ କଲେଜ ତିଆରି ହୋଇଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ୬୦:୪୦ ଭାଗିଦାରୀରେ କଲେଜ କୋଠା ତିଆରି କରାଯାଇଛି। ଏଥିରେ କେନ୍ଦ୍ର ସରକାର ପ୍ରାୟ ୮ କୋଟି ଟଙ୍କା ବିନିଯୋଗ କରିଛନ୍ତି। ଗତ ମାର୍ଚ୍ଚ ମାସରେ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। କିନ୍ତୁ ଉଦ୍ଘାଟନ ପୂର୍ବରୁ ଏହି ଆଦର୍ଶ ଡିଗ୍ରୀ କଲେଜକୁ ଭଙ୍ଗାଯିବ ବୋଲି ସୂଚନା ମିଳିଛି।


Also Read: ଆଦିବାସୀ ମହିଳାଙ୍କୁ ଜୀବିକା ଯୋଗାଇବ ମାଛ ଚାଷ


କେନ୍ଦ୍ର ସରକାରଙ୍କ ଭାରତମାଳା ପରିଯୋଜନାରେ ବିଶାଖାପାଟନମରୁ ରାୟପୁରକୁ ଏକ୍ସପ୍ରେସ ହାଇୱେ ନିର୍ମାଣ ହେବ। ଏହି ହାଇୱେ ରାସ୍ତା ୩ଟି ରାଜ୍ୟ ଯଥା- ଛତିଶଗଡ, ଓଡିଶା ଓ ଆନ୍ଧ୍ରର ଗ୍ରାମାଞ୍ଚଳ ଦେଇ ଗତିକରିବ। ଏଥିନେଇ କୋରାପୁଟ ଜିଲ୍ଲାରେ ସର୍ଭେ କାମ ଶେଷ ହୋଇଥିବାବେଳେ, ଜମି ଚିହ୍ନଟ ପ୍ରକ୍ରିୟା ବି ଶେଷ ହୋଇଛି। ସରକାର ଏଥିପାଇଁ ୧୫୩୯ କୋଟି ଟଙ୍କା ମଞ୍ଜୁର କରିଛି। ତେବେ ଏହି ଭାରତମାଳା ପରିଯୋଜନା ପାଇଁ ମଡେଲ ଡିଗ୍ରୀ କଲେଜ ମାଟିରେ ମିଶିବାକୁ ଯାଉଛି। ଯେହାକୁ ନେଇ ଏବେ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି।


କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେ, ଜିଲ୍ଲାର ଗୋଟିଏ ମାତ୍ର ଡିଗ୍ରୀ କଲେଜର ନିର୍ମାଣ କାର୍ଯ୍ୟ ଶେଷ ପ୍ରତିଶତ ଶେଷ ହୋଇଛି। କିନ୍ତୁ ବର୍ତ୍ତମାନ କଲେଜ କୋଠାକୁ ଭଙ୍ଗିବା ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଛି, ଏହାକୁ ମୁଁ କଡା ବିରୋଧ କରୁଛି। କଂଗ୍ରେସ ପରି ବିଜେଡି ମଧ୍ୟ ମଡେଲ କଲେଜ ଭଙ୍ଗାକୁ ବିରୋଧ କରୁଛି। କୌଣସି ପରିସ୍ଥିତିରେ କଲେଜକୁ ଭିଙ୍ଗିବାକୁ ଦିଆଯିବ ନାହିଁ। ଏବାବଦରେ ଆମେ ଜିଲ୍ଲା ପ୍ରଶାସନ ଓ ସଂମ୍ପୃକ୍ତ ଅଧିକାରୀଙ୍କ ସହ ଆଲୋଚନା କରୁବୁ ବୋଲି ବରିଷ୍ଠ ବିଜେଡି ନେତା ତଥା ବିହନ ନିଗମ ଅଧ୍ୟକ୍ଷ ଇଶ୍ୱର ପାଣିଗ୍ରାହୀ କହିଛନ୍ତି।


Also Read: ରାଜରାସ୍ତା କଡରେ ଝୁଲୁଛି କାଳ! ଟଙ୍କା ଖାଇ ଠିକାଦାର ଚମ୍ପଟ, ଅଭିଯୋଗ କଲେ ଶୁଣୁନି ବିଦ୍ୟୁତ ବିଭାଗ


ପୂର୍ବତନ ସାଂସଦ ତଥା ବିଜେପି ନେତା ଜୟରାମ ପାଙ୍ଗୀଙ୍କ କହିବା ହେଲା, ଜିଲ୍ଲା ପ୍ରଶାସନର ଦୂର ଦୃଷ୍ଟି ଅଭାବରୁ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ କଲେଜ ଏବେ ଭଙ୍ଗା ହେବ। ମଡେଲ ଡିଗ୍ରୀ କଲେଜ ପାଇଁ ମାଟି ସମତଳ ସମୟରେ ଭାରତମାଳା ଯୋଜନାରେ ରାସ୍ତା କାମର ସର୍ଭେ ଚାଲିଥିଲା। ସେହି ସମୟରେ ହିଁ ରାସ୍ତା କେଉଁ ଦିଗକୁ ଯିବ ଜିଲ୍ଲା ପ୍ରଶାସନ ଜାଣିଥିଲେ। ଠିକାଦାରଙ୍କୁ କାମ ଦେଇ ପିସି ଖାଇବା ପାଇଁ ଜାଣିଶୁଣି ସେଠାରେ କଲେଜ ନିର୍ମାଣ କଲେ। ସରକାରଙ୍କ ଅର୍ଥ ବରବାଦ କରିବା ଦିଗରେ ଜିଲ୍ଲା ପ୍ରସାଶାସନ ହିଁ ଦାୟୀ ବୋଲି ଜୟରାମ ପାଙ୍ଗୀ ଅଭିଯୋଗ ଆଣିଛନ୍ତି।


ସେପଟେ ସେମିଳିଗୁଡା ନିକଟସ୍ଥ ଆଦର୍ଶ ଡିଗ୍ରୀ କଲେଜ ଭଙ୍ଗା ଯିବ ବୋଲି ଜିଲ୍ଲା ପ୍ରଶାସନ ସ୍ପଷ୍ଟ କରିଛି। କୋରାପୁଟ ଜିଲ୍ଲାପାଳ ଅବଦୁଲ ଏମ୍ ଅଖତାର କହିଛନ୍ତି ଯେ, ଭାରତମାଳା ପରିଯୋଜନାରେ ନିର୍ମାଣ ହେବାକୁ ଥିବା ଏକ୍ସପ୍ରେସ ୱେ ପାଇଁ ଆଦର୍ଶ ଡିଗ୍ରୀ ଭଙ୍ଗାଯିବ। ଜାତୀୟ ରାଜମାର୍ଗ ପ୍ରଧିକରଣ (NHAI) ସମ୍ପୃକ୍ତ ଜମି ଏବଂ କୋଠାର ଟଙ୍କା ଦେଇ ସାରିଛି। ଖୁବଶୀଘ୍ର ଅନ୍ୟାନ୍ୟ ପ୍ରକ୍ରିୟା ଆରମ୍ଭ ହେବ।


Also Read: ଆସନ୍ତା ୨୪ ଘଣ୍ଟାରେ ଲଘୁଚାପ; ଦୁଇ ଦିନ ଅଧା ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ଆଜି ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି


ସୂଚନାଯୋଗ୍ୟ, ୨୦୧୭ ଜୁନରେ ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ (RUSA) ୨.୦ ଅଧିନରେ କୋରାପୁଟ ସମେତ ୬ଟି ଜିଲ୍ଲାରେ ମଡେଲ କେଲଜ ନିର୍ମାଣ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିଲେ। ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି ଶିଳାନ୍ୟାଶ କରିଥିବା ବେଳେ ୨୦୧୯-୨୦ରୁ କଲେଜକୁ କାର୍ଯ୍ୟକ୍ଷମ କରିବାକୁ ସରକାର ଲକ୍ଷ୍ୟ ରଖିଥିଲେ। କିନ୍ତୁ କୋରୋନା ଯୋଗୁଁ ନିର୍ମାଣ କାର୍ଯ୍ୟରେ ବିଳମ୍ବ ହୋଇଥିଲେ ସୁଦ୍ଧା ୨୦୨୧ ବେଳକୁ ଏହା ପ୍ରାୟ ଶତ ପ୍ରତିଶତ ପ୍ରସ୍ତୁତ ହୋଇଯାଇଥିଲା। ଏବେ କେବଳ ରାଜ୍ୟ ଶିକ୍ଷା ବିଭାଗକୁ ମଡେଲ କେଲଜ ହସ୍ତାନ୍ତର କରାଯିବା ପ୍ରକ୍ରିୟା ବାକି ରହିଛି।


କେନ୍ଦ୍ରୀୟ ଯୋଜନା ପାଇଁ କେନ୍ଦ୍ରୀୟ ଯୋଜନାର କୋଠାକୁ ଭଙ୍ଗାଯିବ। ଏଥିରେ କିଏ ଲାଭବାନ ହେବେ ତାହା ସମସ୍ତଙ୍କୁ ଜଣା! ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନରେ ଜନତାଙ୍କ ଟଙ୍କାରେ କୋଠା ନିର୍ମାଣ ହେଲା। ତାହା ଏବେ ଭଙ୍ଗା ହେବ। ସେହି କୋଠା ଓ ଜମି ପାଇଁ NHAI ଟଙ୍କା ଦେଲା। ଏହି ଟଙ୍କା ବି ସେହି ଜନତାଙ୍କ ପକେଟରୁ ହିଁ ରାଜକୋଷକୁ ଯାଇଛି। ଯଦି ଏବେ କୋଠା ଭଙ୍ଗା ଯାଏ ତେବେ ନୂଆ କୋଠା କେଉଁଠି ନିର୍ମାଣ ହେବ? କେବେ ନିର୍ମାଣ ହେବ? କୋରାପୁଟବାସୀଙ୍କୁ ଉଚ୍ଚ ଶିକ୍ଷାରୁ ବଞ୍ଚିତ କରିବାକୁ ଏହା ଏକ ଷଡଯନ୍ତ୍ର ନୁହେଁ ତ? କାହାର ଭୁଲ ପାଇଁ ଭୁଲ ସ୍ଥାନରେ ଆଦର୍ଶ କଲେଜ ନିର୍ମାଣ ହେଲା? ଏହାର ତଦନ୍ତ ହେବ କି? ଏଭଳି ଅନେକ ପ୍ରଶ୍ନ ଏବେ ସାଧାରଣରେ ଉଠୁଛି।