କୋରାପୁଟ: ଭାରତରେ ବିଶ୍ୱର ସର୍ବ ବୃହତ ଟିକାକରଣ ଅଭିଯାନ ଚାଲିଛି। ଓଡିଶା ସରକାର ମଧ୍ୟ ଟିକାକରଣରେ ରେକର୍ଡ ଉପରେ ରେକର୍ଡ କରୁଛନ୍ତି। ଦିନକରେ ୪ ଲକ୍ଷରୁ ଊର୍ଦ୍ଧ୍ୱ ଟିକା ଦେବାକୁ ନେଇ ସରକାର ବାହା ବାହା ସାଉଁଟୁଛନ୍ତି। ଆଉ ଏହାର ଦିନକ ପରେ ଆଦିବାସୀ ଅଧ୍ୟୁଷିତ କୋରାପୁଟ ଭଳି ଜିଲ୍ଲାରେ ଟିକାକରଣରେ ଚରମ ଅବହେଳା ହୋଇଥିବା ଅଭିଯୋଗ ହୋଇଛି। ଜଣକୁ ପ୍ରଥମ ଡୋଜ୍ ଟିକା ଦିଆଯାଇନଥିବା ବେଳେ ଦ୍ୱିତୀୟ ଡୋଜ୍ ପାଇଁ ତାରିଖ ଦିଆ ଯାଇଛି। ଅନ୍ୟପଟେ ଅନଲାଇନ୍ ସ୍ଲଟ୍ ବୁକିଂ କରିଥିବା ଲୋକ ଟିକା ନ ପାଇ ନିରାଶ ହୋଇ ଫେରିଯାଉଛନ୍ତି।


COMMERCIAL BREAK
SCROLL TO CONTINUE READING

କୋରାପୁଟର ସୁନାବେଡା (Sunabeda) ସହରରୁ କୋରୋନା ଟିକାକରଣ (Vaccination) ରେ ଅବହେଳା ହୋଇଥିବା ଅଭିଯୋଗ ହୋଇଛି। ଦୀର୍ଘ ଦିନ ବନ୍ଦ ପରେ ଜିଲ୍ଲାରେ ଗତ ୫ ତାରିଖରୁ ଟିକା ଅଭିଯାନ ଆରମ୍ଭ ହୋଇଥିଲା। ଲୋକମାନେ ମଧ୍ୟ ଟିକା ନେବାକୁ ଉତ୍ସାହିତ ହୋଇ ବିଭିନ୍ନ ଟିକା କେନ୍ଦ୍ରରେ ଭିଡ ଜମାଇ ଥିଲେ। ସେହି ଦିନ ୪ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ ଟିକା ଦିଆଯାଇଥିବା ନେଇ ସରକାର ଘୋଷଣା କରିଥିଲେ। ଏହାର ପର ଦିନ ଅର୍ଥାତ ମଙ୍ଗଳବାର ଦିନ ସୁନାବେଢା ମହିଳା ମହାବିଦ୍ୟାଳସ୍ଥିତ କୋରୋନା ଟିକା କେନ୍ଦ୍ରରେ କର୍ମଚାରୀଙ୍କ ଅବହେଳା ଦେଖିବାକୁ ମିଳିଥିଲା।


Also Read: ବଂଶଧାରା ଜଳ ବିବାଦ: ଉପକୂଳବାସୀଙ୍କ ଆଶାର ଆଲୋକ ନୂଆ ଜିଲ୍ଲାପାଳ


ଟିକା (Covid19 Vaccine) ନେବାକୁ ଆସିଥିବା ସମାରୁ ଦେଉଳପାଡିଆ କହିଛନ୍ତି ଯେ, ସେ ପ୍ରଥମ ଡୋଜ୍ ଟିକା ନେବା ପାଇଁ ସକାଳୁ ସୁନାବେଡା ମହିଳା ମହାବିଦ୍ୟାଳୟସ୍ଥିତ ଟିକାକରଣ କେନ୍ଦ୍ରରେ ଲାଇନ ଲଗାଇଥିଲେ। ଏହି ସମୟରେ ତାଙ୍କୁ ଏକ ସ୍ଲିପ୍ ଦିଆଯାଇଥିଲା। ମଧ୍ୟାହ୍ଣ ସୁଦ୍ଧା ତାଙ୍କୁ ଟିକା ଦିଆଯାଇନଥିଲା। କର୍ମଚାରୀମାନେ ମଧ୍ୟାହ୍ଣ ଭୋଜନ କରିବାକୁ ଯିବାକୁ ସେ ମଧ୍ୟ ଘରକୁ ଖାଇବାକୁ ଆସିଥିଲେ। ଅପରାହ୍ଣ ସାଢେ ୪ଟାରେ ଗଲାବେଳକୁ ଟିକା ଦାନ କେନ୍ଦ୍ର (Vaccination Center) ବନ୍ଦ ହୋଇଯାଇଥିଲା।


ସମାରୁଙ୍କ ଅଭିଯୋଗ ଅନୁସାରେ, ତାଙ୍କୁ ଯେଉଁ ସ୍ଲିପ୍ ଦିଆଯାଇଥିଲା ସେଥିରେ ଦ୍ୱତୀୟ ଡୋଜ୍ କୋରୋନା ଟିକା ନେବା ପାଇଁ ତାରିଖ ଦିଆଯାଇଛି। କିନ୍ତୁ ସେ ପ୍ରଥମ ଜୋଡ୍ ଟିକା ନେଇ ନାହାନ୍ତି। ସମାରୁ ସୁନାବେଡା ମହିଳା ମହାବିଦ୍ୟାଳୟସ୍ଥିତ ଟିକା କେନ୍ଦ୍ରକୁ ଯାଇଥିଲା ବେଳେ ସ୍ଲିପରେ କୁନ୍ଦୁଲି ପ୍ରାଥମିକ କେନ୍ଦ୍ରର ଷ୍ଟାମ୍ପ ଲଗାଯାଇଛି। ଦିନ ମଜୁରିଆ ସମାରୁ କାମ ବନ୍ଦ କରି ଟିକା ନେବାକୁ ଆସିଥିଲେ। କିନ୍ତୁ ଟିକା କେନ୍ଦ୍ରରେ ନିୟୋଜିତ ସ୍ୱାସ୍ଥ୍ୟକର୍ମୀ (Health Workers) ଙ୍କ ଅବହେଳା ଯୋଗୁଁ ସେ ଆଉ କେବେ ଟିକା ନେବେ ତାହା ଅନିଶ୍ଚିତତାରେ ଅଛି।


Also Read: ପୁଣି କୋରୋନା ମାମଲାରେ ବୃଦ୍ଧି: ଦେଶରେ ଦିନକରେ ଚିହ୍ନଟ ହେଲେ ଏତିକି ସଂକ୍ରମିତ, ଆଖି ବୁଜିଲେ ୯୦୦ରୁ ଉର୍ଦ୍ଧ୍ୱ ଲୋକ


ଅନ୍ୟପଟେ କୋରୋନା (Coronavirus) ଟିକା ନେବା ପାଇଁ ଅନଲାଇନ୍ ବୁକିଂ କରି ଏକାଧିକ ଲୋକ ହଟହଟା ହେଇଛନ୍ତି। ଗତକାଲି ଅପରାହ୍ଣ ୪ଟା ୪୫ ବେଳକୁ ସୁନାବେଡା ମହିଳା ମହାବିଦ୍ୟାଳୟସ୍ଥିତ ଟିକା କେନ୍ଦ୍ରରେ ଲୋକଙ୍କ ଭିଡ ଜମିଥିଲା। କିନ୍ତୁ ସେଠାରେ ଟିକା ଦେବା ପାଇଁ କୌଣସି ସ୍ୱାସ୍ଥ୍ୟକର୍ମୀ ନଥିଲେ। ଲୋକଙ୍କ କହିବା ଅନୁସାରେ, ସେମାନେ ୩ଟାରୁ ୬ଟା ସମୟର ସ୍ଲଟ୍ ବୁକ୍ କରିଥିଲେ। କିନ୍ତୁ ସାଢେ ୪ଟାରେ ଟିକା ନେବାକୁ ପହଞ୍ଚିଲା ବେଳକୁ ଟିକା ସରିଯାଇଛି କହି ସେଣ୍ଟର ବନ୍ଦ କରିଦେଇଥିଲେ। ଏହାକୁ ନେଇ ସ୍ୱାସ୍ଥ୍ୱକର୍ମୀ ଓ ଟିକା ନେବାକୁ ଆସିଥିବା ଲୋକଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା।


ଏହି ଘଟଣାକୁ ନେଇ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଛି। ଟିକାକରଣ ଦାୟିତ୍ୱରେ ଥିବା ସୁନାବେଡା ହସ୍ପିଟାଲ କର୍ତ୍ତୃପକ୍ଷ ଏବାବଦରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି। ଅନ୍ୟପଟେ 'ଲୋକଙ୍କ ଗହଳି ଭିତରେ ଭୂଲ ବଶତଃ ସମାରୁଙ୍କୁ ଦ୍ୱିତୀୟ ଡୋଜ୍ ପାଇଁ ତାରିଖ ଦିଆଯାଇଥିବ' ବୋଲି କୋରାପୁଟ ADMO କହିଛନ୍ତି। ଜିଲ୍ଲା ପ୍ରଶାସନ କହିଛି ଯେ, ଟିକା ନଥିବାରୁ ଟିକା କେନ୍ଦ୍ର ବନ୍ଦ କରାଯାଇଥାଇପାରେ। ଯେଉଁମାନେ ସ୍ଲଟ୍ ବୁକିଂ କରି ଟିକା ନେଇନାହାନ୍ତି ସେମାନଙ୍କୁ ପରବର୍ତ୍ତୀ ଟିକାକରଣ ସମୟରେ ଅଗ୍ରାଧିକାର ଦିଆଯିବ। 


Also Read: ଭୀମସାର ଯାଉଥିଲେ ସାବଧାନ!


ସୂଚନାଯୋଗ୍ୟ, ପୂର୍ବରୁ ସୁନାବେଡାର ୪ଟି ସ୍ଥାନରେ କୋରୋନା ଟିକାକରଣ ହେଉଥିଲା। କିନ୍ତୁ ଏବେ ଗୋଟିଏ ସ୍ଥାନରେ ଟିକାକରଣ ହେଉଛି। କୋରୋନା ଟିକା ଅଭାବରୁ ଦୁଇ ଦିନ ପରେ ଆଜି ଟିକାକରଣ ବନ୍ଦ ଅଛି। ଆବଶ୍ୟକୀୟ ସୂନଚାର ଅଭାବରୁ ଟିକାକରଣ ବନ୍ଦ ଥିବା ଦିନ ମଧ୍ୟ କେନ୍ଦ୍ରରେ ଲୋକଙ୍କ ଭିଡ ଜମୁଛି। ତେଣୁ ଲୋକଙ୍କୁ ଏସମ୍ପର୍କରେ ଜିଲ୍ଲା ପ୍ରଶାସନ କିମ୍ବା ସୁନାବେଡା ମୁନିସିପାଲିଟି ପକ୍ଷରୁ ସଚେତନ କରାଯିବା ଆବଶ୍ୟକ ବୋଲି ବୁଦ୍ଧିଜୀବୀମାନେ ଦାବି କରିଛନ୍ତି। ଯଦି ଏଦିଗରେ ଆବଶ୍ୟକୀୟ ପଦକ୍ଷେପ ନଆନଗଲେ ଆଗାମୀ ଦିନରେ ଟିକା ନେବାକୁ ଆସୁଥିବା ଗରିବ, ଆଦିବାସୀ, ଦିନ ମଜୁରିଆମାନେ ଅନେକ ଅସୁବିଧାର ସମ୍ମୁଖୀନ ହେବେ ସେଥିରେ ସନ୍ଦେହ ନାହିଁ।