କନ୍ଧମାଳ: ପ୍ରକୃତି କୋଳରେ ଲୁଚି ରହିଥିବା ମୁକଲିଙ୍ଗିଆ ହିଲ ଟପରେ ଏବେ ଯୁବପିଢ଼ିଙ୍କର ଜମୁଛି ଭିଡ଼। ଯୁବପିଢ଼ି ଓ ପ୍ରକୃତି ପ୍ରେମୀଙ୍କ ପାଇଁ ନୂଆ ପର୍ଯ୍ୟଟନସ୍ଥଳୀ ଉଭା ହୋଇଥିବା ବେଳେ ପ୍ରତିଟି ମିନଟ ଏଠି ନୂଆ ନୂଆ ରୂପ ଦେଖାଉଛି ପ୍ରକୃତି। ଛାଇ ଆଲୁଅ ସାଙ୍ଗକୁ ମେଘ, କୁହୁଡ଼ିର ଲୁଚକାଳି ସଭିଙ୍କୁ ଆକର୍ଷିତ କରୁଛି। ଏଠାକୁ ଯିଏ ଥରୁଟିଏ ଆସୁଛି, ମନରେ ସାଇତି ନେଇଯାଇଛି ମୁକଲିଙ୍ଗିଆର ପ୍ରକୃତି ଭରା ଛବି। ଆଉ ପୁଣି ଥରେ ଆସିବାକୁ ମନ କରିଯାଉଛି।


COMMERCIAL BREAK
SCROLL TO CONTINUE READING

ପ୍ରକୃତିର ଭୂସ୍ବର୍ଗ ବୋଲାଉଥିବା କନ୍ଧମାଳ ଜିଲ୍ଲାର ଜି ଉଦୟଗିରି ଠାରେ ରହିଛି ମୁକଲିଙ୍ଗିଆ ହିଲ ଟପ୍। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଓଡ଼ିଶାର ଭୂସ୍ବର୍ଗ ଭାବେ ପରିଚିତ କନ୍ଧମାଳ ଜିଲ୍ଲାରେ ଭରି ରହିଛି ବହୁ ପର୍ଯ୍ୟଟନ ସ୍ଥଳୀ। ତେଣୁ ବର୍ଷ ତମାମ ଏଠି ପର୍ଯ୍ୟଟକଙ୍କ ଭିଡ଼ ଜମିଥାଏ। ହେଲେ ଏବେ ଦେଢବର୍ଷ ହୋଇଗଲା କୋରୋନା ମହାମାରୀ ଯୋଗୁଁ ଲାଗୁ ହୋଇଥିବା କଟକଣା ହେତୁ ପର୍ଯ୍ୟଟକଙ୍କ ଆଉ ଦେଖା ମିଳୁନି। ଏହାରି ମଧ୍ୟରେ କନ୍ଧମାଳ ଜିଲ୍ଲାରେ ଏବେ କିଛି ଦିନ ଲୋକଲୋଚନକୁ ଆସିଛି ଆଉ ଏକ ପର୍ଯ୍ୟଟନସ୍ଥଳୀ। ଯାହାକି ମୁକଲିଙ୍ଗିଆ ହିଲ ଟପ ଭାବେ ପରିଚିତ।


Also Read: ଛତୁଆ ବଣ୍ଟନରେ ମହାଦୁର୍ନୀତି; Zee Odishaରେ ଖବର ପ୍ରସାରଣ ପରେ ତଦନ୍ତ ଆରମ୍ଭ


ଜି ଉଦୟଗିରି ଠାରୁ ମାତ୍ର ଆଠ କିଲୋମିଟର ଦୂରରେ ରହିଛି ଏହି ମୁକଲିଙ୍ଗିଆ ହିଲ ଟପ। ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ଏହି ପର୍ଯ୍ୟଟନସ୍ଥଳୀର ଅନେକ ଗୁଡ଼ିଏ ଛବି ଓ ଭିଡିଓ। ଯାହାରିଫଳରେ ଏବେ ପ୍ରତିଦିନ ଏଠି ଯୁବପିଢିଙ୍କର ବହୁ ସଂଖ୍ୟାରେ ଭିଡ଼ ଜମିବାରେ ଲାଗିଛି। ଏଠି ପାହାଡ଼ ଉପରୁ ଦେଖାଯାଉଛି ଅନେକ ସାରା ପର୍ବତମାନଙ୍କର ଶୃଙ୍ଖଳ ଏବଂ ଘଡ଼ିକୁ ଘଡ଼ି ପରିବର୍ତ୍ତନ ହେଉଛି ଏଠିକାର ପାଗ। ସତେ ଯେମିତି ଛାଇ ଆଲୁଅର ଖେଳ ଚାଲିଛି। ତା ସାଙ୍ଗକୁ ମେଘ, କୁହୁଡ଼ିର ଲୁଚକାଳୀ ଆଉ ପାହାଡ଼ ଉପରେ ମେଘର ସ୍ପର୍ଶ ଦେହରେ ସୃଷ୍ଟିକରି ଉଠେ ଅନେକ ସାରା ସିହରଣ। 



ମୁକଲିଙ୍ଗିଆ ହିଲ ଟପକୁ ଥରୁଟିଏ ଯିଏ ଆସୁଛି, ସେ ଘଣ୍ଟା ଘଣ୍ଟା ଧରି ଏଠି ପ୍ରକୃତି ସହ ସମୟ ବିତାଉଛି। ସତେ ଯେମିତି ପ୍ରକୃତିର ସୌନ୍ଦର୍ଯ୍ୟ ଦେଖି କାହାର ମନ ହି ଭରୁନି। ପ୍ରକୃତିର ବିଭିନ୍ନ ସୌନ୍ଦର୍ଯ୍ୟ ଭରା ରୂପ ଏଠି ସଭିଙ୍କୁ ଆକର୍ଷିତ କରୁଥିବା ବେଳେ ଛବି ଓ ଭିଡିଓ ସବୁ କେମେରା, ମୋବାଇଲରେ ଉତ୍ତୋଳନ କରିବା ମଧ୍ୟ ସମ୍ଭବ ହେଉନାହିଁ। ଖାଲିଯେ ମନ ଭରି ସୌନ୍ଦର୍ଯ୍ୟ ଉପଭୋଗ କରିବା, ଆଉ ମନରେ ପ୍ରକୃତିକୁ ସାଇତି ନେବା କଥା। ଏଠିକାର ପ୍ରକୃତି ସଭିଙ୍କୁ ଅନ୍ୟ ଏକ ଦୁନିଆକୁ ନେଇଯାଉଥିବା ବେଳେ ମନରେ ସୃଷ୍ଟି କରୁଛି ଅନେକ ଗୁଡିଏ ଭ୍ରମ। ତେଣୁ ଏହି ମୁକଲିଙ୍ଗିଆ ହିଲ ଟପକୁ ପର୍ଯ୍ୟଟକ ବାରମ୍ବାର ଆସିବାକୁ ମନ କରିଯାଉଛି।