Chhena poda Divas News in Odia: ଆଜି ବିଶ୍ୱ ଛେନାପୋଡ଼ ଦିବସ। ଛେନାପୋଡ଼ କଥା ଉଠିଲେ ଆପେ ଆପେ ମନକୁ ଚାଲି ଆସେ ନୟାଗଡ଼ କଥା। ନୟାଗଡ଼ର ପ୍ରସିଦ୍ଧ ମିଠା ଛେନାପୋଡ଼କୁ ନେଇ ସବୁଠି ଚର୍ଚ୍ଚା। ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରେ ବିକ୍ରି ହେଉଥିବା ଛେନାପୋଡ଼ ପଛରେ ନୟାଗଡ଼ର ଏକ ସ୍ୱତନ୍ତ୍ର ଭୂମିକା ରହିଛି। ନୟାଗଡ଼ ମାଟିରୁ ଜନ୍ମ ନେଇଥିବା ମିଠା ଛେନାପୋଡ଼ ଆଜି ବିଶ୍ୱ ଦରବାରରେ ନିଜର ପରିଚୟ ସୃଷ୍ଟି କରିଛି। ଏହାର ସ୍ୱାଦ ପ୍ରତ୍ୟେକ ବ୍ୟକ୍ତିକୁ ଆଘ୍ରାଣ କରିଥିବାବେଳେ ନୟାଗଡ଼ିଆଙ୍କ ପାଇଁ ଏହା ଗର୍ବ ଓ ଗୌରବରେ ପରିଣତ ହୋଇଛି। ନୟାଗଡ଼ ମାଟିର ସୁଯୋଗ୍ୟ ସନ୍ତାନ ସୁଦର୍ଶନ ସାହଙ୍କ ଦ୍ୱାରା ପ୍ରଥମେ ପ୍ରସ୍ତୁତ ହୋଇଥିବା ଛେନାପୋଡ଼କୁ ଆହୁରି ଲୋକପ୍ରିୟ କରିବା ପାଇଁ ଯେଉଁ ଉଦ୍ୟମ ଆରମ୍ଭ ହୋଇଛି, ତାହା ସ୍ୱାଗତଯୋଗ୍ୟ ବୋଲି ଅନେକ ମତ ଦେଇଛନ୍ତି। 


COMMERCIAL BREAK
SCROLL TO CONTINUE READING

ଚଳିତ ବର୍ଷ ଏହି ଛେନାପୋଡ଼ ଦିବସକୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବ୍ୟାପକ ଭାବେ ପାଳନ କରାଯାଉଛି। ଗତବର୍ଷ ଏହି ଦିବସକୁ ହେଲପିଂ ହ୍ୟାଣ୍ଡ ନାମକ ଏକ ସଂସ୍ଥା ଏହାକୁ ପାଳନ କରିଥିଲା। ସରକାରୀ ଭାବରେ ଏହାକୁ ପାଳନ ପାଇଁ ନୟାଗଡ଼ ଜିଲ୍ଲା ପ୍ରଶାସନ ଜୋରଦାର ପ୍ରସ୍ତୁତି କରିଛି । ସରକାରୀ କାର୍ଯ୍ୟାଳୟରେ ଛେନାପୋଡ କେକ୍ କାଟି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ।


ଛେନାପୋଡ଼ ପଛର ରୋଚକ କାହାଣୀ
ଛେନାପୋଡ଼ ପଛରେ ରହିଛି ଏକ ରୋଚକ କାହାଣୀ। ନୟାଗଡ଼ ଜିଲ୍ଲା ଦଶପଲ୍ଲା ସାତପାଟଣା ଗ୍ରାମରେ ୧୯୩୧ ଏପ୍ରିଲ୍‌‌ ୧୧ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ଛେନାପୋଡ଼ର ଜନ୍ମଦାତା ସୁଦର୍ଶନ ସାହୁ। ଶ୍ରୀ ସାହୁ ଏକ ଛୋଟିଆ ଭୁଲରୁ ସୃଷ୍ଟି ହେଇଥିବା ଏହି ସୁଆଦିଆ ମିଠା। ଏହି ମିଠାର ସ୍ରଷ୍ଟା ସୁଦର୍ଶନ ସାହୁ ଦୋକାନରେ ଛେନା ବଳି ପଡ଼ିବାରୁ ସେଥିରେ କିଛି ଚିନି ମିଶାଇ ପତ୍ରରେ ବାନ୍ଧି, ଲିଭିଲା ଚୁଲିରେ ପକାଇ ଦେଇଥିଲେ। ଆଉ ଚୁଲିରୁ କାଢିବାକୁ ସେ ଭୁଲି ଯାଇଥିଲେ। ଏହି ସାମାନ୍ୟ ଭୁଲରୁ ଜନ୍ମ ନେଇଥିବା ଏକ ସୁଆଦିଆ ମିଠା। ସକାଳେ ପୋଡ଼ି ଯାଇଥିବା ପତ୍ରକୁ କାଢ଼ି, ତାକୁ ଚାଖିବା ପରେ ସେ ଚକିତ ହୋଇଯାଇଥିଲେ। ଏହା ଏତେ ସ୍ୱାଦିଷ୍ଟ ଥିଲା ଯେ ଏହାର ବିକାଶ ପାଇଁ ଲାଗି ପଡ଼ିଥିଲେ ସୁଦର୍ଶନ । ଏହାର ନାଁ ଦେଇଥିଲେ ଛେନାପୋଡ଼ । ସେଦିନ ସୁଦର୍ଶନଙ୍କ ଏହି ପ୍ରୟାସ, ଓଡ଼ିଶାର ମିଠା ପସରାରେ ଯୋଡ଼ି ଦେଇଥିଲା ଆଉ ଏକ ଅଦ୍ୱିତୀୟ ମିଠା।


Also Read: Gajapati News: ସରକାରୀ ଯୋଜନାକୁ ଉପହାସ କରୁଛି ଭାଲିଆଗୁଡା ଗାଁ


Also Read: Cuttack News: SCBରେ ହେଲା ଏକମୋ ସପୋର୍ଟରେ ଅସ୍ତ୍ରୋପଚାର, ଜାଣନ୍ତୁ କ'ଣ ଏହି ସପୋର୍ଟ ସିଷ୍ଟମ


ନୟାଗଡ଼ ମୁଖ୍ୟ ଟ୍ରାଫିକ୍‌‌ ଛକରେ ପ୍ରତ୍ୟେକ ଦିନ ଶହ ଶହ କ୍ୱିଣ୍ଟାଲ ଛେନାପୋଡ଼ ବିକ୍ରି ହେଉଥିବାବେଳେ ଭାପୁର ବ୍ଲକ ଫତେଗଡ଼ଠାରେ ପ୍ରତ୍ୟେକ ଦିନ ଏକ ଟନ୍‌‌ରୁ ଊର୍ଦ୍ଧ୍ବ ଛେନାପୋଡ଼ ବିକ୍ରି ହେଉଛି। ନୟାଗଡ଼ ଏବଂ ଏହାର ଆଖପାଖ ଗ୍ରାମ ତଥା ମାଛିପଡ଼ା, ସୋଲପଟା, ଇଟାମାଟି, ଖଣ୍ଡପଡ଼ା, ଭାପୁର ଆଦି ଅଞ୍ଚଳରେ ଛେନାପୋଡ଼ ପ୍ରସ୍ତୁତ କରାଯାଇ ଛୋଟ ଛୋଟ ଚଟକା ଡେକ୍‌‌ଚି ଏବଂ ପାତ୍ରରେ ପ୍ୟାକ୍‌‌ କରାଯାଇ ରାଜ୍ୟର ବିଭିନ୍ନ ଅଞ୍ଚଳ ଏବଂ ରାଜ୍ୟ ବାହାରକୁ ପଠାଯାଉଛି। ସେପଟେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନକଲି ଛେନାପୋଡ଼ ବିକ୍ରିକୁ ରୋକାଯିବାକୁ ପ୍ରୟାସ ଜାରି ରହିଛି। ଏହା ସହ ଏହାକୁ ଜିଆଇ ଟ୍ୟାଗ୍‌‌ ମିଳିବା ପାଇଁ ପ୍ରୟାସ କରାଯିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି। କ୍ଷୀରରୁ ସ୍ୱତନ୍ତ୍ର ପ୍ରଣାଳୀରେ ପ୍ରସ୍ତୁତ ହେଉଥିବା ଛେନାପୋଡ଼ର ପ୍ରସାର ହେଲେ ଏହା ଅର୍ଥନୈତିକ ଦୃଷ୍ଟିକୋଣରୁ ମଧ୍ୟ ବେଶ୍‌‌ ଉପଯୋଗୀ ହୋଇପାରିବ। ଏହାର ଗୁଣବତ୍ତା ଉପରେ ଧ୍ୟାନ ଦେବାର ସମୟ ଆସିଯାଇଛି।


ସୂଚନାଯୋଗ୍ୟ ସୁଦର୍ଶନ ସାହୁଙ୍କ ଜନ୍ମଦିନ ଏପ୍ରିଲ ୧୧ ତାରିଖକୁ ଗତବର୍ଷ ପ୍ରଥମ କରି ଛେନାପୋଡ଼ ଦିବସ ଭାବେ ପାଳନ କରାଯାଉଛି। ଚଳିତ ବର୍ଷ ଏହା ଏକ ଆନ୍ଦୋଳନରେ ପରିଣତ ହୋଇଛି। ଜିଲ୍ଲା ପ୍ରଶାସନ ଏହି ଦିନକୁ ବିଶ୍ୱ ଛେନାପୋଡ଼ ଦିବସ ଭାବେ ପାଳନ କରିବା ପାଇଁ ଘୋଷଣା କରିଛି। ନୟାଗଡ଼ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ ପ୍ରତ୍ୟେକ ବିଭାଗକୁ ଏ ନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି। ପ୍ରତ୍ୟେକ ସରକାରୀ କାର୍ଯ୍ୟାଳୟରେ ୧୧ ତାରିଖ ସକାଳ ୧୧ଟା ସମୟରେ ବିଶ୍ୱ ଛେନାପୋଡ଼ ଦିବସ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।


ମାର୍ଚ୍ଚ ମାସରେ ଛେନାପୋଡ଼କୁ ଜିଆଇ ଟ୍ୟାଗ୍‌‌ ମାନ୍ୟତା ପାଇଁ ପ୍ରଶାସନ ପକ୍ଷରୁ ଆବେଦନ ସରିଥିବାବେଳେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଏଥିପାଇଁ ଜୋର୍‌‌ଦାର ଉଦ୍ୟମ କରିଛନ୍ତି। ଜିଆଇ ଟ୍ୟାଗ୍‌‌ ମାନ୍ୟତା ଦାବିରେ ଏମ୍‌‌ଏସ୍‌‌ଏମ୍‌‌ଇ ମନ୍ତ୍ରୀଙ୍କୁ ସାକ୍ଷାତ୍‌‌ କରିଥିବାବେଳେ ଛେନାପୋଡ଼ ଦିବସ ପାଳନ ପାଇଁ ପୂର୍ଣ୍ଣ ସମର୍ଥନ ଓ ସହଯୋଗ ଦେଇଛନ୍ତି। ନୟାଗଡ଼ର ଯୁବଗୋଷ୍ଠୀ ଦ୍ୱାରା ପ୍ରଥମେ ଛେନାପୋଡ଼ ଦିବସ ପାଳନ ପାଇଁ ସୋସିଆଲ ମିଡିଆରେ ଆରମ୍ଭ ହୋଇଥିବା ପ୍ରୟାସ ଗୋଟିଏ ବର୍ଷ ମଧ୍ୟରେ ଜିଲ୍ଲାର କୋଣ ଅନୁକୋଣ ସହ ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ଚଳିତବର୍ଷ ଭୁବନେଶ୍ୱର ଜୟଦେବ ଭବନରେ ନୟାଗଡ଼ ବିକାଶ ମଞ୍ଚ ପକ୍ଷରୁ ଛେନାପୋଡ଼ ଦିବସକୁ ବଡ଼ଧରଣରେ ପାଳନ କରିବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ କରାଯାଇଛି। ନୟାଗଡ଼ ପ୍ରତିଷ୍ଠା ଦିବସରେ ମଧ୍ୟ ବିଦେଶରେ ଥିବା କିଛି ନୟାଗଡ଼ିଆ ଛେନାପୋଡ଼ କାଟି ଦିବସକୁ ପାଳନ କରିଥିଲେ। ଆଉ ଏକ ଖୁସିର ଖବର ଓଡ଼ିଶା ହାଇକୋର୍ଟ ବାର୍‌‌ ଆସୋସିଏସନରେ ମଙ୍ଗଳବାର ଛେନାପୋଡ଼ ଦିବସ ପାଳନ କରାଯିବ ବୋଲି ଜଣାପଡ଼ିଛି।


Also Read: BCCI କଲା ବଡ଼ ଘୋଷଣା, ୨୦୨୩-୨୪ ବର୍ଷ ପାଇଁ ଭାରତୀୟ କ୍ରିକେଟ୍ କାର୍ଯ୍ୟସୂଚୀ ଜାରି


Also Read: Sarkari Naukri news: ମାସକୁ ଦରମା ୫୬ ହଜାର ଟଙ୍କା, ବିନା ପରୀକ୍ଷାରେ ହେବ ମନୋନୀତ; ଶୀଘ୍ର କରନ୍ତୁ ଆବେଦନ