Twitter Man Ashok Mohanty, ବାଲେଶ୍ୱର: ସୋସିଆଲ୍‌ ମିଡିଆକୁ ଲୋକେ କେବଳ ଏକ ମନୋରଞ୍ଜନର ମାଧ୍ୟମ ବୋଲି ବିବେଚନା କରନ୍ତି। ହେଲେ ଏମିତି ବି ଲୋକ ଅଛନ୍ତି, ଯେଉଁମାନେ ସାମାଜିକ ଗଣମାଧ୍ୟମ ଜରିଆରେ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ନିରନ୍ତର ପ୍ରୟାସ କରନ୍ତି। ସେମିତି ଜଣେ ଯୁବକ ହେଉଛନ୍ତି ବାଲେଶ୍ବର ଜିଲ୍ଲା ଜଳେଶ୍ବର ବ୍ଲକ୍‌ କାଶିମପୁର ଗ୍ରାମର ଅକ୍ଷୟ କୁମାର ମହାନ୍ତିଙ୍କ ପୁଅ ଅଶୋକ କୁମାର ମହାନ୍ତି। ଟ୍ବିଟ୍‌ କରି ସରକାରଙ୍କ ନିଦ ହଜାଇ ଦେଉଥିବା ଅଶୋକଙ୍କୁ ଲୋକେ ‘ଟ୍ବିଟ୍‌ର୍‌ ମ୍ୟାନ୍‌’ ଭାବେ ଜାଣନ୍ତି। ଅଶୋକ ବର୍ତ୍ତମାନ ସୁଦ୍ଧା ୧୬ ହଜାର ଟ୍ବିଟ୍‌ କରି ୪ ହଜାର ସମସ୍ୟାର ସମାଧାନ କରିଛନ୍ତି। ଅର୍ଥାତ ଗୋଟିଏ ସମସ୍ୟାର ସମାଧାନ ପାଇଁ ତାଙ୍କୁ ହାରାହାରି ୪ଟି ଟ୍ୱଟ୍ କରିବାକୁ ପଡିଛି। 


COMMERCIAL BREAK
SCROLL TO CONTINUE READING

ଅଶୋକ କୁମାର ମହାନ୍ତି, ୨୦୧୯ ମସିହାରେ ପ୍ରଥମେ ତାଙ୍କର ଟ୍ବିଟ୍‌ର ଆକାଉଣ୍ଟ ଖୋଲିଥିଲେ। ତେବେ ଏହି ଆକାଉଣ୍ଟକୁ ସେ ମନୋରଞ୍ଜନର ମାଧ୍ୟମ ନକରି, ଲୋକଙ୍କ ବିଭିନ୍ନ ସମସ୍ୟାର ସମାଧାନରେ ଲଗାଇଥିଲେ। ପିଇବା ପାଣି, ରାସ୍ତାଘାଟ, ସ୍ବାସ୍ଥ୍ୟସେବା, ଶିକ୍ଷା ଆଦି ଜନସମସ୍ୟା ସମ୍ବଳିତ ପ୍ରସଙ୍ଗକୁ ସେ ପ୍ରାଥମିକତା ଦେଇ ନିୟମିତ ଟ୍ବିଟ୍‌ କରନ୍ତି। ଜନ ସମସ୍ୟାଗୁଡ଼ିକୁ ସମ୍ପୃକ୍ତ ବିଭାଗୀୟ ଉଚ୍ଚ ପଦାଧିକାରୀଙ୍କଠାରୁ ଆରମ୍ଭ କରି ନିର୍ବାଚିତ ଜନପ୍ରତିନିଧି, ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ସାଂସଦ, ବିଧାୟକ ତଥା ଅନ୍ୟମାନଙ୍କୁ ଟ୍ୟାଗ୍‌ କରନ୍ତି। ଅଶୋକ ବର୍ତ୍ତମାନ ସୁଦ୍ଧା ମୋଟ ୧୬ ହଜାର ଟୁଇଟ୍‌ କରିଥିବା ବେଳେ ସେଥିରୁ ୪ ହଜାର ଟ୍ବିଟ୍‌ର ତତ୍କାଳ ଫଳ ମିଳିଛି। ଆଉ ଅନେକ ସମସ୍ୟାର ସମାଧାନ ତତ୍କାଳ ମଧ୍ୟ ହୋଇପାରିଛି। ଅଶୋକଙ୍କ ଟ୍ବିଟ୍‌ ଦେଖିବା ପରେ ପ୍ରଶାସନର ନିଦ ହଜିଯାଏ।


Also Read: ସ୍ୱାମୀର ମୃତଦେହକୁ ବାରିରେ ପୋତିଲେ ସ୍ତ୍ରୀ: ଏକା କରିଦେଲେ ସାହିଭାଇ, ସରକାର ବି ନାହିଁ ଗରିବ ପାଇଁ


ଅଶୋକ ଟ୍ୱିଟ କରିବା ପରେ ସମସ୍ୟାର ସମାଧାନ ଯୁଦ୍ଧକାଳୀନ ଭିତ୍ତିରେ କିପରି ହେବ, ସେ ନେଇ ସରକାରୀସ୍ତରରେ ତନାଘନା ଆରମ୍ଭ ହୁଏ। ଟ୍ବିଟ୍‌ ଦେଖି ମୁଖ୍ୟମନ୍ତ୍ରୀଙ୍କ ଅଫିସ୍‌, କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମନ୍ତ୍ରୀ ନବ ଦାସ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ସଚିବ ପ୍ରଦୀପ ଜେନା ପ୍ରମୁଖ ଅଶୋକଙ୍କ ପାଖକୁ ଫୋନ୍‌ କରି ସମସ୍ୟା‌ ବାବଦରେ ବୁଝିଛନ୍ତି। ବିଶେଷକରି କନ୍ଧମାଳ, ରାୟଗଡ଼ା, ଗଞ୍ଜାମ, କଳାହାଣ୍ଡି, ଭଦ୍ରକ ଆଦି ଜିଲ୍ଲାର ବହୁ ଗୁରୁତ୍ବପୂର୍ଣ୍ଣ ସମସ୍ୟାର ସମାଧାନ ହୋଇଛି। ସମାଧାନ ହୋଇଥିବା ସମସ୍ୟାଗୁଡ଼ିକ ମଧ୍ୟରେ ଅଧିକାଂଶ ରେଳ ବିଭାଗ, ଗ୍ରାମ ଉନ୍ନୟନ ବିଭାଗ, ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗ, ଶକ୍ତି ବିଭାଗ, ପଞ୍ଚାୟତିରାଜ ବିଭାଗ, ସ୍ବାସ୍ଥ୍ୟ ବିଭାଗ, ଯୋଗାଣ ବିଭାଗ ସମ୍ପର୍କିତ ଅଭିଯୋଗ ରହିଛି। 



ସମସ୍ୟା ସମ୍ପର୍କରେ ଟ୍ବିଟ୍‌ କରିବା ପାଇଁ ଅଶୋକ ବିଭିନ୍ନ ମୁଦ୍ରିତ ଗଣମାଧ୍ୟମର ଖବରକୁ ହିଁ ବ୍ୟବହାର କରନ୍ତି। ଟ୍ବିଟ୍‌ ଜରିଆରେ ଲୋକଙ୍କ ସମସ୍ୟାର ସମାଧାନ ହୋଇ ପାରୁଥିବାରୁ ସେ ନିଜକୁ ଗର୍ବତ ମନେ କରନ୍ତି ବୋଲି ଅଶୋକ କହିଛନ୍ତି। @AKMohantyLive ନାମରେ ଅଶୋକଙ୍କ ଟ୍ୱିଟର ଆଡି ଅଛି। ତାଙ୍କର ମାତ୍ର ୪୭୯ ଜଣ ଫଲୋର୍ସ ଅଛନ୍ତି। କିନ୍ତୁ ସ୍ଥାନୀୟ ଅଞ୍ଚଳରେ କିଛି ସମସ୍ୟା ହେଲେ ଲୋକେ ଅଶୋକଙ୍କୁ ଟ୍ୟାଗ କରି ଟ୍ୱିଟ୍ କରିଥାନ୍ତି।


Also Read: ନବୀନ@77: ଜଣେ ବିଚକ୍ଷଣ ଏବଂ ଅପ୍ରତିଦ୍ୱନ୍ଦୀ ଅପରାଜେୟ ରାଜନେତା