Sad News: ଆରପାରିରେ ଲୋକପ୍ରିୟ ଅଭିନେତା ମନୋଜ ମିତ୍ର
ଭେଟେରାନ ଅଭିନେତା ମନୋଜ ମିତ୍ରଙ୍କ ପରଲୋକ ହୋଇଯାଇଛି । ଦୀର୍ଘଦିନ ଧରି ଅସୁସ୍ଥ ରହିବା ପରେ ୮୬ ବର୍ଷ ବୟସରେ ଆଖିବୁଜିଛନ୍ତି ଏହି ଲୋକପ୍ରିୟ ଅଭିନେତା ।
Manoj Mitra Dies: ଲୋକପ୍ରିୟ ବଙ୍ଗୀୟ ଅଭିନେତା ମନୋଜ ମିତ୍ରଙ୍କ ଦେହାନ୍ତ ହୋଇଛି । ଦୀର୍ଘଦିନର ଅସୁସ୍ଥତା ପରେ ଶେଷରେ ୮୬ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ସ୍ୱର୍ଗତଃ ମନୋଜ ମିତ୍ର । ବାର୍ଦ୍ଧକ୍ୟ ଜନିତ ସ୍ୱାସ୍ଥ୍ୟ ସମସ୍ୟା କାରଣରୁ କିଛିଦିନ ତଳେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।
ଭେଟେରାନ ବଙ୍ଗୀୟ ଅଭିନେତା ତଥା ପ୍ରଖ୍ୟାତ ଥିଏଟର କଳାକାର ମନୋଜ ମିତ୍ର ଶ୍ୱାସକ୍ରିୟା ନେବାରେ ଅସୁବିଧା ଭୋଗିଥିଲେ । ଶରୀରରେ ଅସନ୍ତୁଳନ କାରଣରୁ ପରିବାର ସଦସ୍ୟ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଆପଣଙ୍କୁ କହିରଖୁଛୁ ଯେ, ଆଜି ସକାଳେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଖରାପ ହୋଇଥିଲା । ସକାଳ ପ୍ରାୟ 8.50 ସମୟରେ ସେ ଶେଷ ନିଶ୍ୱାସ ତ୍ୟାଗ କରି ଦୁନିଆରୁ ସବୁଦିନ ପାଇଁ ବିଦାୟ ନେଇଥିଲେ ।
ଡିସେମ୍ବର ୨୨, ୨୯୩୮ ରେ ଧୁଲିହାରରେ ଜନ୍ମଗ୍ରହଣ କରିଥିଲେ ମନୋଜ ମିତ୍ର । ଦୀର୍ଘ ବର୍ଷ ଧରି ସିନେମା ଜଗତ ସହ ଜଡିତ ରହି ବିଭିନ୍ନ ଚଳଚ୍ଚିତ୍ରରେ ଅଭିନୟ ଜାରି ରଖିଥିଲେ ମନୋଜ । ପ୍ରଥମେ 1957 ମସିହାରେ କୋଲକାତା ଥିଏଟରରେ କ୍ୟାରିଅର ଆରମ୍ଭ କରିଥିଲେ ମନୋଜ ଆଉ ତାପରେ ସେ ପଛକୁ ଫେରିନଥିଲେ । 1979 ରେ ସେ ବଡ ପରଦାରେ ଡେବ୍ୟୁ କରିବା ପରେ ତାଙ୍କର ଚମତ୍କାର ଚଳଚ୍ଚିତ୍ର ଯାତ୍ରା ଆରମ୍ଭ ହୋଇଥିଲା । ମନୋଜ ମିତ୍ର ତପନ ସିହ୍ନାଙ୍କ ଫିଲ୍ମ 'ବାନାରାମୀର ବାଗାନ'ରେ ନିଜ ଅଭିନୟ ପାଇଁ ଖୁବ ପ୍ରଶଂସା ସାଉଣ୍ଟିଥିଲେ । ସେ ସତ୍ୟଜିତ୍ ରାୟଙ୍କ ଶାସ୍ତ୍ରୀୟ 'ଘାରେ ବଏରେ' ଏବଂ 'ଗଣଶତ୍ର'ରେ ମଧ୍ୟ ଖୁବ ନିଖୁଣ ଅଭିନୟ କରିଥିଲେ।
ସ୍ୱର୍ଗତ ମନୋଜ ମିତ୍ର ଦୀର୍ଘ ସମୟ ଧରି ଚଳଚ୍ଚିତ୍ର କ୍ୟାରିୟରରେ ବୁଦ୍ଧଦେବ ଦାସଗୁପ୍ତ, ବସୁ ଚାଟାର୍ଜୀ, ତରୁଣ ମଜୁମଦାର, ଶକ୍ତି ସାମନ୍ତ ଏବଂ ଗୌତମ ଘୋଷଙ୍କ ପରି ଖ୍ୟାତନାମା ନିର୍ଦ୍ଦେଶକଙ୍କ ସହ କାମ କରିଥିଲେ। ଜଣେ ଭଲ ନାଟ୍ୟକାର ଭାବେ ମଧ୍ୟ ସେ ଖୁବ ଜଣାଶୁଣା । ସେ ଶତାଧିକ ନାଟକ ଲେଖିଥିଲେ ଏବଂ 1985 ମସିହାରେ ଶ୍ରେଷ୍ଠ ନାଟ୍ୟକାର ସମ୍ମାନଜନକ ସଂଗୀତ ନାଟକ ଏକାଡେମୀ ପୁରସ୍କାର ପାଇଥିଲେ । ବିଭିନ୍ନ ଅନୁଷ୍ଠାନରୁ ଅନେକ ପୁରସ୍କାର ଗ୍ରହଣ କରିବା ସହ ଲୋକଙ୍କ ପ୍ରିୟ ହୋଇପାରିଥିଲେ ମନୋଜ ମିତ୍ର ।
ମନୋଜଙ୍କ ଦେହାନ୍ତ ଖବର ଶୁଣିବା ପରେ ସମଗ୍ର ବଙ୍ଗଳା ସିନେଜଗତ ସମେତ ବିଭିନ୍ନ ଭାଷାର ପ୍ରସିଦ୍ଧ ସିନେ ଏବଂ ଟେଲିଭିଜନ ତାରକା ଶୋକ ପ୍ରକାଶ କରିଛନ୍ତି । ମନୋଜଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ଏହା ବଙ୍ଗଳା ସିନେଜଗତ ପାଇଁ ଏକ ଗଭୀର କ୍ଷତି ବୋଲି ସହକଳାକାରମାନେ ମତବ୍ୟକ୍ତ କରିଥିବା ଦେଖିବାକୁ ମିଳିଛି । ମନୋଜଙ୍କ ମର ଶରୀରର ଶେଷ ଦର୍ଶନ ପାଇଁ ଅନେକ କଳାକାର ବାସଭବନରେ ପହଞ୍ଚିଛନ୍ତି । ବିଭିନ୍ନ ଜାତୀୟ ଗଣମାଧ୍ୟମରେ ମଧ୍ୟ ଏହି ଖବର ପ୍ରସାରିତ ହୋଇଥିବା ଦେଖିବାକୁ ମିଳିଛି ।
Also Read- Top 10 News: ସିଲ୍ ହେଲା ସିନେମା ହଲ ଖବର ସହ ଅନ୍ୟାନ୍ୟ ଅପଡେଟ୍
Also Read- ରୋଷେଇ ଘରୁ ଗାଏବ ହେଲାଣି ଟମାଟୋ ସହ ପିଆଜ, କେବେ କମିବ ଦର ?