କଲମ୍ବୋ: ପାକିସ୍ତାନ ରାଜନୀତିରେ ଇମ୍ରାନ ଖାନଙ୍କୁ ନେଇ ଜାରି ରହିଛି ଅବରୋଧ। ଶନିବାର ଦେଶର ସଂସଦରେ ସରକାରଙ୍କ ବିରୋଧରେ ଆତ୍ମବିଶ୍ୱାସ ପ୍ରସ୍ତାବ ଉପରେ ହେବ ମତଦାନ। ଏହି ସମୟରେ ଭାରତର ଅନ୍ୟତମ ପଡୋଶୀ ଦେଶ ଶ୍ରୀଲଙ୍କାରୁ ଆସିଛି ଏକ ବଡ଼ ଖବର। ଏଠାରେ ମଧ୍ୟ ବିରୋଧୀ ଦଳ ଦେଶର ସରକାରଙ୍କ ବିରୋଧରେ ଏକ ଅବିଶ୍ୱାସ ପ୍ରସ୍ତାବ ଆଣିବାକୁ ଯାଉଛନ୍ତି।


COMMERCIAL BREAK
SCROLL TO CONTINUE READING

ବର୍ତ୍ତମାନ ଶ୍ରୀଲଙ୍କା ରାଜନୀତିରେ ମୁଖ୍ୟ ବିରୋଧି ଦଳ ଆସନରେ ବସିଥିବା ସମାଗୀ ଜନ ବାଲୱେଗୟା (Samagi Jana Balawegaya) ଘୋଷଣା କରିଛି ଯଦି ସରକାର ଆର୍ଥିକ ସଙ୍କଟ (Sri Lanka Economic Crisis) ଦ୍ୱାରା ପ୍ରଭାବିତ ଦେଶର ଲୋକଙ୍କୁ ତୁରନ୍ତ ସହାୟତା ପ୍ରଦାନ କରିବାରେ ସରକାର ବିଫଳ ହେଲେ ତାହେଲେ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ (Gotabaya Rajapakse) ସରକାରଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଆଗତ କରିବେ। 


ଶ୍ରୀଲଙ୍କା ବିରୋଧୀ ଦଳର ନେତା ସାଜିଥ ପ୍ରେମାଦାସ କହିଛନ୍ତି ଯେ ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେଙ୍କ ସରକାର ବିରୋଧରେ ଆମେ ଏକ ଅବିଶ୍ୱାସ ପ୍ରସ୍ତାବ ଆଣିବାକୁ ନିଷ୍ପତ୍ତି ନେଇଛୁ। ଆର୍ଥିକ ନୀତିକୁ ନେଇ ସେ ଦେଶ ପରିଚାଳନା କରିବାରେ ବିଫଳ ହୋଇଛନ୍ତି। ଆମେ ବିରୋଧୀ ଦଳର ସମସ୍ତ ନେତାଙ୍କ ସହ ଏକ ବୈଠକ ଡାକିଛୁ ଏବଂ ଶୀଘ୍ର ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବୁ।


Also Read: ଦେଶରେ କାହିଁକି ସୃଷ୍ଟି ହେଲା ଆର୍ଥିକ ସଂକଟ? କାରଣ କହିଲେ ଶ୍ରୀଲଙ୍କା ନାଗରିକ


ବର୍ତ୍ତମାନ ଆର୍ଥିକ ସ୍ଥିତିକୁ ନେଇ ଶ୍ରୀଲଙ୍କା ଅବସ୍ଥା ଅତ୍ୟନ୍ତ ଖରାପ ହୋଇପଡ଼ିଛି। ଅର୍ଥନୈତିକ ସଂକଟକୁ ଦେଶର ଏର ପ୍ରକାର ରାଜନୈତିକ ଅସ୍ଥିରତା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଡାକ୍ତରଖାନାରେ ଔଷଧ ସରିଯାଇଛି। ପେଟ୍ରୋଲ ଏବଂ ଡିଜେଲ ଭଳି ଇନ୍ଧନର ଅଭାବ ହେତୁ ଲୋକେ ନାନାଦି ସମସ୍ୟାର ସାମ୍ନା କରୁଛନ୍ତି। ଏହା ସହିତ ଏଠାରେ ବିଦ୍ୟୁତ ସଙ୍କଟ ମଧ୍ୟ ଦେଖାଦେଇଛି। ଖାଦ୍ୟ ସାମଗ୍ରୀର ମୂଲ୍ୟ ଆକାଶଛୁଆଁ ହୋଇଛି। 


ଖାଦ୍ୟ ସାମଗ୍ରୀ, ଗ୍ୟାସ, ତୈଳ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ପ୍ରବଳ ବିଦ୍ୟୁତ କାଟ ଭଳି ସମସ୍ୟାର ସାମ୍ନା କରୁଥିବା ଶ୍ରୀଲଙ୍କା ଜନସାଧାରଣ ଏବେ ଦେଶର ରାଜରାସ୍ତାକୁ ଓହ୍ଲାଇ ଦେଶର ସରକାରଙ୍କ ବିରୋଧ ନାରାବାଜି କରୁଛନ୍ତି। ଦେଶରେ ଗଣ ଆନ୍ଦୋଳନ କାରଣରୁ ଶ୍ରୀଲଙ୍କା ସରକାରଙ୍କ ସମସ୍ତ ମନ୍ତ୍ରୀ ସେମାନଙ୍କୁ ପଦରୁ ଇସ୍ତଫା ଦେଇଛନ୍ତି। ଏପରିକି ବହୁ ସାଂସଦ ମଧ୍ୟ ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେଙ୍କ ପକ୍ଷ ଛାଡିଛନ୍ତି। 


ଏହି ସମୟରେ ଶ୍ରୀଲଙ୍କା ମେଡିକାଲ ଆସୋସିଏସନ ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେଙ୍କଙ୍କୁ ଦେଶରେ ଅତ୍ୟାବଶ୍ୟକ ଔଷଧ ଅଭାବ ଦୂର କରିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଅନୁରୋଧ କରିଛି। ସଙ୍ଗଠନ ସୂଚନା  ଅନୁସାରେ ବର୍ତ୍ତମାନ ଦେଶରେ ଜରୁରୀ ଔଷଧ ଏବଂ ଚିକିତ୍ସା ଉପକରଣର ଅଭାବ ହେତୁ କେବଳ ଜରୁରୀକାଳୀନ ଅସ୍ତ୍ରୋପଚାର କରାଯାଉଛି। ଏହି ସମୟରେ ସାରା ଦେଶରେ ଘଟୁଥିବା ବିରୋଧକୁ ରାଜନୈତିକ ଉଦ୍ଦେଶ୍ୟମୂଳକ ବୋଲି ବର୍ଣ୍ଣନା କରି ସରକାର କହିଛନ୍ତି ଯେ ବିରୋଧୀ ଦଳ ଜନତା ବମୁକ୍ତି ପେରାମନ ଏଭଳି ଆନ୍ଦୋଳନ ଆୟୋଜନ କରିଛି। 


Also Read: ଶେଷ ହୋଇଆସିଲାଣି ଭାରତ ଦେଇଥିବା ଋଣ; ଆହୁରି ଅଧିକ ସହାୟତା ଲୋଡ଼ିଲା ଶ୍ରୀଲଙ୍କା


ଦେଶରେ ସୃଷ୍ଟି ହୋଇଥିବା ରାଜନୈତିକ ସଂକଟକୁ ଶେଷ କରିବା ପାଇଁ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ସୋମବାର ୪ ଜଣ ମନ୍ତ୍ରୀଙ୍କୁ ଶପଥ ପାଠ କରାଇଥିଲେ। ଦେଶରେ ଭୟଙ୍କର ଅର୍ଥନୈତିକ ଏବଂ ରାଜନୈତିକ ସଙ୍କଟ ମଧ୍ୟରେ କ୍ୟାବିନେଟ୍ ସାମୂହିକ ଭାବେ ଇସ୍ତଫା ଦେଇଛନ୍ତି। ଅନ୍ୟପକ୍ଷ ଶ୍ରୀଲଙ୍କା ବିରୋଧୀ ଦଳ ଏକ ସର୍ବଦଳୀୟ ସରକାର ଗଠନ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ରାଷ୍ଟ୍ରପତିଙ୍କ ଇସ୍ତଫା ଦାବିକୁ ଜୋରଦାର କରିଛି। 


ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ସ୍ପଷ୍ଟ ଭାବେ କହିଛନ୍ତି ଯେ କୌଣସି ପରିସ୍ଥିତିରେ ଇସ୍ତଫା ଦେବେ ନାହିଁ। ଦେଶର ଜାରି ରହିଥିବା ବିରୋଧ ପ୍ରଦର୍ଶନ ମଧ୍ୟରେ ଘନ ଘନ ରାଜନୈତିକ ବୈଠକ କରିବାରେ ଲାଗିଛନ୍ତି ରାଷ୍ଟ୍ରପତି। ଦେଶରେ କ୍ଷମତାସୀନ ଶ୍ରୀଲଙ୍କା ପୋଦୁଜାନା ପେରାମୁନା (SLPP) ବର୍ତ୍ତମାନ ଏହାର ୧୧୩  ସିଟ୍ ଦଖଲ କରିବାକୁ ଚେଷ୍ଟା କରୁଛି ଯାହା ଦ୍ୱାରା ସଂଖ୍ୟାଗରିଷ୍ଠତା ହାସଲ କରାଯିବା ସହ ମହିନ୍ଦା ରାଜପକ୍ଷେ ପ୍ରଧାନମନ୍ତ୍ରୀ ପଦରେ ରହିପାରିବେ।  


ଅନ୍ୟପଟେ ଶାସକ SLPP ଦଳର ପ୍ରମୁଖ ମେଣ୍ଟ ସହଯୋଗୀ SLFP ଘୋଷଣା କରିଛି ଏହାର ସମସ୍ତ ୧୪ ସାଂସଦ ମେଣ୍ଟ ସରକାରରୁ ଓହରିଯିବେ। ମହିନ୍ଦା ରାଜପକ୍ଷେଙ୍କ ରାଷ୍ଟ୍ରପତିତ୍ୱ ସମୟରେ ହୋଇଥିବା ତାମିଲ ବିଦ୍ରୋହୀ ଯୁଦ୍ଧରେ ତତ୍କାଳୀନ ପ୍ରତିରକ୍ଷା ସଚିବ ଗୋଟାବାୟା ରାଜପକ୍ଷେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। 


Also Read: Sri Lanka: ସରକାରଙ୍କ ଖେଳ ଶେଷ; ପ୍ରଦର୍ଶନ ମଧ୍ୟରେ ଆସିଲା ବଡ଼ ଖବର


ଗତ ୨୦୧୯ ନିର୍ବାଚନରେ ୨/୩ ବହୁମତ ସହ ରାଷ୍ଟ୍ରପତି ନିର୍ବାଚିତ ହୋଇଥିଲେ ଗୋଟାବାୟା ରାଜପକ୍ଷେ। ମାତ୍ର ଦେଶର ବୈଦେଶିକ ମୁଦ୍ରା ଭଣ୍ଡାରର ଅଭାବ ଏବଂ ମୂଲ୍ୟ ହ୍ରାସ ଦେଶର ଆର୍ଥିକ ସ୍ଥିତିକୁ ବିଗାଡ଼ି ଦେଇଥିଲେ। ଯାହା ଫଳରେ ଇନ୍ଧନ, ଏଲପି ଗ୍ୟାସ, ବିଦ୍ୟୁତ ଏବଂ ଅତ୍ୟାବଶ୍ୟକ ଖାଦ୍ୟର ଅଭାବ ଦେଖାଦେଇଥିଲା। ଆର୍ଥିକ ସ୍ଥିତି ବିଗିଡି ଯିବା ପରେ ଶ୍ରୀଲଙ୍କା ଜନସାଧାରଣ ଦେଶର ରାଷ୍ଟ୍ରପତିଙ୍କ ଇସ୍ତଫା ଦାବିରେ ଆନ୍ଦୋଳନ ଚଳାଇ ଆସୁଛନ୍ତି। ସେଠାକାର ସ୍ଥିତି ଏପରି ହେଲାଣି ଯେ ବର୍ତ୍ତମାନ ଶ୍ରୀଲଙ୍କା ଅର୍ଥନୈତିକ-ରାଜନୈତିକ ସଂକଟ ମଧ୍ୟରେ ଗୃହଯୁଦ୍ଧ ଆଡ଼କୁ ଅଗ୍ରସର ହେଉଛି।