Amit Shah Meeting: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ତିନି ଦିନିଆ ଛତିଶଗଡ଼ ଗସ୍ତରେ ଅଛନ୍ତି। ଗତକାଲି ସେ ରାୟପୁରରେ ପହଞ୍ଚିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସ୍ୱାଗତ କରିବା ପାଇଁ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ବିମାନବନ୍ଦରରେ ପହଞ୍ଚିଥିଲେ। ଛତିଶଗଡ଼ରେ ନକ୍ସଲବାଦ ଓ ନକ୍ସଲ ପ୍ରଭାବିତ ରାଜ୍ୟରେ ବିକାଶ ପାଇଁ ଗୃହମନ୍ତ୍ରୀ ଶନିବାର ଅର୍ଥାତ୍ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବେ। ଆଜି ରାୟପୁରରେ ଏହି ବୈଠକ ଅନୁଷ୍ଠିତ ହେବ, ଯେଉଁଥିରେ ଛତିଶଗଡ଼, ମହାରାଷ୍ଟ୍ର, ଓଡ଼ିଶାର ପ୍ରତିନିଧିମାନେ ଉପସ୍ଥିତ ରହିବେ। ଏହି ବୈଠକରେ ନକ୍ସଲ ସମସ୍ୟାକୁ ମୂଳୋତ୍ପାଟନ କିପରି କରାଯିବ ସେ ନେଇ ଆଲୋଚନା ହେବ। ଏ ନେଇ ସମସ୍ତେ ନିଜର ମତାମତ ଦେବେ।

 

ଏହାବ୍ୟତୀତ ନକ୍ସଲ ପ୍ରଭାବିତ ରାଜ୍ୟଗୁଡ଼ିକୁ କିପରି ବିକଶିତ କରାଯିବ ଏବଂ ସେମାନଙ୍କୁ ଭାରତ ସରକାରଙ୍କ ଯୋଜନା ସହିତ କିପରି ଯୋଡ଼ାଯିବ ସେ ନେଇ ମଧ୍ୟ ଆଲୋଚନା ହେବ। ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ତିନି ରାଜ୍ୟର ଶୀର୍ଷ ଅଧିକାରୀମାନେ ସେମାନଙ୍କର ଉପସ୍ଥାପନା କରିବେ। ଅଗଷ୍ଟ ୨୪ ତାରିଖ ଅର୍ଥାତ୍ ଆଜି ପୂର୍ବାହ୍ନ ସାଢ଼େ ୧୦ଟାରେ ଗୃହମନ୍ତ୍ରୀ ଅମିତ ଶାହା ମହାପ୍ରଭୁ ବଲ୍ଲଭଚାର୍ଯ୍ୟ ଆଶ୍ରମ ଚମ୍ପାରଣ ପରିଦର୍ଶନ କରିବେ। ଏହାପରେ ପୂର୍ବାହ୍ନ ସାଢ଼େ ୧୧ଟାରେ ସେ ରାୟପୁରର ଏକ ଘରୋଇ ହୋଟେଲରୁ ଆନ୍ତଃରାଜ୍ୟ ସମନ୍ୱୟ ସମିତିର ବୈଠକ କରିବେ, ଯେଉଁଥିରେ ସେ ଛତିଶଗଡ଼ ଏବଂ ସମ୍ପୃକ୍ତ ୭ଟି ରାଜ୍ୟର ମୁଖ୍ୟ ଶାସନ ସଚିବ ଓ ଡିଜିପିଙ୍କ ସହ ଆଲୋଚନା କରିବେ।

 

ଅପରାହ୍ନ ସାଢ଼େ ୨ଟାରେ ନକ୍ସଲ ପ୍ରଭାବିତ ଅଞ୍ଚଳର ସୁରକ୍ଷା ଓ ବିକାଶ ସମ୍ପର୍କିତ ବୈଠକ ଅନୁଷ୍ଠିତ ହେବ। ଏହାପରେ ସେ ଅଗଷ୍ଟ ୨୫ ତାରିଖ ପୂର୍ବାହ୍ନ ସାଢ଼େ ୧୦ଟାରେ ଏନସିବି କାର୍ଯ୍ୟାଳୟକୁ ଉଦଘାଟନ କରିବେ। ଅଗଷ୍ଟ ୨୫ ତାରିଖ ଅପରାହ୍ନ ୧ଟା ୩୦ରେ ଏକ ଘରୋଇ ହୋଟେଲରେ ସମବାୟ ସମ୍ପ୍ରସାରଣ ସମ୍ପର୍କିତ ବୈଠକରେ ଯୋଗଦେବେ, ଯେଉଁଥିରେ ସମବାୟ ସଂଗଠନର କାର୍ଯ୍ୟକାରିତା ଓ ବିକାଶ ସମ୍ପର୍କରେ ଆଲୋଚନା ହେବ।