Ayodhya Ram Mandir: ପାଖେଇ ଆସୁଛି ଦିନ। ଅଯୋଧ୍ୟା ଶ୍ରୀରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠାର ସେହି ଶୁଭ ମୁହୂର୍ତ୍ତକୁ ଅପେକ୍ଷା କରିଛି ସାରା ଭାରତ। ଆସନ୍ତା ଜାନୁଆରି ୨୨ରେ ଶ୍ରୀରାମ ମନ୍ଦିରର (Ayodhya Ram Mandir) ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ। ଏନେଇ ସାରା ଦେଶରେ ଉତ୍ସାହର ମାହୋଲ ରହିଥିବା ବେଳେ ଏହି ଦିନକୁ ଚାତକ ଭଳି ଚାହିଁ ବସିଛନ୍ତି କିଛି ଗର୍ଭବତୀ ମହିଳା ।


COMMERCIAL BREAK
SCROLL TO CONTINUE READING

ଖବର ଅନୁଯାୟୀ, ରାମଲାଲାଙ୍କ ଆଗମନକୁ ସାରା ଦେଶ ଅପେକ୍ଷା କରିଥିବା ବେଳେ ସେହି ଶୁଭ ଦିନରେ ସନ୍ତାନ ଜନ୍ମ ଦେବାକୁ ଚାହୁଁଛନ୍ତି କିଛି ଗର୍ଭବତୀ ମହିଳା । ଅର୍ଥାତ୍‌ ଜାନୁଆରୀ ୨୨ ତାରିଖ ଦିନ ନିଜର ଗର୍ଭସ୍ଥ ଶିଶୁକୁ ଏହି ଦୁନିଆକୁ ସ୍ବାଗତ କରିବା ନେଇ ଅନେଇ ବସିଛନ୍ତି ବହୁ ଗର୍ଭବତୀ ମହିଳା । ଏପରିକି, ପରିବାର ଲୋକ ମଧ୍ଯ ଏଭଳି ଐତିହାସିକ ଦିନରେ ନିଜ ସନ୍ତାନର ଆଗମନ ପାଇଁ ଡାକ୍ତରଙ୍କୁ ନିବେଦନ କରିଥିବା ଜଣାପଡ଼ିଛି । ଏନେଇ ମହିଳାମାନେ କହିଛନ୍ତି, ଏହି ବିଶେଷ ଦିନରେ ଜନ୍ମ ନେବା ସେମାନଙ୍କ ପିଲାମାନଙ୍କ ପାଇଁ ସ୍ମରଣୀୟ ହେବ। ଏପରି ଏକ ଘଟଣା ଉତ୍ତରପ୍ରଦେଶରୁ ସାମ୍ନାକୁ ଆସିଛି । କାନପୁରର ଏକ ସରକାରୀ ଡାକ୍ତରଖାନାରେ ମହିଳା ଜଣଙ୍କ ଶ୍ରୀରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଦିନ ସନ୍ତାନ ଜନ୍ମ ଦେବା ନେଇ ଡ଼ାକ୍ତରମାନଙ୍କ ଅନୁରୋଧ କରିଛନ୍ତି । ଏନେଇ ସେ କହିଛନ୍ତି, ‘ଅଯୋଧ୍ୟାରେ ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଦିନ ତାଙ୍କ ପ୍ରସବ ସମୟ ଧାର୍ଯ୍ୟ କରନ୍ତୁ’ । ଏହି ଘଟଣାକୁ ନେଇ ବିଭାଗର ମୁଖ୍ୟ ଡାକ୍ତର ସୀମା ଦ୍ୱିବେଦୀ କହିଛନ୍ତି, ‘ମହିଳା ଜଣକ ୨୨ ତାରିଖରେ ତାଙ୍କର ପ୍ରସବ କରାଇବାକୁ ଜିଦ୍‌ ଧରିଛନ୍ତି । ଖାଲି ଜଣେ ମହିଳା ନୁହେଁ,  ଆହୁରି ୧୪ରୁ ୧୫ ପରିବାର ଜାନୁଆରୀ ୨୨ରେ ସେମାନଙ୍କ ସନ୍ତାନର ପ୍ରସବ କରାଇବାକୁ ଅନୁରୋଧ କରିଛନ୍ତି । ପରିବାର ଗୁଡ଼ିକର ଅନୁରୋଧକୁ ଦୃଷ୍ଟିରେ ରଖି ଜାନୁଆରୀ ୨୨ ତାରିଖରେ ପ୍ରାୟ ୩୦ଟି ଅପରେସନ୍‌ କରାଇବାକୁ ବ୍ୟବସ୍ଥା କରିଥିବା ସେ କହିଛନ୍ତି’ । ପରିବାରର କହିବା ଅନୁଯାୟୀ, ଆମେ ଚାହୁଁ ଆମ ପିଲାଙ୍କ ଜନ୍ମ ରାମଲାଲାଙ୍କ ଆଗମନ ସହିତ ହେଉ । ଦୁନିଆକୁ ଆମ ପିଲାଙ୍କ ଆଗମନ ଏକ ଭାଗ୍ୟବାନ ମୁହୂର୍ତ୍ତରେ ହେଉ ।


Also Read-Odisha News: ଆଜି ପରିବହନ ଶ୍ରମିକ ସଂଘର ଧର୍ମଘଟ, ଡିପୋରୁ ପେଟ୍ରୋଲ୍ -ଡିଜେଲ ଲୋଡିଂ ବନ୍ଦ


ପ୍ରକାଶଥାଉ କି, ପ୍ରାଣ ପ୍ରତିଷ୍ଠା ବେଳେ ମନ୍ଦିରର ଗର୍ଭ ଗୃହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଆରଏସଏସ୍ ମୁଖ୍ୟ ମୋହନ ଭାଗବତ, ୟୁପି ରାଜ୍ୟପାଳ ଆନନ୍ଦୀବେନ୍ ପଟେଲ ଓ ମୁଖ୍ୟ ଆଚାର୍ଯ୍ୟ ଉପସ୍ଥିତ ରହିବେ । ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ନେଇ ଅଯୋଧ୍ୟା ନଗରୀରେ ପ୍ରବଳ ଜନ ସମାଗମକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି ।