କାଠରେ ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ କରି ରେକର୍ଡ ଅପେକ୍ଷାରେ ବ୍ରହ୍ମପୁର ଶିଳ୍ପୀ
କାଠରେ ନିର୍ମିତ ହୋଇଥିବା ଏହି ମନ୍ଦିର ବେଶ ଆକର୍ଷଣୀୟ ହୋଇଛି।
ବ୍ରହ୍ମପୁର: ପବିତ୍ର ରାମ ନବମୀ ଅବସରରେ ବ୍ରହ୍ମପୁରର ଶିଳ୍ପୀ ଦିଲୀପ ମହାରଣା କାଠରେ କ୍ଷୁଦ୍ର ରାମ ମନ୍ଦିର ତିଆରି କରିଛନ୍ତି। ଯାହା ଧର୍ମନଗରୀ ଅଯୋଧ୍ୟା ଠାରେ ନିର୍ମିତ ହେଉଥିବା ରାମ ମନ୍ଦିରର ଅବିକଳ ନକଲ। ପୂର୍ବରୁ ସେ ଦଶହରା ସମୟରେ ଏକ ଇଞ୍ଚ ବିଶିଷ୍ଟ ମା ଦୁର୍ଗାଙ୍କ ପ୍ରତିମା ପ୍ରସ୍ତୁତ କରି ଇଣ୍ଡିଆ ବୁକ ଅଫ ରେକର୍ଡ ସହ ଏସିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଥିଲେ।
ଏବେ କାଠରେ ପ୍ରସ୍ତୁତ କରିଥିବା ଏହି କ୍ଷୁଦ୍ର ରାମ ମନ୍ଦିରକୁ ସେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିକଟକୁ ପଠାଇବା ପାଇଁ ଲକ୍ଷ ରଖିଛନ୍ତି। ରାମ ନବମୀ ଅବସରରେ ୩ ଇଞ୍ଚ ବିଶିଷ୍ଟ କ୍ଷୁଦ୍ର ରାମ ମନ୍ଦିର ପ୍ରସ୍ତୁତ କରି ପୁଣି ଥରେ ଚର୍ଚାକୁ ଆସିଛନ୍ତି ବ୍ରହ୍ମପୁର ସହରର ଯୁକ୍ତ ତିନି ଶ୍ରେଣୀର ଛାତ୍ର ତଥା ଶିଳ୍ପୀ ଦିଲୀପ ମହାରଣା। ପୂର୍ବରୁ ଦଶହରା ସମୟରେ ଏକ ଇଞ୍ଚ ବିଶିଷ୍ଟ ଦୁର୍ଗା ପ୍ରତିମା ପ୍ରସ୍ତୁତ କରି ଇଣ୍ଡିଆ ବୁକ ଅଫ ରେକର୍ଡ ସହ ଏସିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି।
Also Read: Blue Flag Beach: ଜୀବନ ଜୀବିକାକୁ ନେଇ ମୁହାଁମୁହଁ ମତ୍ସ୍ୟଜୀବୀ-ପ୍ରଶାସନ
ଏବେ ସେ କାଠରେ ୩ ଇଞ୍ଚ ଲମ୍ବ, ୫ ଇଞ୍ଚ ଓସାର ବିଶିଷ୍ଟ କ୍ଷୁଦ୍ର ରାମ ମନ୍ଦିର ନିର୍ମାଣ କରି ଶ୍ରଦ୍ଧାଳୁଙ୍କ ମନ ଜିଣି ପାରିଛନ୍ତି। କାଠରେ ନିର୍ମିତ ଏହି ମନ୍ଦିର ଅଯୋଧ୍ୟାରେ ନିର୍ମିତ ହେବାକୁ ଯାଉଥିବା ରାମ ମନ୍ଦିରର ଅବିକଳ ବୋଲି ଜଣାପଡିଛି। ଅଯୋଧ୍ୟା ରାମ ମନ୍ଦିରର ଢାଞ୍ଚାକୁ ସେ ଗୁଗୁଲରେ ସର୍ଚ୍ଚ କରି ତଥ୍ୟ ସଂଗ୍ରହ କରିଥିବାବେଳେ ଏହି ମନ୍ଦିରର ୮୪ ଖମ୍ବ, ସମେତ ମୁଖ୍ୟ ମନ୍ଦିର, ବେଢା ପାର୍ଶ୍ୱ ମନ୍ଦିର, ୪ ଗମ୍ବୁଜ କରି ରାମ ମନ୍ଦିର ମଡେଲ ପ୍ରସ୍ତୁତ କରିଛନ୍ତି। ନିଜର ଏହି କଳାକୃତି ପାଇଁ ସେ ଏସିଆ ବୁକ ଅଫ ରେକର୍ଡ ଏବଂ ଗିନିଜ ବୁକ ଅଫ ରେକର୍ଡରେ ସ୍ଥାନ ପାଇବାକୁ ଆବେଦନ କରିଛନ୍ତି।
ରାମ ନବମୀକୁ ନେଇ ଚାରିଆଡେ ଭକ୍ତିମୟ, ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିବା ବେଳେ ଏଭଳି ପବିତ୍ର ଦିନରେ ରାମ ମନ୍ଦିରର ଅବିକଳ ଲୋକ ଲୋଚନକୁ ଆଣି ନିଜକୁ ବେସ ଖୁସି ଅନୁଭବ କରୁଥିବା କହିଛନ୍ତି ଶିଳ୍ପୀ ଦିଲୀପ ମହାରଣା। କାଠରେ ନିର୍ମିତ ହୋଇଥିବା ଏହି ମନ୍ଦିର ବେଶ ଆକର୍ଷଣୀୟ ହୋଇଥିବା ବେଳେ ସମସ୍ତଙ୍କ ମନକୁ ଛୁଇଁଛି। ଏହି କଳାକୃତି ପାଇଁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି। ତାଙ୍କର ଏହି ସଫଳତା ପଛରେ ବାପା ଭାଇଙ୍କ ପୂର୍ଣ୍ଣ ସହଯୋଗ ରହିଥିବା ବେଳେ ସରକାରୀ ପ୍ରୋତ୍ସାହନ ମିଳିଲେ ତାଙ୍କ କଳାର ପ୍ରଚାର ପ୍ରସାର ହୋଇପାରନ୍ତା।
Also Read: ବ୍ଲୁ ଫ୍ଲାଗ୍ ବିଚ୍ ମାନ୍ୟତା ଦୌଡରେ ଗୋପାଳପୁର-ସୋନାପୁର ବେଳାଭୂମି
ବ୍ରହ୍ମପୁର ସହରର ଦିଲିପ ମହାରଣାଙ୍କ ଏଭଳି ନିଖୁଣ କଲା କୃତି ପାଇଁ ବିଭିନ୍ନ ମହଲରୁ ପ୍ରଶଂସା ମିଳିଥିବା ବେଳେ ଆଗକୁ ଏପରି କଳାକୃତି ତିଆରି କରିବା ଜାରି ରଖିବ ବୋଲି କହିଛନ୍ତି ସେ।