ବେଙ୍ଗାଲୁରୁ: ପୁଣିଥରେ କୃଷକ ନେତା ରାକେଶ ଟିକାୟତଙ୍କ ଉପରେ ପ୍ରତିବାଦର ସ୍ୟାହି ଛିଟା ପଡିଛି। ସୋମବାର କର୍ଣ୍ଣାଟକରେ ଏକ କାର୍ଯ୍ୟକ୍ରମରେ ଭାରତୀୟ କିଶାନ ୟୁନିୟନ ନେତା ରାକେଶ ଟିକାୟତ ଏବଂ ଯୁଦ୍ଧବୀର ସିଂଙ୍କ ଉପରେ କାଳିମାଡ କରାଯାଇଛି। ଜଣେ କୃଷକ ନେତା ଟଙ୍କା ମାଗିବାର ଷ୍ଟିଙ୍ଗ ଅପରେସନ ଉପରେ ପ୍ରେସମିଟ କରୁଥିବା ବେଳେ ଏହି ଅଭାବନୀୟ ଘଟଣା ଘଟିଛି। କାଳିମାଡ ପରେ ସଭାଗୃହରେ ଉତ୍ତେଜନା ସୃଷ୍ଟି ହୋଇଥିଲା।


COMMERCIAL BREAK
SCROLL TO CONTINUE READING

କର୍ଣ୍ଣାଟକର କୃଷକ ନେତା କୋଡିହାଲୀ ଚନ୍ଦ୍ରଶେଖରଙ୍କ ଉପରେ ହୋଇଥିବା ଷ୍ଟିଙ୍ଗ ଅପରେସନର ଭିଡିଓ ଉପରେ ବିକେୟୁ ନେତା ରାକେଶ ଟିକାୟତ (Rakesh Tikait) ଏବଂ ଯୁଦ୍ଧବୀର ସିଂ ସ୍ପଷ୍ଟୀକରଣ ଦେଉଥିବା ବେଳେ କାଳିମାଡ ହୋଇଛି। ଚନ୍ଦ୍ରଶେଖରଙ୍କ ଟଙ୍କା ମାଗିବା ଘଟଣାରେ ବିକେୟୁ ସମ୍ପୃକ୍ତ ନୁହେଁ ଏବଂ କିଷାନ ନେତା କୋଡିହାଲୀ ଚନ୍ଦ୍ରଶେଖରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ ବୋଲି ରାକେଶ ଟିକାୟତ (BKU leader)  ଗଣମାଧ୍ୟମକୁ ସମ୍ବୋଧିତ କରିଥିଲେ। ଏହି ସମୟରେ ସଭାଗୃହରେ ପାଟିତୁଣ୍ଡ ଆରମ୍ଭ ହୋଇଥିଲା।


Also Read: ସରୁନି ଓଡ଼ିଆ ଦାଦନଙ୍କ ଦୁଃଖ; ଜଣଙ୍କର ଜୁଇ ନ ଲିଭୁଣୁ ଆସିଲା ଆଉ ଜଣଙ୍କ ମୃତ୍ୟୁ ଖବର


ଉତ୍ତେଜନା ଭିତରେ ଜଣେ ବ୍ୟକ୍ତି ରାକେଶ ଟିକାୟତ ଓ ଯୁଦ୍ଧବୀରଙ୍କ ଉପରେ କାଳି ଫିଙ୍ଗିଥିଲେ। କାଳି ଟିକାୟତଙ୍କ ମୁହଁରେ ପଡିଥିଲା। ଟିକାୟତ ଅନୁଯାୟୀ, କୃଷକ ନେତା (Farmer Leader) ଚନ୍ଦ୍ରଶେଖରଙ୍କ ସମର୍ଥକ କିମ୍ବା ବିଜେପି କର୍ମୀଙ୍କ ଦ୍ୱାରା ଏହି କାଳି ଫିଙ୍ଗା ଯାଇଥିଲା। କର୍ଣ୍ଣାଟକର ବିଜେପି ସରକାର ତାଙ୍କୁ ଆବଶ୍ୟକ ସୁରକ୍ଷା ଯୋଗାଇ ଦେଇନଥିଲେ, ଯେଉଁଥିପାଇଁ ଏହି ଘଟଣା ଘଟିଲା ବୋଲି କୃଷକ ନେତା ଅଭିଯୋଗ କରିଛନ୍ତି। ରାକେଶ ଟିକାୟତଙ୍କ ଉପରେ କାଳିମାଡ ହେବାପରେ ସଭାଗୃହରେ ପ୍ଲାଷ୍ଟିକ ଚେୟାର ଫିଙ୍ଗାଫିଙ୍ଗି କରାଯାଇଥିଲା। ଏଥିରେ କିଛି ଲୋକ ଲହୁଲୁହାଣ ହୋଇଥିବା ସୂଚନା ମିଳିଛି।



ସୂଚନାଯୋଗ୍ୟ, ତିନି କୃଷି ଆଇନକୁ ନେଇ ଦିଲ୍ଲୀ ସୀମାରେ ହୋଇଥିବା କୃଷକ ଆନ୍ଦୋଳନରେ ବିକେୟୁ ନେତା ରାକେଶ ଟିକାୟତ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ୨୦୨୦ରୁ ବିକେୟୁ ଏବଂ ଅନ୍ୟାନ୍ୟ କୃଷକ ସଂଗଠନମାନେ ବର୍ଷାଧିକ କାଳ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରେ ସରକାର ବାଧ୍ୟ ହୋଇ ଗତ ମକର ସଂକ୍ରାନ୍ତି ପୂର୍ବରୁ ତିନି ବିବାଦୀୟ କୃଷି ଆଇନକୁ ପ୍ରତ୍ୟାହାର କରିଛନ୍ତି। ଏହା ପରେ ବିକେୟୁ ନେତୃତ୍ୱାଧିନ ସଂଯୁକ୍ତ କିଷାନ ମୋର୍ଚ୍ଚା ଗତ ପାଞ୍ଚ ରାଜ୍ୟର ବିଧାନସଭା ନିର୍ବାଚନରେ ବିଜେପି ବିରୁଦ୍ଧରେ ଲଢେଇ କରିଥିଲା। କିନ୍ତୁ ଏଥିରେ ବିକେୟୁକୁ ସଫଳତା ମିଳିଲା ନାହିଁ।