କୋରୋନା ଟିକାକରଣକୁ ନେଇ କେନ୍ଦ୍ରର ଗାଇଡଲାଇନ, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ


COMMERCIAL BREAK
SCROLL TO CONTINUE READING

ନୂଆଦିଲ୍ଲୀ: ଖୁବଶୀଘ୍ର ଭାରତରେ ହେବ ମହାମାରୀ କୋରୋନାର ଗଣଟିକାକରଣ। ଏଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ରବିବାର ଟିକାକରଣ ଗାଇଡଲାଇନ ଜାରି କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ୩୦ କୋଟି ଲୋକଙ୍କୁ ଟିକାକରଣ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଏଥିରେ ସ୍ୱାସ୍ଥ୍ୟକର୍ମୀ, କୋରୋନା ଯୋଦ୍ଧା, ଗୁରୁତର ରୋଗୀ ଓ ୫୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କୁ ସାମିଲ କରାଯାଇଛି।


ଟିକାକରଣର ଗାଇଡଲାଇନ୍:


  • ପର୍ଯ୍ୟୟକ୍ରମେ ସ୍ୱତନ୍ତ୍ର କୋଠରୀରେ ଟିକାକରଣ ହେବ

  • କେବଳ ରେଜିଷ୍ଟ୍ରେସନ କରିଥିବା ବ୍ୟକ୍ତିଙ୍କର ଟିକାକରଣ ହେବ

  • ସେଲ୍ଫ ରେଜିଷ୍ଟ୍ରେସନ ପାଇଁ ଆଧାର, ଭୋଟର କାର୍ଡ, ପାସପୋର୍ଟ ଓ ଡ୍ରାଇଭିଂ ଲାଇସେନ୍ସ ପରି ୧୨ଟି ପରିଚୟ ପତ୍ର ବୈଧ

  • ଟିକାକରଣ ପାଇଁ ଆବେଦନ କରିଥିବା ବ୍ୟକ୍ତିଙ୍କୁ ଟ୍ରାକିଂ ପାଇଁ Co-WIN ବ୍ୟବସ୍ଥା ସହ ଡିଜିଟାଲକରଣ ହେବ

  • ପ୍ରତିଦିନ ପ୍ରତି ପର୍ଯ୍ୟାୟରେ ୧୦୦ରୁ ୨୦୦ ଲୋକଙ୍କୁ ଟିକା ଦିଆଯିବ

  • ଟିକା ଦିଆଯିବା ପରେ ବ୍ୟକ୍ତିଙ୍କୁ ୩୦ ମିନିଟ୍ ପର୍ଯ୍ୟନ୍ତ ଅନୁଧ୍ୟାନ କରାଯିବ

  • ଟିକାକରଣ ଟିମରେ ପ୍ରତି ୧୦୦ ଜଣ ଲୋକଙ୍କ ପାଇଁ ୫ ଜଣ ସଦସ୍ୟ ରହିବେ, ୨୦୦ ବ୍ୟକ୍ତି ହେଲେ ଆଉ ଜଣେ ସଦସ୍ୟ ଟିମରେ ଯୋଡି ହୋଇପାରିବେ

  • ବିଭିନ୍ନ କମ୍ପାନୀର ଟିକା ମିଶ୍ରଣ ରୋକିବାକୁ ରାଜ୍ୟ ଗୁଡିକ ଗୁରୁତ୍ୱ ଦେବେ

  • ଟିକା ସ୍ଥାନାନ୍ତରଣ ବେଳେ ଉପଯୁକ୍ତ ତାପମାତ୍ରା ରକ୍ଷା କରିବା ନିମନ୍ତେ ବିଶେଷ ବ୍ୟବସ୍ଥା କରାଯିବ। ଆବଶ୍ୟକତା ଅନୁସାରେ ନିମ୍ନ ତାପମାତ୍ରାରେ ସୁରକ୍ଷିତ ବାକ୍ସ ମଧ୍ୟରେ ଟିକାର ନିରାପଦ ପରିବହନକୁ ସୁନିଶ୍ଚିତ କରାଯିବ

  • ଟିକାକରଣ ନେଇ ରାଜ୍ୟ ସରକାର ଜନ ସଚେତନତା ସୃଷ୍ଟି କରିବେ

  • ଟିକାରେ Expiry Date ନଥିଲେ ଭୟଭିତ ନ ହେବାକୁ ଅପିଲ


ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୬୦ କୋଟି ଟିକା ଦେଶବ୍ୟାପୀ ଯୋଗାଣ ହେବ। ଏଥିପାଇଁ ୨୮ ହଜାର ୯୪୭ଟି କୋଲ୍ଡ ଚେନ ପଏଣ୍ଟ ପ୍ରସ୍ତୁତ କରାଯାଉଛି। ତେବେ ଟିକାକରଣ କେନ୍ଦ୍ରରେ ଜନଗହଳିକୁ ଏଡାଇବା ପାଇଁ ସୁରକ୍ଷାକର୍ମୀଙ୍କୁ ମୁତାୟନ କରାଯାଇ ପାରେ। ତେବେ ଦେଶରେ କେବେଠୁ ଟିକାକରଣ ହେବ ତାହା ସ୍ପଷ୍ଟ କରାଯାଇନାହିଁ।


ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୮ ଲକ୍ଷ ଅତିକ୍ରମ କରିଥିବାବେଳେ ଦେଶବାସୀ ଏବେ ଟିକା ଅପେକ୍ଷାରେ ଅଛନ୍ତି। ଏପରି ଘଡ଼ିସନ୍ଧି ସମୟରେ କେନ୍ଦ୍ର ସରକାର ଟିକାକରଣ ଗାଇଡଲାଇନ ଜାରି କରିଛନ୍ତି। ଦେଶରେ ୩ଟି କମ୍ପାନୀ ପକ୍ଷରୁ ଟିକା ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଟିକାର ଜରୁରୀକାଳିନ ବ୍ୟବହାର ପାଇଁ ଫାଇଜର, ସିରମ ଇନଷ୍ଟିଚ୍ୟୁଟ୍ ଏବଂ ଭାରତ ବାୟୋଟେକ୍ ଆବେଦନ କରିସାରିଛନ୍ତି। ଖୁବଶୀଘ୍ର ଦେଶବାସୀଙ୍କୁ ଟିକା ପ୍ରଦାନ ପାଇଁ ସରକାର ଲକ୍ଷ୍ୟ ରଖିଥିବାବେଳେ ଟିକା ବଣ୍ଟନ ପାଇଁ ଆଗୁଆ ପ୍ରସ୍ତୁତି ଆରମ୍ଭ କରିଛନ୍ତି।


ପୂର୍ବରୁ ଅନେଇ ଦେଶରେ ସମସ୍ତ ରାଜ୍ୟ ସରକାରଙ୍କ ସହ  ନିଜେ ପ୍ରଧାନମନ୍ତ୍ରୀ ମୋଦି ଆଲୋଚନା କରିବା ସହ ପ୍ରସ୍ତୁତି ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ନିକଟରେ ଭାରତରେ ଟିକା ପ୍ରସ୍ତୁତ କରୁଥିବା କମ୍ପାନୀକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଗାଇଡଲାଇନ ଅନୁସାରେ ଦେଶରେ ନିର୍ବାଚନ ପରିଚାଳନା ପରି ଟିକା ବିତରଣ କରିବାକୁ ନିଷ୍ପତ୍ତି ନିଆଯାଇଛି। ଭୋଟିଂ ସମୟରେ ବୁଥ ପରି ଟିକା ବିତରଣ ପାଇଁ ମଧ୍ୟ ବୁଥ ପରି ସ୍ୱତନ୍ତ୍ର ପ୍ରକୋଷ୍ଠ ନିର୍ଦ୍ଧାରିତ ହେବ।