Odisha Road Safety : ବାରମ୍ବାର ଘଟୁଥିବା ସଡକ ଦୁର୍ଘଟଣା କେବଳ ରାଜ୍ୟ ସରକାର ନୁହଁ ସୁପ୍ରିମକୋର୍ଟଙ୍କର ମଧ୍ୟ ଚିନ୍ତା ବଢାଇଦେଇଛି। ଓଡ଼ିଶା ସମେତ ତିନି ରାଜ୍ୟରେ ଘଟୁଥିବା ସଡକ ଦୁର୍ଘଟଣାକୁ ସୁପ୍ରିମକୋର୍ଟ ଅତି ଗମ୍ଭୀର ଭାବେ ନେଇଛନ୍ତି। ଏଥିପାଇଁ ଏହି ମାମଲାର ଅଧ୍ୟୟନ ପାଇଁ ଦୁଇଟି କେନ୍ଦ୍ରୀୟ ସଂସ୍ଥାକୁ ନିଯୁକ୍ତ କରାଯାଇଛି। ସୁପ୍ରିମକୋର୍ଟର ସଡକ ସୁରକ୍ଷା କମିଟିର ନିର୍ଦ୍ଦେଶକ୍ରମେ  ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ, ଦିଲ୍ଲୀର ଏକ ଏଜେନ୍ସି ଏବଂ ଆଇଆଇଟି ଦିଲ୍ଲୀର ଏକ ଅନୁସନ୍ଧାନ ପ୍ୟାନେଲକୁ ଅଡିଟ୍ କରିବା ପାଇଁ ପରାମର୍ଶଦାତା ଭାବରେ ନିୟୋଜିତ କରିଛି।


COMMERCIAL BREAK
SCROLL TO CONTINUE READING

ସୁପ୍ରିମକୋର୍ଟଙ୍କ ସଡକ ସୁରକ୍ଷା କମିଟି (SCCoRS)ର  ନିର୍ଦ୍ଦେଶ ଅନୁଯାୟୀ ଅଡିଟ୍ ଟିମ୍ ଓଡିଶା ସମେତ ତିନୋଟି ରାଜ୍ୟରେ ସଡକ ଦୁର୍ଘଟଣାର ମୂଲ୍ୟାଙ୍କନ କରିବ। ପରିବହନ ଅନୁସନ୍ଧାନ ଏବଂ ଆଘାତ ନିବାରଣ କାର୍ଯ୍ୟକ୍ରମ (TRIPP) ସହିତ କାମ କରୁଥିବା ଦିଲ୍ଲୀ ଇଣ୍ଟିଗ୍ରେଟେଡ୍ ମଲ୍ଟି ମୋଡାଲ୍ ଟ୍ରାଞ୍ଜିଟ୍ ସିଷ୍ଟମ୍ (DIMTS) ଲିମିଟେଡ୍ ଓ IIT ଦିଲ୍ଲୀର ବିଶେଷଜ୍ଞ ଟିମ୍ ଓଡିଶାରେ ସଡକ ସୁରକ୍ଷା (Road Safety) ବ୍ୟବସ୍ଥାର ଅଧ୍ୟୟନ ଓ ସୁପ୍ରମିକୋର୍ଟ କମିଟିର ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବେ। ଏହି କେନ୍ଦ୍ରୀୟ ଟିମ ଅଡିଟ୍ ଏବଂ ଅଧ୍ୟୟନ ସମ୍ବନ୍ଧୀୟ ବିଭିନ୍ନ ତଥ୍ୟ ଯାଞ୍ଚ କରିବେ। କେନ୍ଦ୍ରୀୟ ଟିମ ସହ ସମ୍ମନ୍ୱୟ ରକ୍ଷା କରିବା ପାଇଁ ଯୁଗ୍ମ କମିଶନର ପରିବହନ (ସଡକ ସୁରକ୍ଷା) ସଞ୍ଜୟ କୁମାର ବିଶ୍ୱାଶଙ୍କୁ ରାଜ୍ୟ ସରକାର ନୋଡାଲ ଅଧିକାରୀ ଭାବରେ ମନୋନୀତ କରିଛନ୍ତି।


Also Read: Petrol Diesel Price Today: ଆହୁରି ଶସ୍ତା ହେଲା ତେଲ, ଜାଣନ୍ତୁ ଆଜି ଆପଣଙ୍କ ସହରରେ କେତେ ଅଛି..


କେନ୍ଦ୍ରୀୟ ଟିମ୍ (Central Team) ରାଜ୍ୟର ବିଭିନ୍ନ ସ୍ଥାନ ପରିଦର୍ଶନ କରିବେ। ଏହି ସମୟରେ ସେମାନେ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିବା ସହ ତୃଣମୂଳସ୍ତରରୁ ତଥ୍ୟ ସଂଗ୍ରହ କରିବେ। ଅଡିଟ୍ ଟିମ୍ ଭୁବନେଶ୍ୱର, କଟକ, ବ୍ରହ୍ମପୁର ଏବଂ ରାଉରକେଲା ପରିଦର୍ଶନ କରିବ। କେନ୍ଦ୍ରୀୟ ଟିମକୁ ସହାୟତା କରିବାକୁ SCCoRS ସଚିବ, ଓଡିଶାର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ଚିଠି ଲେଖିଛନ୍ତି। SCCoRSର ଚିଠି ପରେ ରାଜ୍ୟ ସରକାର ପାଞ୍ଚଟି ବିଭାଗର ସଚିବ, ପୋଲିସର ଡିଜି, କ୍ରାଇମ ବ୍ରାଞ୍ଚର ଏଡିଜି, ପରିବହନ କମିଶନର, ରାଜ୍ୟ କ୍ରାଇମ ରେକର୍ଡ ବ୍ୟୁରୋ ଏବଂ NHAIକୁ ଅବଗତ କରାଇଛନ୍ତି। 


ମୁଖ୍ୟ ଶାସନ ସଚିବ ଏବଂ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା ବେଳେ SCCoRS ଚେୟାରମ୍ୟାନ୍ ରାଜ୍ୟରେ ଦୁର୍ଘଟଣା ଜନିତ ମୃତ୍ୟୁହାର ବୃଦ୍ଧି ନେଇ ଉଦ୍ବେଗ ପ୍ରକାଶ କରିଥିଲେ। ଗତ ୬ ବର୍ଷରେ ରାଜ୍ୟରେ ୨୯ ପ୍ରତିଶତ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ବଢିଛି। ୨୦୧୪ରେ ୩୯୩୧ଟି ସଡକ ଦୁର୍ଘଟଣା ଜନିତ ମୃତ୍ୟୁ ମାମଲା ରେକର୍ଡ ହୋଇଥିବା ବେଳେ ୨୦୨୧ରେ ତାହା ୫୦୮୧କୁ ପହଞ୍ଚିଛି। ତେବେ ମଟର ଯାନ ଆଇନ ଉଲ୍ଲଙ୍ଘନ ପାଇଁ ସର୍ବାଧିକ ଦୁର୍ଘଟଣା (Road Accident)  ଘଟିଥିବା SCCoRS ଚେୟାରମ୍ୟାନ୍ କହିଛନ୍ତି। ଆଉ ଏହାକୁ ନିୟନ୍ତ୍ରଣ କରିବାକୁ ହେଲେ ନିୟମ ଉଲ୍ଲଂଘନକାରୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ଆବଶ୍ୟକତା ରହିଛି ବୋଲି ଚେୟାରମ୍ୟାନ ପରାମର୍ଶ ଦେଇଛନ୍ତି।।