ନୂଆଦିଲ୍ଲୀ: ଆଉ ଦିନ କେଇଟା ପରେ ଆଇପିଏଲ ମହାସମର। କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଏହାକୁ ନେଇ ଉତ୍କଣ୍ଠା ଥିବା ବେଳେ ଆଜି ଆରସିବି ଫ୍ରାଞ୍ଚାଇଜ ନିଜର ଅଫିସିଆଲ ଟ୍ବିଟ୍‌ର ଜରିଆରେ ଆଉ ଏକ ଖୁସି ଖବର ଦେଇଛି। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ନେତୃତ୍ବ ନେବେ ଫାଫ ଡୁ ପ୍ଲେସିସ୍‌। 


COMMERCIAL BREAK
SCROLL TO CONTINUE READING

ଶନିବାର ବେଙ୍ଗାଳୁରୁ (Bengaluru) ରେ ଆୟୋଜିତ ଆରସିବି ଅନବକ୍ସ ଇଭେଣ୍ଟରେ ଦଳର ତାର ନୂଆ କ୍ୟାପଟେନଙ୍କ ନାଁ ଘୋଷଣା କରିଛି । ସାଉଥ ଆଫ୍ରିକାର ପୂର୍ବତନ ଅଧିନାୟକ ତଥା ଚେନ୍ନାଇ ସୁପରକିଙ୍ଗସ ପାଇଁ ଆଇପିଏଲରେ ଦମଦାର ପ୍ରଦର୍ଶନ କରିଥିବା ଫାଫ୍ ଡୁ ପ୍ଲେସିସଙ୍କ ଉପରେ ଭରସା କରିଛନ୍ତି ବାଙ୍ଗାଲୋର ଫ୍ରାଞ୍ଚାଇଜ୍ । ଗତମାସରେ ଆୟୋଜିତ ଆଇପିଏଲ ମେଗା ଅକସନରେ ଦଳ ତାଙ୍କୁ ୭ କୋଟିରେ କିଣିଥିଲା।ତେଣୁ ଏବେ ସେ ହିଁ ଦଳପତି ଭାବେ ଦଳକୁ ଆଗକୁ ନେବେ ।


ତିନି ତିନିଥର ଫାଇନାଲକୁ ଯାଇଛି । କିନ୍ତୁ ଏଯାଏଁ ମୁକୁଟ ପିନ୍ଧିବାର ସୌଭାଗ୍ୟ ମିଳିନି । ୨୦୦୮ରୁ ଯାତ୍ରା ଆରମ୍ଭ କରି ୧୪ ବର୍ଷ ପରେ ମଧ୍ୟ ଆଇପିଏଲରେ ଚାମ୍ପିଅନ୍ ହେବାର ସ୍ୱାଦ ଚାଖି ପାରିନି ରୟାଲ ଚ୍ୟାଲେଞ୍ଜସ୍ ବାଙ୍ଗାଲୋର୍ (Royal Challengers Bangalore)। ଦ୍ରାବିଡ଼ଙ୍କ ଠାରୁ ପିଟରସନ୍, କୁମ୍ୱଲେଙ୍କ ଠାରୁ କୋହଲି । ବହୁ ନାମୀଦାମୀ ଖେଳାଳିଙ୍କ କାନ୍ଧରେ ଦଳର ବୋଝ ଦେଇଥିଲେ ବି ଏଯାଏଁ ଫିନିସିଂ ଲାଇନ୍ କ୍ରସ୍ କରିପାରି ନାହାନ୍ତି ବାଙ୍ଗାଲୋର୍ ଫ୍ରାଞ୍ଚାଇଜ୍ । ତେଣୁ କିଙ୍ଗ କୋହଲି ଭାରତୀୟ ଦଳର କ୍ୟାପଟେନସିପ୍ ଛାଡ଼ିବା ପରେ ବାଙ୍ଗାଲୋରର ବୋଝ ନେବା ପାଇଁ ଅମଙ୍ଗ ହେବାରୁ ଏଥର ନୂଆ ମଙ୍ଗୁଆଳଙ୍କ ତଲାସରେ ଥିଲେ ରୟାଲ ଚ୍ୟାଲେଞ୍ଜର୍ସ ମ୍ୟାନେଜମେଣ୍ଟ । ଶେଷରେ ସବୁ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇ ଆଜି ଦଳ ପକ୍ଷରୁ ନୂଆ କ୍ୟାପଟେନଙ୍କ ନାଁ ଘୋଷଣା ହୋଇଛି ।


ଅଧିନାୟକ ରେସରେ ଅଷ୍ଟ୍ରେଲିଆର ଗ୍ଲେନ ମ୍ୟାକ୍ସୱେଲ ଓ ଭାରତର ଦିନେଶ କାର୍ତ୍ତିକ ମଧ୍ୟ ରହିଥିବା ନେଇ ଚର୍ଚ୍ଚା ହେଉଥିଲା । ହେଲେ ସବୁ ଚର୍ଚ୍ଚା, ଆଲୋଚନାରେ ପୂର୍ଣ୍ଣଚ୍ଛେଦ ପକାଇ ଦଳ ତାଙ୍କୁ ଭରସା କରିଛି । ଅଭିଜ୍ଞତା ଦୃଷ୍ଟିରୁ ମ୍ୟାକ୍ସୱେଲ, କାର୍ତ୍ତିକ ଓ ଫାଫ (Faf du Plessis)ଙ୍କ ମଧ୍ୟରେ ଜବରଦସ୍ତ କମ୍ପିଟିସନ ହୋଇଥିଲା । ହେଲେ ଦକ୍ଷିଣ ଆଫ୍ରିକାର ନେତୃତ୍ୱ ନେବାର ଅଭିଜ୍ଞତା ଯୋଗୁଁ ବୋଧହୁଏ ଫାଫ୍ ଅନ୍ୟ ଦୁଇ ଜଣଙ୍କୁ ପଛରେ ପକାଇଛନ୍ତି ।  


"ମୁଁ ଆଇପିଏଲ (Ipl) ରେ ବହୁତ କ୍ରିକେଟ ଖେଳିଛି ଓ ଟୁର୍ଣ୍ଣାମେଣ୍ଟ ସମ୍ପର୍କରେ ମୋର ଯଥେଷ୍ଟ ଜ୍ଞାନ ମଧ୍ୟ ରହିଛି । ଘରୋଇ କ୍ରିକେଟରଙ୍କ ଅଭିଜ୍ଞତା ଓ ଅନ୍ତର୍ଜାତୀୟ ଖେଳାଳିଙ୍କୁ ନେଇ ଆମର କମ୍ୱିନେସନ ବେଶ ଭଲ ରହିଛି । ବିଶେଷ କରି ଟିମରେ ବିରାଟଙ୍କ ପରି ଶ୍ରେଷ୍ଠ ଲିଡର୍ ମଧ୍ୟ ରହିଛନ୍ତି । ତେଣୁ ଏଭଳି ବଡ଼ ଫ୍ରାଞ୍ଚାଇଜଙ୍କ ଆସ୍ଥା ଭାଜନ ନିଶ୍ଚିତ ସମ୍ମାନର ବିଷୟ"  ବୋଲି ନାଁ ଘୋଷଣା ପରେ କହିଛନ୍ତି ଫାଫ୍ । ଏଥିପାଇଁ ସେ ସମସ୍ତଙ୍କୁ ଧନ୍ୟବାଦ ମଧ୍ୟ ଦେଇଛନ୍ତି ।  


ଫାଫ୍ ୧୧୫ଟି ଅନ୍ତର୍ଜାତୀୟ ମ୍ୟାଚରେ ଦକ୍ଷିଣ ଆଫ୍ରିକା (South Africa) ର ନେତୃତ୍ୱ ନେଇଛନ୍ତି, ଯାହା ମଧ୍ୟରୁ ୮୧ଟି ମ୍ୟାଚ୍ ଜିତିଥିଲା ପ୍ରୋଟିଆଜ୍ ଟିମ୍ । ଟି୨୦ରେ ତାଙ୍କ ନେତୃତ୍ୱରେ ୪୦ଟି ମ୍ୟାଚ୍ ଖେଳି ୨୫ଟିରେ ବିଜୟ ହାସଲ କରିଥିଲା ଦକ୍ଷିଣ ଆଫ୍ରିକା । ଫେବ୍ରୁଆରୀ ୨୦୨୦ରେ ସେ ଦକ୍ଷିଣ ଆଫ୍ରିକା ଦଳର ଅଧିନାୟକ ପଦ ଛାଡ଼ିଥିଲେ । କିନ୍ତୁ ବାଙ୍ଗାଲୋର ଦଳ ଏବେ ବି ତାଙ୍କ ଉପରେ ଆସ୍ଥା ପ୍ରକଟ କରିଛି ।  


ଗତବର୍ଷ ଆଇପିଏଲରେ ମଧ୍ୟ ଫାଫ୍ ଜବରଦସ୍ତ ପ୍ରଦର୍ଶନ କରିଥିଲେ । ୬୩୩ ରନ୍ ସ୍କୋର କରିବା ସହ ଅରେଞ୍ଜ କମ୍ ୱିନର ଋତୁରାଜ ଗାୟକୱାଡ଼ଙ୍କ ପରେ ଦ୍ୱିତୀୟ ସ୍ଥାନରେ ରହିଥିଲେ । ଫାଫ୍ କ୍ୟାପଟେନ ପରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କୋହଲି (Virat Kohli) । ତେବେ ଏଯାଏଁ ଫାଇନାଲ ଫାଇଟ୍ ଜିତି ପାରିନଥିବା ବାଙ୍ଗାଲୋର, ଫାଫ୍ ଡୁ ପ୍ଲେସିସଙ୍କ ନେତୃତ୍ୱରେ କ'ଣ କମାଲ କରୁଛି ତାକୁ ହିଁ ଫ୍ୟାନ୍ସମାନଙ୍କ ଅପେକ୍ଷା।


Also Read: ହୋଲି ପୂର୍ବରୁ ଛଅ କୋଟି ଚାକିରିଆଙ୍କୁ ବଡ଼ ଝଟକା! EPFO ଉପରେ ସରକାର ନେଲେ ଏହି ପଦକ୍ଷେପ


Also Read: ବିଜେପି କର୍ମୀଙ୍କ ଉପରେ ଗାଡ଼ି ମଡ଼ାଇଦେଲେ ଚିଲିକା ବିଧାୟକ, ପୋଲିସ ସମେତ ୨୦ରୁ ଊର୍ଦ୍ଧ୍ୱ ଆହତ