MS Swaminathan ନୂଆଦିଲ୍ଲୀ: ବିଶିଷ୍ଟ କୃଷି ବିଜ୍ଞାନୀ ତଥା ସବୁଜ ବିପ୍ଳବର ଜନକ ଏମଏସ ସ୍ବାମୀନାଥନଙ୍କ ଦେହାନ୍ତ। ୯୮ ବର୍ଷ ବୟସରେ ଏମ.ଏସ. ସ୍ବାମୀନାଥନଙ୍କ ପରଲୋକ ହୋଇଯାଇଛି। କୃଷି ଅର୍ଥନୀତିଜ୍ଞ ଭାବେ ସେ ବେଶ ଖ୍ୟାତି ଅର୍ଜନ କରିଥିଲେ। ସବୁଜ ବିପ୍ଲବର ଜନକ ଭାବେ ପରିଚିତ ଲାଭ କରିଛନ୍ତି ସ୍ବାମୀନାଥନ। ଅନ୍ତର୍ଜାତୀୟ ସ୍ତରର କୃଷିଅର୍ଥନୀତିଜ୍ଞ, କୃଷି ବିଜ୍ଞାନୀ ଓ ପ୍ଲାଣ୍ଟ ଜେନେଟିସିଷ୍ଟ ଭାବେ ଖ୍ୟାତି ଅର୍ଜନ କରିଥିଲେ ସ୍ବାମୀନାଥନ। ଗହମ ଓ ଧାନକୁ ଅଧିକ ଉତ୍ପାଦନକ୍ଷମ କରିବା ଦିଗରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏମଏସ ସ୍ବାମୀନାଥନ ରିସର୍ଚ୍ଚ ଫାଉଣ୍ଡେସନର ସେ ପ୍ରତିଷ୍ଠାତା ଥିଲେ । 


COMMERCIAL BREAK
SCROLL TO CONTINUE READING

ବିଂଶ ଶତାବ୍ଦୀର ସବୁଠାରୁ ପ୍ରଭାବଶାଳୀ ଏସୀୟଙ୍କ ମଧ୍ୟରେ ତାଙ୍କର ନାଁକୁ ସ୍ଥାନ ଦେଇଥିଲା ଏପରିକି ଟାଇମ ମାଗାଜିନ। ଜାତିସଂଘ ପରିବେଶ କାର୍ଯ୍ୟକ୍ରମ ବା ୟୁଏନଇପି ପକ୍ଷରୁ ତାଙ୍କୁ ଇକୋନୋମିକ ଇକୋଲୋଜିର ଜନକ ଭାବେ ଉପସ୍ଥାପିତ କରାଯାଇଥିଲା । ସ୍ବାମୀନାଥନ ଭାରତୀୟ କୃଷି ଗବେଷଣା ପ୍ରତିଷ୍ଠାନର ନିର୍ଦ୍ଦେଶକ ଓ ମହାନିର୍ଦ୍ଦେଶକ, ଭାରତ ସରକାରଙ୍କ କୃଷି ଗବେଷଣା ଓ ଶିକ୍ଷା ବିଭାଗ ସଚିବ, କୃଷି ମନ୍ତ୍ରାଳୟର ସ୍ବତନ୍ତ୍ର ସଚିବ, ଆନ୍ତର୍ଜାତିକ ଧାନ ଗବେଷଣା ପ୍ରତିଷ୍ଠାନର ମହାନିର୍ଦ୍ଦେଶକ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ। ଓଡିଶାର ଜୟପୁରଠାରେ ଏମଏସ ସ୍ବାମୀନାଥନ ଗବେଷଣା କେନ୍ଦ୍ରର ଏକ ଶାଖା ଖୋଲିଥିଲେ ସ୍ବାମୀନାଥନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗବେଷଣାଗାର ଲାଗି ଜମି ଯୋଗାଇଥିଲେ।


ସୂଚନାଯୋଗ୍ୟ ୭ ଅଗଷ୍ଟ ୧୯୨୫ରେ ତାମିଲନାଡୁର କୁମ୍ବାକୋନମରେ ଜନ୍ମଗ୍ରହଣ କରିଥିବା ଏମ ଏସ ସ୍ୱାମୀନାଥନ୍ ଜଣେ ଉଦ୍ଭିଦ ଜେନେଟିକ୍ ବିଜ୍ଞାନୀ ଥିଲେ। ସେ ୧୯୬୬ ମସିହାରେ ମେକ୍ସିକୋ ମଞ୍ଜିକୁ ପଞ୍ଜାବର ଘରୋଇ କିସମ ସହିତ ମିଶ୍ରଣ କରି ଉଚ୍ଚ ଉତ୍ପାଦନକାରୀ ଗହମ ହାଇବ୍ରିଡ୍ ମଞ୍ଜି ବିକଶିତ କରିଥିଲେ। ସେ ୧୯୬୭ ମସିହାରେ ପଦ୍ମଶ୍ରୀରେ ସମ୍ମାନୀତ ହୋଇଥିବା ବେଳେ ୧୯୭୨ରେ ପଦ୍ମଭୂଷଣ ଓ ୧୯୮୯ରେ ପଦ୍ମ ବିଭୂଷଣରେ ସମ୍ମାନୀତ ହୋଇଥିଲେ। 'ସବୁଜ ବିପ୍ଳବ' କାର୍ଯ୍ୟକ୍ରମ ଅନୁଯାୟୀ ଗରିବ ଚାଷୀଙ୍କ କ୍ଷେତରେ ଅଧିକ ଅମଳକ୍ଷମ ଗହମ ଏବଂ ଚାଉଳ ମଞ୍ଜି ବୁଣାଯାଇଥିଲା। ଏହି କାରଣରୁ, ଖାଦ୍ୟ ଶସ୍ୟରେ ଭାରତ ଆତ୍ମନିର୍ଭରଶୀଳ ହୋଇପାରିଥିଲା।


ସ୍ୱାମୀନାଥନ ୧୯୪୩ରେ ବଙ୍ଗଳାରେ ଦୁର୍ଭିକ୍ଷ ଏବଂ ଦେଶରେ ଖାଦ୍ୟ ସଙ୍କଟ ଅନୁଭବ କରିଥିଲେ। ଏହା ପରେ ସେ କୃଷି କ୍ଷେତ୍ରରେ ପ୍ରବେଶ କରିବାକୁ ସ୍ଥିର କଲେ। ସେ ଦୁଇଟି ବିଷୟ ଉପରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ପ୍ରଥମଟି ହେଉଛି ପ୍ରାଣୀ ବିଜ୍ଞାନ ଏବଂ ଦ୍ୱିତୀୟଟି ହେଉଛି କୃଷି। ୧୯୬୦ ଦଶକରେ ଭାରତର ଅନେକ ସ୍ଥାନରେ ଦୁର୍ଭିକ୍ଷ ଦେଖାଦେଇଥିଲା। ସେହି ସମୟରେ, ଏମ୍ଏସ୍ଏସ୍ ସ୍ୱାମୀନାଥନ୍, ଆମେରିକୀୟ ବୈଜ୍ଞାନିକ ନରମାନ୍ ବୋରଲାଗ୍ ଏବଂ ଅନ୍ୟାନ୍ୟ ବୈଜ୍ଞାନିକଙ୍କ ସହିତ ଗହମର ଉଚ୍ଚ ଅମଳକ୍ଷମ ବିବିଧତା (HYV) ମଞ୍ଜି ପ୍ରସ୍ତୁତ କରିଥିଲେ। ସ୍ୱାମୀନାଥନ୍ ୧୯୭୨ ରୁ ୧୯୭୯ ପର୍ଯ୍ୟନ୍ତ ଭାରତୀୟ କୃଷି ଅନୁସନ୍ଧାନ ପରିଷଦରେ କାର୍ଯ୍ୟ କରିଥିଲେ। ଏହା ପରେ ସେ ୧୯୮୨ ରୁ ୧୯୮୮ ପର୍ଯ୍ୟନ୍ତ ଆନ୍ତର୍ଜାତୀୟ ଚାଉଳ ଅନୁସନ୍ଧାନ ପ୍ରତିଷ୍ଠାନରେ ମହାନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ।


ତାଙ୍କ ମୃତ୍ୟୁରେ ପ୍ରଦାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ ଆମ ଦେଶର ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ କୃଷି କ୍ଷେତ୍ରରେ ତାଙ୍କର ଅବିସ୍ମରଣୀୟ କାର୍ଯ୍ୟ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବଦଳାଇ ଆମ ଦେଶ ପାଇଁ ଖାଦ୍ୟ ନିରାପତ୍ତା ସୁନିଶ୍ଚିତ କରିଥିଲା।


Also Read: ଜଳାତଂକ ରୋଗ ସଚେତନ ପାଇଁ ପାଳନ ହୋଇଥାଏ ଏହି ଦିବସ


Also Read: ‘ଟାଇଗର ୩’ ପାଇଁ କିଏ ନେଇଛନ୍ତି କେତେ Fees,ଜାଣନ୍ତୁ


Also Read: Gold Rate: ତୃତୀୟ ଦିନ ପାଇଁ ଖସିଲା ସୁନା ଦର, ଜାଣନ୍ତୁ କେତେ ରହିଛି ଆପଣଙ୍କ ସହରରେ ଦର