Pakistan Political Crisis: ଅନାସ୍ଥା ପ୍ରସ୍ତାବ ଭୋଟରେ (No-Confidence Motion) ପରାଜୟର ସମ୍ମୁଖୀନ ହେବା ପରେ ଇମ୍ରାନ ଖାନଙ୍କୁ (Imran Khan) ପ୍ରଧାନମନ୍ତ୍ରୀ କ୍ଷମତାରୁ ବହିଷ୍କାର କରାଯାଇଛି, କିନ୍ତୁ ଏହି ପଦବୀକୁ ପୁନର୍ବାର ପାଇବା ପାଇଁ ସେ ସମସ୍ତ କୌଶଳ ଅବଲମ୍ବନ କରୁଛନ୍ତି । ବର୍ତ୍ତମାନ ତାଙ୍କ ଦଳର ୧୨୩ ସାଂସଦ ନେସନାଲ ଆସେମ୍ବ୍ଲିରୁ (National Assembly of Pakistan) ଇସ୍ତଫା ଦେଇଛନ୍ତି । ଏହା ପରେ ବର୍ତ୍ତମାନ ପାକିସ୍ତାନ ନେସନାଲ ଆସେମ୍ବ୍ଲି ବିରୋଧୀ ଶୂନ୍ୟ ହୋଇପଡିଛି । ପାକିସ୍ତାନ ତେହେରିକ-ଇ-ଇନସାଫ ନେତା ତଥା ପୂର୍ବତନ ମନ୍ତ୍ରୀ ଫାରୁକ ହବିବ ଗୁରୁବାର ଦିନ କହିଛନ୍ତି ଯେ ନେସନାଲ ଆସେମ୍ବ୍ଲିର କାର୍ଯ୍ୟକାରୀ ବାଚସ୍ପତି କାସୀମ ସୌରୀ ଆମ ଦଳର ୧୨୩ ସାଂସଦଙ୍କ ଇସ୍ତଫା ଗ୍ରହଣ କରିଛନ୍ତି । ଏଭଳି ପରିସ୍ଥିତିରେ ବର୍ତ୍ତମାନ ପାକିସ୍ତାନରେ ସାଧାରଣ ନିର୍ବାଚନ ଜରୁରୀ ହୋଇପଡିଛି ।


COMMERCIAL BREAK
SCROLL TO CONTINUE READING

ଅନ୍ୟପକ୍ଷରେ, ଇମ୍ରାନ ଖାନ ପାକିସ୍ତାନର ନିର୍ବାଚନ ଆୟୋଗକୁ ଏକ ଚିଠି ପଠାଇ କିଛି ସଂସଦୀୟ କମିଟିର ସଦସ୍ୟ ଥିବା ତାଙ୍କର ସମସ୍ତ ସାଂସଦଙ୍କ ନାମ ପ୍ରତ୍ୟାହାର କରିଛନ୍ତି । ତାଙ୍କ ଦଳର କୌଣସି ସଦସ୍ୟଙ୍କୁ ସଂସଦର କୌଣସି କମିଟିରେ ଅନ୍ତର୍ଭୁକ୍ତ କରାଯିବା ଉଚିତ ନୁହେଁ ବୋଲି ସେ ଆୟୋଗକୁ ନିବେଦନ କରିଛନ୍ତି । କାରଣ ସେମାନଙ୍କର ସାଂସଦମାନେ ଇସ୍ତଫା ଦେଇଛନ୍ତି, ଏହା କରିବା ଠିକ୍ ହେବ ନାହିଁ  । ସେ କହିଛନ୍ତି ଯେ ସେ ଏବଂ ତାଙ୍କ ଦଳ କୌଣସି ପ୍ରକାରେ ନୂତନ ସରକାର ସହ ଜଡିତ ହେବାକୁ ଚାହୁଁନାହାଁନ୍ତି ।


୨୭୨ ସଦସ୍ୟ ବିଶିଷ୍ଟ ପାକିସ୍ତାନ ନେସନାଲ ଆସେମ୍ବ୍ଲିରେ ପିଟିଆଇର ୧୫୫ ସଦସ୍ୟ ରହିଥିଲେ । ପାକିସ୍ତାନରେ ଦେଖାଯାଇଥିବା ରାଜନୈତିକ ସଙ୍କଟ ମଧ୍ୟରେ ୨୦ ଜଣ ସାଂସଦ ଇମ୍ରାନଙ୍କ ସହ ମେଣ୍ଟ ଭାଙ୍ଗି ବିରୋଧୀଙ୍କ ସହ ମିଶି ଯାଇଥିଲେ ମଧ୍ୟ ୧୨ ଜଣ ସାଂସଦଙ୍କ ନିଷ୍ପତ୍ତି ସମ୍ପୂର୍ଣ୍ଣ ରୂପେ ସ୍ପଷ୍ଟ ହୋଇନାହିଁ । ବିରୋଧୀଙ୍କ ସହ ଏହି ସବୁ ସାଂସଦ ମିଶିଯିବା କାରଣରୁ ଇମ୍ରାନ ଖାନ ଅନାସ୍ଥା ପ୍ରସ୍ତାବରେ ନିଜ ପଦବୀକୁ ବଞ୍ଚାଇବାକୁ ସମର୍ଥ ହୋଇ ପାରିନଥିଲେ ।


ଏହା ବି ପଢ଼ନ୍ତୁ: ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀଙ୍କୁ ନେଇ ଆମେରିକା ଦେଲା ଏହି ବଡ଼ ବୟାନ