India Russia Deal: ଋଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ସମଗ୍ର ବିଶ୍ୱରେ ଅନୂଭୂତ ହେଉଛି। ଏହି ଯୁଦ୍ଧ କାରଣରୁ ପାଶ୍ଚାତ୍ୟ ଦେଶ ଋଷିଆ ଉପରେ ଲଗାଇଛନ୍ତି ଅନେକ ପ୍ରତିବନ୍ଧକ। ଅନ୍ୟ ପଟେ ଯୁଦ୍ଧ ହେତୁ ଋଷିଆ ଏହାର ଉତ୍ପାଦିତ ସାମଗ୍ରୀ ଅନ୍ୟ ଦେଶକୁ ଯୋଗାଇବାରେ ସକ୍ଷମ ହୋଇ ପାରିନାହିଁ। ଯାହାର ପ୍ରଭାବ ବିଶ୍ୱ ଉପରେ ପଡୁଛି। ଏହି ଯୁଦ୍ଧ କାରଣରୁ ଅନେକ ଦେଶରେ ସାରର ମୂଲ୍ୟ ବୃଦ୍ଧି ପାଇଛି। ଭାରତ ଏହାର ଆବଶ୍ୟକୀୟ ସାର ଏକ ବଡ଼ ଅଂଶ ଋଷିଆ ପାଖରୁ ଆମଦାନୀ କରିଥାଏ। ଯିଏକି ବିଶ୍ୱର ସର୍ବବୃହତ ସାର ଉତ୍ପାଦନକାରୀ ଦେଶ। ହେଲେ ବର୍ତ୍ତମାନ ଭାରତ ଅନେକ ବର୍ଷ ଧରି ଋଷିଆ ପକ୍ଷରୁ କରାଯାଉଥିବା ସାର ଯୋଗାଣ ଚୁକ୍ତିକୁ ଅନୁମୋଦନ ଦିଗରେ ବଢୁଛି।


COMMERCIAL BREAK
SCROLL TO CONTINUE READING

ଆମେରିକା ସମେତ ଅନ୍ୟାନ୍ୟ ବଡ଼ ଦେଶ ୟୁକ୍ରେନ ସହ ଏକଜୁଟତା ଦେଖାଇବା ପାଇଁ ଋଷିଆ ସହିତ ବ୍ୟବସାୟିକ ସମ୍ପର୍କ ବନ୍ଦ କରିବା ଉପରେ ଜୋର ଦେଉଛନ୍ତି। ଏହା ସହିତ ଏହି ଦେଶ ବିଶ୍ୱର ଅନ୍ୟ ଦେଶକୁ ନିଜ ପଛରେ ଚଳାଇବାକୁ ଚାହୁଁଛନ୍ତି। ହେଲେ ଭାରତ ଏହାର ସ୍ୱାର୍ଥ ରକ୍ଷା ପାଇଁ ବୈଦେଶିକ ନୀତି ସହ ଆପୋଷ ବୁଝାମଣା କରିବାକୁ ପ୍ରସ୍ତୁତ ନୁହେଁ ଏବଂ ଋଷିଆ ସହିତ ଭାରତ ଏହାର ପାରମ୍ପରିକ ସମ୍ପର୍କ ବଜାୟ ରଖିଛି।  


ଋଷିଆ ସହ ବ୍ୟବସାୟିକ ସମ୍ପର୍କକୁ ଆଗକୁ ବଢାଇବା ପାଇଁ ଭାରତ ବସ୍ତୁ ବିନିମୟ ନିୟମ ଗ୍ରହଣ କରୁଛନ୍ତି। ଏହା ଅଧିନରେ ଋଷିଆ ଭାରତକୁ ସାର ଯୋଗାଇବ ଏବଂ ଏହାର ପ୍ରତିବଦଳରେ ଭାରତ ଚା, ଅଟୋ ପାର୍ଟସ ଏବଂ ସମାନ ମୂଲ୍ୟର କଞ୍ଚାମାଲ ଋଷିଆକୁ ପ୍ରଦାନ କରିବ। ଭାରତ ଆବଶ୍ୟକ କରୁଥିବା ଅଧିକାଂଶ ସାର ଆମଦାନୀ କରିଥାଏ। କାରଣ ଦେଶର ଏକ ବଡ଼ ଭାଗ କୃଷି ଉପରେ ନିର୍ଭରଶୀଳ। ବର୍ତ୍ତମାନ ଚାଲିଥିବା ଖରିଫ ଋତୁ ସମୟରେ ଦେଶର କୃଷକ ଯେପରି ସାର ସଂକଟର ସାମ୍ନା ନ କରନ୍ତି ତାହାକୁ ନେଇ ବେଶ ସତର୍କ ରହିଛି ଭାରତ। ଏହାକୁ ନଜରରେ ରଖି ସାର ଆମଦାନୀ କ୍ଷେତ୍ରରେ ଋଷିଆ ସହ ଏକ ଚୁକ୍ତି କରିଛି। ୟୁକ୍ରେନ ସହ ଚାଲିଥିବା ଯୁଦ୍ଧ କାରଣରୁ ଋଷିଆ ଏହାର ପାରମ୍ପରିକ ସହଯୋଗୀ ଭାରତ ସମେତ ଅନ୍ୟ ଦେଶକୁ ଆବଶ୍ୟକୀୟ ପରିମାଣରେ ସାର ଯୋଗାଇବାରେ ବିଫଳ ହୋଇଛି।


ସାରା ବିଶ୍ୱରେ ସାର ମୂଲ୍ୟ ବଢିବା ପରେ ଚଳିତ ବର୍ଷ ଫେବୃଆରୀରେ ଭାରତ ଏହି ପ୍ରସଙ୍ଗରେ ଋଷିଆ ସହ କଥାବାର୍ତ୍ତା ଆରମ୍ଭ କରିଥିଲା। ଏନେଇ ଅଷ୍ଟ୍ରେଲୀୟ ଥିଙ୍କ ଟ୍ୟାଙ୍କ୍ AIES ନିର୍ଦ୍ଦେଶକ ଟ୍ୱିଟ କରି କହିଛନ୍ତି ଭାରତ ୧୦ ଲକ୍ଷ ଟନ୍ ଡାଇ ଆମୋନିୟମ୍ ଫସପେଟ୍ ଏବଂ ପଟାସ୍, ୮ ଲକ୍ଷ ଟନ୍ ନାଇଟ୍ରୋଜେନ, ଫସଫରସ୍, ପୋଟାସିୟମ୍ ଭଳି ସାର ଋଷିଆ ପାଖରୁ ଆମଦାନୀ କରିଥାଏ। ଋଷିଆ ପାଖରୁ ସାର ଆମଦାନୀ ଭାରତର ଜାତୀୟ ସ୍ୱାର୍ଥରେ ଅନ୍ତର୍ଭୂକ୍ତ ହୋଇଛି। ଅନେକ ବର୍ଷ ପରେ ସାର ଆମଦାନୀ ପାଇଁ ଋଷିଆ ସହିତ ଏହି ଦୀର୍ଘ ଚୁକ୍ତି କରିଛି ଭାରତ। ସାର ବଦଳରେ ଭାରତରୁ କୃଷିଜାତ ଦ୍ରବ୍ୟ ଏବଂ ଚିକିତ୍ସା ଉପକରଣ ଋଷିଆକୁ ପଠାଯିବ।


ଋଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଭାରତ ସରକାର ମେ ୨୧ ତାରିଖରେ ୧.୧ ଲକ୍ଷ କୋଟି ଟଙ୍କାର ଅତିରିକ୍ତ ସାର ସବସିଡି ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଯାହା ଦ୍ୱାରା ଦେଶରେ ମୂଲ୍ୟ ନିୟନ୍ତ୍ରଣ ହୋଇପାରିବ। ଏହି ଘୋଷଣା ସହିତ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ସର୍ବଭାରତୀୟ ସ୍ତରରେ ମୂଲ୍ୟ ବୃଦ୍ଧି ସତ୍ତ୍ୱେ ଦେଶରେ ସାର ମୂଲ୍ୟ ବୃଦ୍ଧିରୁ ଚାଷୀଙ୍କୁ ରକ୍ଷା କରାଯାଇଛି। ସାର ଉପରେ ୧.୧ ଲକ୍ଷ କୋଟି ଟଙ୍କାର ସବସିଡି ଦିଆଯାଉଛି।


ଭାରତ ପକ୍ଷରୁ ମାଡ୍ରାସ୍ ଫର୍ଟିଲାଇଜର୍ସ ଲିମିଟେଡ୍, ନ୍ୟାସନାଲ୍ ଫର୍ଟିଲାଇଜର୍ସ ଲିମିଟେଡ୍, ଇଣ୍ଡିଆ ପଟାସ୍ ଲିମିଟେଡ୍, ନ୍ୟାସନାଲ୍ କେମିକାଲ୍ସ ଆଣ୍ଡ୍ ଫର୍ଟିଲାଇଜର୍ସ ଲିମିଟେଡ୍ ଭଳି ଭାରତୀୟ କମ୍ପାନୀ ଋଷୀୟ କମ୍ପାନୀ ଫୋସାଗ୍ରୋ ଏବଂ ଉରାଲକାଲି ଆଦି କମ୍ପାନୀ ସହ ଡାଇ ଆମୋନିୟମ୍ ଫସପେଟ୍, ପଟାସ୍ ସମେତ ବାକି ସାର ଯୋଗାଣ ପାଇଁ ୩ ବର୍ଷର ଏକ ଚୁକ୍ତି  କରିବାକୁ ଯାଉଛନ୍ତି। 


Also Read: ଆମେରିକାର ପରାମର୍ଶ ସତ୍ତ୍ୱେ ଋଷିଆ ପାଖରୁ ଶସ୍ତା ତେଲ କିଣିବ କି ଭାରତ?


Also Read: ଋଷ ପ୍ରଦାନ କରିବ ଶସ୍ତା ତେଲ; ଆମଦାନୀ ଲାଗି ପ୍ରସ୍ତୁତ ଭାରତ!


Also Read: ଋଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଅଶୋଧିତ ତୈଳ ଯୋଗାଇବାକୁ ଭାରତ ପାଇଁ ଆଗକୁ ଆସିଲା ଇରାନ