ଋଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଅଶୋଧିତ ତୈଳ ଯୋଗାଇବାକୁ ଭାରତ ପାଇଁ ଆଗକୁ ଆସିଲା ଇରାନ
ବିଶ୍ୱ ବଜାରରେ ହେଉଥିବା ତୈଳ କାରବାରକୁ ନିଜ ସ୍ୱାର୍ଥ ଅନୁସାରେ ନିୟନ୍ତ୍ରଣ କରିବାକୁ ପ୍ରୟାସ କରିଥାଏ ଆମେରିକା।
ନୂଆଦିଲ୍ଲୀ: ଋଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଅଶୋଧିତ ତୈଳ ଯୋଗାଇବାକୁ ଭାରତ ପାଇଁ ଆଗକୁ ଆସିଛି ଇରାନ। ଭାରତରେ ଇରାନୀ ରାଷ୍ଟ୍ରଦୂତ ଅଲି ଚେଗେନି କହିଛନ୍ତି ଯେ ଅଶୋଧିତ ତୈଳ ଏବଂ ଗ୍ୟାସ ରପ୍ତାନି ପାଇଁ ତାଙ୍କ ଦେଶ ଟଙ୍କା-ରିୟାଲ କାରବାର ପୁଣି ଆରମ୍ଭ କରିବାକୁ ପ୍ରସ୍ତୁତ ରହିଛି। ଇରାନର ସହାୟତା ଋଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଭାରତ ଲାଗି ଏକ ଆଶ୍ୱସ୍ତିକର ଖବର।
ଇରାନୀ ରାଷ୍ଟ୍ରଦୂତ ଅଲି ଚେଗେନି କହିଛନ୍ତି ଯଦି ଭାରତ-ଇରାନ ମଧ୍ୟରେ ଟଙ୍କା-ରିୟାଲ କାରବାର ପୁଣି ଥରେ ଆରମ୍ଭ ହୋଇଯାଏ ତାହେଲେ ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ୩୦ ଆରବ ଡଲାର ମୂଲ୍ୟରେ ପହଞ୍ଚିଯିବ। ଇରାନ ହେଉଛି ଭାରତର ଦ୍ୱିତୀୟ ବୃହତ୍ତମ ତୈଳ ଯୋଗାଣକାରୀ ସହଯୋଗୀ। ମାତ୍ର ପୂବତନ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଉପରେ ପ୍ରତିବନ୍ଧକ ଲଗାଇବା ପରେ ଭାରତ ଅଶୋଧିତ ତୈଳ ଆମଦାନୀ ବନ୍ଦ କରିବା ବନ୍ଦ କରିଥିଲା। ପରମାଣୁ ଚୁକ୍ତିକୁ ନେଇ ସୃଷ୍ଟି ହୋଇଥିବା ବିବାଦ କାରଣରୁ ଆମେରିକା, ଇରାନ ବିରୋଧରେ ଅନେକ ପ୍ରତିବନ୍ଧକ ଲଗାଇଥିଲା। ଯାହାର ଫଳ ସ୍ୱରୂପ ଭାରତକୁ ଅଶୋଧିତ ତୈଳ ଯୋଗାଇବାରେ ବିଫଳ ହୋଇଥିଲା ଇରାନ।
Also Read: ଋଷିଆ-ୟୁକ୍ରେନ ଯୁଦ୍ଧ କାରଣରୁ ଭାରତ ସହିତ ସମଗ୍ର ବିଶ୍ୱ ଭୋଗିବ ପରିଣାମ: ରାଜନାଥ ସିଂହ
MVIRDC ବିଶ୍ୱ ବାଣିଜ୍ୟ କେନ୍ଦ୍ର ଦ୍ୱାରା ଜାରି ଏକ ବିବୃତ୍ତିରେ ଇରାନୀ ରାଷ୍ଟ୍ରଦୂତ ଅଲି ଚେଗେନି କହିଛନ୍ତି ତୈଳ ଏବଂ ଗ୍ୟାସ ରପ୍ତାନି ପାଇଁ ଟଙ୍କା-ରିୟାଲ କାରବାର ଆରମ୍ଭ କରି ଇରାନ ଭାରତର ଶକ୍ତି ସୁରକ୍ଷା ଆବଶ୍ୟକତା ପୂରଣ କରିବାକୁ ପ୍ରସ୍ତୁତ। ଟଙ୍କା-ରିୟାଲ ବାଣିଜ୍ୟ ପ୍ରଣାଳୀ ଉଭୟ ଦେଶର କମ୍ପାନୀକୁ ପରସ୍ପର ସହ ସିଧାସଳଖ ବ୍ୟାପାର କରିବାରେ ସାହାଯ୍ୟ କରିପାରିବ ଏବଂ ତୃତୀୟ ପକ୍ଷର ମଧ୍ୟସ୍ଥକା ଖର୍ଚ୍ଚକୁ ଏଡ଼ାଇ ପାରିବ।
ୟୁକ୍ରେନ ସହ ଯୁଦ୍ଧ ଆରମ୍ଭ ହୋଇଯିବା ଆମେରିକା ନେତୃତ୍ୱାଧିନ ପାଶ୍ଚାତ୍ୟ ରାଷ୍ଟ୍ର ଭାରତର ପାରମ୍ପରିକ ସହଯୋଗୀ ଋଷିଆ ବିରୋଧରେ ଅନେକ ଆର୍ଥିକ ପ୍ରତିବନ୍ଧକ ଲଗାଇଛନ୍ତି। ଅନ୍ୟପଟେ ଋଷିଆ ଶସ୍ତା ମୂଲ୍ୟରେ ଅଶୋଧିତ ତୈଳ ବିକ୍ରି କରିବ ବୋଲି ଘୋଷଣା କରିଛି। ପାଶ୍ଚାତ୍ୟ ଦେଶ କ୍ରମାଗତ ଭାବେ ଚାପ ପ୍ରୟୋଗ କରିବାକୁ ଚେଷ୍ଟା କରୁଛନ୍ତି ଯେ ଭାରତ ସମେତ ଅନ୍ୟ କୌଣସି ଦେଶ ଋଷିଆ ପାଖରୁ ଅଶୋଧିତ ତୈଳ ଆମଦାନୀ କରନ୍ତି ନାହିଁ। ଅନ୍ୟପଟେ ଋଷିଆ ପାଖରୁ ଅଶୋଧିତ ତୈଳ କିଣିବାକୁ ଭାରତ ଏପର୍ଯ୍ୟନ୍ତ ମନା କରି ନାହିଁ।
Also Read: Russia-Ukraine Crisis:ଭାରତୀୟ ଅର୍ଥନୀତି ଉପରେ ପଡ଼ିବ କେଉଁ ପ୍ରଭାବ? ଜବାବ ରଖିଲେ ଅର୍ଥମନ୍ତ୍ରୀ
ବିଶ୍ୱ ବଜାରରେ ହେଉଥିବା ତୈଳ କାରବାରକୁ ନିଜ ସ୍ୱାର୍ଥ ଅନୁସାରେ ନିୟନ୍ତ୍ରଣ କରିବାକୁ ପ୍ରୟାସ କରିଥାଏ ଆମେରିକା। ଏହି କାରଣରୁ ଭେନୁଜଏଲା, ଋଷିଆ, ଇରାନ ଭଳି ଦେଶ ଉପରେ ଆମେରିକା ତୈଳ କାରବାରକୁ ନେଇ ପ୍ରତିବନ୍ଧକ ଲଗାଇ ସାରିଛି।