Israel Palestine Conflict: Hamas ରକେଟ ମାଡ଼ର ଉପଯୁକ୍ତ ଜବାବ ଦେଲା IDF
ବିଗତ ୭ ମାସ ମଧ୍ୟରେ ପ୍ରଥମ ଥର ଲାଗି ଗାଜା ପଟ୍ଟୀରୁ ରକେଟ ଆକ୍ରମଣ ହୋଇଛି।
ତେଲ ଆଭିଭ: ପ୍ରାୟ ଗୋଟିଏ ବର୍ଷର ବ୍ୟବଧାନ ପରେ ପୁଣି ଥରେ ଆରମ୍ଭ ହୋଇଯାଇଛି ଇସ୍ରାଏଲ-ହମାସ ଯୁଦ୍ଧ। ପାଲେଷ୍ଚାଇନ ମାଟିରେ ସକ୍ରିୟ ରହିଥିବା ହମାସ ଆତଙ୍କୀ ସଙ୍ଗଠନ ପକ୍ଷରୁ କରାଯାଇଥିବା ରକେଟ ଆକ୍ରମଣର ଉପଯୁକ୍ତ ଜବାବ ଦେଇଛି ଇସ୍ରାଏଲ ସୁରକ୍ଷା ବଳ। ଏହି ଆକ୍ରମଣ ଉପରେ ପ୍ରତିକ୍ରିୟା ରଖି ଜଣେ ଇସ୍ରାଏଲ ସୈନ୍ୟ ପ୍ରବକ୍ତା କହିଛନ୍ତି ଗାଜା ପଟ୍ଟୀ ଠାରୁ ଇସ୍ରାଏଲ କ୍ଷେତ୍ର ଉପରେ ଏକ ରକେଟ ମାଡ଼ କରାଯାଇଥିଲା। ଯାହାର ଜବାବ ଆଇରନ ଡୋମ୍ ଏୟାର ଡିଫନ୍ସ ସିଷ୍ଟମ ଦ୍ୱାରା ଦିଆଯାଇଥିଲା।
ଯେତେବେଳେ ଇସ୍ରାଏଲ (Israel) କ୍ଷେତ୍ର ଉପରେ ରକେଟ ମାଡ଼ କରାଯାଇଥିଲା ସେତେବେଳେ ଦେଶର ସୀମାନ୍ତ ଅଞ୍ଚଳରେ ଆଲର୍ଟ ସାଇରନ (Alert Siren) ବାଜିବାରେ ଲାଗିଥିଲା। ବିଗତ ୭ ମାସ ମଧ୍ୟରେ ପ୍ରଥମ ଥର ଲାଗି ଗାଜା ପଟ୍ଟୀରୁ ରକେଟ ଆକ୍ରମଣ ହୋଇଛି। ଇସ୍ରାଏଲ ଉପରେ ଏପରି ଏକ ସମୟରେ ରକେଟ ଆକ୍ରମଣ ହୋଇଛି ଯେତେବେଳେ ଅଲ୍ ଅକ୍ସା ମସଜିଦ କାରଣରୁ ପାଲେଷ୍ଟାଇନ ଅଧିବାସୀ ଏବଂ ଇସ୍ରାଏଲ ବର୍ଡର ପୋଲିସ ମଧ୍ୟରେ ହିଂସାତ୍ମକ ସଂଘର୍ଷ ହୋଇଛି।
ଏହି ଘଟଣାରେ ଇସ୍ରାଏଲ ପୋଲିସ ପକ୍ଷରୁ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନରେ ପ୍ରାୟ ୨୦୦ ପାଲେଷ୍ଟିନୀୟ ଆହତ ହୋଇଛନ୍ତି। ରମଜାନ ଅବସରରେ ପୂର୍ବ ଜେରୁସେଲମସ୍ଥିତ ଅଲ୍ ଅକ୍ସା ମସଜିଦ ପରିସରରେ ଇସ୍ରାଏଲ ବର୍ଡର ପୋଲିସ ଚଢାଉ କରିଥିଲା। ଯେତେବେଳେ ପୋଲିସ ସେଠାରେ ପହଞ୍ଚିଥିଲା ସେତେବେଳେ ସେଠାରେ ଉପସ୍ଥିତ ଥିବା ପାଲେଷ୍ଟାଇନ ଅଧିବାସୀଙ୍କ ସହ ମୁହାଁମୁହିଁ ହୋଇଥିଲା। ଏହି ବିବାଦ ମଧ୍ୟରେ ବିଗତ କିଛି ସପ୍ତାହ ମଧ୍ୟରେ ଗୁଳି ବିନିମୟ, ଛୁରାମାଡ଼ ଏବଂ କାର ଧକ୍କା କାରଣରୁ ୧୦ ଜଣରୁ ଅଧିକ ଇସ୍ରାଏଲ ନାଗିରିକଙ୍କ ମୃତ୍ୟୁ ହୋଇସାରିଛି। ଏହି ଆକ୍ରମଣ ମଧ୍ୟରୁ ଅନେକ ହମଲା ଇସ୍ରାଏଲ ଠାରେ ରହୁଥିବା କେତେକ ଆରବ ନାଗରିକଙ୍କ ଦ୍ୱାରା କରାଯାଇଥିଲା।
Also Read: ରମଜାନ ବେଳେ ଅଶାନ୍ତ ହୋଇଉଠୁଛି ଅଲ୍ ଅକ୍ସା ମସଜିଦ; ଶହେରୁ ଉର୍ଦ୍ଧ୍ୱ ଆହତ
ଏହି ସମୟରେ ଜୋର୍ଡାନ ବୈଦେଶିକ ମନ୍ତ୍ରଣାଳୟ ସୋମବାର ରାଜଧାନୀ ଆମ୍ମାନ ଠାରେ ଅବସ୍ଥିତ ଇସ୍ରାଏଲ୍ ଦୂତାବାସ ପ୍ରଭାରୀଙ୍କୁ ଅଲ ଆକ୍ସା ମସଜିଦ ପରିସରେ ହୋଇଥିବା କାର୍ଯ୍ୟାନୁଷ୍ଠାନ ବାବଦରେ ରିପୋର୍ଟ ତଲବ କରିଛନ୍ତି। ଜୋର୍ଡାନ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ହାଇଥାମ ଆବୁ ଅଲ-ଫାଲ ପବିତ୍ର ମୁସଲମାନ ଧାର୍ମିକ ସ୍ଥାନରେ ଅବସ୍ଥିତ ଥିବା କୌଣସି ପ୍ରତିବନ୍ଧକ ହଟାଇବାକୁ ଏବଂ ବିନା କୌଣସି ପ୍ରତିବନ୍ଧକରେ ଲୋକଙ୍କ ଉପାସନା କରିବାର ଅଧିକାର ଦେବାକୁ ଆହ୍ୱାନ କରିଛନ୍ତି।
ଏନେଇ ଜୋର୍ଡାନ ଜଣେ ଅଧିକାରୀ କହିଛନ୍ତି ଯେ ଦାୟିତ୍ୱରେ ଥିବା ଇସ୍ରାଏଲ୍ ଦୂତାବାସକୁ ତୁରନ୍ତ ତାଙ୍କ ସରକାରଙ୍କ ନିକଟରେ ପହଞ୍ଚାଇବାକୁ କୁହାଯାଇଛି। ଏହା ସହିତ ଅଲ ଅକ୍ସା ମସଜି ସ୍ଥିତି ପରିବର୍ତ୍ତନକୁ ତୁରନ୍ତ ବନ୍ଦ କରିବା ପାଇଁ ଏକ ଦାବି ମଧ୍ୟ କରାଯାଇଛି। ଜୋର୍ଡାନ ବୈଦେଶିକ ମନ୍ତ୍ରୀ ଆୟମାନ ସଫାଦୀ ସୋମବାର ଘୋଷଣା କରିଛନ୍ତି ଯେ ଅଲ ଅକ୍ସା ମସଜିଦ ପରିସରେ ଇସ୍ରାଏଲର କାର୍ଯ୍ୟକଳାପ ଉପରେ ଜୋର୍ଡାନ ଅନ୍ୟ ଆରବ ଦେଶ ସହ ଆଲୋଚନା କରିବ।
Also Read: ଅଲ୍ ଅକ୍ସା ମସଜିଦ ଠାରେ ଭୀଷଣ ସଂଘର୍ଷ; ୫୯ ପାଲେଷ୍ଟିନୀୟ ଆହତ
ବହୁଚର୍ଚ୍ଚିତ ଅଲ ଅକ୍ସା ମସଜିଦ୍ ଇହୁଦୀ, ଖ୍ରୀଷ୍ଟିଆନ, ମୁସଲିମ ଧର୍ମ ଲାଗି ଏକ ପବିତ୍ର ସ୍ଥାନ। ଏଥର ଇହୁଦୀ ଏବଂ ମୁସଲମାନଙ୍କ ପର୍ବ ଏକାଠି ପାଳିତ ହେଉଛି। ଯେଉଁ କାରଣରୁ ଏଠାରେ ପୂଜାପାଠ କରିବାକୁ ନେଇ ଉଭୟ ପକ୍ଷ ବିବାଦ ଦେଖାଯାଇଛି। ଯେତେବେଳେ ଇସ୍ରାଏଲ୍ ପୋଲିସ୍ ବାହିନୀ ପାଲେଷ୍ଟାଇନ ମୁସଲମାନଙ୍କୁ ଅଲ ଅକ୍ସା ମସଜିଦ ପରିସରରୁ ବାହାର କରିବାକୁ ଚେଷ୍ଟା କଲା ସେତେବେଳେ ଉଭୟ ପକ୍ଷ ମଧ୍ୟରେ ହୋଇଥିବା ବିବାଦ ପରେ ହିଂସାତ୍ମକ ସଂଘର୍ଷର ରୂପ ନେଇଥିଲା।