Modi Govt Schemes for Armed Forces: ଭାରତୀୟ ସଶସ୍ତ୍ର ବଳରେ ଅଗ୍ନିପଥ ଯୋଜନା କାର୍ଯ୍ୟକାରୀ କରିବାକୁ ନେଇ ସୃଷ୍ଟି ହୋଇଛି ବିବାଦ। ଏହି ଚୁକ୍ତି ଭିତ୍ତିକ ନିଯୁକ୍ତି ପ୍ରକ୍ରିୟାକୁ ବିରୋଧ କରି ସମଗ୍ର ଦେଶରେ ଜାରି ରହିଛି ହଙ୍ଗାମା। ଏହାକୁ ବିରୋଧ କରୁଥିବା ସେନା ଅଭ୍ୟାର୍ଥୀ ଦେଶର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିବା ସମୟରେ ବିଭିନ୍ନ ରେଳ ଷ୍ଟେସନରେ ନିଆଁ ଲଗାଇ ଦେଇଛନ୍ତି। ଯାହା ଫଳରେ ବ୍ୟାପକ କ୍ଷତି ସହିବାକୁ ପଡ଼ିବା ସହ ଆଇନ ଶୃଙ୍ଖଳା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। 


COMMERCIAL BREAK
SCROLL TO CONTINUE READING

କ୍ଷମତାରେ ରହିବାର ୮ ବର୍ଷ ମଧ୍ୟରେ ଅଗ୍ନିପଥ ଯୋଜନା କାର୍ଯ୍ୟକାରୀ କରିବା ପୂର୍ବରୁ ଭାରତୀୟ ସଶସ୍ତ୍ର ବଳରେ ପରିବର୍ତ୍ତନ ଆଣିବା ପାଇଁ ବିଭିନ୍ନ ପଦକ୍ଷେପ ନେଇଛନ୍ତି ମୋଦି ସରକାର। ସେନାରେ ପରିବର୍ତ୍ତନ ଆଣିବା ପାଇଁ ପାଞ୍ଚଟି ଐତିହାସିକ ପଦକ୍ଷେପ ନେଇଛନ୍ତି ମୋଦି ସରକାର। ତାହା ହେଉଛି...


୧.ୱାନ ରାଙ୍କ ୱାନ ପେନସନ ଯୋଜନା: କ୍ଷମତା ଆସିବା ପରେ ଭାରତୀୟ ସଶସ୍ତ୍ର ବଳରେ ମୋଦି ସରକାର ଯେଉଁ ପରିବର୍ତ୍ତନ କରିଥିଲେ ତାହା ହେଉଛି ୱାନ ରାଙ୍କ ୱାନ ପେନସନ ଯୋଜନା। ଏହି ଯୋଜନା ସମ୍ପର୍କିତ ବିଜ୍ଞପ୍ତି ୨୦୧୫ ନଭେମ୍ବର ୭ ତାରିଖରେ ଜାରି  ହୋଇଥିଲା। ବିଭିନ୍ନ ସମୟରେ ଅବସର ନେଇଥିବା ବିଭିନ୍ନ ବର୍ଗର ସୈନିକଙ୍କୁ ସମାନ ପେନସନ ଦେବା ପାଇଁ ଏହି ଯୋଜନା କାର୍ଯ୍ୟକାରୀ କରାଯାଇଥିଲା। ଗତ ୨୦୧୪ ଜୁଲାଇ ୧ ତାରିଖରୁ ଏହି ଯୋଜନା କାର୍ଯ୍ୟକାରୀ କରାଯାଇଥିଲା। ଯାହାର ଲାଭ ୨୦ ଲକ୍ଷ ଅବସରପ୍ରାପ୍ତ ସୈନିକଙ୍କୁ ମିଳିଥିଲା।    


୨.ସିଡିଏସ ନିଯୁକ୍ତି: ଦ୍ୱିତୀୟ ପାଳି କାର୍ଯ୍ୟକାଳରେ ଚିଫ୍ ଡିଫେନ୍ସ ଅଫ୍ ଷ୍ଟାଫ୍ ନିଯୁକ୍ତ କରିଥିଲେ ମୋଦି ସରକାର। ଗତ ୨୦୧୯ ସ୍ୱାଧିନତା ଦିବସ ଅବସରରେ ଲାଲକିଲ୍ଲା ପରିସରରୁ ଦେଶକୁ ସମ୍ବୋଧନ କରିବା ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଘୋଷଣା କରି କହିଥିଲେ ଯେ  ଦେଶର ସଶସ୍ତ୍ର ବାହିନୀ ମଧ୍ୟରେ ସମନ୍ୱୟ ରକ୍ଷା କରିବାକୁ ଆହୁରି ମଜବୁତ କରିବା ପାଇଁ ମୁଁ ଚିଫ୍ ଡିଫେନ୍ସ ଅଫ୍ ଷ୍ଟାଫ୍ ନିଯୁକ୍ତ କରିବାକୁ ଘୋଷଣା କରୁଛି। ୨୦୧୯ ଡିସେମ୍ବର ୨୪ ତାରିଖରେ ଚିଫ୍ ଡିଫେନ୍ସ ଅଫ୍ ଷ୍ଟାଫ୍ ପଦ ଗଠିତ ହୋଇଥିଲା। ପୂର୍ବତନ ସ୍ଥଳ ସେନା ମୁଖ୍ୟ  ଜେନାରାଲ ବିପିନ ରାୱତଙ୍କୁ ଦେଶର ପ୍ରଥମ ସିଡିଏସ ଭାବେ ନିଯୁକ୍ତ କରାଯାଇଥିଲା।


୩.ସେନାର ସ୍ୱଦେଶୀକରଣ: ଗତ ୨୦୨୦ ଅଗଷ୍ଟ ୯ ତାରିଖରେ ବିଦେଶରୁ ଆମଦାନୀ ହେଉଥିବା ଶହେରୁ ଅଧିକ ସାମରିକ ଉପକରଣ କ୍ରୟ ଉପରେ ପ୍ରତିବନ୍ଧକ ଲଗାଇଥିଲେ ମୋଦି ସରକାର। ଆତ୍ମନିର୍ଭର ଭାରତ ଅଭିଯାନ ଅଧିନରେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଉପକରଣ ପ୍ରଚାର ପାଇଁ ଏପରି ଏକ ପଦକ୍ଷେପ କାର୍ଯ୍ୟ କରାଯାଇଥିଲା।


୪.ନୂତନ ଇଣ୍ଟିଗ୍ରେଟେଡ୍ ଥିଏଟର କମାଣ୍ଡ ଗଠନ: ଚଳିତ ବର୍ଷ  ଅଗଷ୍ଟ ୧୫ ତାରିଖରୁ ଦେଶରେ ନୂତନ ଇଣ୍ଟିଗ୍ରେଟେଡ୍ ଥିଏଟର କମାଣ୍ଡ ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଦେଶର ୩ ସେନା ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରିବା ପାଇଁ ଏହାର ଗଠନ କରାଯାଉଛି।  


୫.ଅଗ୍ନିପଥ ଯୋଜନା: ଭାରତୀୟ ସ୍ଥଳସେନା, ନୌସେନା, ବାୟୁସେନାରେ ୪ ବର୍ଷ ପାଇଁ ସୈନିକମାନଙ୍କୁ ନିଯୁକ୍ତି ଦିଆଯିବ । ସ୍ଥଳ ସେନା, ନୌ-ସେନା ଓ ବାୟୁସେନାରେ ନିଯୁକ୍ତି ବର୍ତ୍ତମାନ ଏହି ଯୋଜନା ଅଧୀନରେ ହେବ। ଯେଉଁ ସୈନିକମାନଙ୍କୁ ନିଯୁକ୍ତି ଦିଆଯିବ। ସେମାନଙ୍କ ନାମ ଅଗ୍ନିବିର ରଖାଯିବ। ୪ ବର୍ଷ ପରେ ୭୫ ପ୍ରତିଶତ ସୈନିକଙ୍କୁ ଘରକୁ ପଠାଇ ଦିଆଯିବ। ଅବଶିଷ୍ଟ ୨୫ ପ୍ରତିଶତ ଅଗ୍ନିବିର ସ୍ଥାୟୀ ଯବାନ ଭାବରେ ନିଯୁକ୍ତ ହେବେ। ଏହାର ପ୍ରକ୍ରିୟା ସ୍ଥିର ହେବ ଯେଉଁଥିରେ 'ଅଗ୍ନିବିର୍' ସ୍ଥାୟୀ ହେବା ପାଇଁ ଆବେଦନ କରିବେ। ଜୁନ ୧୪ ତାରିଖରେ ସରକାର ୪ ବର୍ଷ ପର୍ଯ୍ୟନ୍ତ ସଶସ୍ତ୍ର ବାହିନୀରେ ସୈନିକ ନିଯୁକ୍ତି ପାଇଁ ଅଗ୍ନିପଥ ଯୋଜନା ଘୋଷଣା କରିଥିଲେ।


Also Read: Agnipath Scheme: କେଉଁ ଦେଶର ସେନାରେ କିପରି ହୋଇଥାଏ ଭର୍ତ୍ତି?


Also Read: Conscription: ବିଶ୍ୱର ସେହି ଦେଶ ଯେଉଁଠି ସେନା ବାହିନୀରେ ସେବା ଦେବା ବାଧ୍ୟତାମୂଳକ