ଭୁବନେଶ୍ୱର: ଜାନୁଆରୀ ୩୧ ତାରିଖରୁ ଆରମ୍ଭ ହେବ ୧୭ତମ ଲୋକସଭାର ୧୫ତମ ଅଧିବେଶନ। ନିର୍ବାଚନର ଅବ୍ୟବହିତ ପୂର୍ବରୁ ଏହି ଅଧିବେଶନରେ ଉପସ୍ଥାପନ ହେବ ଅନ୍ତରୀଣ ବଜେଟ୍‍। ତିନିମାସର ଖର୍ଚ୍ଚଦାବି ସହ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଶ ପାଇଁ ବଜେଟ୍‍ ଉପସ୍ଥାପନ କରିବେ।  ଯଦିଓ ବିଶେଷ କିଛି ଯୋଜନା ଘୋଷଣା ହେବାର ସମ୍ଭାବନା ନଥାଏ କିନ୍ତୁ ରାଜନୀତିକ ଦୃଷ୍ଟିରୁ ବି ଏହି ବଜେଟ୍‍ ବେଶ୍‍ ଗୁରୁତ୍ୱପୂର୍ଣ୍ଣ ହେବ। ଏହି ଅଧିବେଶନରେ ସମୁଦାୟ ୮ଟି କାର୍ଯ୍ୟ ଦିବସ ରହିବ। ଲୋକସଭା ସଚିବାଳୟ ପକ୍ଷରୁ ପ୍ରକାଶିତ ସମ୍ଭାବ୍ୟ କ୍ୟାଲେଣ୍ଡର ଅନୁସାରେ ଜାନୁଆରୀ ୩୧ ତାରିଖ ଦିନ ରାଷ୍ଟ୍ରପତି ସଂସଦରେ ଅଭିଭାଷଣ ରଖିବେ। ପରମ୍ପରା ଅନୁସାରେ ପ୍ରତି ବଜେଟ୍‍ ଅଧିବେଶନ ପୂର୍ବରୁ ରାଷ୍ଟ୍ରପତି ସରକାରଙ୍କ କାର୍ଯ୍ୟକ୍ରମକୁ ଆଧାର କରି ଦେଶର ଆଗାମୀ ଭବିଷ୍ୟତ ପାଇଁ ସରକାରଙ୍କ ଚିନ୍ତନ ତଥା ଦୂରଦୃଷ୍ଟିକୁ ଉଲ୍ଲେଖ କରିଥାନ୍ତି। ବୁଧବାର ସକାଳେ ଏହି ଅଭିଭାଷଣ ଉପସ୍ଥାପନ କରାଯିବ। ଏହାର ଅଧଘଣ୍ଟାଏ ପରେ ସରକାରୀ କାର୍ଯ୍ୟକ୍ରମ ଆରମ୍ଭ ହେବ। 


COMMERCIAL BREAK
SCROLL TO CONTINUE READING

ଫେବୃୟାରୀ ୧, ଗୁରୁବାର ଦିନ ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ତିନିମାସ ପାଇଁ ଅନ୍ତରୀଣ ବଜେଟ୍‍ ଉପସ୍ଥାପନ କରାଯିବ। ସକାଳ ୧୧ଟାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ (Finance Minister Nirmala Sitharaman) ବଜେଟ୍‍ ଉପସ୍ଥାପନ ସାଙ୍ଗକୁ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିବେ। ଏହି ଦୁଇଦିନ କେୌଣସି ପ୍ରଶ୍ନକାଳ ରହିବ ନାହିଁ। ବଜେଟ୍‍ ଉପସ୍ଥାପନ (Interim Budget) ପରେ ବିଭିନ୍ନ ବିଭାଗ ପାଇଁ ଥିବା ଖର୍ଚ୍ଚଦାବି ସମ୍ପର୍କରେ ଆଲୋଚନା କରାଯାଇ ତାହାକୁ ଗୃହୀତ କରାଯିବ। କାମଚଳା ବଜେଟ୍‍ ହୋଇଥିବାରୁ ଏ ବାବଦରେ ବିଶେଷ ଆଲୋଚନାର ସୁଯୋଗ ନଥାଏ। ଏହିକ୍ରମରେ ଫେବୃୟାରୀ ୨  ଏବଂ ୯ ତାରିଖରେ ଆୟୁଷ ମନ୍ତଣାଳୟ, ରସାୟନ ଓ ସାର, ପ୍ରତିରକ୍ଷା, ବର୍ହିବ୍ୟାପାର, ସ୍ୱାସ୍ଥ୍ୟ, ଆଇନ, ବନ୍ଦର, ମହିଳା ଓ ଶିଶୁ କଲ୍ୟାଣ ବ୍ୟାପାର ମନ୍ତ୍ରଣାଳୟ ସମ୍ପର୍କରେ ଆଲୋଚନା କରାଯିବ। 


ଫେବୃୟାରୀ ୫ ତାରିଖରେ କର୍ପୋରେଟ୍‍ ବ୍ୟାପାର, ସଂସ୍କୃତି, ଶିକ୍ଷାର, ଉତ୍ତର ପୂର୍ବାଞ୍ଚଳ, ଜଙ୍ଗଲ ଓ ପରିବେଶ, ଶ୍ରମ, ଦକ୍ଷତା ବିକାଶ, ପର୍ଯ୍ୟଟନ ଏବଂ ଆଦିବାସୀ ଉନ୍ନୟନ ସମ୍ପର୍କିତ ଖର୍ଚ୍ଚଦାବି ଆଲୋଚନା କରାଯିବ। ୬ ତାରିଖ ଦିନ କୃଷି, ଖାଦ୍ୟ ପ୍ରକ୍ରିୟାକରଣ, ସୂଚନା ଓ ବ୍ରଡକାଷ୍ଟିଂ, ପଞ୍ଚାୟତିରାଜ, ଗ୍ରାମ ଉନ୍ନୟନ, ସାମାଜିକ ମଙ୍ଗଳ, ଯୋଜନା, ଯୁବ ଓ କ୍ରୀଡ଼ା ମନ୍ତ୍ରଣାଳୟ ଖର୍ଚ୍ଚଦାବି ପାଇଁ ଉତ୍ତର ରଖିବେ ଅର୍ଥମନ୍ତ୍ରୀ । ଫେବୃୟାରୀ ୭ ତାରିଖ ଦିନ ପ୍ରଧାନମନ୍ତ୍ରୀ, ଆଣବିକ ଶକ୍ତି, କୋଇଲା, ବାଣିଜ୍ୟ, ଶିଳ୍ପ, ଆଇଟି, ସଂସଦୀୟ ବ୍ୟାପାର, ବିଜ୍ଞାନ ଓ କାରିଗରୀ, ବୟନ, ଇସ୍ପାତ, ପରିସଂଖ୍ୟାନ ମନ୍ତ୍ରଣାଳୟର ଖର୍ଚ୍ଚଦାବି ସମ୍ପର୍କିତ ସଦସ୍ୟଙ୍କ ପ୍ରଶ୍ନର ଉତ୍ତର ରଖିବେ ଅର୍ଥମନ୍ତ୍ରୀ ସୀତାରମଣ। ଫେବୃୟାରୀ ୮ ତାରିଖ ଦିନ ବେସାମରିକ ବିମାନ, ଗୃହ ଓ ନଗର ଉନ୍ନୟନ, ଜଳ ଶକ୍ତି, ଏମ୍‍ଏସ୍‍ଏମ୍‍ଇ, , ପେଟ୍ରୋଲିୟମ, ନବୀକରଣ ଯୋଗ୍ୟ ଶକ୍ତି, ସଡ଼କ ପରିବହନ, ରାଜପଥ ମନ୍ତ୍ରଣାଳୟର ଖର୍ଚ୍ଚଦାବି ସମ୍ପର୍କିତ ପ୍ରଶ୍ନର ଉତ୍ତର ଲୋକସଭାରେ ରଖିବେ ଅର୍ଥମନ୍ତ୍ରୀ। ଏଥିଲାଗି ଆଗୁଆ ପ୍ରଶ୍ନ ପଠାଇବା ଲାଗି ଲୋକସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।


Also Read: Odisha Politics: ଚର୍ଚ୍ଚାରେ ଧର୍ମେନ୍ଦ୍ର ଓ ପ୍ରଣବ, ବାହାର ନେତାଙ୍କୁ ପସନ୍ଦ କରିବେ କି ସମ୍ବଲପୁରିଆ?