ନୂଆଦିଲ୍ଲୀ: ଜଳନ୍ତା 'ସରିସ୍କା' ଟାଇଗର୍ ରିଜର୍ଭରେ ଅଞ୍ଜଳି ତେନ୍ଦୁଲକରଙ୍କ ଜଙ୍ଗଲ ସଫାରୀ। ଦିନ ତମାମ ଏ ଖବର ଟ୍ରେଣ୍ଡ କରୁଛି। କାରଣ ଏ ଘଟଣା କିଛି ଛୋଟମୋଟ ନୁହେଁ। ସାଦାସିଧା ନଜରରେ ହୁଏତ ଏହା ଗୋଟିଏ ଜଙ୍ଗଲ ନିଆଁ ହୋଇପାରେ, କିନ୍ତୁ ଜଙ୍ଗଲ ନିଆଁ ପଛରେ ଯେଉଁ ପ୍ରକୃତି ବିରୋଧୀ ନିଆଁ ରହିଛି; ଅବହେଳାର ବହ୍ନି ଛପିଛି, ତାହା ଆଦୌ ବରଦାସ୍ତ ଯୋଗ୍ୟ ନୁହେଁ। ଜଣେ ସୁପର୍ ସେଲିବ୍ରିଟିଙ୍କ ପତ୍ନୀଙ୍କ ପାଇଁ କ'ଣ ପ୍ରକୃତି ସହ ଖେଳ ଖେଳା ଯାଇପାରେ? ନିଜ କର୍ତ୍ତବ୍ୟକୁ କେହି ଭୁଲିପାରେ? ମାତ୍ର ଏମିତି ଘଟିଛି ଓ ପରିଣାମ ସ୍ୱରୂପ ରାଜସ୍ଥାନର ସରିସ୍କା ଟାଇଗର୍ ରିଜର୍ଭ ଏବେ ହୁତୁହୁତୁ ହୋଇ ଜଳୁଛି।


COMMERCIAL BREAK
SCROLL TO CONTINUE READING

କୁହାଯାଏ, ପ୍ରକୃତି ସହ କେବେ ଖେଳ ଖେଳିବା କଥା ନୁହେଁ। ସ୍ୱାର୍ଥ ପାଇଁ କେବେ ସାଲିସ କରିବା କଥା ନୁହେଁ। ଆଉ ଯେବେ ଯେବେ ଏମିତି ହୋଇଛି, ସେବେ ସେବେ ପ୍ରକୃତି ତା'ର ଭୟଙ୍କର ରୂପ ଦେଖାଇଛି। ଆଉ ତାହାର ଜ୍ୱଳନ୍ତ ତଥା ତାଜା ଉଦାହରଣ ହେଉଛି, ରାଜସ୍ଥାନ ଅଲୱର ସନିକଟ ସରିସ୍କା ଟାଇଗର୍ ରିଜର୍ଭ। ଯେଉଁଠାରୁ ଧ୍ୱଂସର ଏମିତି ରୂପ ସାମନାକୁ ଆସିଛି, ଯାହା ବୋଧହୁଏ ପୂର୍ବରୁ କେହି କେବେ ବି ଦେଖି ନ ଥିବେ। ୪ ଦିନ ୫ ରାତି ହେବ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ସରିସ୍କା ଜଙ୍ଗଲ ଜଳୁଛି। ବନ୍ୟଜନ୍ତୁଙ୍କ ପାଇଁ ସ୍ୱର୍ଗ ସଦୃଶ ଜଙ୍ଗଲ ଏବେ ତାଙ୍କ ପାଇଁ କବର ପାଲଟିଚାଲିଛି। କାରଣ ୧୦୦ ଘଣ୍ଟାରୁ ଅଧିକ ସମୟ ହେବ ଜଳୁଥିବା ଜଙ୍ଗଲ ନିଆଁ ଏୟାବତ୍ ନିୟନ୍ତ୍ରଣକୁ ଆସୁନି। ଫଳରେ ଏ ବିନାଶଲୀଳା ବନ୍ୟଜନ୍ତୁଙ୍କ ଜୀବନ ଉପରେ ବେଳକୁ ବେଳ ଭାରି ପଡ଼ିବାରେ ଲାଗିଛି। ଏ ଭିତରେ ନିଆଁ ଜଙ୍ଗଲର ପ୍ରାୟ ୧୦ ବର୍ଗ କିଲୋମିଟର୍ ଅଞ୍ଚଳକୁ ବ୍ୟାପିସାରିଲାଣି। ସରିସ୍କାର ୩ଟି ରେଞ୍ଜର କର୍ମଚାରୀ, ସ୍ଥାନୀୟ ଗ୍ରାମବାସୀ ଓ ପ୍ରଶାସନ ପାରୁ ପର୍ଯ୍ୟନ୍ତ ଉଦ୍ୟମ କରୁଥିଲେ ସୁଦ୍ଧା ସ୍ଥିତି ଯେମିତି କି ସେମିତି ଅଛି। ଉଦ୍ଧାର କାର୍ଯ୍ୟ ଜାରି ଥିଲେ ମଧ୍ୟ ପ୍ରକୃତିର ଏହି ରୌଦ୍ର ରୂପକୁ ଶାନ୍ତ କରିବାରେ ସମସ୍ତେ ଫେଲ୍ ମାରିଛନ୍ତି। ଆଖପାଖରେ ଥିବା ୪ଟା ଗାଁକୁ ଖାଲି କରିଦିଆଯାଇଛି। 


Also Read: ବର୍ଷେ ପରେ ପୁଣି ଜଳିଲା ଜୈବ ମଣ୍ଡଳ, ଏଥର ବନ୍ଧା ହେଲେ ପାଞ୍ଚ


ଏମିତି ନୁହେଁ ଯେ, ଏ ଜଙ୍ଗଲରେ କେବେ ଏମିତି ନିଆଁ ଲାଗିନାହିଁ। କିନ୍ତୁ ନୂଆ କଥା ହେଲା, ନିଆଁ ଲାଗିବା ଜାଣି ସୁଦ୍ଧା ବିଭାଗୀୟ ବାବୁମାନେ ଲିଭାଇବାକୁ କିଛି ଉଦ୍ୟମ କଲେନି, ବରଂ ଅଣଦେଖା କରି ଅଜାଣତରେ ଛୋଟ ବହ୍ନିଟିକୁ ଭୟଙ୍କର ଆକାର ଦେଇଦେଲେ। ରିପୋର୍ଟ ମୁତାବକ, ଗତ ରବିବାର ସନ୍ଧ୍ୟାରେ ଏ ନିଆଁ ଲାଗିଥିଲା। ସେଠାର ରେଞ୍ଜର ଜିତେନ୍ଦ୍ର କୁମାର ଓୟାରଲେସ୍ ଜରିଆରେ ଅଧିକାରୀମାନଙ୍କୁ ଏନେଇ ସୂଚନା ଦେଇଥିଲେ। ମାତ୍ର ଅଧିକାରୀମାନେ ଏହାକୁ ହାଲୁକା ଭାବେ ନେଲେ। କାରଣ ଖୋଦ୍ ସିସିଏଫ୍ ଆର୍ ଏନ୍ ମୀନା ଓ ଡିଏଫଓ ସୁଦର୍ଶନ ଶର୍ମାଙ୍କ ସମେତ ଆଉ କେତେଜଣ ବଡ଼ ଅଧିକାରୀ ସରିସ୍କା ଟାଇଗର୍ ରିଜର୍ଭ ବୁଲିବାକୁ ଆସିଥିବା ସେଲିବ୍ରିଟିଙ୍କ ଖାତିରଦାରିରେ ବ୍ୟସ୍ତ ଥିଲେ। ଆଉ ସେହି ସେଲିବ୍ରିଟିଙ୍କ ମଧ୍ୟରେ ଭାରତ ରତ୍ନ ସଚିନ ତେନ୍ଦୁଲକରଙ୍କ ପତ୍ନି ଅଞ୍ଜଳି ତେନ୍ଦୁଲକର ମଧ୍ୟ ଥିଲେ। ଅଞ୍ଜଳିଙ୍କ ଜଙ୍ଗଲ ଉପଭୋଗରେ ଯେମିତି କିଛି କମି ନ ରହିଯାଏ, ସେହି ଅଧିକାରୀମାନେ ସେଥିପ୍ରତି ବହୁତ ଧ୍ୟାନ ଦେଉଥିଲେ। ହିନ୍ଦୀରେ ଗୋଟିଏ ଲୋକକଥା ଅଛି... 'ଆଗ୍ ଲଗେ ବସ୍ତି ମେଁ, ହମ୍ ଅପନୀ ମସ୍ତି ମେଁ...'। ଆଉ ସରିସ୍କା ଜଙ୍ଗଲର ଅଧିକାରୀମାନେ ଠିକ୍ ତାହା ହିଁ କରୁଥିଲେ ବୋଲି ଅଞ୍ଜଳି ତେନ୍ଦୁଲକର ପରବର୍ତ୍ତୀ ସମୟରେ ଛାଡ଼ିଥିବା ସେଲଫି ଫଟୋ ଓ ଭିଡିଓରୁ ସ୍ପଷ୍ଟ ଦିଶୁଛି।


ପଦାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳିଛି, ଅଞ୍ଜଳି ତେନ୍ଦୁଲକର ନିଜ ବନ୍ଧୁଙ୍କ ସହ ଜଙ୍ଗଲ ସଫାରୀର ମଜା ନେଉଛନ୍ତି। ଜଙ୍ଗଲରେ ଘୁରି ବୁଲୁଥିବା ବାଘଙ୍କ ସହ ଅତି ନିକଟରୁ ଜିପସିରେ ବସି ସେଲଫି ନେଉଛନ୍ତି। ଆଉ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା, ଫଟୋ ଓ ଭିଡିଓ ଖୋଦ୍ ବନ ବିଭାଗର ଏହି ବଡ଼ ବାବୁମାନେ ସୁଟ୍ କରୁଛନ୍ତି। କେବଳ ଏତିକି ନୁହେଁ, ଖୋଦ୍ CCF ସାହାବ ଗାଡ଼ି ଚଳାଇ ତାଙ୍କୁ ସରିସ୍କାରେ ଟାଇଗର୍ ସାଇଟିଂ କରାଉଛନ୍ତି। ଜଙ୍ଗଲ ମଧ୍ୟରେ ଥିବା ଆଉଟ୍ ହାଉସରେ ପାର୍ଟି ମଧ୍ୟ ହେଉଛି। ଏସବୁ ଭିଡିଓ ରବିବାରର ବୋଲି କୁହାଯାଉଛି। ଅର୍ଥାତ୍ ରେଞ୍ଜର୍ ଯେବେ ନିଆଁ ଲାଗିବା ସମ୍ପର୍କରେ ସୂଚନା ଦେଉଥିଲେ, ଏହି ଦାୟିତ୍ୱବାନ ଅଧିକାରୀମାନେ ଅଞ୍ଜଳିଙ୍କୁ ଜଙ୍ଗଲ ସଫାରୀ କରାଉଥିଲେ। କିନ୍ତୁ ସେଠାରୁ ଆସୁଥିବା ନିଆଁ ସମ୍ପର୍କିତ ଖବରକୁ ଆଦୌ ଧ୍ୟାନ ଦେଇ ନ ଥିଲେ। ଫଳସ୍ୱରୂପ ପ୍ରକୃତିର ତାଣ୍ଡବରେ ଆଜି ପ୍ରକୃତି ଧରାଶାୟୀ ହେଉଛି ଆଉ ମନୁଷ୍ୟକୃତ ଭୁଲକୁ ପୂରା ବିଭାଗ ପିଠି ଥାପୁଡ଼ାଇ ମହାନ କ୍ରିକେଟର୍ ସଚିନ ତେନ୍ଦୁଲକରଙ୍କ ମନ କିଣିବାକୁ ଚେଷ୍ଟା କରୁଛି।


Also Read: ପ୍ରଚଣ୍ଡ ଖରାରେ ଅଦିନିଆ ବର୍ଷା, ଆଜିଠୁ ଏହି ସବୁ ଜିଲ୍ଲାରେ ବର୍ଷିବ!


ତେଣୁ ଏଠାରେ ପ୍ରଶ୍ନ ଉଠିବା ସ୍ୱାଭାବିକ, ଯଦି ସାଧାରଣ ଲୋକଟିଏ ଜଙ୍ଗଲ ଆଇନ ଭାଙ୍ଗି କିଛି ଭୁଲ କରୁଛି ତୁରନ୍ତ ଏ ବିଭାଗ ତା'କୁ ନାନା କେସରେ ଫସାଇ ଜେଲ୍ ଚାରିକାନ୍ଥକୁ ପଠାଇଦେଉଛି। ଏଠାରେ ତ ଖୋଦ୍ ବିଭାଗୀୟ ବାବୁ ଭୁଲ କରିଛନ୍ତି। କ'ଣ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ନା ଓଡ଼ିଶା ଫରେଷ୍ଟ ଭଳି ଏକପାଖିଆ ଆଇନ ସେଠାରେ ବି ଚାଲିବ? କିଛି ତଳିଆ କର୍ମଚାରୀଙ୍କୁ କାର୍ଯ୍ୟରେ ଅବହେଳା କରିଥିବା ଦର୍ଶାଇ ଚାକିରିରୁ ତଡ଼ାଯିବ ଓ ବଡ଼ ବାବୁମାନେ ସେମିତି ଟି-କଫି ଆଉ ଟଫି ପାର୍ଟିରେ ବ୍ୟସ୍ତ ରହିବେ। ସେପଟେ ଜଙ୍ଗଲ ବି ଜଳି ଧ୍ୱଂସ ପାଇଯିବ। କାରଣ ଜଙ୍ଗଲ ନିଆଁ ଆରମ୍ଭରୁ ନ ଛପିଲେ, ଆଗକୁ ତା'କୁ ରୋକିବା ମୁସ୍କିଲ୍। ଯାହା ବିଗତ ଦିନରେ ଓଡ଼ିଶାର ବ୍ୟାଘ୍ର ଅଭୟାରଣ୍ୟ ଶିମିଳିପାଳରେ ଦେଖିବାକୁ ମିଳିଥିଲା।