ନୂଆଦିଲ୍ଲୀ: ଶେଷରେ ୩ଟି ବିବାଦୀୟ ନୂଆ କୃଷି ଆଇନ ଉପରେ ଲାଗିଲା ରୋକ। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଆଇନର କାର୍ଯ୍ୟକାରିତା ଉପରେ ମଙ୍ଗଳବାର ସୁପ୍ରିମକୋର୍ଟ  ରହିତାଦେଶ ଦେଇଛନ୍ତି। ଏହା ବ୍ୟତୀତ କୃଷି ଆଇନକୁ ନେଇ ରହିଥିବା ସମସ୍ୟାର ସମାଧାନର ବାଟ ଖୋଜିବାକୁ ଏକ ୪ ଜଣିଆ କମିଟି ଗଠନ କରାଯାଇଛି।


COMMERCIAL BREAK
SCROLL TO CONTINUE READING

ମଙ୍ଗଳବାର ସୁପ୍ରିମକୋର୍ଟ (Supreme Court) ଙ୍କ ୧୮ ନମ୍ବର ଆଇଟମରେ କୃଷି ଆଇନ (Farm Law 2020) କୁ ନେଇ ଦାଖଲ ଯାଚିକାର ଶୁଣାଣି ହୋଇଛି। ସିଜେଆଇ ଏସ୍ଏ ବୋବଡେ (CJI),  ଜଷ୍ଟିସ ଏସ ବୋପାନ୍ନା, ଜଷ୍ଟିର ଭି ରାମାସୁବ୍ରମନିୟନଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରିବା ସହ ରାୟ ପ୍ରକାଶ କରିଛନ୍ତି। ଦୀର୍ଘ ଏକ ଘଣ୍ଟାର ଶୁଣାଣି ପରେ ସୁପ୍ରିମକୋର୍ଟ ନୂଆ କୃଷି ଆଇନ ଉପରେ ରୋକ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି। ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ଆଇନ କାର୍ଯ୍ୟକାରୀ ହୋଇ ପାରିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି।


ଏହାବ୍ୟତୀତ କୃଷି ଆଇନକୁ ନେଇ ଲାଗିଥିବା ବିବାଦର ସମାଧାନ ପାଇଁ ୪ ଜଣିଆ କମିଟି ଗଠନ କରାଯାଇଛି। କୋର୍ଟରେ କୃଷଙ୍କ ପ୍ରତିନିଧିତ୍ୱ କରୁଥିବା ଓକିଲ ଏମ୍ଏଲ୍ ଶର୍ମା କମିଟିରେ ଜଷ୍ଟିକ କେଏସ୍ ଖେହର, ଜଷ୍ଟିସ ଜିଏସ୍ ସିଙ୍ଘବି ଓ ଜଷ୍ଟିସ ଅଗ୍ରୱାଲଙ୍କ ନାମ ସୁପାରିସ କରିଥିଲେ। କିନ୍ତୁ ଜିତେନ୍ଦ୍ର ସିଂହ ମାନ (ସଭାପତି, BKU), ଡକ୍ଟର, ପ୍ରମୋଦ ଯୋଶୀ (ମୁଖ୍ୟ, ଆନ୍ତର୍ଜାତୀୟ ପଲିସି), ଅଶୋକ ଗୁଲାଟି (କୃଷି ଅର୍ଥନୀତିଜ୍ଞ) ଓ ଅନିଲ ଧାନଭାତ (ସଦସ୍ୟ, ଶିବକେରି ସଙ୍ଗଠନ-ମହାରାଷ୍ଟ୍ର) ଙ୍କୁ ନେଇ କୋର୍ଟ କମିଟି ଗଠନ କରିଛନ୍ତି। 


Also Read: କୃଷକ ଆନ୍ଦୋଳନ: ମୋଦି ସରକାରଙ୍କୁ ସୁପ୍ରିମକୋର୍ଟଙ୍କ କଡା ଭତ୍ସନା


ଆନ୍ଦୋଳକାରୀ କୃଷକ (Protest Farmers) ଙ୍କ ପ୍ରତିନିଧିମାନେ ଓକିଲଙ୍କ ଜରିଆରେ ସୁପ୍ରିମକୋର୍ଟଙ୍କ ଗଠିତ କମିଟିରେ ଅଭିଯୋଗ କରିପାରିବେ। ଏହି କମିଟି ବିବାଦୀୟ କୃଷି ଆଇନର ବିଶ୍ଲେଷଣ କରି ସମାଧାନର ବାଟ ବାହାର କରିବ। ଜଣେ ଅବସରପ୍ରାପ୍ତ ଜଷ୍ଟିସଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ପାଇଁ ପୂର୍ବେ କୋର୍ଟ କହିଥିଲେ। ଏଥିପାଇଁ ଜଷ୍ଟିସ ଆରଏମ୍ ଲୋଧାଙ୍କ ନାମ ସୁପାରିସ କରାଯାଇଥିଲା। କିନ୍ତୁ ମଙ୍ଗଳବାର ଗଠିତ କମିଟିରେ କୌଣସି ଜଷ୍ଟିସଙ୍କୁ ସାମିଲ କରାଯାଇନାହିଁ। 


ସମୋବାର ଶୁଣାଣି ବେଳେ କୋର୍ଟ ଆଇନକୁ ନେଇ ଯେଉଁଭଳି ସମ୍ବେନଶୀଳତା ଦେଖାଇ ଥିଲେ ମଙ୍ଗଳବାର ମଧ୍ୟ ଠିକ ସେହିଭଳି ହାବଭାବ ଦେଖିବାକୁ ମିଳିଛି। ନୂଆ କୃଷି ଆଇନ ବ୍ୟକ୍ତିର ଜୀବନ ମୃତ୍ୟୁ ପ୍ରସଙ୍ଗ ପାଲଟି ଗଲାଣି। ତେଣୁ ଏହାକୁ ନେଇ କୌଣସି ଅବହେଳା ଉଚିତ ନୁହେଁ। ସଂସଦରେ ପାରିତ ବିଲକୁ ରଦ୍ଦ କରିବାର କ୍ଷମତା ସୁପ୍ରିମକୋର୍ଟଙ୍କ ଅଛି। କିନ୍ତୁ ନୂଆ କୃଷି ବିଲର ତୃଣମୂଳସ୍ତର ଓ ଜନମତ ବିଷୟରେ ଜାଣିବାର ଆବଶ୍ୟକତା ରହିଛି। ତେଣୁ ଏହାକୁ ସାମୟିକ ଭାବେ ରୋକ ଲଗାଯାଉଛି ବୋଲି ମୁଖ୍ୟ ବିଚାରପତି ଏସ୍ଏ ବୋବଡେ କହିଛନ୍ତି।


Also Read: କୃଷକ ଆନ୍ଦୋଳନ: ବଢୁଛି ଆକ୍ରୋଶ, ଜାନୁଆରୀ ୨୬ ପୂର୍ବରୁ ସରକାର ଦେଖିବେ ଟ୍ରେଲର୍


କୃଷି ଆଇନକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Modi) ଙ୍କ ନିରବତାକୁ ନେଇ ମଧ୍ୟ ସୁପ୍ରିମକୋର୍ଟରେ ପ୍ରଶ୍ନ ଉଠିଥିଲା। ପ୍ରଧାନମନ୍ତ୍ରୀ କାହିଁକି ସିଧାସଳକ ଆନ୍ଦୋଳନକାରୀ କୃଷକଙ୍କୁ ସମ୍ବୋଧନ କରୁନାହାନ୍ତି ବୋଲ ଓକିଲ ଏମ୍ଏଲ୍ ଶର୍ମା ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ କୋର୍ଟ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଏହି ମାମଲାର କୌଣସି ପକ୍ଷ ନୁହନ୍ତି। ତାଙ୍କର ଦ୍ୱିତୀୟ ଅଧିକାରୀ ଏଠାରେ ଅଛନ୍ତି। ତେଣୁ ଆମେ ସେ ବିଷୟରେ କିଛି କହି ପାରିବୁନାହିଁ। 


କୃଷି ଆଇନ ଉପରେ ରୋକ ଲଗାଇବା ନିର୍ଦ୍ଦେଶ ପରେ ସିଜେଆଇ ବୋବଡେଙ୍କୁ ଜୀବନ୍ତ ଠାକୁର ବୋଲି ଏମ୍ଏଲ୍ ଶର୍ମା ସମ୍ବୋଧନ କରିଥିଲେ। ରାମଳୀଳା ମଇଦାନ ଓ ବୋଟ କ୍ଲବରେ ଚାଷୀଙ୍କୁ ଆନ୍ଦୋଳ କରିବାକୁ ଅନୁମତି ଦେବାକୁ ଓକିଲ ଏପି ସିଂହ ଆବେଦନ କରିଛି। କୋର୍ଟରେ ଶୁଣାଣି ବେଳେ ଖାଲିସ୍ତାନ ଫଣ୍ଡି ପ୍ରସଙ୍ଗ ବି ଉଠିଥିଲା। ସେପଟେ କୋର୍ଟଙ୍କ କମିଟିରେ ଉପସ୍ଥିତ ନ ହେବାକୁ କୃଷକମାନେ ନିଷ୍ପତ୍ତି ନେଇଛନ୍ତି। ସରକାର ସିଧାସଳଖ ଆଲୋଚନାରେ ବିଫଳ ହୋଇଥିବାରୁ କୋର୍ଟଙ୍କ ସାହାରା ନେଇଛନ୍ତି ଏବଂ କମିଟିରେ ସରକାରଙ୍କ ସମର୍ଥକଙ୍କୁ ସାମିଲ କରାଯାଇଥିବା ସେମାନେ ଅଭିଯୋଗ କରିଛନ୍ତି।