କାମାକ୍ଷାନଗର: ଜଳବନ୍ଦୀ ଅବସ୍ଥାରେ ଗ୍ରାମବାସୀ। ସାମାନ୍ୟ ବର୍ଷାରେ ଘରେ ପଶୁଛି ପାଣି। ପାଣି ନିଷ୍କାସନ ପାଇିଁ ହୋଇଥିବା ଡ୍ରେନେଜ ପୋତାହେବା ଫଳରେ ପାଣି ନଯିବା ଯୋଗୁ ଜଳବନ୍ଦୀ ଜୀବନ ବିତାଉଛନ୍ତି ଗ୍ରାମବାସୀ। ରୋଷେଇ ଘର ଠାରୁ ଆରମ୍ଭ କରି ଠାକୁର ଘରେ ଆବର୍ଜନା ପାଣି ପସିବା ସହ ଦୀର୍ଘ ଦିନ ଧରି ଜମିରହୁଛି ଆଣ୍ଠୁଏ ଉଚ୍ଚର ପାଣି। କୃତ୍ରିମ ବନ୍ୟା ଜଳରେ ହନ୍ତସନ୍ତ ଗ୍ରାମବାସୀ। ଏନେଇ ପ୍ରଶାସନକୁ ଜଣାଇଲେ ମଧ୍ୟ କିଛି ସୁଫଳ ମିଳୁନାହିଁ। 


COMMERCIAL BREAK
SCROLL TO CONTINUE READING

ଢେଙ୍କାନାଳ (Dhenkanal) ଜିଲ୍ଲା କାମାକ୍ଷାନଗର ଥାନା (Kamakhyanagar Police Station) ଜିରାଳ ଗ୍ରାମର (Jiral Village) ହାଟସାହି। ଏଠାରେ ପ୍ରାୟ ୫ ଶହରୁ ଉର୍ଦ୍ଧ୍ୱ ଲୋକ ବସବାସ କରୁଥିବା ବେଳେ ଗତ ୨ ବର୍ଷ ହେବ ବର୍ଷ ୪ ମାସ ଜଳବନ୍ଦୀ ଜୀବନ ବିତାଉଛନ୍ତି ସ୍ଥାନୀୟ ବାସିନ୍ଦା। ଘର ଭିତରେ ପାଣି ପଶି ଆଣ୍ଠୁଏ ଉଚ୍ଚର ଜମି ରହିବା ସହ ଗ୍ରାମରେ ରହିଥିବା କୂଅରେ ଦୂଷିତ ପାଣି ପ୍ରବେଶ କରୁଛି। ଏପରିକି ପିଇବା ପାଣି ଟୋପେ ମିଳୁନାହିଁ। ରାସ୍ତା ଉପରେ ବର୍ଷା ୪ମାସ ୩ ଫୁଟର ପାଣି ଚାଲିଛି। 


ଏକ ରକମର କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଯିବା ସହ ଜଳବନ୍ଦୀ ଭଳି ଦିନ ଅତିବାହିତ କରୁଛନ୍ତି ଗ୍ରାମବାସୀ। ଏହି ପାଣିରେ ଯିବା ଆସିବା ଦ୍ୱାରା ବିଭିନ୍ନ ଚର୍ମରୋଗରେ ଆକ୍ରାନ୍ତ ହେଉଥିବା କହିଛନ୍ତି। ଘର ଚାରିପାଖ ପଣି ଜମି ସିଉଳି ପଡିବା ସହ ଡେଙ୍ଗୁ, ମ୍ୟାଲେରିଆ ଭଳି ରୋଗ ବ୍ୟାପିବାରେ ଆଶଙ୍କା ରହିଛି। ପାଣି ଜମି ରହିବା ଦ୍ୱାରାଘରୁ ବାହାରିବା ସମ୍ଭବ ହେଉନାହିଁ।


ପୂର୍ବରୁ ପାଣି ସବୁ ଡ୍ରେନେଜ ଦ୍ବାରା ପାଣି ନିଷ୍କାସନ ହୋଇଯାଉଥିଲା। ୨ବର୍ଷ ତଳେ ପୂର୍ତ୍ତ ବିଭାଗ (PWD Department) ପକ୍ଷରୁ ରାସ୍ତା ନିର୍ମାଣ ବେଳେ ଉପରୋକ୍ତ ସମସ୍ୟା ଦେଖାଦେଇଥିଲା। ଏନେଇ ଗ୍ରାମବାସୀଙ୍କ ତରଫରୁ ଅଭିଯୋଗ କରାଯାଇଥିଲେ ମଧ୍ୟ ଠିକାଦାର କିମ୍ବା ବିଭାଗୀୟ ଅଧିକାରୀ ଏହା ଉପରେ ଧ୍ୟାନ ଦେଇନଥିଲେ। ପରବର୍ତ୍ତୀ ସମୟରେ ଏହି ଡ୍ରେନେଜ ଉପରେ ଜୋର ଜବରଦସ୍ତି ଗ୍ରାମର କିଛି ଲୋକ ନିଜ ଅକ୍ତିଆରକୁ ନେଇ ତାହାକୁ ପୋତି ଦେବା ସହ ଘର ମଧ୍ୟ ନିର୍ମାଣ କରିଛନ୍ତି।


Also Read: ବର୍ଷା ଖେଳୁଛି ଲୁଚକାଳି; ପମ୍ଫ ଲଗାଇ ବିଲରେ ପାଣି ମଡାଉଛନ୍ତି ଚାଷୀ


ଯାହା ଫଳରେ ଆବର୍ଜନା ପାଣି ନିଷ୍କାସିତ ହୋଇ ନପାରି ଗାଁ ରାସ୍ତାରେ ପ୍ରବାହିତ ହେବା ସହ ଲୋକଙ୍କ ଘର ଭିତରେ ପଶିଯାଉଛି। ପଣ୍ଡୁଆ-ମାର୍ଥାପୁର ପୂର୍ତ୍ତବିଭାଗ ରାସ୍ତା (Pandua-Marthapur PWD Road) ଉପରେ ୩ ଫୁଟର ପାଣି ଜମି ରହିଛି। ସରପଞ୍ଚଙ୍କ ଠାରୁ ଆରମ୍ଭ କରି ପ୍ରଶାସନ ପଯ୍ୟନ୍ତ ସମସ୍ତଙ୍କୁ ଘଟଣା ବାବଦରେ ଜଣାଇ ସାରିଛନ୍ତି ଗ୍ରାମବାସୀ। ଅନ୍ୟ କୌଣସି ବିକଳ୍ପ ବ୍ୟବସ୍ଥା ନହେବାରୁ ଗ୍ରାମବାସୀ ବାଧ୍ୟ ହୋଇ ପଣ୍ଡୁଆ-ମାର୍ଥାପୁର ରାସ୍ତାକୁ ଅବରୋଧ କରିଛନ୍ତି। 


ଏନେଇ କାମାକ୍ଷାନଗର ଉପଜିଲ୍ଲାପାଳଙ୍କୁ (Kamakhyanagar Sub Collector) ପଚାରିବାରୁ ସେ କହିଛନ୍ତି ଖବର ପାଇଛି କିପର ତୁରନ୍ତ ପାଣି ନିଷ୍କାସନ ସହ ଏ ଘଟଣାର ସ୍ଥାୟୀ ପ୍ରତିକାର କରାଯାଇପାରିବ ସେ ନେଇ କାମାକ୍ଷାନଗର ତହସିଲଦାର (Kamakhyanagar Tahasildar) ଏବଂ ଭୁବନ ବିଡିଓଙ୍କୁ (Bhuban BDO) ଘଟଣାସ୍ଥଳ ପରିଦର୍ଶନ କୁହାଯାଇଛି। ଖୁବ ଶୀଘ୍ର ଗ୍ରାମବାସୀଙ୍କୁ ସମସ୍ତ ସୁବିଧା ଯୋଗାଇ ଦିଆଯିବ। ଗୋଟିଏ ପଟେ ବର୍ଷାର ଅଭାବ ଯୋଗୁ ଚାଷ କାର୍ଯ୍ୟ ବନ୍ଦ ହୋଇଯାଇଥିବା ବେଳେ ଗ୍ରାମର କେତେକ ଲୋକଙ୍କ କାରଣରୁ ରାସ୍ତାରେ ମାଡୁଛି ଆବର୍ଜନା ପାଣି। ଏପରିସ୍ଥଳେ ଡେଙ୍ଗୁ ମ୍ୟାଲେରିଆ ଭଳି ମାରାତ୍ମକ ରୋଗ ବ୍ୟାପିବା ପୂର୍ବରୁ ଜଳ ନିଷ୍କାସନ ଜରୁରୀ ହୋଇପଡିଛି।