ମାନିଲା ଇରାନ, ଋଷ ନିର୍ମିତ ମିସାଇଲରେ ଖସିଥିଲା ୟୁକ୍ରେନ ବିମାନ
ପ୍ରଥମେ ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଇରାନ୍ କହିଥିଲା ।
ନୂଆଦିଲ୍ଲୀ: ଜାନୁଆରୀ ୮। ଇରାନର ଦ୍ୱିତୀୟ କ୍ଷମତାଶାଳୀ ବ୍ୟକ୍ତି ତଥା ମେଜର ଜେନେରାଲ ସୁଲେମାନୀଙ୍କ ହତ୍ୟାର ପ୍ରତିଶୋଧ ନେବାକୁ ଯାଇ ଇରାକସ୍ଥିତ ଆମେରିକା ସେନା କ୍ୟାମ୍ପ ଉପରେ ହମଲା କରିଥିଲା ଇରାନ୍ । ତୁହାକୁ ତୁହା ମିସାଇଲ ମାଡ଼ ହୋଇଥିଲା । ଆଉ ଏହାର କିଛି ସମୟ ପରେ ଇରାନର ରାଜଧାନୀ ତେହରାନରୁ ସବୁଦିନ ପରି ଉଡ଼ାଣ ଭରିଥିଲା ୟୁକ୍ରେନର ଯାତ୍ରୀବାହୀ ବିମାନ । ଏପଟେ ଇରାନ୍ ଶତ୍ରୁପକ୍ଷକୁ ଆକ୍ରମଣ ସିନା କରିଥିଲା, ହେଲେ କେତେବେଳେ ଯେ ପ୍ରତିପକ୍ଷ ପାଲଟା ଆକ୍ରମଣ କରିପାରେ ସେ ଭୟ ଘାରିଥିଲା । ଆଉ ଏହାରି ଭିତରେ ୟୁକ୍ରେନର ଯାତ୍ରୀବାହୀ ବିମାନକୁ ଆମେରିକାର ଫାଇଟର ଜେଟ ଭାବିନେଇଥିଲା ଇରାନ୍ । ଏପରିକି ମିସାଇଲ ମାଡ଼ କରି ଖସାଇ ବି ଦେଇଥିଲା । ଅକାରଣରେ ଚାଲି ଯାଇଥିଲା ୧୭୬ଟି ଜୀବନ ।
ପ୍ରଥମେ ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଇରାନ୍ କହିଥିଲା । ହେଲେ ଇରାନ୍ ଭୁଲି ଯାଇଥିଲା, ସେ ଭୁଲ ବଶତଃ ଖସାଇଥିବା ବିମାନଟି ୟୁକ୍ରେନର ଥିଲା, ଆମେରିକାର ନୁହେଁ । ଆଉ ୟୁକ୍ରେନର ଯେଉଁ ବିମାନ ଖସିଥିଲା, ସେଥିରେ କାନାଡ଼ା, ଅଷ୍ଟ୍ରେଲିଆ ଏବଂ ବ୍ରିଟେନର ଅଧିକାଂଶ ନାଗରିକ ଥିଲେ । ଅର୍ଥାତ ବିମାନ ଦୁର୍ଘଟଣାର କାରଣ ଜାଣିବା ପାଇଁ ସବୁ ଦେଶ ପକ୍ଷରୁ ଇରାନ୍ ଉପରେ ଚାପ ପଡ଼ିଥିଲା । ଶେଷରେ ବ୍ୟକବକ୍ସ ଦେବାକୁ ମନା କରୁଥିବା ଇରାନ୍ ସତ କହିବାକୁ ବାଧ୍ୟ ହୋଇଥିଲା । କହିଥିଲା, ଏହା ମାନବୀୟ ଭୁଲ ।
ଆଉ ଏବେ ସାମ୍ନାକୁ ଆସିଛି, ବିମାନ ଖସାଇବା ପାଇଁ ଇରାନ କେଉଁ ମିସାଇଲର ବ୍ୟବହାର କରିଥିଲା ? ବିମାନ ଟାର୍ଗେଟ ପାଇଁ ଋଷ ନିର୍ମିତ ୨ ମିସାଇଲର ବ୍ୟବହାର କରିଥିଲା ଇରାନ । ମଙ୍ଗଳବାର ଇରାନ ନିଜେ ଏକଥାକୁ ସ୍ୱୀକାର କରିଛି । ଇରାନର ନାଗର ବିମାନ ସଙ୍ଗଠନ ରିପୋର୍ଚ ହିଁ ଏକଥା କହୁଛି । ଇରାନ ଏଥିପାଇଁ TRR-M 1 ମିସାଇଲର ବ୍ୟବହାର କରିଥିବା ଗୋଟିଏ ପ୍ରକାର ସ୍ପଷ୍ଟ ହୋଇଛି ।
ଆହୁରି ପଢ଼ନ୍ତୁ; ଦିନେ ଆନ୍ନାଙ୍କୁ କହୁଥିଲ ପିତା, ସାଙ୍ଗକୁ କହୁଥିଲ ସାନ ଭାଇ...