ଯୁଦ୍ଧର ଛାୟା ତଳେ ଇରାନର ଅମାନବୀୟ ଭୁଲ...
Advertisement
Article Detail0/zeeodisha/odisha623110

ଯୁଦ୍ଧର ଛାୟା ତଳେ ଇରାନର ଅମାନବୀୟ ଭୁଲ...

ଇରାନ ମନ୍ତ୍ରୀଙ୍କ ସଫେଇ 'ଭୁଲ ହେଇଗଲା'

ଫାଇଲ ଫଟୋ

ନୂଆଦିଲ୍ଲୀ: ଇରାନ ଏମିତି ଏକ ଭୁଲ୍ କଲା, ଯାହା ମାନବିକତା ଉପରେ ପ୍ରଶ୍ନ ଛିଡ଼ା କରିଛି। ଇରାନ୍ ଏମିତି ଏକ ଭୁଲ କଲା, ଯେଉଁ ଭୁଲ ପାଇଁ ଅକାରଣରେ ୧୭୬ଟି ନୀରିହ ଜୀବନ ଗଲା । ଆମେରିକା ଏବଂ ଇରାନ୍ ମଧ୍ୟରେ ଉତ୍ତେଜନାମୂଳକ ସ୍ଥିତି ଲାଗି ରହିଥିବା ବେଳେ ଆମେରିକାର ଫାଇଟର ଜେଟର ଭ୍ରମରେ ପଡ଼ି ୟୁକ୍ରେନର ଯାତ୍ରୀବାହୀ ବିମାନକୁ ଖସାଇ ଦେଇଥିଲା ଇରାନ୍ । ପ୍ରାରମ୍ଭରେ ଯଦିଓ ଏଘଟଣାକୁ ଫାଙ୍କିବାକୁ ଉଦ୍ୟମ କରିଥିଲା, ଶେଷରେ ସତ ସାମ୍ନାକୁ ଆସିଲା । କାନାଡ଼ା ଏବଂ ଅଷ୍ଟ୍ରେଲିୟା ଭଳି ଦେଶର ଚାପରେ ସତ କହିବାକୁ ବାଧ୍ୟ ହୋଇଛି ଇରାନ । 

ଜାନୁଆରୀ ୮। ଇରାନର ଦ୍ୱିତୀୟ କ୍ଷମତାଶାଳୀ ବ୍ୟକ୍ତି ତଥା ମେଜର ଜେନେରାଲ ସୁଲେମାନୀଙ୍କ ହତ୍ୟାର ପ୍ରତିଶୋଧ ନେବାକୁ ଯାଇ ଇରାକସ୍ଥିତ ଆମେରିକା ସେନା କ୍ୟାମ୍ପ ଉପରେ ହମଲା କରିଥିଲା ଇରାନ୍ । ତୁହାକୁ ତୁହା ମିସାଇଲ ମାଡ଼ ହୋଇଥିଲା । ଆଉ ଏହାର କିଛି ସମୟ ପରେ ଇରାନର ରାଜଧାନୀ ତେହରାନରୁ ସବୁଦିନ ପରି ଉଡ଼ାଣ ଭରିଥିଲା ୟୁକ୍ରେନର ଯାତ୍ରୀବାହୀ ବିମାନ ।  ଏପଟେ ଇରାନ୍ ଶତ୍ରୁପକ୍ଷକୁ ଆକ୍ରମଣ ସିନା କରିଥିଲା, ହେଲେ କେତେବେଳେ ଯେ ପ୍ରତିପକ୍ଷ ପାଲଟା ଆକ୍ରମଣ କରିପାରେ ସେ ଭୟ ଘାରିଥିଲା । ଆଉ ଏହାରି ଭିତରେ ୟୁକ୍ରେନର ଯାତ୍ରୀବାହୀ ବିମାନକୁ ଆମେରିକାର ଫାଇଟର ଜେଟ ଭାବିନେଇଥିଲା ଇରାନ୍ । ଏପରିକି ମିସାଇଲ ମାଡ଼ କରି ଖସାଇ ବି ଦେଇଥିଲା । 

ପ୍ରଥମେ ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଇରାନ୍ କହିଥିଲା । ହେଲେ ଇରାନ୍ ଭୁଲି ଯାଇଥିଲା, ସେ ଭୁଲ ବଶତଃ ଖସାଇଥିବା ବିମାନଟି ୟୁକ୍ରେନର ଥିଲା, ଆମେରିକାର ନୁହେଁ । ଆଉ ୟୁକ୍ରେନର ଯେଉଁ ବିମାନ ଖସିଥିଲା, ସେଥିରେ କାନାଡ଼ା, ଅଷ୍ଟ୍ରେଲିଆ ଏବଂ ବ୍ରିଟେନର ଅଧିକାଂଶ ନାଗରିକ ଥିଲେ । ଅର୍ଥାତ ବିମାନ ଦୁର୍ଘଟଣାର କାରଣ ଜାଣିବା ପାଇଁ ସବୁ ଦେଶ ପକ୍ଷରୁ ଇରାନ୍ ଉପରେ ଚାପ ପଡ଼ିଥିଲା । ଶେଷରେ ବ୍ୟକବକ୍ସ ଦେବାକୁ ମନା କରୁଥିବା ଇରାନ୍ ସତ କହିବାକୁ ବାଧ୍ୟ ହୋଇଛି । କହିଛି, ଏହା ମାନବୀୟ ଭୁଲ । 

ନଜର ପକାନ୍ତୁ ଇରାନର ବୈଦେଶିକ ମନ୍ତ୍ରୀଙ୍କ ଟ୍ୱିଟ ଉପରେ । କହିଛନ୍ତି, ଭୁଲ ହୋଇଗଲା । ମୃତକଙ୍କ ପରିବାର ଆଗରେ ଶୋକବ୍ୟକ୍ତ ମଧ୍ୟ କରିଛନ୍ତି । ଏହା ଏକ ଦୁଃଖଦ ଦିନ ଥିଲା କହିବା ସହ ଭୁଲ ପାଇଁ କ୍ଷମା ମଧ୍ୟ ମାଗିଛନ୍ତି । ପଶ୍ଚାତାପ କରିଛନ୍ତି । ହେଲେ ଏହା ସହ ଏ ଭୁଲ ସାମାନ୍ୟ ଭୁଲ ନୁହେଁ । ବିଶ୍ୱବାସୀଙ୍କ ଧ୍ୟାନ ଆକର୍ଷଣ କରିଛି ଏହି ଭୁଲ । କେତେ ନୀରିହ ମା' ଆଖିରୁ ଲୁହ ଗଡ଼ାଇଛି ଏ ଭୁଲ । 

ଦୁର୍ଘଟଣାଗସ୍ତ ବିମାନରେ ବିଶେଷକରି ଇରାନର ୮୨, ୟୁକ୍ରେନର ୧୧ ଏବଂ କାନାଡ଼ାର ୬୩ ଜଣ ଲୋକ ଥିଲେ । ଏହା ବ୍ୟତୀତ ସ୍ୱୀଡ଼େନ, ବ୍ରିଟେନ, ଆଫଗାନିସ୍ତାନ ଏବଂ ଜର୍ମାନୀର ମଧ୍ୟ ନାଗରିକ ଥିଲେ । ଅର୍ଥାତ ଇରାନ ଯେଉଁ ଭୁଲ କରିଛି, ସେଥିରେ ନିଜ ଦେଶର ବହୁ ପରିବାର ମଧ୍ୟ ଅନାଥ ହୋଇଛନ୍ତି । ଆଉ ଉଜାଗର ହୋଇଛି ଭୁଲରେ ବିମାନ ଖସାଇବା ଘଟଣା । କାହିଁକିନା, ଏହା ନୂଆ ନୁହେଁ । ପୂର୍ବରୁ ଏପରି ଅନେକ ଘଟଣାର ନଜିର ରହିଛି । 

ଆହୁରି ପଢ଼ନ୍ତୁ; ଦେଶରେ ଲାଗୁ ହେଲା ନାଗରିକତା ସଂଶୋଧନ ଆଇନ୍ ସିଏଏ