ଦିନେ ଆନ୍ନାଙ୍କୁ କହୁଥିଲ ପିତା, ସାଙ୍ଗକୁ କହୁଥିଲ ସାନ ଭାଇ...
Advertisement
Article Detail0/zeeodisha/odisha628363

ଦିନେ ଆନ୍ନାଙ୍କୁ କହୁଥିଲ ପିତା, ସାଙ୍ଗକୁ କହୁଥିଲ ସାନ ଭାଇ...

କେଜ୍ରିୱାଲ 'ଫ୍ୟାମିଲି'କୁ କୁମାରଙ୍କ କାଉଣ୍ଟର

ଫାଇଲ ଫଟୋ

ନୂଆଦିଲ୍ଲୀ: ଆଜି ସେହି ଦଳରେ ନାହାଁନ୍ତି ସିନା, ହେଲେ ଦଳ ମୁଖିଆଙ୍କ ପ୍ରତିଟି କଥାକୁ ପଢ଼ୁଛନ୍ତି । ଆଉ ସେ ଉପରେ ଟିପ୍ପଣୀ ମଧ୍ୟ ଦେଉଛନ୍ତି । ଯେଉଁ ଦଳ ପାଇଁ ଦିନେ ସେ କେତେ ସ୍ୱପ୍ନ ଦେଖିଥିଲେ, ଆଜି ସେ ଦଳରୁ ବହୁ ଦୂରରେ । ଦିନେ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କ 'ଫ୍ୟାମିଲି'ର ସଦସ୍ୟ ବୋଲି ନିଜକୁ ଭାବୁଥିଲେ । କେଜ୍ରିୱାଲ ଯେତେବେଳେ ତାଙ୍କୁ ଛୋଟ ଭାଇ କହୁଥିଲେ, ସେ ଭଲ ପାଇବାରେ ହଜି ଯାଉଥିଲେ । ହେଲେ ଆଜି କେଜ୍ରିୱାଲଙ୍କ ମୁହଁରୁ 'ଫ୍ୟାମିଲି' ଶବ୍ଦ ତାଙ୍କୁ ହଜମ ହେଉନି । ବୋଧେ ନିଜ ପ୍ରତି ହୋଇଥିବା ଅବିଚାରକୁ ଭୁଲି ପାରୁନାହାଁନ୍ତି କବି କୁମାର ବିଶ୍ୱାସ । 

ଅବସର ଥିଲା କେଜ୍ରିୱାଲଙ୍କ ନାମାଙ୍କନ ଦାଖଲ । ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଶେଷ ଦିନରେ ନାମାଙ୍କନ ଦାଖଲ କରିଥିଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ପୂର୍ବଦିନ ସମର୍ଥକ ରୋକିଥିଲେ, ହେଲେ ଶେଷ ଦିନରେ ବହୁ ସଂଖ୍ୟାରେ ସ୍ୱାଧୀନ ପ୍ରାର୍ଥୀ । ଦୀର୍ଘ ୬ଘଣ୍ଟା ଧରି ଧାଡ଼ିରେ ଛିଡ଼ା ହେବା ପରେ ଯାଇ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ କେଜ୍ରିୱାଲ । ଅନେକ ସ୍ୱାଧୀନ ପ୍ରାର୍ଥୀଙ୍କ ଆବଶ୍ୟକ କାଗଜ ପତ୍ର, ପ୍ରସ୍ତାବକ ନଥାଏ ମଧ୍ୟ କେଜ୍ରିୱାଲଙ୍କ ବାଟ ହୁଡ଼ିବା ପାଇଁ ବିଜେପି ଏପ୍ରକାର ଷଡ଼ଯନ୍ତ୍ର କରିଥିବା ଅଭିଯୋଗ କରିଥିଲା ଆପ୍ । 

ଯଦିଓ ଆପ୍ ଏଥିରେ ରାଜନୈତିକ ଗନ୍ଧ ବାରିଥିଲା, ଏହାକୁ ଅତି ହାଲୁକାର ସହ ନେଇଥିଲେ ଅରବିନ୍ଦ କେଜ୍ରିୱାଲ । କହିଥିଲେ , ସେମାନେ ପ୍ରଥମ ଥର ପାଇଁ ନାମାଙ୍କନ ଦାଖଲ କରୁଛନ୍ତି । ପ୍ରଥମ ଥର ଭୁଲ ହେବ । ଆମର ମଧ୍ୟ ପ୍ରଥମ ଥରରେ ଭୁଲ ହେଉଥିଲା । ମୁଁ ଧାଡ଼ିରେ ଛିଡ଼ା ହୋଇ ଅପେକ୍ଷାକୁ ଉପଭୋଗ କରୁଛି । ସେମାନେ ସମସ୍ତେ ମୋ 'ଫ୍ୟାମିଲି'ର ।

ତେବେ ଅରବିନ୍ଦ କେଜ୍ରିୱାଲଙ୍କ ଏହି ଫ୍ୟାମିଲି ଶବ୍ଦକୁ ସହଜରେ ଗ୍ରହଣ କରିପାରିନାହାଁନ୍ତି ଆପ୍ ଛାଡ଼ି ସାରିଥିବା କୁମାର ବିଶ୍ୱାସ । କେଜ୍ରିୱାଲଙ୍କ ମନେ ପକାଇ ଦେଇଛନ୍ତି ସେହି 'ପୁରୁଣା ଫ୍ୟାମିଲି' କଥା । ଟ୍ୱିଟ କରି କହିଛନ୍ତି, ''ଫ୍ୟାମିଲି ? ଯେଉଁ ଅନ୍ନାଙ୍କୁ ପିତୃପ୍ରତିମ, ଯୋଗେନ୍ଦ୍ର ଯାଦବଙ୍କୁ ବଡ଼ ଭାଇ, ସାଙ୍ଗକୁ(ନିଜେ କୁମାର ବିଶ୍ୱାସ) ସାନ ଭାଇ କହିଥିଲ, ପରବର୍ତ୍ତୀ ସମୟରେ ସେମାନଙ୍କ ସହ ହତ୍ୟାକାରୀ ଭଳି ଷଡ଼ଯନ୍ତ୍ର କରିଥିଲ । ଏହି ବିଚରାମାନଙ୍କ ସହ ସେପ୍ରକାର ବ୍ୟବହାର ହେବ କି ? ଅନ୍ତତଃ ପରିବାର, ସଂସ୍କାର ଇତ୍ୟାଦି ଶବ୍ଦର ବ୍ୟବହାର କରିବାତ ଛାଡ଼ଦିଅ ।''

ଆହୁରି ପଢ଼ନ୍ତୁ; ଶନିଦଶାରୁ ମୁକ୍ତି ନାହିଁ