ନୂଆଦିଲ୍ଲୀ: ଟ୍ରମ୍ପଙ୍କ ଭାରତ ଗସ୍ତକୁ ନେଇ ତୁହାକୁ ତୁହା ବର୍ଷୁଛି ଶିବସେନା । ଦଳୀୟ ମୁଖପତ୍ର 'ସାମନା'ରେ ଏହି ଗସ୍ତର ବିଭିନ୍ନ ଦିଗ ଉପରେ ଆଲୋଚନା କରି ସରକାରଙ୍କୁ ଟାର୍ଗେଟ କରୁଛି ଦଳ । ଆଜି ବି ସମାନ ଢଙ୍ଗରେ କଟାକ୍ଷ କରାଯାଇଛି । ଭାରତ ସ୍ୱାଧୀନ ହେବା ପୂର୍ବରୁ ଇଂଲଣ୍ଡର ରାଣୀଙ୍କୁ ଯେପରି ସ୍ୱାଗତ କରାଯାଉଥିଲା, ସ୍ୱାଧୀନ ଭାରତରେ ଟ୍ରମ୍ପଙ୍କୁ ସେପ୍ରକାର ସ୍ୱାଗତ କରାଯାଉଥିବା କହିଛି ଶିବସେନା । ଆଉ ଏନେଇ ପ୍ରବଳ ବର୍ଷିଛି ମଧ୍ୟ । 


COMMERCIAL BREAK
SCROLL TO CONTINUE READING

'ସାମନା' ସମ୍ପାଦକୀୟରେ କୁହାଯାଇଛି, ''ଆମେରିକା ରାଷ୍ଟ୍ରପତି ଅର୍ଥାତ 'ବାଦଶାହ' ଆସନ୍ତା ସପ୍ତାହରେ ହିନ୍ଦୁସ୍ଥାନ ଆସୁଛନ୍ତି । ଆଉ ଏଥିପାଇଁ ଦେଶରେ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଟ୍ରମ୍ପ କ'ଣ ଖାଆନ୍ତି, କ'ଣ ପିଅନ୍ତି, ଶେଯ-ପଲଙ୍କ, ଟେବୁଲ, ବାଥରୁମ ଇତ୍ୟାଦି କିପରି ହେବ, ସେନେଇ କେନ୍ଦ୍ର ସରକାର ବୈଠକ କରୁଛନ୍ତି । ପରାଧୀନ ଭାରତରେ ଇଂଲଣ୍ଡର ରାଜା କିମ୍ବା ରାଣୀଙ୍କ ଗସ୍ତ ବେଳେ ହେଉଥିବା ପ୍ରସ୍ତୁତି ଓ ଟ୍ରମ୍ପଙ୍କ ପାଇଁ ହେଉଥିବା ପ୍ରସ୍ତୁତି ଏକା ପରି ମନେହେଉଛି । ଦିନେ ଇଂଲଣ୍ଡର ରାଜା-ରାଣୀଙ୍କ ପାଇଁ ଭାରତୀୟଙ୍କ ଟଙ୍କାରୁ ଏପ୍ରକାର ପ୍ରସ୍ତୁତି ହେଉଥିଲା ।''


ସମ୍ପାଦକୀୟରେ ଆହୁରି ମଧ୍ୟ କୁହାଯାଇଛି, ଟ୍ରମ୍ପ ବିଶ୍ୱର କୌଣସି ଧର୍ମରାଜ କିମ୍ବା ସତ୍ୟବାଦୀ ନୁହେଁ । ସେ ଜଣେ ଧନୀ ଉଦ୍ୟୋଗ ପତି । ଆମର ଏଠି ଯେପରି କୌଣସି ଉଦ୍ୟୋଗପତି ଟଙ୍କା ବଳରେ ରାଜନୀତିକୁ ନିଜ ହାତମୁଠାରେ ରଖିବାକୁ ଚେଷ୍ଟା କରିଥାନ୍ତି, ଟ୍ରମ୍ପଙ୍କ କ୍ଷେତ୍ରରେ ମଧ୍ୟ ସେମିତି କିଛି ହୋଇଛି । ମୌକା ଆସିଲେ ଗଧକୁ ମଧ୍ୟ ବାପ କହିବାକୁ ପଡ଼ିଥାଏ ବୋଲି କଟାକ୍ଷ କରିଛି ଶିବସେନା । 


ଟ୍ରମ୍ପଙ୍କ ଗସ୍ତ ନେଇ ଦିଲ୍ଲୀରେ କେତେ ଉତ୍ସାହ ଅଛି, ତାହା ଜଣାନାହିଁ । ମାତ୍ର ଗୁଜୁରାଟର ପ୍ରସ୍ତୁତି କହିଲେ ନସରେ । ଟ୍ରମ୍ପକୁ ପ୍ରଥମେ ଗୁଜୁରାଟ କାହିଁକି ନିମନ୍ତ୍ରଣ କରାଯାଉଛି, ଏନେଇ ଗନ୍ଧ ବାରିଛି ଶିବସେନା । ଏହି ପ୍ରଶ୍ନର ସଠିକ ଉତ୍ତର ମିଳିବା ବେଶ କଠିନ ବୋଲି ଦଳ କହିଛି । ଟ୍ରମ୍ପ ଅହମ୍ମଦାବାଦ ବିମାନ ବନ୍ଦରରେ ଓହ୍ଲାଇବେ, ଏଥିପାଇଁ ରାସ୍ତାଘାଟକୁ ଚକାଚକ୍ କରାଯାଉଛି । ଟ୍ରମ୍ପ ମାତ୍ର ୩ ଘଣ୍ଟା ପାଇଁ ଗୁଜୁରାଟ ଆସୁଥିବା ବେଳେ ୧୦୦ କୋଟି ଟଙ୍କା ପ୍ରସ୍ତୁତିରେ ଖର୍ଚ୍ଚ କରାଯାଉଛି । ଆଉ ଏହାକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ହମଲା କରିଛି ଶିବସେନା । 


ଟ୍ରମ୍ପଙ୍କ ସାମ୍ନାରେ ଗୁଜୁରାଟର ଝୁପୁଡ଼ି ଘର ଲୁଚାଇବା ପାଇଁ କିପରି ପାଚେରୀ ନିର୍ମାଣ କରାଯାଉଛି, ନିକଟରେ ସେନେଇ ଖବର ପ୍ରକାଶ ପାଇଥିଲା । ଟ୍ରମ୍ପ ଯେପରି ଝୁପୁଡ଼ି ଘର ନଦେଖିବେ, ସେନେଇ ଉଚ୍ଚ ଉଚ୍ଚ ପାଚେରୀ ନିର୍ମାଣ ହେଉଥିବା ଜଣାପଡ଼ିଥିଲା । ଆମେରିକା ରାଷ୍ଟ୍ରପତିଙ୍କ ନଜରରୁ ଗୁଜୁରାଟର ଝୁପୁଡ଼ି ଘର ଓ ଗରିବୀଙ୍କୁ ହଟାଇବା ପାଇଁ ଉଦ୍ୟମ ହେଉଛି । ଯାହାକୁ କଟାକ୍ଷ ପରି ମନେ ହେଉଥିବା କହିଛି ଶିବସେନା । ୧୫ ବର୍ଷ ପର୍ଯ୍ୟନ୍ତ ଗୁଜୁରାଟରେ ଶାସନ ଏବଂ ସମଗ୍ର ଦେଶରେ ୫ ବର୍ଷର ଶାସନ ପରେ ମଧ୍ୟ ଏଭଳି ସ୍ଥିତି କାହିଁକି ବୋଲି ଦଳ ପ୍ରଶ୍ନ କରିଛି । 



ଗତ ସାଧାରଣ ନିର୍ବାଚନ ପୂର୍ବରୁ ମୋଦିଙ୍କ ଜୟଜୟକାର କରିବା ପାଇଁ ଆମେରିକାରେ 'ହାୱଡି ମୋଦୀ' କାର୍ଯ୍ୟକ୍ରମ ହୋଇଥିଲା । ଆଉ ଏବେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଭାରତରେ 'କେମ ଛୋ ଟ୍ରମ୍ପ' ଅନୁଷ୍ଠିତ ହେଉଛି । ଏହାକୁ ରାଜନୈତିକ କାର୍ଯ୍ୟକ୍ରମ ଭାବରେ ଦଳ ଅବିହିତ କରିଛି । ଗୁଜୁରାଟର ବହୁ ନାଗରିକ ଆମେରିକାର ଅଛନ୍ତି । ସେମାନଙ୍କୁ ଆକର୍ଷଣ କରିବା ପାଇଁ 'କେମ ଛୋ ଟ୍ରମ୍ପ' ବୋଲି କହିଛି ଦଳ । 


ସମ୍ପାଦକୀୟର ଶେଷ ଆଡ଼କୁ ବଡ଼ ପ୍ରଶ୍ନ କରିଛି ଶିବସେନା । ଟ୍ରମ୍ପଙ୍କ ଗସ୍ତ ପରେ ଝୁପୁଡ଼ିକୁ ଲୁଚାଇବା ପାଇଁ ତିଆରି ହୋଇଥିବା ପାଚେରୀଙ୍କୁ ଭାଙ୍ଗିଦିଆଯିବନି ତ ବୋଲି ଏଥିରେ ପଚରାଯାଇଛି । ପ୍ରଥମେ 'ଗରୀବି ହଟାଅ' ଘୋଷଣାକୁ ନେଇ ବହୁତ ଉପହାସ କରାଯାଉଥିଲା । ଆଉ ଏବେ ଏହି ଘୋଷଣାର ରୂପାନ୍ତରିତ ରୂପ ଭାବରେ 'ଗରୀବି ଲୁଚାଅ' ଅଭିଯାନ ହେଉଥିବା ଦଳ କହିଛି । ନୂଆ ବଜେଟରେ 'ଗରିବୀ ଲୁଚାଅ' ପାଇଁ ବ୍ୟୟବରାଦ ହୋଇଛି କି ? ସମଗ୍ର ଦେଶରେ ଏପ୍ରକାର ପାଚେରୀ କରିବା ପାଇଁ ହିନ୍ଦୁସ୍ଥାନକୁ ଆମେରିକା ଋଣ ଦେବ କି ବୋଲି ପ୍ରଶ୍ନ କରିଛି ଶିବସେନା । 


ଆହୁରି ପଢ଼ନ୍ତୁ; ଟ୍ରମ୍ପଙ୍କ ଭାରତ ଗସ୍ତ ପୂର୍ବରୁ ଭିଡ଼ିଓ ଜାରି କରି ଧମକ ଦେଲେ ଆତଙ୍କୀ