'ସାମନା'ରେ ଟ୍ରମ୍ପ ଓ ଆମେରିକା କାହାଣୀ
Trending Photos
ନୂଆଦିଲ୍ଲୀ: ଆସନ୍ତା ୨୪ରୁ ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ତେବେ ଏହା ପୂର୍ବରୁ ଆମେରିକା ଉପରେ ବର୍ଷିଛି ଶିବସେନା । ଭାରତକୁ ବିକାଶଶୀଳ ଦେଶ ସୂଚୀରୁ ହଟାଇବା ନିଷ୍ପତ୍ତିକୁ ନେଇ ଦଳୀୟ ମୁଖପତ୍ର 'ସାମନା'ରେ କଡ଼ା ସମାଲୋଚନା କରାଯାଇଛି । ଭାରତୀୟ ଅର୍ଥବ୍ୟବସ୍ଥା ପାଇଁ ଏହାକୁ ଏକ ବଡ଼ ଝଟକା ଭାବେ ଅବିହିତ କରିଛି ଶିବସେନା ।
'ସାମନା'ର ସମ୍ପାଦକୀୟରେ କୁହାଯାଇଛି, ଭାରତ ବିକାଶଶୀଳ ଦେଶ ହୋଇଥିବାରୁ ଆଜି ପର୍ଯ୍ୟନ୍ତ ଉତ୍ପାଦନ ଏବଂ ରପ୍ତାନୀ କ୍ଷେତ୍ରରେ ଆମେରିକାରୁ ଟିକସ ରିହାତି ମିଳୁଥିଲା । ମାତ୍ର ଏବେ ହିନ୍ଦୁସ୍ଥାନକୁ ଆମେରିକୀୟ ବ୍ୟବସାୟ କ୍ଷେତ୍ରରେ ବଡ଼ ଝଟକା ଲାଗିଛି ।
ସମ୍ପାଦକୀୟରେ ଆହୁରି ମଧ୍ୟ କୁହାଯାଇଛି, ବିଶ୍ୱ ବାଣିଜ୍ୟ ସଙ୍ଗଠନ କାନ୍ଧରେ ବନ୍ଧୁକ ରଖି ଆମେରିକାର ବାଣିଜ୍ୟ ପ୍ରତିନିଧି ସମିତି(USTR) ବିକାଶଶୀଳ ଦେଶ ତାଲିକାରୁ ଭାରତକୁ ହଟାଇ ଦେଇଛି । ଏହାକୁ ହିନ୍ଦୁସ୍ଥାନ ପାଇଁ ବଡ଼ ଆର୍ଥିକ ଝଟକା ବୋଲି ଅବିହିତ କରିଛି ଶିବସେନା । ଏବେ ଆମେରିକାଠାରୁ ଟିକସ ରିହାତି ଆଉ ମିଳିବନାହିଁ । ଫଳରେ ଭରତୀୟ ସାମଗ୍ରୀ ରପ୍ତାନୀ କ୍ଷେତ୍ରରେ ହିନ୍ଦୁସ୍ଥାନକୁ ବହୁତ ଖର୍ଚ୍ଚ କରିବାକୁ ପଡ଼ିବ । କେବଳ ଆମେରିକା ନୁହେଁ, ବିଶ୍ୱ ବ୍ୟବସାୟୀଙ୍କୁ ମଧ୍ୟ ଏହାର ପ୍ରଭାବ ପଡ଼ିବ ।
ଶିବସେନା କହିଛି, ''ବିକାଶଶୀଳ ଦେଶଗୁଡ଼ିକୁ ବିଶ୍ୱ ବାଣିଜ୍ୟ ସଙ୍ଗଠନ(WTO) ବାଣିଜ୍ୟ ବୃର୍ଦ୍ଧି ପାଇଁ ରିହାତି ଦେଇଥାଏ । ତେବେ ଏହି ରିହାତି ନେଇ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଆଖି ପଡ଼ିଥିଲା । ଯେଉଁଥିପାଇଁ ଭାରତ, ଚୀନ ଏବଂ ଦକ୍ଷିଣ କୋରିଆ ସମେତ ଅନ୍ୟ କିଛି ଦେଶକୁ ବିକାଶଶୀଳ ତାଲିକାରୁ ଆମେରିକା ବାଦ୍ ଦେଇଛି ।'' ତେଣୁ ଏସବୁ ଭିତରେ ଟ୍ରମ୍ପଙ୍କ ଭାରତ ଗସ୍ତକୁ ନେଇ ପ୍ରଶ୍ନ ଉଠାଇଛି ଶିବସେନା । ଏହାକୁ 'ସାମନା'ରେ ଧୋକା ଭାବେ ଅବିହିତ କରାଯାଇଛି ।
ସୂଚନାଯୋଗ୍ୟ, ଆଗକୁ ଆମେରିକାରେ ନିର୍ବାଚନ ଅଛି । ତେଣୁ ଆମେରିକାବାସୀଙ୍କୁ ଖୁସ୍ କରିବା ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଖୁବ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଉଛନ୍ତି । ଆମେରିକୀୟ ବ୍ୟବସାୟୀଙ୍କ କ୍ଷତି ହଟାଇବାକୁ ଯାଇ ଭାରତ ଓ ଚୀନ ଭଳି ଦେଶକୁ ବିକାଶଶୀଳ ଦେଶ ତାଲିକାରୁ ବାଦ୍ ଦେଇଛନ୍ତି ଟ୍ରମ୍ପ । ଏଇଥିପାଇଁ ତ ବିଶ୍ୱ ଆର୍ଥିକ ପରିଷଦ ବୈଠକରେ ଟ୍ରମ୍ପ କହିଥିଲେ, ଯଦି ଭାରତ ଓ ଚୀନ ବିକାଶଶୀଳ ଦେଶ, ତେବେ ଆମେରିକା ମଧ୍ୟ ବିକାଶଶୀଳ ଦେଶ ଅଟେ । ଟ୍ରମ୍ପଙ୍କ ଏଭଳି ବୟାନ ସେତେବେଳେ ବିଶ୍ୱବାସୀଙ୍କୁ ଚମକାଇ ଦେଇଥିଲା ।
ଆହୁରି ପଢ଼ନ୍ତୁ; ନିର୍ଭୟା ମାମଲା:ବିନୟ ଓ ମୁକେଶ ଯାଚିକା ଖାରଜ କଲେ ସୁପ୍ରିମକୋର୍ଟ