କେନ୍ଦ୍ର କ୍ୟାବିନେଟ ସମ୍ପ୍ରସାରଣ ପୂର୍ବରୁ ବଦଳିଲେ ୮ ରାଜ୍ୟପାଳ, ଜାଣନ୍ତୁ କାହାକୁ-କେଉଁଠି ମିଳିଲା ଦାୟିତ୍ୱ?
୪ ଜଣ ରାଜ୍ୟପାଳଙ୍କୁ ବଦଳି କରାଯାଇଥିବା ବେଳେ ୪ ଜଣ ବରିଷ୍ଠ ନେତାଙ୍କୁ ନୂତନ ଭାବେ ନିଯୁକ୍ତି ଦିଆଯାଇଛି। ମୋଦି ସରକାରଙ୍କ ଜଣେ ମନ୍ତ୍ରୀଙ୍କୁ ମଧ୍ୟ ରାଜ୍ୟପାଳ କରାଯାଇଛି।
ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟ ସମ୍ପ୍ରସାରଣ ପୂର୍ବରୁ ବଦଳିଲେ ୮ ରାଜ୍ୟର ରାଜ୍ୟପାଳ। ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏମାନଙ୍କୁ ନିଯୁକ୍ତ କରିଛନ୍ତି। ୪ ଜଣ ରାଜ୍ୟପାଳଙ୍କୁ ବଦଳି କରାଯାଇଥିବା ବେଳେ ୪ ଜଣ ବରିଷ୍ଠ ନେତାଙ୍କୁ ନୂତନ ଭାବେ ନିଯୁକ୍ତି ଦିଆଯାଇଛି। ମୋଦି ସରକାରଙ୍କ ଜଣେ ମନ୍ତ୍ରୀଙ୍କୁ ମଧ୍ୟ ରାଜ୍ୟପାଳ କରାଯାଇଛି। ତବେ ଆସନ୍ତୁ ଜାଣିବା କେଉଁ ରାଜ୍ୟରେ କାହାକୁ ମିଳିଛି ଦାୟିତ୍ୱ?
କର୍ଣ୍ଣାଟକ:
ଥାୱରଚନ୍ଦ ଗେହଲଟଙ୍କୁ କର୍ଣ୍ଣାଟକର ୧୯ତମ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି। ରାଜ୍ୟସଭା ସଦସ୍ୟ ଥାୱରଚନ୍ଦ ଗେହଲଟ, ମୋଦି ସରକାରରେ ୨୦୧୪ରୁ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ଥିଲେ।
ମିଜୋରାମ:
ପୂର୍ବତନ ସାଂସଦ ତଥା ବରିଷ୍ଠ ବିଜେପି ନେତା ହରିବାବୁ କମ୍ଭଂପତିଙ୍କୁ ମିଜୋରାମ ଦାୟିତ୍ୱ ଦିଆଯାଇଛି। ହରିବାବୁ, ବିଜେପିର ଆନ୍ଧ୍ର ପ୍ରଦେଶ ଷ୍ଟେଟ୍ ୟୁନିଟ ସଭାପତି ମଧ୍ୟ ଥିଲେ।
Also Read: ଅପରାଧିଙ୍କ ଛାତିରେ ବୁଲଡୋଜର ଚଢାଇ ଦେବା ଉଚିତ୍?
ମଧ୍ୟପ୍ରଦେଶ:
ରାଷ୍ଟ୍ରପତି କୋବିନ୍ଦ, ମଙ୍ଗୁଭାଇ ଛଗନଭାଇ ପଟେଲଙ୍କୁ ମଧ୍ୟପ୍ରଦେଶର ୧୯ତମ ରାଜ୍ୟପାଳ ଭାବେ ନିଯୁକ୍ତ କରିଛନ୍ତି। ମଙ୍ଗୁଭାଇ, ଗୁଜୁରାଟ ବିଧାନସଭାକୁ ୬ଥର ନିର୍ବାଚିତ ହୋଇଯାଇଥିଲେ। ମୋଦିଙ୍କ କ୍ୟାବିନେଟରେ ତାଙ୍କୁ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ କରାଯାଇଥିଲା। ମଙ୍ଗୁଭାଇଙ୍କ ପୂର୍ବରୁ ଆନନ୍ଦିବେନ ପଟେଲ, ମଧ୍ୟପ୍ରଦେଶ ଓ ଉତ୍ତର ପ୍ରଦେଶର ରାଜ୍ୟପାଳ ଥିଲେ।
ହିମାଚଳ ପ୍ରଦେଶ:
ବନ୍ଦାରୁ ଦତ୍ତାତ୍ରେୟଙ୍କ ସ୍ଥାନ ନେଲେ ୬୭ ବର୍ଷିୟ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର। ଗୋଆ ବାସିନ୍ଦା ରାଜେନ୍ଦ୍ର ବିଶ୍ୱନାଥ ଗୋଆ ସରକାରରେ ମନ୍ତ୍ରୀ ଥିଲେ। ସେ ଗୋଆ ବିଧାନସଭାର ବାଚସ୍ପତି ଭାବେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି।
ଗୋଆ:
ମିଜୋରାମର ରାଜ୍ୟପାଳ ଥିବା ଶ୍ରୀଧରନ ପିଲାଇଙ୍କୁ ଗୋଆ ବଦଳି କରାଯାଇଛି। ୬୬ ବର୍ଷିୟ ଶ୍ରୀଧରନ ପିଲାଇ ଦିନେ କେରଳ ବିଜେପିର ଅଧ୍ୟକ୍ଷ ଥିଲେ।
Also Read: ସଂଘ ମୁଖ୍ୟଙ୍କ ବୟାନକୁ ନେଇ ସରଗରମ ରାଜନୀତି; ଏପରି ଜବାବ ଦେଲେ ବିରୋଧି
ତ୍ରିପୁରା:
ହରିୟାଣା ରାଜ୍ୟପାଳ ସତ୍ୟଦେବ ନାରାୟଣ ଆର୍ଯ୍ୟଙ୍କୁ ତ୍ରିପୁରା ଦାୟିତ୍ୱ ଦିଆଯାଇଛି। ନିତିଶ କୁମାରଙ୍କ କ୍ୟାବିନେଟ ତଥା ବିହାରର ଖଣି ମନ୍ତ୍ରୀ ଥିଲେ ବିଜେପି ନେତା ସତ୍ୟଦେବ ନାରାୟଣ ଆର୍ଯ୍ୟ। ସେ ୮ ଥର ବିହାର ବିଧାନସଭାକୁ ନିର୍ବାଚିତ ହୋଇଯାଇଥିଲେ।
ଝାଡ଼ଖଣ୍ଡ:
ରାୟପୁରରେ ଜନ୍ମିତ ରମେଶ ବୈଶଙ୍କୁ ପୋଡଶୀ ଝାଡଖଣ୍ଡ ରାଜ୍ୟର ରାଜ୍ୟପାଳ କରାଯାଇଛି। ଏହା ପୂର୍ବରୁ ସେ ତ୍ରିପୁରାର ୧୮ତମ ରାଜ୍ୟପାଳ ଭଆବେ ଦାୟିତ୍ୱ ତୁଲାଉଥିଲେ। ୭ ଥର ସାଂସଦ ଥିବା ରମେଶ ବୈଶଙ୍କୁ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ରାଷ୍ଟ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ (ସ୍ୱାଧିନ) କରାଯାଇଥିଲା।
ହରିୟାଣା:
ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଥମ ପାଳିରେ ମନ୍ତ୍ରୀ ଥିବା ବନ୍ଦାରୁ ଦତ୍ତାତ୍ରେୟ ଏବେ ହରିୟାଣାର ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଛନ୍ତି। ଏହା ପୂର୍ବରୁ ସେ ହିମାଚଳ ପ୍ରଦେଶର ରାଜ୍ୟପାଳ ଥିଲେ। ହାଇଦ୍ରାବାଦରେ ଜନ୍ମିତ ବନ୍ଦାରୁ ଦତ୍ତାତ୍ରେୟ ୧୯୬୫ ମସିହାରୁ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ସହ ଜଡିତ ଅଛନ୍ତି। ସେ ବିଜେପିର ଜଣେ ବରିଷ୍ଠ ନେତା।