ନୂଆଦିଲ୍ଲୀ: ଚୈତ୍ର ନବରାତ୍ରୀ ଅବସରରେ ଦେଶର ବିଭିନ୍ନ ସ୍ଥାନରେ ବନ୍ଦ ରହିଥାଏ ମାଂସ ଦୋକାନ। ଏହି କ୍ରମରେ ନବରାତ୍ରୀ ସମୟରେ ମାଂସ ବିକ୍ରୟ ଉପରେ ନିଷେଧାଦେଶ ଜାରି କରିଛନ୍ତି ଦକ୍ଷିଣ ଦିଲ୍ଲୀ ନଗର ନିଗମ ମେୟର ମୁକେଶ ସୂର୍ଯ୍ୟାନ। ଏନେଇ ସେ ନଗର ନିଗମ କମିଶନର ଜୟନେଶ ଭାରତୀଙ୍କୁ ଏକ ଚିଠି ଲେଖି ଉପଯୁକ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।


COMMERCIAL BREAK
SCROLL TO CONTINUE READING

ମେୟର ଚିଠିରେ ଲେଖିଛନ୍ତି, "ହିନ୍ଦୁ ସମ୍ପ୍ରଦାୟ ନବରାତ୍ରୀ ଅବସରରେ ସେମାନଙ୍କ ଦେବାଦେବୀଙ୍କୁ ପୂଜା କରିଥାନ୍ତି। ହେଲେ ଏହି ସମୟରେ ଅନେକ ସ୍ଥାନରେ ଖୋଲା ମେଲାରେ ମାଂସ ବିକ୍ରି ହୋଇଥାଏ। ଯାହା ଧାର୍ମିକ ଭାବନାକୁ ଆଘାତ କରିଥାଏ। ନବରାତ୍ରୀ ସମୟରେ ଲୋକେ ସମ୍ପୂର୍ଣ୍ଣ ଶାକାହାରୀ ହୋଇଥାନ୍ତି। ଏହି ସମୟରେ ଲୋକେ ଆମିଷ ଖାଦ୍ୟ ଗ୍ରହଣ, ମଦ୍ୟପାନ ଏବଂ କିଛି ବିଶେଷ ମସଲା ଏପରିକି ପିଆଜ-ରସୁଣ ମଧ୍ୟ ଖାଇ ନଥାନ୍ତି। ସେମାନେ ମନ୍ଦିର ଚାରିପାଖରେ ଥିବା ମାଂସ ଦୋକାନ ଦେଖି ଅସହଜ ହୋଇପଡି଼ଥାନ୍ତି। ବର୍ତ୍ତମାନ ଏହାକୁ ଧ୍ୟାନରେ ରଖି ସମ୍ପୃକ୍ତ ଅଧିକାରୀଙ୍କୁ ଏପ୍ରିଲ ୧୧ ପର୍ଯ୍ୟନ୍ତ ମାଂସ ଦୋକାନ ବନ୍ଦ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।


ଦକ୍ଷିଣ ଦିଲ୍ଲୀ ନଗର ନିଗମ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶ ଉପରେ ପ୍ରଶ୍ନ ଉଠାଇଛନ୍ତି ଏଆଇଏମଆଇଏମ ନେତା ଅସାଦୁଦ୍ଦିନ ଓୱେସୀ। ଏନେଇ ଟ୍ୱିଟ କରି ସେ ଲେଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ବଡ ଶିଳ୍ପପତିଙ୍କ ପାଇଁ is of doing business ବ୍ୟବସ୍ଥା କରୁଛନ୍ତି। ହେଲେ ଏଭଳି ପରିସ୍ଥିତିରେ ଏହି ନିଷ୍ପତ୍ତି ହେତୁ ଲୋକଙ୍କ ଆୟର କ୍ଷତି କିଏ କ୍ଷତିପୂରଣ ଦେବ? ମାଂସ ଅଶୁଦ୍ଧ ନୁହେଁ, ଏହା କେବଳ ରସୁଣ କିମ୍ବା ପିଆଜ ଭଳି ଏକ ଖାଦ୍ୟ। 


Also Read: କର ମୁକ୍ତ ହେଲା ମଠ-ମନ୍ଦିର; ଧର୍ମାନୁଷ୍ଠାନ ନିକଟରେ ବିକ୍ରି ହେବ ନାହିଁ ମାଂସ


କେବଳ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ନୁହେଁ ଏହା ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ର ଅଞ୍ଚଳରେ ଅବସ୍ଥିତ ବିଭିନ୍ନ ସ୍ଥାନରେ ଚୈତ୍ର ନବରାତ୍ରୀ ଅବସରରେ ମାଂସ ବ୍ୟବସାୟ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏହି କ୍ରମରେ ନବରାତ୍ରୀ ଅବସରରେ ଖୋଲା ମେଲାରେ ମାଂସ ବିକ୍ରି ଉପରେ କଟକଣା ଲଗାଇଛି ଉତ୍ତର ପ୍ରଦେଶର ଗାଜିଆବାଦ ନଗର ନିଗମ। ଏ ସମ୍ପର୍କରେ ଜଣାଇଛନ୍ତି ଗାଜିଆବାଦ ମେୟର ଆଶା ଶର୍ମା। ଏନେଇ ସେ କହିଛନ୍ତି ମାଂସ ବିକ୍ରେତା ଏହାକୁ ଘୋଡାଇ ରଖି ବିକ୍ରି କରିପାରିବେ। ମାତ୍ର ମନ୍ଦିର ନିକଟସ୍ଥ ରାସ୍ତାରେ ମାଂସ ବିକ୍ରି ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି ରହିବ। କାହାର ଲାଭ କିମ୍ବା କ୍ଷତି କରିବାକୁ ଆମେ ଏଠାରେ ରହିନାହୁଁ। ଏହି ନିୟମ ୧୦ ଅପ୍ରେଲ ପର୍ଯ୍ୟନ୍ତ ଲାଗୁ ହେବ।  


ଅନ୍ୟପଟେ ଗାଜିଆବାଦ ଜିଲ୍ଲାପାଳ ରାକେଶ କୁମାର ସିଂହ କରିଛନ୍ତି କେବଳ ଲାଇସେନ୍ସପ୍ରାପ୍ତ ମାଂସ ବିକ୍ରେତା ସ୍ୱଚ୍ଛତାର ସମସ୍ତ ନିୟମ ଅନୁସରଣ କରି ସେମାନଙ୍କ ଆଚ୍ଛାଦିତ ଦୋକାନରେ ମାଂସ ବିକ୍ରି କରିପାରିବେ। କୌଣସି ବିକ୍ରେତା ପଶୁଙ୍କ ବର୍ଜ୍ୟବସ୍ତୁକୁ ଖୋଲା ସ୍ଥାନରେ ପକାଇବେ ନାହିଁ। ନବରାତ୍ରୀ ସମୟରେ ନଗର ନିଗମ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ମାଂସ ଦୋକାନରେ ପରିଷ୍କାର ପରିଚ୍ଛନ୍ନତା ସୁନିଶ୍ଚିତ କରିବେ।