Assembly Poll 2022: ନିର୍ବାଚନ ଆୟୋଗ-ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଧ୍ୟରେ ବୈଠକ ଶେଷ, ନିଆଗଲା ଏହି ନିଷ୍ପତ୍ତି
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ନିର୍ବାଚନ ଆୟୋଗକୁ ମିଳିଥିବା ଖବର ଅନୁସାରେ ଦେଶର ଯେଉଁ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି ସେଠାରେ ପ୍ରଥମ ପର୍ଯ୍ୟାୟ ଟିକାକରଣ ସନ୍ତୋଷଜନକ ରହିଛି।
ନୂଆଦିଲ୍ଲୀ: ଚଳିତ ବର୍ଷ ଆରମ୍ଭରେ ଦେଶର ୫ ରାଜ୍ୟରେ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନ ସମ୍ପର୍କରେ ନିର୍ବାଚନ ଆୟୋଗ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ନିର୍ବାଚନକୁ ସ୍ଥଗିତ ରଖିବା ପାଇଁ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ଏହି ବୈଠକରେ ନିର୍ବାଚନ ଆୟୋଗ କୋରୋନା ମହମାରୀର ଓମିକ୍ରନ୍ ଭାରିଆଣ୍ଟ ସମେତ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ରାଜ୍ୟର ଟିକାକରଣ ବାବଦରେ ସ୍ୱାସ୍ଥ୍ୟ ସଚିବଙ୍କ ଠାରୁ ସମ୍ପୂର୍ଣ୍ଣ ସୂଚନା ନେଇଛନ୍ତି।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ନିର୍ବାଚନ ଆୟୋଗକୁ ମିଳିଥିବା ଖବର ଅନୁସାରେ ଦେଶର ଯେଉଁ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି ସେଠାରେ ପ୍ରଥମ ପର୍ଯ୍ୟାୟ ଟିକାକରଣ ସନ୍ତୋଷଜନକ ରହିଛି। ଏହି ରାଜ୍ୟରେ ପ୍ରତି ୧୦୦ ଜଣ ଲୋକଙ୍କ ମଧ୍ୟରୁ ୭୦ ଜଣ ପ୍ରଥମ ଡୋଜ୍ କୋରୋନା ଟିକା ନେଇଛନ୍ତି। ଉତ୍ତର ପ୍ରଦେଶରେ ୮୩ ଏବଂ ପଞ୍ଜାବର ୭୭, ମଣିପୁରର ୭୦ ପ୍ରତିଶତ ଲୋକ ପ୍ରଥମ ଡୋଜ୍ କୋରୋନା ଟିକା ନେଇଛନ୍ତି। ଏହା ସହିତ ଗୋଆ ଏବଂ ଉତ୍ତରାଖଣ୍ଡ ଭଳି ରାଜ୍ୟରେ ଶତ ପ୍ରତିଶତ ପ୍ରଥମ ଡୋଜ୍ କୋରୋନା ଟିକାକରଣ ହୋଇଛି। ନିର୍ବାଚନ ରାଲି ଉପରେ କୌଣସି ନିଷ୍ପତ୍ତି ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପରେ ନିଆଯିବ।
Also Read: ଏଥର ସ୍ୱତନ୍ତ୍ର ହେବ UP ବିଧାନସଭା ନିର୍ବାଚନ; କିପରି ପ୍ରସ୍ତୁତି କରୁଛି ନିର୍ବାଚନ ଆୟୋଗ?
ଏହି ବୈଠକରେ ୫ ରାଜ୍ୟରେ ଅନୁଷ୍ଠିତ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନ ପାଇଁ ବର୍ତ୍ତମାନ ସେଠାକାର କୋରୋନା ସ୍ଥିତି ଉପରେ ଆଲୋଚନା କରାଯାଇଛି। ନିର୍ବାଚନ ଆୟୋଗ ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣଙ୍କ ଠାରୁ କୋଭିଡ ପରିସ୍ଥିତି ବାବଦରେ ଅବଗତ ହୋଇଛନ୍ତି। ଦିନକୁ ଦିନ ବିଗିଡି ଯାଉଥିବା କୋରୋନା ଅବସ୍ଥାକୁ ନଜରରେ ରଖି ବିଧାନସଭା ନିର୍ବାଚନକୁ ସ୍ଥଗିତ ରଖିବାକୁ ଆହ୍ଲାବାଦ ହାଇକୋର୍ଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ନିର୍ବାଚନ ଆୟୋଗ ଉଦ୍ଦେଶ୍ୟରେ ନିବେଦନ କରିଥିଲେ।
ଯଦି ସମ୍ଭବ ତାହେଲେ ନିର୍ବାଚନକୁ ୧ କିମ୍ବା ୨ ମାସ ପାଇଁ ସ୍ଥଗିତ ରଖିବାକୁ ହାଇକୋର୍ଟ କହିଥିଲେ। ଓମିକ୍ରନ ଭ୍ୟାରିଏଣ୍ଟ ସଂକ୍ରମଣକୁ ଦୃଷ୍ଟିରେ ରଖି ନିର୍ବାଚନ ପୂର୍ବରୁ ଭିଡ଼ ଉପରେ ନିୟନ୍ତ୍ରଣ କରିବାକୁ ଉତ୍ତର ପ୍ରଦେଶ ହାଇକୋର୍ଟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅନୁରୋଧ ଜଣାଇଥିଲେ। କୋରୋନା ମହମାରୀର ତୃତୀୟ ଲହର ଆମ ନିକଟରେ ପହଞ୍ଚି ସାରିଛି ବୋଲି ହାଇକୋର୍ଟ କହିଛନ୍ତି। ଯଦି ନିର୍ବାଚନ ରାଲି ବନ୍ଦ ନହୁଏ ତାହେଲେ ଏହାର ପରିଣାମ ଦ୍ୱିତୀୟ ଲହର ଠାରୁ ଅଧିକ ଭୟାନକ ହେବ ବୋଲି କୋର୍ଟ କହିଥିଲେ। ଏହା ପରେ ମୁଖ୍ୟ ନିର୍ବାଚନ କମିଶନର ଉତ୍ତର ପ୍ରଦେଶ ଗସ୍ତ କରି ସେଠାକାର କୋରୋନା ସ୍ଥିତି ବାବଦରେ ଅବଗତ ହେବା ପରେ ଆବଶ୍ୟକୀୟ ନିଷ୍ପତ୍ତି ନିଆଯିବ ବୋଲି କହିଥିଲେ। ଆୟୋଗ ପଞ୍ଜାବ, ଗୋଆ, ଉତ୍ତରପ୍ରଦେଶ ପ୍ରଭୃତି ରାଜ୍ୟ ଗସ୍ତ କରି ସେଠାକାର ନିର୍ବାଚନ ପ୍ରସ୍ତୁତି ବାବଦରେ ଖବର ନେଇଛନ୍ତି।
Also Read: UP Poll 2022: ଉପଯୁକ୍ତ ସମୟରେ ନିର୍ବାଚନ କରିବାକୁ ଦାବି ଜଣାଇଲେ ରାଜନୈତିକ ଦଳ
ଗୋଆ, ପଞ୍ଜାବ, ଉତ୍ତରପ୍ରଦେଶ ଏବଂ ମଣିପୁର ବିଧାନସଭାର କାର୍ଯ୍ୟକାଳ ଆସନ୍ତା ବର୍ଷ ମାର୍ଚ୍ଚରେ ଶେଷ ହେଉଛି। ଅନ୍ୟ ପଟେ ଉତ୍ତର ପ୍ରଦେଶ ବିଧାନସଭାର କାର୍ଯ୍ୟକାଳ ଆସନ୍ତା ମେ ମାସରେ ଶେଷ ହେବ। ଚଳିତ ମାସରେ ଦେଶର ୫ ରାଜ୍ୟରେ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିପାରନ୍ତି ନିର୍ବାଚନ ଆୟୋଗ। ଆସନ୍ତା ମାର୍ଚ୍ଚ ମାସରେ ଗୋଆ, ଉତ୍ତରାଖଣ୍ଡ, ପଞ୍ଜାବ ଏବଂ ମଣିପୁର ଭଳି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇପାରେ। ଏହା ବ୍ୟତୀତ ମେ ମାସରେ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ।
ଦେଶରେ ବଢୁଥିବା କୋରୋନା ମାମଲାକୁ ନଜରରେ ରଖି ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ୫ ରାଜ୍ୟ ପାଇଁ ଆବଶ୍ୟକୀୟ ନିର୍ଦ୍ଦେଶ ଜାରି କରିଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ। କୋରୋନା ପ୍ରୋଟୋକଲ ସର୍ତ୍ତକୁ କଡାକଡି ଭାବେ ପାଳନ କରିବାକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏହି ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛି। ଏହା ସହିତ ରାଲିରେ ଯୋଗ ଦେଉଥିବା ଲୋକଙ୍କୁ କୋରୋନା ଗାଇଡଲାଇନ୍ସ ପାଳନ କରିବାକୁ କୁହାଯାଇଛି।
କୋରୋନା ଟେଷ୍ଟିଂ ପ୍ରକ୍ରିୟକୁ ତ୍ୱରାନ୍ୱିତ କରିବାକୁ ଏହି ରାଜ୍ୟକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହିତ କୋଭିଡ ଚିକିତ୍ସା ଉପରେ ଗୁରୁତ୍ୱ ଦେବାକୁ କୁହାଯାଇଛି। ଯାହା ଦ୍ୱାରା ସଂକ୍ରମଣ ଜନିତ ମାମଲା ଉପରେ ନିୟନ୍ତ୍ରଣ ରକ୍ଷା କରାଯାଇପାରିବ। ଅନ୍ୟପଟେ ଟିକାକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନିର୍ଦ୍ଦେଶ ଜାରି କରିଛି। ଏନେଇ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ରାଜ୍ୟରେ କୋରୋନା ବିରୋଧରେ ଚାଲିଥିବା ଟିକାକରଣ ଅଭିଯାନ ପାଇଁ ସାପ୍ତାହିକ ଯୋଜନା ପ୍ରସ୍ତୁତ କରାଯାଉ। ସେଠାରେ ପ୍ରତିଦିନ ଟିକାକରଣ ଅଭିଯାନର ସମୀକ୍ଷା ମଧ୍ୟ କରିବା ଆବଶ୍ୟକ।
Also Read: Assembly Election 2022: ଆସନ୍ତା ମାସ ପ୍ରଥମ ସପ୍ତାହରେ ହେବ ତାରିଖ ଘୋଷଣା
ଟିକାକରଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ଜନସଂଖ୍ୟା ଚିହ୍ନଟ କରିବାକୁ ଏବଂ ସେମାନଙ୍କୁ ଶୀଘ୍ର ଟିକା ଦେବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ମନ୍ତ୍ରଣାଳୟ କହିଛି। ଯେଉଁମାନେ ଯଥାଶୀଘ୍ର କୋରୋନା ଟିକା ନେଇ ନାହାଁନ୍ତି ସେମାନେ ଟିକାକରଣ କରନ୍ତୁ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।