ସେବା ହେଉଛି ସବୁଠାରୁ ବଡ ପୂଜା: ପ୍ରଧାନମନ୍ତ୍ରୀ ମୋଦି
ରବିବାର ଅନୁଷ୍ଠିତ ହୋଇଥିବା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ପ୍ରାୟ ୧୨୪ ଜଣ ସଦସ୍ୟ ଉପସ୍ଥିତ ଥିଲେ।
ନୂଆଦିଲ୍ଲୀ: ଆସନ୍ତାବର୍ଷ ଦେଶର ୫ ରାଜ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି ବିଧାନସଭା ନିର୍ବାଚନ। ଏନେଇ କେନ୍ଦ୍ରରେ କ୍ଷମତାସୀନ ଶାସକ ବିଜେପି ପକ୍ଷରୁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି। ଏହିକ୍ରମରେ ନଭେମ୍ବର ୭ ତାରିଖ ରବିବାର ଅନୁଷ୍ଠିତ ହୋଇଯାଇଛି ଦଳର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ। ଦଳ ପକ୍ଷରୁ ଆୟୋଜିତ ହୋଇଥିବା ଏହି ବୈଠକରେ ଯୋଗ ଦେଇଥିଲେ ଦଳର ଅନେକ ବରିଷ୍ଠ ନେତା।
ଦଳର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେପି ନେତାଙ୍କୁ 'ସେବା ହେଉଛି ସବୁଠାରୁ ବଡ ପୂଜା' ବାର୍ତ୍ତା ଦେଇଛନ୍ତି। ଏନେଇ ସେ କହିଛନ୍ତି କୋରୋନା କାଳର କାର୍ଯ୍ୟକର୍ତ୍ତା ସେବା କରିବାର ଏକ ନୂତନ ସଂସ୍କୃତି ଆରମ୍ଭ କରିଛନ୍ତି।
ରବିବାର ଅନୁଷ୍ଠିତ ହୋଇଥିବା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ପ୍ରାୟ ୧୨୪ ଜଣ ସଦସ୍ୟ ଉପସ୍ଥିତ ଥିଲେ। ଏହା ବ୍ୟତୀତ ବିଭିନ୍ନ ରାଜ୍ୟ ସ୍ତରରୁ ଦଳର କାର୍ଯ୍ୟକାରୀ ସମିତି ସଦସ୍ୟ ଭଚ୍ୟୁଆଲ ମାଧ୍ୟମରେ ଏହି ବୈଠକରେ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ବ୍ୟତୀତ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ରାଜନାଥ ସିଂହ ପ୍ରମୁଖ ଏହି ବୈଠକରେ ଯୋଗ ଦେଇଥିଲେ।
Also Read: UP Poll 2022: କେଉଁ ଆସନରୁ ଲଢିବେ ନିର୍ବାଚନ? ଜବାବ ରଖିଲେ UP CM Yogi
ଦଳ ପକ୍ଷରୁ ଆୟୋଜିତ ହୋଇଥିବା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ବାବଦରେ ପ୍ରତିକ୍ରିୟା ରଖି କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ କହିଛନ୍ତି ଆସନ୍ତାବର୍ଷ ଅନୁଷ୍ଠିତ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନ ଉପରେ ଏହି ବୈଠକରେ ଚର୍ଚ୍ଚା ହେଇଛି।
କୋରୋନା ପ୍ରୋଟକଲ ପାଳନ କରି ଏହି ବୈଠକ ଅନୁଷ୍ଠିତ ହୋଇଥିଲା। କୋଭିଡ୧୯ ସଂକ୍ରମଣକୁ ନଜରରେ ରଖି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେବା ଲାଗି ଦଳର ସମସ୍ତ ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟଙ୍କୁ ଡକାଯାଇନଥିଲା। ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, ଦଳର ରାଜ୍ୟ ଶାଖା ସଭାପତି ଏବଂ ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ନିଜ ରାଜ୍ୟରେ ଅବସ୍ଥିତ ପ୍ରଦେଶ କାର୍ଯ୍ୟାଳୟ ଠାରୁ ଭର୍ଚୁଆଲ୍ ବୈଠକରେ ଅଂଶଗ୍ରହଣ କରିଥିଲେ।
ନିକଟରେ ଦଳ ଏହାର କାର୍ଯ୍ୟ ସମିତିରେ ଅଦଳବଦଳ କରିଥିଲା। ପୂର୍ବତନ କେନ୍ଦ୍ରମନ୍ତ୍ରୀ ମେନକା ଗାନ୍ଧୀ ଏବଂ ତାଙ୍କ ପୁଅ ତଥା ଦଳର ଲୋକସଭା ସାଂସଦ ବରୁଣ ଗାନ୍ଧୀଙ୍କୁ ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ତାଲିକାରୁ ବାଦ ଦିଆଯାଇଥିବା ବେଳେ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଦିଆ, ଅଶ୍ୱିନୀ ବୈଷ୍ଣବ ପ୍ରମୁଖଙ୍କୁ ଏଥିରେ ସାମିଲ କରାଯାଇଥିଲା।
ବିଜେପି ଜାତୀୟ କାର୍ଯ୍ୟକାରିଣୀ ବୈଠକ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମ୍ବୋଧନରୁ ଆରମ୍ଭ ହୋଇ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣରେ ଶେଷ ହୋଇଥିଲା। ଅନେକ ଦୃଷ୍ଟିକୋଣରୁ ବେଶ ଗୁରୁତ୍ବ ବହନ କରୁଛି ଏହି ବୈଠକ। କାରଣ ନିକଟରେ ଅନୁଷ୍ଠିତ ୨୯ ବିଧାନସଭା ଏବଂ ୩ ଲୋକସଭା ଆସନରେ ଅନୁଷ୍ଠିତ ହୋଇଥିବା ଉପନିର୍ବାଚନରେ ଦଳକୁ ମିଶ୍ରିତ ସଫଳତା ମିଳିଛି। ଯଦିଓ ଆସାମ ଏବଂ ମଧ୍ୟପ୍ରଦେଶ ଭଳି ରାଜ୍ୟରେ ଦଳ ଭଲ ପ୍ରଦର୍ଶନ କରିଛି ହେଲେ ହିମାଚଳ ପ୍ରଦେଶ ଏବଂ ପଶ୍ଚିମବଙ୍ଗ ଭଳି ରାଜ୍ୟରେ ଦଳକୁ ଜବରଦସ୍ତ ଝଟକା ଲାଗିଛି।
Also Read: 2021 By Poll Final Result: କାହାକୁ ମିଳିଲା କେତେ ଆସନ?
ଅନ୍ୟପଟେ ଆସନ୍ତାବର୍ଷ ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ମଣିପୁର, ଗୋଆ ଭଳି ରାଜ୍ୟରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ। ଏହି ସମସ୍ତ ରାଜ୍ୟରେ ଗତ ୨୦୧୭ ବର୍ଷରେ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନରେ ଦଳ କେବଳ ପଞ୍ଜାବକୁ ଛାଡି ଅନ୍ୟ ସମସ୍ତ ରାଜ୍ୟରେ ସରକାର ଗଠନ କରିଥିଲା। ଆସନ୍ତା ୨୦୨୨ ନିର୍ବାଚନରେ ଦଳ କିପରି ପୁନର୍ବାର ଏହି ସମସ୍ତ ରାଜ୍ୟର ସରକାର ଗଠନ କରିବ ସେ ନେଇ ରବିବାର ଅନୁଷ୍ଠିତ ହୋଇଥିବା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ରଣନୀତି ପ୍ରସ୍ତୁତ କରାଯାଇଛି।