ଭୁବନେଶ୍ୱର: ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱକୁ ପ୍ରଶଂସା କରିଛନ୍ତି। ସମ୍ବଲପୁରଠାରେ ଉପସ୍ଥିତ ଛାତ୍ରଛାତ୍ରୀ ଓ ଶିକ୍ଷାବିତଙ୍କୁ ସମ୍ବୋଧନ କରିବେବେଳେ ପ୍ରଧାନମନ୍ତ୍ରୀ ଭାରତକୁ ନୂଆ ଦିଗ ନିର୍ଦ୍ଦେଶ କରିଛନ୍ତି ବୋଲି କହିଛନ୍ତି। ଏହାସହ ଭାରତୀୟ ଭାଷାକୁ ଭଲ ପାଉଥିବା ଜଣେ ବ୍ୟକ୍ତି ବୋଲି ପ୍ରଧାନମନ୍ତ୍ରୀଙ୍କୁ ଅଭିହିତ କରି ଆଜି ପ୍ରଥମ ବିଶ୍ୱ ଓଡ଼ିଆ ଭାଷ ସମ୍ମିଳନୀ ଆୟୋଜନ କରୁଥିବା ଓଡ଼ିଶାରେ ତାଙ୍କ ଉପସ୍ଥିତି ଏକ ସୌଭାଗ୍ୟର ବିଷୟ ବୋଲି କହିଛନ୍ତି ନବୀନ। 


COMMERCIAL BREAK
SCROLL TO CONTINUE READING

ବର୍ତ୍ତମାନର ସମୟକୁ ଷ୍ଟାର୍ଟଅପ୍‍ ପାଇଁ ସୁବର୍ଣ୍ଣ ସମୟ ବୋଲି କହିବା ସହ ଓଡ଼ିଶା  ପୂର୍ବ ଭାରତରେ ଏକ ନିର୍ମାଣ ହବ୍‍ ହେବା ଲକ୍ଷ୍ୟରେ ଆଗକୁ ବଢ଼ି ଚାଲିଛି ବୋଲି ସୂଚାଇଛନ୍ତି ମୁଖ୍ୟମନ୍ତ୍ରୀ।  ଆମେ ଅର୍ଥନୀତିକ ଶକ୍ତିକେନ୍ଦ୍ର ହେବା ରାସ୍ତାରେ ରହିଛୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଓଡ଼ିଶାର ଏହି ଲକ୍ଷ୍ୟ ହାସଲ ପାଇଁ ପ୍ରଧାନମନ୍ତ୍ରୀ ସହାୟକ ହେବେ ଏବଂ ଆବଶ୍ୟକ ସହାୟତା ପ୍ରଦାନ କରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।


ସମ୍ବଲପୁରଠାରେ ଆଇଆଇଏମ୍‍ର ନୂତନ କୋଠା ଉଦ୍‍ଘାଟନ ପାଇଁ ସମୟ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ସେ କହିଥିଲେ, ଯେଉଁମାନେ ନିଜ ନିଜ କ୍ଷେତ୍ରରେ ଉଲ୍ଳେଖନୀୟ ସଫଳତା ହାସଲ କରୁଛନ୍ତି ସେମାନେ ନିଜ ନିଜ ରାଜ୍ୟ ପାଇଁ ଚିନ୍ତା କରିବା ଆବଶ୍ୟକ। ସେହି ଛାତ୍ରଛାତ୍ରୀମାନେ କେବଳ ପ୍ରତିଷ୍ଠାନର ପୂର୍ବତନ ଛାତ୍ର ବୋଲି ନୁହେଁ ରାଜ୍ୟର ପୂର୍ବତନ ଛାତ୍ର ବୋଲି ବିବେଚନା କରିବା ଆବଶ୍ୟକ। ତାହା କୌଣସି ରାଜ୍ୟର ରୂପାନ୍ତରଣରେ ସହାୟକ ହେବ।  ବାସ୍ତବରା ରୂପାନ୍ତରଣ କୌଣସି ଏକ ବ୍ୟକ୍ତିଠୁ ଆରମ୍ଭ ହୋଇଥାଏ। ଆଉ ସେହି ବ୍ୟକ୍ତି ଆପଣ ବୋଲି ସେ ଛାତ୍ରଛାତ୍ରୀଙ୍କୁ କହିଥିଲେ। 


ଦିନେ କେନ୍ଦ୍ର ସରକାରଙ୍କ ପ୍ରତି ବୈମାତୃକ ପ୍ରଦର୍ଶନ ଅଭିଯୋଗ ଆଣୁଥିବା ମୁଖ୍ୟମନ୍ତ୍ରୀ ଆଜି ନିର୍ବାଚନ ଆସନ୍ନ ସମୟରେ ପ୍ରଧାନମନ୍ତ୍ରୀଙ୍କୁ ଏପରି ପ୍ରଶଂସା କରିବା କିଛି ଭିନ୍ନ ରାଜନୀତିକ ସଙ୍କେତ ଦେଉଛି। ଏହା ମେଣ୍ଟ ପାଇଁ ସଙ୍କତ ହୋଇପାରେ ନହେଲେ ଝାଡ଼ଖଣ୍ଡ ଭଳି ଭୟର ଆଶଙ୍କା ବି ହୋଇପାରେ। 


ଅପରପକ୍ଷେ ଏନ୍‍ଡିଏରେ ନଥିବା ଆଞ୍ଚଳିକ ଦଳର ସରକାରଙ୍କୁ ମୋଦୀ ପ୍ରତ୍ୟକ୍ଷ ବା ପରୋକ୍ଷରେ ସମାଲୋଚନା କରିଥାଆନ୍ତି। ଆଜି କିନ୍ତୁ ରାଜ୍ୟରେ ନା ନବୀନ ନା ବିଜେଡି ବିରୁଦ୍ଧରେ ଶବ୍ଦଟିଏ କହିଛନ୍ତି। ବରଂ କେନ୍ଦ୍ରରେ ପୂର୍ବବର୍ତ୍ତୀ କଂଗ୍ରେସ ସରକାରଙ୍କୁ ସମାଲୋଚନା କରି  ଓଡ଼ିଶା ରାଜନୀତିରୁ ଜନତାଙ୍କ ଧ୍ୟାନଚ୍ୟୁତ କରିଛନ୍ତି।


Also Read- ସମ୍ୱଲପୁରରେ ରାଷ୍ଟ୍ରପତିଙ୍କ କଥା କହିଲେ ପ୍ରଧାନମନ୍ତ୍ରୀ


Also Read- ପିଏମ ମୋଦୀଙ୍କୁ ଭେଟିବାକୁ ଯାଉଥିଲେ ପିହୁ ମାଆ, ଅଧାବାଟରୁ ଟେକିନେଲା ପୋଲିସ