ହାଇଦ୍ରାବାଦ: ଛତ୍ରପତି ଶିବାଜୀ ମହାରାଜଙ୍କ ମୂର୍ତ୍ତୀ ସ୍ଥାପନ କରିବାକୁ ନେଇ ମୁହାଁମୁହିଁ ହୋଇଛନ୍ତି ୨ ଗୋଷ୍ଠୀ। ରବିବାର ତେଲେଙ୍ଗାନାର ନିଜାମାବାଦ ଜିଲ୍ଲାରେ ଅବସ୍ଥିତ ବୋଧନ ସହରରେ ଘଟିଯାଇଛି ଏଭଳି ଘଟଣା। ଏହି ବିବାଦ ସାମ୍ନାକୁ ଆସିବା ପରେ ଘଟଣାସ୍ଥଳରେ ୧୪୪ ଧାରା ଲାଗୁ କରାଯାଇଛି।    


COMMERCIAL BREAK
SCROLL TO CONTINUE READING

ଏନେଇ ପ୍ରତିକ୍ରିୟା ରଖି ତେଲଙ୍ଗାନା ପୋଲିସ ପକ୍ଷରୁ କୁହାଯାଇଛି ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକଙ୍କୁ ସେଠାରୁ ହଟାଇବା ପାଇଁ ଲୁହା ବୁହା ଗ୍ୟାସ ପ୍ରୟୋଗ କରାଯାଇଥିଲା। ଏହି ବିବାଦକୁ ନେଇ ହୋଇଥିବା ପଥର ମାଡ଼ କାରଣରୁ  ଜଣେ ପୋଲିସ କର୍ମଚାରୀ ଆହତ ହୋଇଥିବା ଜଣାପଡ଼ିଛି। ପୋଲିସ ପକ୍ଷରୁ କୁହାଯାଇଛି ଯେ ଗୋଟିଏ ପକ୍ଷ ଛତ୍ରପତି ଶିବାଜୀ ମହାରାଜଙ୍କ ମୂର୍ତ୍ତୀ ରଖିଥିବା ବେଳେ ଅନ୍ୟ ପକ୍ଷ ଏହାକୁ ବିରୋଧ କରିଥିଲା। ଯାହା ଦ୍ୱାରା ଉଭୟ ପକ୍ଷ ମଧ୍ୟରେ ବିବାଦ ହେବା ସହ ପଥର ମାଡ଼ ହୋଇଥିଲା।  


Also Read: 'ଜିନ୍ନା ଟାୱାର' ଠାରେ ଉଡା଼ଇବାକୁ ଯାଉଥିଲେ ତ୍ରୀରଙ୍ଗା; ହେପାଜତରେ ହିନ୍ଦୁ ବାହିନୀ ନେତା


ଏହି ଘଟଣାରେ ପ୍ରତିକ୍ରିୟା ରଖି ନିଜାମାବାଦ ପୋଲିସ କମିଶନର କେ.ଆର ନାଗାରାଜୁ କହିଛନ୍ତି ଯେ ବିବାଦ ପରେ ଘଟଣାସ୍ଥଳରେ ୧୪୪ ଧାରା ଜାରି କରାଯାଇଛି। ଆଇନ ଶୃଙ୍ଖଳା ଦାୟିତ୍ୱରେ ଥିବା ଅନ୍ୟ ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ସେଠାରେ ପୋଲିସ ପୋଷ୍ଟ ସ୍ଥାପନ କରାଯାଇଛି। କେତେକ ଲୋକଙ୍କୁ ସତର୍କତାମୂଳକ ପଦକ୍ଷେପ ଭାବେ ଗିରଫ କରାଯାଇଛି। ମୂର୍ତ୍ତି ସ୍ଥାପନ ପାଇଁ କୌଣସି ଅନୁମତି ନିଆଯାଇ ନାହିଁ। ଘଟଣାସ୍ଥଳରେ ଅତିରିକ୍ତ ପୋଲିସ ବଳ ମୁତୟନ କରାଯାଇଛି।


ଛତ୍ରପତି ଶିବାଜୀ ମହାରାଜଙ୍କ ମୂର୍ତ୍ତୀ ସ୍ଥାପନ କରିବାକୁ ନେଇ ହୋଇଥିବା ବିବାଦ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ନିଜାମାବାଦ ସାଂସଦ ଧର୍ମପୁରୀ ଅରବିନ୍ଦ। ଏନେଇ ଟ୍ୱିଟ କରି ସେ କହିଛନ୍ତି ଯେ ବୋଧନ ନିଗମ ପରିଷଦ ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ପ୍ରସ୍ତାବ ଗ୍ରହଣ କରିବା ସହ ଏନେଇ ଏକ ସଂକଳ୍ପ ପାରିତ କରିଛି। ହେଲେ ଶାସକ ଟିଆରଏସ ଏବଂ ଏଆଇଏମଆଇଏମ ଗୁଣ୍ଡା ସହରରେ ବିବାଦ ସୃଷ୍ଟି କରୁଛନ୍ତି। ଅନ୍ୟ ଏକ ଟ୍ୱିଟ୍‌ ଜରିଆରେ ସେ କହିଛନ୍ତି ଯେ ପ୍ରତିମୂର୍ତ୍ତି ସ୍ଥାପନ ହେଲେ ବୋଧନ ସହରରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଭଣ୍ଡୁର କରିବାକୁ ଶାସକ ଟିଆରଏସ କାଉନସିଲର ଖୋଲାଖୋଲି ଭାବେ ଧମକ ଦେଇଛନ୍ତି।


Also Read: ଦେଶରେ ରହିଛି 'ଜିନ୍ନା ଟାୱାର'; ନାମ ପରିବର୍ତ୍ତନ କରିବାକୁ ଚେତାବନୀ ଦେଲା BJP


ତେଲେଙ୍ଗାନା ଗୃହମନ୍ତ୍ରୀ ମୋହମ୍ମଦ ମହମୁଦ ଅଲ୍ଲୀ ଏହି ଘଟଣା ବାବଦରେ ତେଲେଙ୍ଗାନା ପୋଲିସ ଡିଜି ଏମ.ମହେନ୍ଦ୍ର ରେଡ୍ଡୀଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି। ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣରେ ଅଛି ଏବଂ ପରିସ୍ଥିତି ଉପରେ ନଜର ରଖିବା ପାଇଁ ବରିଷ୍ଠ ପୋଲିସ କର୍ମଚାରୀ ଉପସ୍ଥିତ ଅଛନ୍ତି ବୋଲି ଗୃହମନ୍ତ୍ରୀଙ୍କୁ ଜଣାଇଛନ୍ତି ଡିଜି।