ଭୁବନେଶ୍ୱର: ବିଜେଡି ସରକାର ମେକ୍‍ ଇନ୍‍ ଓଡ଼ିଶା ମାଧ୍ୟମରେ ପୁଞ୍ଜି ନିବେଶ ଓ ନିଯୁକ୍ତିର ଯେଉଁ ଗୋଲାପୀ ଚିତ୍ର ରାଜ୍ୟବାସୀଙ୍କୁ ଦେଖାଇଥିଲେ ତା’ର ନୈରାଶ୍ୟଜନକ ଚିତ୍ର ବିଧାନସଭାରେ ଶିଳ୍ପ ମନ୍ତ୍ରୀଙ୍କ ଉତ୍ତରରୁ ସାମ୍ନାକୁ ଆସଛି । ସୂଚନା ଅନୁସାରେ ୨୦୨୨ରେ ମେକ୍‍ ଇନ୍‍ ଓଡ଼ିଶା ଯୋଜନାରେ ୭୪୧ଟି ପ୍ରସ୍ତାବରେ ୧୦ ଲକ୍ଷ ୪୮ ହଜାର ୮୦୭ କୋଟି ନିବେଶ ପ୍ରତିଶ୍ରୁତି ଦିଆଯାଇଥିଲା । ଏହାଦ୍ୱାରା ୧୦ ଲକ୍ଷ ୩୭ ହଜାର ୭୦୧ ନିଯୁକ୍ତି ସୃଷ୍ଟି ନେଇ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା । ଦୁଇ ବର୍ଷରେ ମାତ୍ର ୧୧୧ଟି ପ୍ରସ୍ତାବର ଭିତ୍ତି ପଡ଼ିଛି । ମାତ୍ର ୪ ଲକ୍ଷ ୧୦ ହଜାର ୧୧୫ କୋଟିର ନିବେଶ ଆସିଛି । ୨୦୨୨ର ମେକ୍‍ ଇନ୍‍ ଓଡ଼ିଶା କନ୍‌କ୍ଲେଭ ପାଇଁ ୫୭ କୋଟି ୭୩ ଲକ୍ଷ ଖର୍ଚ୍ଚ ହୋଇଥିଲା । ଏପରିକି ୨୦୧୬ ଓ ୨୦୧୮ରେ ମଧ୍ୟ ସରକାର ଶତ ପ୍ରତିଶତ ନିବେଶ ପାଇ ନାହାନ୍ତି ।


COMMERCIAL BREAK
SCROLL TO CONTINUE READING

ବିଦେଶୀ ନିବେଶକଙ୍କ ପାଇଁ ଭାରତ ଏକ ପସନ୍ଦଯୋଗ୍ୟ ସ୍ଥାନରେ ପରିଣତ ହୋଇଥିବାବେଳେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ (ଏଫ୍‌ଡିଆଇ) ଆକୃଷ୍ଟ କରିବା କ୍ଷେତ୍ରରେ ଓଡ଼ିଶା ନିମ୍ନ ସ୍ଥାନରେ ରହିଛି । ଗତ ପାଞ୍ଚବର୍ଷ ମଧ୍ୟରେ ରାଜ୍ୟକୁ ମୋଟ ଏଫ୍‍ଡିଆଇ ପ୍ରବାହ ମାତ୍ର ୧୬୫.୫୪ ନିୟୁତ ଡଲାର (୧,୩୭୭ କୋଟି ଟଙ୍କା) ରହିଛି । ଏହି ସମୟ ମଧ୍ୟରେ ଦେଶ ୪୦୦ ବିଲିୟନ ଡଲାରରୁ ଅଧିକ ପୁଞ୍ଜିନିବେଶ ପାଇଛି ।


ଜାତୀୟ ନିବେଶ ପ୍ରୋତ୍ସାହନ ଏବଂ ସୁବିଧା ଏଜେନ୍ସି ଇନ୍‌ଭେଷ୍ଟ ଇଣ୍ଡିଆର ତଥ୍ୟ ଅନୁଯାୟୀ, ଅକ୍ଟୋବର ୨୦୧୯ରୁ ସେପ୍ଟେମ୍ବର ୨୦୨୩ ମଧ୍ୟରେ ବଡ଼ ରାଜ୍ୟମାନଙ୍କ ମଧ୍ୟରେ ଓଡ଼ିଶାକୁ ଏଫ୍‌ଡିଆଇ ପ୍ରବାହ ସର୍ବନିମ୍ନ ଥିଲା । ରାଜ୍ୟ ସରକାର ୨୦୧୬ ମସିହାରୁ ଦେଶ ବିଦେଶରେ ୩ଟି ମେକ୍‍ ଇନ୍‍ ଓଡ଼ିଶା କନ୍‍ କ୍ଲେଭ୍‍ ଏବଂ ଅନେକ ପୁଞ୍ଜିନିବେଶ ଶିଖର ସମ୍ମିଳନୀ ଆୟୋଜନ କରିଛନ୍ତି । 


ମୋଟ ଏଫ୍‌ଡିଆଇ ପ୍ରବାହରେ ଇକ୍ୱିଟି ପ୍ରବାହ, ଅଣସଂଗଠିତ ସଂସ୍ଥାର ଇକ୍ୱିଟି ପୁଞ୍ଜି, ପୁନଃନିବେଶ ଆୟ ଏବଂ ଅନ୍ୟାନ୍ୟ ପୁଞ୍ଜି ଅନ୍ତର୍ଭୁକ୍ତ । ସର୍ବାଧିକ ଏଫ୍‌ଡିଆଇ ଇକ୍ୱିଟି ପ୍ରବାହ ପାଇଥିବା ଶୀର୍ଷ ପାଞ୍ଚଟି ରାଜ୍ୟ ହେଉଛି ମହାରାଷ୍ଟ୍ର, କର୍ଣ୍ଣାଟକ, ଗୁଜରାଟ, ଦିଲ୍ଲୀ ଏବଂ ତାମିଲନାଡୁ ।  ମହାରାଷ୍ଟ୍ର ୬୧.୯୨ ବିଲିୟନ ଡଲାର ସହ ଶୀର୍ଷରେ ଥିବାବେଳେ କର୍ଣ୍ଣାଟକ ୪୭.୩ ବିଲିୟନ ଡଲାର, ଗୁଜରାଟ ୩୪.୧୬ ବିଲିୟନ ଡଲାର, ଦିଲ୍ଲୀ ୨୮.୩ ବିଲିୟନ ଡଲାର ଏବଂ ତାମିଲନାଡୁ ୯.୮୫ ବିଲିୟନ ଡଲାରର ପୁଞ୍ଜିନିବେଶ ପାଇଛନ୍ତି । ଓଡ଼ିଶାର ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡ ୨.୬୬ ବିଲିୟନ ଡଲାର, ତେଲେଙ୍ଗାନା ୫.୯୨ ବିଲିୟନ ଡଲାର, ପଶ୍ଚିମବଙ୍ଗ ୧.୫୧ ବିଲିୟନ ଡଲାର ଏବଂ ଆନ୍ଧ୍ରପ୍ରଦେଶ ୮୭୨.୬୨ ନିୟୁତ ଡଲାରର ପୁଞ୍ଜିନିବେଶ ପାଇଛନ୍ତି । 


କୋଭିଡ୍ ମହାମାରୀର ଦ୍ୱିତୀୟ ବର୍ଷ (୨୦୨୧-୨୨)ରେ ୪ ଗୁଣରୁ ଅଧିକ ବୃଦ୍ଧି ପାଇଥିବା ଏଫ୍‌ଡିଆଇ ପ୍ରବାହ ରାଜ୍ୟରେ ପ୍ରାୟ ଏକ ତୃତୀୟାଂଶକୁ ଖସି ଆସିଥିଲା । ରାଜ୍ୟକୁ ୨୦୧୯-୨୦ରେ ୧୩.୦୫ ନିୟୁତ ଡଲାର (ଅକ୍ଟୋବର ୨୦୧୯ରୁ), ୨୦୨୦-୨୧ରେ ୧୯.୭୬ ନିୟୁତ ଡଲାର, ୨୦୨୧-୨୨ରେ ୯୫.୩୩ ନିୟୁତ ଡଲାର, ୨୦୨୨-୨୩ରେ ୩୧.୬୩ ନିୟୁତ ଡଲାର ଏବଂ ଡିସେମ୍ବର ୨୦୨୩ ସୁଦ୍ଧା ୫.୭୮ ନିୟୁତ ଡଲାର ଏଫ୍‌ଡିଆଇ ମିଳିଛି । 


ସର୍ବାଧିକ ଏଫ୍‌ଡିଆଇ ଇକ୍ୱିଟି ପ୍ରବାହ ପାଇଥିବା ଶୀର୍ଷ ପାଞ୍ଚଟି କ୍ଷେତ୍ର ହେଉଛି ସେବା (ଫାଇନାନ୍ସ, ବ୍ୟାଙ୍କିଂ, ବୀମା, ଅଣ ଆର୍ଥିକ ବ୍ୟବସାୟ, ଆଉଟସୋର୍ସ, ଗବେଷଣା ଓ ବିକାଶ, କୋରିଅର, ଟେକ୍‍ ଟେଷ୍ଟିଂ ଏବଂ ବିଶ୍ଳେଷଣ), କମ୍ପ୍ୟୁଟର ସଫ୍ଟୱେର ଏବଂ ହାର୍ଡୱେର, ଟ୍ରେଡିଂ, ଟେଲିକମ୍ୟୁନିକେସନ ଏବଂ ଅଟୋମୋବାଇଲ ଶିଳ୍ପ, ଓଡ଼ିଶାରେ ଏଫ୍‌ଡିଆଇ ଇକ୍ୱିଟି ପ୍ରବାହକୁ ଆକୃଷ୍ଟ କରୁଥିବା ଶୀର୍ଷ ପାଞ୍ଚଟି କ୍ଷେତ୍ର ହେଉଛି ସେବା କ୍ଷେତ୍ର, ମେଟାଲର୍ଜିକାଲ ଶିଳ୍ପ, ନିର୍ମାଣ (ଭିତ୍ତିଭୂମି) କାର୍ଯ୍ୟକଳାପ, କମ୍ପ୍ୟୁଟର ସଫ୍ଟୱେର ଏବଂ ହାର୍ଡୱେର ଏବଂ ଶିକ୍ଷା ରହିଛି ।


ଶିଳ୍ପ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ କୌଣସି ରାଜ୍ୟକୁ ଏଫ୍‌ଡିଆଇ ପ୍ରବାହ ପ୍ରାକୃତିକ ସମ୍ବଳର ଉପଲବ୍ଧତା, ବଜାର ଆକାର, ଭିତ୍ତିଭୂମି, ନିବେଶ ବାତାବରଣ ଏବଂ ବୃହତ୍‍-ଅର୍ଥନୈତିକ ସ୍ଥିରତା ସହିତ ବିଦେଶୀ ନିବେଶକଙ୍କ ନିବେଶ ନିଷ୍ପତ୍ତି ସମେତ ଅନେକ କାରଣ ଉପରେ ନିର୍ଭର କରେ ।


Also Read- ଡାକ ଟିକଟରେ ସ୍ଥାନ ପାଇଲା ପ୍ରଭୁ ଶ୍ରୀରାମଙ୍କ ଛବି


Also Read- ଲ୍ୟାବକୁ ଯିବ ମଧୁମିତାଙ୍କ ସ୍ୱାମୀ ଶ୍ରୀଧରଙ୍କ ମୋବାଇଲ, ତଥ୍ୟ ନେଲା ବାୟୁସେନା