Crack in Haryana Congress: ଆସନ୍ତା ୧୦ ତାରିଖରେ ହେବାକୁ ଯାଉଥିବା ରାଜ୍ୟସଭା ନିର୍ବାଚନ ବଢାଇ ଦେଇଛି କଂଗ୍ରେସ ଲାଗି ସମସ୍ୟା। ବିଧାୟକଙ୍କ ସମର୍ଥନ ହରାଇବା ଭୟରେ ଦଳ ସେମାନଙ୍କୁ ଛତିଶଗଡ ରାଜଧାନୀ ରାୟପୁରସ୍ଥିତ ଏକ ରିସୋର୍ଟ ମଧ୍ୟରେ ରଖିଛି। ଦଳର ୨ ଜଣ ବିଧାୟକ ଏପର୍ଯ୍ୟନ୍ତ ଏଠାରେ ପହଞ୍ଚିନାହାଁନ୍ତି। ଉଭୟ ବିଧାୟକ ଦଳ ଉପରେ ଅସନ୍ତୁଷ୍ଟ ରହିଥିବା କୁହାଯାଉଛି।


COMMERCIAL BREAK
SCROLL TO CONTINUE READING

ହରିୟାଣାର ୨ ରାଜ୍ୟସଭା ଆସନ ଲାଗି ହେବାକୁ ଯାଉଛି ନିର୍ବାଚନ। ଏଠାରେ ୨ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ୩ ପ୍ରାର୍ଥୀ। ରାଜ୍ୟସଭା ନିର୍ବାଚନ ଲଢୁଥିବା କୌଣସି ଦଳ ପ୍ରାର୍ଥୀଙ୍କୁ ୩୧ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ। ରାଜ୍ୟ ବିଧାନସଭାରେ ଶାସକ ବିଜେପି ପାଖରେ ୪୧ ବିଧାୟକ ଅଛନ୍ତି। ସଂଖ୍ୟାବଳ ଦୃଷ୍ଟିରୁ ବିଜେପି ପ୍ରାର୍ଥୀ କୃଷ୍ଣଲାଲ ପୱାଁରଙ୍କ ବିଜୟ ଏକ ପ୍ରକାର ନିଶ୍ଚିତ ହୋଇଯାଇଛି।        


ଅନ୍ୟପଟେ ବିରୋଧି କଂଗ୍ରେସ ପାଖରେ ୩୧ ବିଧାୟକ ଅଛନ୍ତି। ରାଜ୍ୟସଭାରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ରାଜସ୍ଥାନ କଂଗ୍ରେସ ପ୍ରଭାରୀ ଅଜୟ ମାକେନଙ୍କ ବିଜୟ ସମ୍ଭାବନା ଯଦିଓ ରହିଛି ହେଲେ ଯଦି ଦଳରୁ ଗୋଟିଏ ଭୋଟ ଏପଟ ସେପଟ ହୋଇଯାଏ ତାହେଲେ ବିଜେପି ଏବଂ ଏହାର ମେଣ୍ଟ ସହଯୋଗୀ ଜେଜେପି ସମର୍ଥନରେ ନିର୍ବାଚନ ଲଢୁଥିବା କାର୍ତ୍ତିକେୟ ଶର୍ମାଙ୍କ ଲାଗି ବିଜୟ ପଥ ପରିଷ୍କାର ହୋଇଯିବ।    


ଛତିଶଗଡ ରାଜଧାନୀ ରାୟପୁରସ୍ଥିତ ଏକ ରିସୋର୍ଟ ଠାରେ ବର୍ତ୍ତମାନ ୨୯ କଂଗ୍ରେସ ବିଧାୟକ ଅବସ୍ଥାନ କରୁଛନ୍ତି। ମାତ୍ର ଦଳର ୨ ବିଧାୟକ କୁଳଦୀପ ବିଷ୍ଣୋୟୀ ଏବଂ  କିରଣ ଚୌଧରୀ ଏପର୍ଯ୍ୟନ୍ତ ଏଠାରେ ପହଞ୍ଚିନାହାଁନ୍ତି। ଉଭୟ ବିଧାୟକ ଦଳ ଉପରେ ଅସନ୍ତୁଷ୍ଟ ରହିଥିବା କୁହାଯାଉଛି। ନିଜ ବିବେକ ଅନୁସାରେ ରାଜ୍ୟସଭା ନିର୍ବାଚନରେ ଭୋଟ୍ ଦେବେ ବୋଲି କହି କୁଲଦୀପ ବିଷ୍ଣୋୟୀ ଦଳ ଲାଗି ସମସ୍ୟା ବଢାଇ ଦେଇଛନ୍ତି। ତାଙ୍କୁ ହରିୟାଣା କଂଗ୍ରେସ ଅଧ୍ୟକ୍ଷ କରା ଯାଇ ନ ଥିବାରୁ ସେ ଏହାକୁ ନେଇ ଦଳ ଉପରେ ଅସନ୍ତୁଷ୍ଟ ଅଛନ୍ତି। 


ଅନ୍ୟପଟେ ଅନ୍ୟତମ କଂଗ୍ରେସ ବିଧାୟକ କିରଣ ଚୌଧରୀ ରାୟପୁର ରିସୋର୍ଟ ଠାରେ ପହଞ୍ଚିନାହାଁନ୍ତି। ଦଳୀୟ ନେତୃତ୍ୱ ଉପରେ ଅସନ୍ତୁଷ୍ଟ ରହିଥିବା କଂଗ୍ରେସ ବିଧାୟକ କିରଣ ଚୌଧରୀ ରାଜ୍ୟସଭା ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ଦେବେ ନା ନାହିଁ ତାହା ବର୍ତ୍ତମାନ ସନ୍ଦେହ ଘେରରେ ରହିଛି। ଯଦି ଏହି ୨  କଂଗ୍ରେସ ବିଧାୟକଙ୍କ ଭୋଟ ଦଳୀୟ ପ୍ରାର୍ଥୀ ଅଜୟ ମାକେନଙ୍କୁ ନ ମିଳେ ତାହେଲେ ବିଜେପି-ଜେଜେପି ସମର୍ଥନରେ ନିର୍ବାଚନ ଲଢୁଥିବା କାର୍ତ୍ତିକେୟ ଶର୍ମାଙ୍କ ଲାଗି ବିଜୟ ପଥ ପରିଷ୍କାର ହୋଇଯିବ।    


Also Read: Rajya Sabha Election 2022: କଂଗ୍ରେସକୁ ଘାରିଲା କ୍ରସିଂ ଭୋଟ ଡର


Also Read: ରାଜ୍ୟସଭା ନିର୍ବାଚନକୁ ନେଇ ସତର୍କ ହୋଇଉଠିଲା ହରିୟାଣା କଂଗ୍ରେସ