`ଜିନ୍ନା ଟାୱାର` ଠାରେ ଉଡା଼ଇବାକୁ ଯାଉଥିଲେ ତ୍ରୀରଙ୍ଗା; ହେପାଜତରେ ହିନ୍ଦୁ ବାହିନୀ ନେତା
କୋଠାପେଟ ଅଞ୍ଚଳରେ ସୃଷ୍ଟି ହୋଇଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ପୋଲିସ ଫୋର୍ସ ମୁତୟନ କରାଯାଇଛି।
ହାଇଦ୍ରାବାଦ: ସାଧାରଣତନ୍ତ୍ର ଦିବସ ଅବସରରେ ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲାରେ ସୃଷ୍ଟି ହୋଇଛି ଭୟଙ୍କର ବିବାଦ। ଘଟଣାସ୍ଥଳରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାରେ ପୋଲିସ-ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ୧୪୪ ଧାରା ଜାରି କରାଯାଇଥିଲା। ଏହା ସତ୍ତ୍ୱେ କେତେକ ହିନ୍ଦୁ ସଙ୍ଗଠନ ପକ୍ଷରୁ ପାକିସ୍ତାନର ପ୍ରତିଷ୍ଠାତା ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ନାମରେ ଥିବା ଟାୱାର ଠାରେ ତ୍ରିରଙ୍ଗା ଉଡ଼ାଇବାକୁ ଚେଷ୍ଟା କରିଥିଲେ। ଏହି ସମୟ ମଧ୍ୟରେ କୋଠାପେଟ ଅଞ୍ଚଳରେ ପ୍ରାୟ ୧୫-୨୦ ଜଣ ନେତାଙ୍କୁ ଅଟକ ରଖାଯାଇଛି।
କୋଠାପେଟ ଅଞ୍ଚଳରେ ସୃଷ୍ଟି ହୋଇଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ପୋଲିସ ଫୋର୍ସ ମୁତୟନ କରାଯାଇଛି। ଏନେଇ ସ୍ଥାନୀୟ ପୋଲିସ ପକ୍ଷରୁ କୁହାଯାଇଛି ହିନ୍ଦୁ ବାହିନୀ ସଙ୍ଗଠନର କେତେକ ସଦସ୍ୟ ଜିନ୍ନା ଟାୱାର ଆଡକୁ ଯାଉଥିଲେ। ସେମାନେ ସେଠାରେ ତ୍ରିରଙ୍ଗା ଉଡ଼ାଇବାକୁ ଚେଷ୍ଟା କରିଥିଲେ। ଏହି ଘଟଣା ବାବଦରେ ଗୁଣ୍ଟୁର ଜିଲ୍ଲା ପ୍ରଶାସନ ମଧ୍ୟ ଅବଗତ ଥିଲା। ଏନେଇ ଗୁଣ୍ଟୁର ନଗର ନିଗମ କର୍ତ୍ତୃପକ୍ଷ ପୋଲିସ ସହିତ ଜିନ୍ନା ଟାୱାର ଠାରେ ଅବରୋଧ କରିଥିଲେ। ସେଠାରେ ବହୁ ସଂଖ୍ୟକ ପୋଲିସ ଫୋର୍ସ ନିୟୋଜିତ ହୋଇଥିଲେ।
Also Read: ଦେଶରେ ରହିଛି 'ଜିନ୍ନା ଟାୱାର'; ନାମ ପରିବର୍ତ୍ତନ କରିବାକୁ ଚେତାବନୀ ଦେଲା BJP
ସାଧାରଣତନ୍ତ୍ର ଦିବସ ଅବସରରେ ଟାୱାର ଠାରେ ତ୍ରିରଙ୍ଗା ଉଡ଼ାଇବାକୁ ପ୍ରୟାସ କରିବା ଘଟଣାରେ ୧୫-୨୦ ଜଣ ଯୁବକଙ୍କୁ ଅଟକ ରଖାଯିବାକୁ ନେଇ ସ୍ଥାନୀୟ ଅଞ୍ଚଳର ଲୋକ ଏକାଠି ହୋଇ ହଙ୍ଗମା କରିଥିଲେ। ସେମାନେ ଅଟକ ରହିଥିବା ଯୁବକଙ୍କୁ ମୁକ୍ତ କରିବାକୁ ଦାବି କରିଥିଲେ। 'ଜିନ୍ନା ଟାୱାର' ନାମକୁ ନେଇ କିଛି ଦିନ ସରଗରମ ରହିଛି ଆନ୍ଧ୍ର ପ୍ରଦେଶ ରାଜନୀତି। ଏ ପ୍ରସଙ୍ଗରେ ରାଜ୍ୟ ବିଜେପି ଅଧ୍ୟକ୍ଷ ସୋମୁ ବୀରରାଜୁ ଏହି ଟାୱାର ନାଁ ପରିବର୍ତ୍ତନ କରି ଦେଶର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଏପିଜେ ଅବଦୁଲ କାଲାମ କିମ୍ବା ଦଳିତ କବି ଗୁରୁରାମ ଜୋଶୁଆଙ୍କ ନାମରେ ନାମିତ କରିବାକୁ ଦାବି କରିଥିଲେ।